ଓଡ଼ିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ଅବିସ୍ମରଣୀୟ ସାଧକ। ୧୮୮୮ ଡିସେମ୍ବର ୯ ତାରିଖରେ ସେ କଟକର ବାଖରାବାଦ ସ୍ଥିତ ଧୂଆଁପତ୍ରିଆ ଗଳିରେ ଜନ୍ମଗ୍ରହଣ କରିଥିଲେ। ଲକ୍ଷ୍ମୀକାନ୍ତ ବାଲେଶ୍ବର ଜିଲ୍ଲା ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ରେଭେନ୍ସା କଲେଜରେ ପଢ଼ିଥିଲେ। ଛାତ୍ର ଅବସ୍ଥାରେ ନାଟକ, ସଂଗୀତ, କବିତା ଆଦି ପ୍ରତି ତାଙ୍କର ଆକର୍ଷଣ ବଢ଼ିଥିଲା। ପ୍ରଥମେ ତାଙ୍କ ଲେଖାମାନ ‘ମୁକୁର’ ଓ ‘ଉତ୍କଳ ସାହିତ୍ୟ’ ଭଳି ପତ୍ରିକାରେ ପ୍ରକାଶ ପାଇଥିଲା। ବ୍ୟାସକବି ଫକୀରମୋହନଙ୍କ ପ୍ରେରଣା ଓ ଆଶୀର୍ବାଦ ତାଙ୍କୁ ଗଭୀର ଭାବେ ଅନୁପ୍ରାଣିତ କରିଥିଲା। ମାତ୍ର ୨୫ ବର୍ଷ ବସୟରେ ବ୍ୟାଧିଗ୍ରସ୍ତ ହେବାରୁ ତାଙ୍କର ଅବଶିଷ୍ଟ ଜୀବନ ଯନ୍ତ୍ରଣାରେ କଟିଥିଲା। ହେଲେ ନିଜ ଜୀବନର ବେଦନା ଭିତରେ ସେ ମଣିଷ ଜୀବନର ସୌନ୍ଦର୍ଯ୍ୟକୁ ଆବିଷ୍କାର କରିପାରିଥିଲେ। ସାହିତ୍ୟ ରଚନାରୁ ସେ ପ୍ରସିଦ୍ଧି ବା ଉପଲବ୍ଧିର ଆଶା ରଖୁ ନ ଥିଲେ, ତାଙ୍କ ପାଇଁ ଲେଖାଲେଖି ଥିଲା ଜୀବନର ପରିପୂର୍ଣ୍ଣତା ସନ୍ଧାନର ଏକ ମାଧ୍ୟମ। ସେ ଅନେକ ପ୍ରବନ୍ଧ, ରମ୍ୟରଚନା, ନାଟକ, ବ୍ୟଙ୍ଗ ସାହିତ୍ୟ, କ୍ଷୁଦ୍ରଗଳ୍ପ, ସଂଗୀତ ଓ କବିତା ରଚନା କରିଯାଇଛନ୍ତି। ତାଙ୍କର ଏକମାତ୍ର ଉପନ୍ୟାସର ଗୁରୁତ୍ବ ସମ୍ପର୍କରେ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି, “ତାଙ୍କ ‘କଣାମାମୁ’ ଉପନ୍ୟାସ ଅସଂପୂର୍ଣ୍ଣ ହେଲେ ହେଁ, ଓଡ଼ିଆ ଉପନ୍ୟାସର ଇତିହାସ ‘କଣାମାମୁ’କୁ ବାଦ ଦେଇ କଦାପି ଲେଖାଯାଇପାରିବ ନାହିଁ।’’ ‘ବୁଢ଼ା ଶଙ୍ଖାରି’ ଗଳ୍ପ, ‘ଜୀବନ ସଂଗୀତ’ କବିତା ସଂକଳନ ଆଦି ତାଙ୍କର ଶ୍ରେଷ୍ଠ କୃତି ଭାବେ ପରିଗଣିତ। ୧୯୩୩ରେ ଭଦ୍ରକ ଉଚ୍ଚ ବିଦ୍ୟାଳୟରେ ତାଙ୍କ ସମ୍ମାନର୍ଥେ ଏକ ସଭାର ଆୟୋଜନ କରାଯାଇ ତାଙ୍କୁ ‘କାନ୍ତକବି’ ଉପାଧି ଦିଆଯାଇଥିଲା। ୧୯୫୩ ଫେବ୍ରୁଆରି ଆଜି ତାରିଖରେ ସାରସ୍ବତ ଜଗତର ଏହି ଉଜ୍ଜ୍ବଳ ପୁରୁଷଙ୍କର ପରଲୋକ ଘଟିଥିଲା।
ତିରୋଧାନ ତାରିଖ: ଲକ୍ଷ୍ମୀକାନ୍ତ ମହାପାତ୍ର
/sambad/media/post_attachments/wp-content/uploads/2023/02/f654h65sf465hfs465fhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)