ଆଉ ଗୋଟିଏ ଚତୁର୍ମାସ୍ୟା ବ୍ରତକଥାର କାହାଣୀ ଅତ୍ୟନ୍ତ ଚମତ୍କାର। କାର୍ତ୍ତିକ ମାସର ଗୁରୁବାର ପ୍ରସଙ୍ଗରେ ସେହି କାହାଣୀ କୁହାଯାଇଛି।

Advertisment

ଚକ୍ରିଆ (ଚକୁଳିଆ) ପଣ୍ଡାଟିଏ ଥିଲା। ସେ ଗାଏଁ ଗଲେ ମାଣେ ଆଣଇ। ଦିନେ ଝଡ଼ିବର୍ଷା ଲାଗି ରହିଲା। ସେ ଭିକ୍ଷା କରିବାକୁ ଯାଇପାରିଲା ନାହିଁ। ସେଦିନ ଚକ୍ର୍ରିଆ ପଣ୍ଡାର ସ୍ତ୍ରୀ ମାଠିଆ ଯୋଡ଼ିଏ ଧରି ପାଣି ଆଣିବାକୁ ଯାଇଥିବା ବେଳେ ଦେଖିଲା- ମହାଲକ୍ଷ୍ମୀ ପିଲାଟିଏ ହୋଇ ପଦ୍ମପତ୍ରରେ ଭାସୁଛନ୍ତି। ହାତେ ପଦ୍ମ, ପାଦେ ପଦ୍ମ, ନାଭିରେ ଶତଦଳ ପଦ୍ମ। ପଣ୍ଡା-ପଣ୍ଡିଆଣୀଙ୍କର ପିଲାପିଲି ନଥିଲେ। ତେଣୁ ପିଲାଟିକୁ ଦେଖି ପଣ୍ଡିଆଣୀ ଶରଧାରେ ତାକୁ ଘରକୁ ନେଇ ଆସିଲା। ଦିହେଁ ଭାରି ଖୁସି ହେଲେ।

ପିଲାଟି ଅନ୍ତୁଡ଼ିଶାଳରେ ରହିଲା। ସେ ଥିବାରୁ ସେଠି ନିତି ସୁବର୍ଣ୍ଣ ପଦ୍ମ ଫୁଟିଲା। କାରଣ, ସେ ପିଲା ଥିଲା ମହାଲକ୍ଷ୍ମୀ। ସେ ସେଠି ଥାଇ ନାରାୟଣଙ୍କୁ ସୁମରଣା କରିବାରୁ ନାରାୟଣ ବିଶ୍ୱକର୍ମାଙ୍କୁ ଡାକି ସେଠିକି ପଠାଇଲେ। ବିଶ୍ୱକର୍ମା ସେଠାରେ ଉଆସଟିଏ ତୋଳିଦେଲେ। ପଞ୍ଚୁଆତି, ଷଠୀ ଓ ବାରରାତ୍ର ଯାଇ ଏକୋଇଶିଆ ଆସିଲା। ପଣ୍ଡା-ପଣ୍ଡିଆଣୀ ଝିଅର ନାଆଁ ଦେଲେ ‘ମହାଲକ୍ଷ୍ମୀ’।

ଦିନକୁ ଦିନ ଝିଅଟି ଶୁକ୍ଳପକ୍ଷର ଜହ୍ନ ଭଳି ବଢ଼ି ଉଠିଲା। ବଡ଼ ହେବାରୁ, ପଣ୍ଡା-ପଣ୍ଡିଆଣୀ ତାକୁ ବାହା ଦେବା କଥା ଚିନ୍ତା କଲେ। କିନ୍ତୁ ଝିଅଟି କହିଲା- ମୁଁ ମହାପ୍ରଭୁଙ୍କର ଘରଣୀ ହେବି।

ଜଗନ୍ନାଥ ମହାପ୍ରଭୁ ସେକଥା ଜାଣିଲେ। ଇନ୍ଦ୍ର, ବରୁଣ, କୁବେରଙ୍କୁ ଆଣି ଆସି ତାକୁ ବିଭା ହେଲେ। ବିଭାବିଧି ବଢ଼ିବା ପରେ ଲକ୍ଷ୍ମୀ-ନାରାୟଣ ବଡ଼ ଦେଉଳକୁ ବାହୁଡ଼ି ଗଲେ।

ସେହିଦିନୁ ଚକ୍ରିଆ ପଣ୍ଡା ଲକ୍ଷ୍ମୀଙ୍କ ସେବା କରେ। ଚତୁର୍ମାସ୍ୟା ଗୁରୁବାର ପାଳେ। ଦୁବ ବାନ୍ଧେ। ଲକ୍ଷ୍ମୀଙ୍କ କଥା କହେ ଓ ଲକ୍ଷ୍ମୀଙ୍କ ଗୀତ ଗାଏ। ଲକ୍ଷ୍ମୀଙ୍କୁ କାର୍ତ୍ତିକ ମାସର ବିଧିରେ ପୁଳି ଭୋଗ ଅର୍ପଣ କରେ। ମା’ ଲକ୍ଷ୍ମୀଙ୍କ ଆଣିଷରୁ ତା’ ଘର ସବୁବେଳେ ସୁଖଶାନ୍ତି, ଧନରତ୍ନରେ ପୂରି ରହିଥାଏ।

