ଲକ୍ଷ୍ମୀପୁରାଣ କଥା-୩୩: ‘ଏହି ଚଣ୍ଡାଳୁଣୀ ମୋର ଭଗତି ଘେନିଲା’

ଅସିତ ମହାନ୍ତି

‘ନିତ୍ୟାନି ଗୁରୁବାର’ ବ୍ରତକଥାର ‘ଶ୍ରୀୟା ସାଧବାଣୀ’କୁ ବର ଦେବା ପରି, ‘ଲକ୍ଷ୍ମୀପୁରାଣ’ର ‘ଶ୍ରୀୟା ଚଣ୍ଡାଳୁଣୀ’କୁ ବି ମହାଲକ୍ଷ୍ମୀ ବର ଦେଇଥିଲେ। କାରଣ, ଶ୍ରୀୟା ସାଧବାଣୀ ପରି ଶ୍ରୀୟା ଚଣ୍ଡାଳୁଣୀ ଥିଲା ଲକ୍ଷ୍ମୀଭକ୍ତା। ଦୁହେଁ ଗୁରୁବାର ଦିନ ଲକ୍ଷ୍ମୀପୂଜା କରୁଥିଲେ।
ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟବାର। ପୁଣି ଶୁକ୍ଳ ଦଶମୀ ଗୁରୁବାର ଅଧିକ ପ୍ରିୟ। କାରଣ, ଶୁକ୍ଳ ଦଶମୀ ଗୁରୁବାରରେ ତାଙ୍କର ଜନ୍ମ। ପୀତାମ୍ବର ଦାଶ ବିରଚିତ ‘ନୃସିଂହ ପୁରାଣ’ର ‘ପ୍ରଥମ ସାଗର’ରେ ଲକ୍ଷ୍ମୀଙ୍କର ଜନ୍ମ ଓ ଜନ୍ମ ମାସ ବାବଦରେ ବର୍ଣ୍ଣନା ଅଛି। ସେଥିରେ ବିଛା ମାସ, ଶୁକ୍ଳ ଦଶମୀ, ଗୁରୁବାରରେ ଭୃଗୁକନ୍ୟା ଭାବରେ ସେ ଜନ୍ମ ହୋଇଥିଲେ ବୋଲି ବର୍ଣ୍ଣନା ରହିଛି। ସେଥିପାଇଁ ତାଙ୍କର ଗୋଟିଏ ନାଆଁ ‘ଭାର୍ଗବୀ’।

‘ସୁଦଶାବ୍ରତ’ ଲକ୍ଷ୍ମୀଙ୍କର ପ୍ରିୟ ବ୍ରତ- କାରଣ, ଶୁକ୍ଳ ଦଶମୀ ତିଥିରେ ଗୁରୁବାର ପଡ଼ିଲେ ଏହି ବ୍ରତ ହୁଏ। ମାର୍ଗଶିର ଶୁକ୍ଳଦଶମୀ ଗୁରୁବାର, ସୁଦଶାବ୍ରତରେ ଲକ୍ଷ୍ମୀ ଜନ୍ମଗ୍ରହଣ କରିଥିଲେ। ବଳରାମ ଦାସ ତେଣୁ ସେହିପରି ଏକ ସୁଦଶାବ୍ରତରେ ତାଙ୍କ ‘ଲକ୍ଷ୍ମୀପୁରାଣ’ର କାହାଣୀ ଆରମ୍ଭ କରିଛନ୍ତି। ତାହା ମେଷମାସ, ଅର୍ଥାତ୍ ବୈଶାଖ ଶୁକ୍ଳଦଶମୀ ଗୁରୁବାରର କଥା।

ସେଦିନ ଲକ୍ଷ୍ମୀ ନଗ୍ର ବୁଲି ଯାଇ, କାହାକୁ ‘ଆଚାରବନ୍ତ’ ଭାବରେ ଦେଖିବାକୁ ପାଇ ନଥିଲେ। କେଉଁଠି ପୁଣି “ସାତ ପାଂଚ ନାରୀମାନେ ୟେକ ରୁଣ୍ଡ ହୋଇ” ସୁଦଶାବ୍ରତ କଲେ କି ଫଳ ମିଳେ ବୋଲି ପରସ୍ପରକୁ ପଚାରୁଥିଲେ। ତାହା ଦେଖି ଲକ୍ଷ୍ମୀ ବିମୁଖ ହୋଇପଡ଼ିଥିଲେ।
ଯେଉଁ ‘ବଳରାମ ଦାସକୃତ ଲକ୍ଷ୍ମୀପୁରାଣ’ ଏବେ ସଂପାଦିତ ହୋଇ ପ୍ରକାଶ ପାଇଛି, ସେଥିରେ ମୁଖ୍ୟ ପାଠ ସହିତ ସଂପାଦକବୃନ୍ଦ ବିଭିନ୍ନ ପୋଥିର ‘ପାଠାନ୍ତର’ ମଧ୍ୟ ଦେଇଛନ୍ତି। ସେପରି ଏକ ପାଠାନ୍ତର ଅନୁସାରେ, ଯେଉଁ ନାରୀମାନେ ଏକ ରୁଣ୍ଡ ହୋଇ ସୁଦଶାବ୍ରତ କ’ଣ ବୋଲି ପଚରାପଚରି ହେଉଥିଲେ, ସେମାନଙ୍କ ମଧ୍ୟରୁ ଜଣେ କହିଛି, ସେ କିଛି ଜାଣିନି। “କେ ବୋଲଇ କେ ଜାଣଇ ଗୋ ମୁହିଂ ନ ଜାଣଇଂ।” ଏବଂ ତାହା ଶୁଣି ଲକ୍ଷ୍ମୀ ନ ସହି ପାରି, ବିମୁଖ ହୋଇ ବାହୁଡ଼ି ଯାଇଛନ୍ତି।

