ଗୁରୁବାରର ଲକ୍ଷ୍ମୀପୂଜାକୁ ନେଇ ଆଉ ଗୋଟିଏ ସୁନ୍ଦର ବ୍ରତକଥା ହେଉଛି ‘ନିତ୍ୟାନି ଗୁରୁବାର’। ଏହାର ଅନ୍ୟ ନାମ ‘ନିତ୍ୟାନି ମହାଲକ୍ଷ୍ମୀ’। ‘ନିତ୍ୟ’ର ଅର୍ଥ- ପ୍ରତିଦିନ ବା ନିୟମିତ ରୂପେ। ସେଇଥିରୁ ହୋଇଛି ‘ନିତ୍ୟାନି’। ଏଣୁ ଏହା ମହାଲକ୍ଷ୍ମୀଙ୍କ ନିତ୍ୟ ବା ନିୟମିତ ପୂଜାକୁ ବୁଝାଏ।

Advertisment

ସାଧବ ଘର। ଶାଶୂ ନାଁ ଶ୍ରୀୟା, ବୋହୂ ନାଁ ପ୍ରିୟା। ଗୁରୁବାର ଦିନ ବୋହୂ ବୋଇଲା- ଶାଶୂୟେ, ମୁଁ ପଦ୍ମ ତୋଳି ଯିବି। ଶାଶୂ ବୋଇଲା, ଯଦି ଯିବୁ ଖରେ ଯିବୁ, ବିଧିମତେ ସ୍ନାନ ସାରି ଖରେ ଆସିବୁ। ବୋହୂ ସେହି ଅନୁସାରେ ସ୍ନାନ ସାରି, ଆସିଲାବେଳେ ଦେଖିଲା- ସ୍ୱର୍ଗର ଅଷ୍ଟକନ୍ୟା, ମଞ୍ଚର ଅଷ୍ଟକନ୍ୟା ଅଁଳା ଗଛମୂଳେ ଓଷା ପୂଜୁଛନ୍ତି। ସେମାନେ କହିଲେ- ଆଲୋ ସାଧବଘର ବୋହୂ, କେଣିକି ଯାଉଛୁ? ଓଷାକଥା ଶୁଣିବୁ ଆ’। ଏ ନିତ୍ୟାନି ମହାଲକ୍ଷ୍ମୀ ଓଷା। ତାହା ଶୁଣି ବୋହୂ ବୋଇଲା- ମୋ ଶାଶୂ ନିତ୍ୟେ କହନ୍ତି, ମୁଁ ନିତ୍ୟେ ଶୁଣଇ। ତାହା ଶୁଣି କନ୍ୟାଏ ବୋଇଲେ- ଆଲୋ, ଦେବକଥା ମନୁଷ୍ୟକଥା ଦୁହିଁଙ୍କି ସରି କଲୁ? ତୁ ଯେବେ ଶୁଣନ୍ତୁ, ତୋ ଗୃହସ୍ଥ ରାଜା ହୁଅନ୍ତା, ତୁ ପାଟରାଣୀ ହୁଅନ୍ତୁ। ହେଲେ ତୁ ଶୁଣିଲୁନି। ତୁ ଯେଉଁ କାର୍ଯ୍ୟକୁ ଯାଉଛୁ ତାହାର ସୁଫଳ ନହେଉ।

ବୋହୂ ଘରକୁ ଫେରି ରାନ୍ଧି ବସିଲା। କିନ୍ତୁ ହାଣ୍ଡି ଉପରେ ଜାଳ ଗଲା ସିନା, ଜିରା ଫୁଟିଲା ନାହିଁ। ସବୁକଥା ଶୁଣି ଶାଶୂ ନିଜେ ରାନ୍ଧି ବସିଲା। ଷୋଳ ଉପଚାରରେ ଲକ୍ଷ୍ମୀପୂଜାର ଆୟୋଜନ କଲା। କିନ୍ତୁ ଠାକୁରାଣୀ ବିଜେ ହେଲେ ନାହିଁ। ବହୁତ ଅନୁନୟ ବିନୟ ପରେ ଆଜ୍ଞା ଦେଲେ- ମୋହରେ କାର୍ଯ୍ୟ କି ତୋ ବୋହୂରେ କାର୍ଯ୍ୟ? ଶାଶୂ ବୋଇଲା- ଗୋସାଇଁଙ୍କଠାରେ କାର୍ଯ୍ୟ। ତହୁଁ ଲକ୍ଷ୍ମୀ ଠାକୁରାଣୀ କହିଲେ- ବୋହୂକୁ ଯେବେ ଘରୁ ବାହାର କରିଦେବୁ, ତେବେ ତୋ ଘରକୁ ଯିବି। ତହୁଁ ଶାଶୂ ବୋହୂକୁ ଘରୁ ବାହାର କରିଦେଲା।
ସିଏ ତ ବଡ଼ଘର ବୋହୂ। ତାକୁ ବାଟ ଘାଟ କିଛି ଜଣା ନାହିଁ। କୁଆଡ଼େ ଯିବ? ଯାଇ ଧାନ ମରେଇ ତଳେ ରହିଲା।