ଚତୁର୍ମାସ୍ୟା ଗୁରୁବାରର ଏହି ବ୍ରତକଥାରେ ଲକ୍ଷ୍ମୀ ଠାକୁରାଣୀ ପ୍ରଧାନ। କିନ୍ତୁ ଏହା ଲକ୍ଷ୍ମୀ-ନାରାୟଣ ବ୍ରତ। ଶ୍ରୀୟା ମାଲୁଣୀ କାହାଣୀର କାର୍ତ୍ତିକ ମାସ ଗୁରୁବାର ପ୍ରସଙ୍ଗରେ, ଏହି ବ୍ରତର ବିଧି ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। କୁହାଯାଇଛି- ଅଶିଣ ଯାଇ କାର୍ତ୍ତିକ ହେଲା। କେ ହବିଷ୍ୟ କରୁଅଛନ୍ତି। କେ ଦାମୋଦର ପୂଜା କରୁଅଛନ୍ତି। ଗୁରୁବାର ପଡ଼ିଲା। ଶ୍ରୀୟା ମାଲୁଣୀ ଲକ୍ଷ୍ମୀ-ନାରାୟଣ ପୂଜା କରିବ ବୋଲି ରାତ୍ର ଥାଉଁ ଉଠିଲା। ଘର ଲିପିଲା। ଦ୍ୱାର ପହଁରି ଗନ୍ଧ, ଚନ୍ଦନ ଛେରା ପକାଇଲା। ଗନ୍ଧ, ଚନ୍ଦନ, ଅଁଳା ଘେନି ସ୍ନାନ କରିବାକୁ ପୁଷ୍କରିଣୀକୁ ଗଲା। ସ୍ନାନ ସାରି ଶୁକ୍ଳ ଲୁଗା ପିନ୍ଧିଲା। ତହୁଁ ଘରକୁ ଆସିଲା। ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ଟାଣିଲା। ମାଣିକ୍ୟର ଦୀପାବଳି ଜାଳିଲା। ବଡ଼ ମୋତି ମାଳରେ ତୋରଣା ବାନ୍ଧିଲା। ସାନ ମୋତିରେ ମୁରୁଜ ଦେଲା। ଆଖୁ ଗୋଛା ରୂପେ ଥୋଇଲା। ଦହି ପଟୁଆଏ ଥୋଇଲା। ଗୁଆ ଘିଅରେ ଦୀପ ଜାଳିଲା। ପାନପତ୍ର ଗୋଟିକେ ଲକ୍ଷ୍ମୀ-ନାରାୟଣ ପ୍ରତିମା ବିଜେ କରାଇଲା। ବୃନ୍ଦାବନେ ପଶିଲା, ନାନା ବର୍ଣ୍ଣର ଫୁଲ ଓ ଶୁକ୍ଳ ଫୁଲ ତୋଳିଲା। ଦୁବ, ବରକୋଳି ପତ୍ର ତୋଳିଲା। ଲକ୍ଷ୍ମୀ-ନାରାୟଣଙ୍କ ପୂଜା ସାରିଲା।

ଏହି ଚତୁର୍ମାସ୍ୟା କଥାରେ ବର୍ଣ୍ଣିତ ଅଛି- ଯେଉଁମାନେ ଶ୍ରାବଣ ମାସ ଗୁରୁବାରରେ ତରଣ ଭୋଗ ଦେଇ ଶରଣ ପଶି ନ ପାରନ୍ତି; ଯେଉଁମାନେ ଭାଦ୍ରବ ମାସରେ ଚିତଉ ଭୋଗ ଦେଇ ଚିତ୍ତ ଖଟାଇ ନ ପାରନ୍ତି; ପୁଣି ଯେଉଁମାନେ ଆଶ୍ୱିନ ମାସରେ ସର ଭୋଗ ଦେଇ ନିଜକୁ ସମର୍ପି ନ ପାରନ୍ତି ଏବଂ କାର୍ତ୍ତିକ ମାସରେ ପୁଳିଭୋଗ ଦେଇ ବ୍ରତପୂରଣ କରି ନ ପାରନ୍ତି; ସେମାନେ ଏହି ଚାରିମାସର ଗୁରୁବାରରେ, କେବଳ ଶୁଚିମନ୍ତ ହୋଇ, ଉଆ ଅନ୍ନ ଭୋଗ ଦେଇ, ଭୋଗ ଖାଇ ଏହି ଲକ୍ଷ୍ମୀ-ନାରାୟଣ ବ୍ରତ କରିପାରିବେ। ଏହା ଲକ୍ଷ୍ମୀଙ୍କର ସେବା ହୋଇଥିବାରୁ ଲକ୍ଷ୍ମୀ ତାଙ୍କୁ କରୁଣା କରିବେ।