ସେହି ‘ପାଠାନ୍ତର’ଟି ଏହିପରି-
“ତା ଶୁଣି ପରମ ଲକ୍ଷ୍ମୀ ନପାରିଲେ ସହି
ମୋହ ବ୍ରତ ନ କରିଣ ମୋତେ ଗର୍ବ ବହି।
ବ୍ରତ ଘେନିବାକୁ ତୁମ୍ଭେମାନେ ନୁହ ସକ୍ଷ
ତହୁଂ ବେଗେ ଗଲେ ଲକ୍ଷ୍ମୀ ହୋଇଣ ବିମୁଖ।”

କିନ୍ତୁ ନଗ୍ର ବାହାରେ ରହୁଥିବା ଶ୍ରୀୟା ଚଣ୍ଡାଳୁଣୀ ଥିଲା ସେମାନଙ୍କର ଏକ ବ୍ୟତିକ୍ରମ। ଏ ସଂପର୍କରେ ‘ପାଠାନ୍ତର’ରେ ଅଛି-
“ଜାଣିଲା ସେ ପଡ଼ିଅଛି ଦଶମୀ ଗୁରୁବାର
ଶୁଧ ଯେ ଶଉଚ ଆଜି କରିବି ଶ୍ୱରୀର।
ଚଣ୍ଡାଳୀ ଏମନ୍ତ ତାର ମନେ ବିଚାରିଲା
ରାତ୍ର ପହରକେ ଥାଉଂ ନିଦ୍ରାରୁ ଜାଗିଲା।
ତୁଳସୀ ଚଉଂରା ଗୋଟି ଲିପିଣ ଆଣିଲା
ଅରୁଆ ତଣ୍ଡୋଳ ବାଟି ଦ୍ୱାରେ ଝୋଟି ଦିଲା
ଝୋଟି ଉପରେ ପଦ୍ମ ଗୋଟିଏ ଲିହିଲା
ପଦ୍ମ ଉପରେ ଯେ ମାଧୋବୀ ଲତା ଦିଲା।
ଥୋପି ଥୋପି ମୁକୁତା ତା ଉପରେ ଲେଖେ ବସି
ଆକାଶ ନକ୍ଷତ୍ର କି ମହୀରେ ପଡ଼େ ଖସି।”

ସଂପାଦିତ ପୁସ୍ତକର ମୂଳ ପାଠରେ ମଧ୍ୟ, କିଂଚିତ୍ ଭିନ୍ନ ଭାବରେ ଏହା ବର୍ଣ୍ଣିତ ହୋଇଛି। ସେଥିପାଇଁ ‘ପରମ ଲକ୍ଷ୍ମୀ’ଙ୍କର ହୃଦ୍‌ବୋଧ ହୋଇଛି, ଯେ ସାରା ନଗ୍ରରେ ଆଉ କେହି ଆଚାରବନ୍ତ ନଥିବା ବେଳେ ସେହି ଚଣ୍ଡାଳୁଣୀ ହିଁ ଏକମାତ୍ର ଆଚାରବତୀ। ତାଙ୍କର ଅନ୍ତର୍ଗତ ଭାବନାକୁ ଖୁବ୍ ସୁନ୍ଦର ଭାଷା ଦେଇ ବଳରାମ ଦାସ ଲେଖିଛନ୍ତି-
“ଏହି ଚଣ୍ଡାଳୁଣୀ ମୋର ଭଗତି ଘେନିଲା।”

ପୂର୍ବ ସୂଚିତ, ଯେ ଶ୍ରୀୟା ଲେଖିଥିବା ପଦ୍ମ ଦେଖି, ପଦ୍ମଲୋଚନୀ ‘ମା’ ଲକ୍ଷ୍ମୀଙ୍କର ଶରଧା ବଳିଛି। ପଦ୍ମଫୁଲରେ ବାଈ ପଦ୍ମା ତା’ ପଦ୍ମଫୁଲରେ ବିଜେ ହୋଇ ତାକୁ ବର ଯାଚିଛନ୍ତି ଏବଂ ବର ଦେଇ, ବଡ଼ ଦେଉଳକୁ ବିଜେ କରିଯାଇଛନ୍ତି।

ସମ୍ବନ୍ଧିତ ଖବର