ତେଣେ ଶାଶୂ ମହାଲକ୍ଷ୍ମୀଙ୍କି ବହୁତ ସେବା କଲା। ଲକ୍ଷ୍ମୀ ଠାକୁରାଣୀ ଅଷ୍ଟବେତାଳଙ୍କୁ ପଠାଇ ସବୁ ସାମଗ୍ରୀ ସଂପାଦି ଦେଲେ। ସାଧବାଣୀ ଏପରି ଭୋଳ ହୋଇ ତାଙ୍କର ସେବା କଲା, ଯେ ମହାଲକ୍ଷ୍ମୀ ତୁଷ୍ଟ ହେଲେ। ଅମୃତ ମଣୋହି ସାରି ତା’ ଘରେ ଶୋଇଲେ। ଲକ୍ଷ୍ମୀଙ୍କ ଆଶୀର୍ବାଦରେ ସାଧବାଣୀ ଚତୁର୍ଭୁଜ ହେଲା। ହାଥକେ ଚାମର, ହାଥକେ ପଙ୍ଖା ଚାଳିଲା। ଆର ହାଥରେ ପାଦ ମଞ୍ଚାଳିଲା। ଠାକୁରାଣୀ ଆରାମରେ ନିଦ୍ରା ଗଲେ।

ବଡ଼ଦେଉଳରେ ତେଣେ ହରି ବଳରାମ ବିଜେ କରିଛନ୍ତି। ଲକ୍ଷ୍ମୀ ନାହାନ୍ତି। ରୋଷଘରେ କେହି ନାହିଁ। ମଣୋହି ସାମଗ୍ରୀ କିଛି ହୋଇନାହିଁ। ଠାକୁର ବୋଇଲେ- ସିଏ ତ ଆଦରଲକ୍ଷ୍ମୀ। ଯହିଁ ଆଦର ପାଆନ୍ତି ତହିଁ ରହନ୍ତି। ଆମ୍ଭପାଇଁ ଆଉ ଆଦର ନାହିଁ।

ସେଇଠୁ ଶଙ୍ଖୁଆକୁ ଡାକି ହରି ବୋଇଲେ- ଜୟଶଙ୍ଖ ବଜା। ତୋ କାନ, ମୋ କାନ, ଲକ୍ଷ୍ମୀ କାନ କର। ଶଙ୍ଖୁଆ ଆଜ୍ଞା ପ୍ରମାଣେ ଜୟଶଙ୍ଖ ବଜାଇଲା। ସେ ଶଙ୍ଖ ଶବଦ ମହାଲକ୍ଷ୍ମୀଙ୍କ କାନରେ ପଡ଼ି ତାଙ୍କର ନିଦ୍ରା ଭାଙ୍ଗିଲା। ସେ ଉଠି ବସିଲେ। କହିଲେ- ସାଧବାଣୀ, ମୋ ନିଦ୍ରା ନ ଭଙ୍ଗାଇଲୁ। ଠାକୁରଙ୍କର ମୋତେ ବୋଲଣା ହେବ। ଏତେ ବୋଲି ଠାକୁରାଣୀ ବିଜେ କରିଗଲେ। ଗଭା ଫିଟି ଯାଉଛି, ନେତର ପଣତ ଲୋଟି ଯାଉଛି।

ସାଧବାଣୀ ପଛରେ ଗୋଡ଼ାଇଲା। ଠାକୁରାଣୀ ପଛକୁ ଚାହିଁ ତାକୁ ବୋଇଲେ- ବର ମାଗ। ସେ ଯାହା ଯାହା ବର ମାଗିଲା, ସବୁ ତାକୁ ଦେଲେ।

ତା’ପରେ ବୋଇଲେ- ଆଲୋ, ତୋ ବୋହୂ ମୋ କାର୍ଯ୍ୟରେ ଅଛି। ସିଏ ମରେଇ ତଳେ ବସିଛି। ଧାନଟି ମାନ ଧାନ ମରେଇରେ, ମୁଗଟି ମାନ ମୁଗ ମରେଇରେ, ବିରିଟି ମାନ ବିରି ମରେଇରେ ପକାଉଛି। ସିଏ ତ ବଡ଼ଘର ବୋହୂ, କେଣିକି ଯିବ? ତାକୁ ଘରକୁ ଘେନି ଆ’।

ମହାଲକ୍ଷ୍ମୀଙ୍କ ଆଜ୍ଞା ପାଇ, ଶାଶୂ ଯାଇ ବୋହୂକୁ ଘରକୁ ଘେନି ଅଇଲା। ତାକୁ କନକ ସ୍ନାହାନ କରାଇ, ପାଟ ପିନ୍ଧାଇ, ନାନା ଅଳଙ୍କାର ସହ ଯାଇ ଠାକୁରାଣୀଙ୍କ ଭେଟିଲା। ମହାଲକ୍ଷ୍ମୀ ଦୁହିଁଙ୍କୁ ଦେଖି ହସିଲେ। ତାଙ୍କୁ ଅନେକ ବର ଦେଲେ।