ଲକ୍ଷ୍ମୀ ଠାକୁରାଣୀ ଶ୍ରୀୟା ଚଣ୍ଡାଳୁଣୀ ଘରେ ଯାଇ ଉଭା ହୋଇଥିବାରୁ, ବଡ଼ ଦେଉଳର ବଡ଼ ସାଆନ୍ତ ବଳରାମ (ବଳଭଦ୍ର) କ୍ଷୁବ୍ଧ ହେଲେ। ତାଙ୍କୁ ଘରୁ ଘଉଡ଼ାଇ ଦେବା ପାଇଁ ‘କନାଇ’ (ଜଗନ୍ନାଥ)ଙ୍କୁ କହିଲେ। “ଏପରି ଭାରିଜା ଥିଲେ ଭଲଗତି ନାହିଂ” ବୋଲି ମଧ୍ୟ ସଫା ସଫା କହିଦେଲେ। ଘରର କୁଳବୋହୂ ହୋଇ, ସାମାଜିକ ବିଧିର ଅବମାନନା କରିଥିବାରୁ, ତାହା ଥିଲା ସାଆନ୍ତ ବଳରାମଙ୍କର ଶେଷକଥା।
ବଡ଼ଭାଇ ବଳରାମ ଗୃହକର୍ତ୍ତା। ତାଙ୍କ ଆଦେଶ ଅବଶ୍ୟ ଶିରୋଧାର୍ଯ୍ୟ। ଫଳରେ, ଗୋଟିଏ ପଟେ ପରିବାର ଓ ଅନ୍ୟ ପଟେ ପତ୍ନୀ; ଜଗନ୍ନାଥ କିଂକର୍ତ୍ତବ୍ୟ ବିମୂଢ଼।
ତଥାପି ସେ ବଡ଼ଭାଇଙ୍କୁ ବୁଝାଇବାକୁ ଚେଷ୍ଟା କଲେ। କହିଲେ- ଘରଣୀକୁ ଘଉଡ଼ାଇ ଦେଲେ ଘର କ’ଣ ଶୋଭା ପାଇବ? ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ ଅନୁସାରେ-
“ଗୋବିନ୍ଦେ ବୋଇଲେ ଭାଇ ଘଉଂଡାଇ ଦେବ
ଘରର ଘରଣୀ ଗଲେ ଶୋଭା କି ପାଇବ।”
କିନ୍ତୁ ବଳରାମ ନିଜ ନିଷ୍ପତ୍ତିରେ ଅଟଳ। ସେ ଘରର ମୁରବି। ତାଙ୍କ କଥା ଅକାଟ୍ୟ, ଅଲଂଘ୍ୟ। ସେହି ଅନମନୀୟତାରେ ସେ ଜଗନ୍ନାଥଙ୍କୁ ସିଧାସିଧା ଶୁଣାଇଦେଲେ- ଯଦି ତୋର ଏତେ ଭାରିଯା ସୁଆଗ, ତେବେ ମୋ ଘରୁ ବାହାରି ଯା’। ଯାଇ ଭାରିଯାକୁ ନେଇ ସେଇ ଚଣ୍ଡାଳ ସାହିରେ ଘର କରି ରହ। ସେଠି କୁକୁଡ଼ା, ଘୁଷୁରି ପାଳି ପେଟ ପୋଷ। ଏ ବଡ଼ଦେଉଳରେ ତୋ’ ପାଇଁ ଆଉ ସ୍ଥାନ ନାହିଁ।
“ବଳରାମେ ବୋଇଲେ ଯେବେ ଭାରିଯାରେ କାର୍ଯ୍ୟ
ଚଣ୍ଡାଳ ସାହିରେ ଘର ତୋଳ ଦେବରାଜ।
ଚଣ୍ଡାଳ ସାହିରେ ତୁ ଯେ ଘରେକ ତୋଳିବୁ।
କୁକୁଡ଼ା ଶୂକର ଲୋଚାୟେ ପାଳିବୁ।
ମୋ ବଡ଼ ଦେଉଳକୁ ଆଉ ନଆସିବୁ।
ମାଇପକୁ ଘେନି ନଗ୍ର ବାହାରେ ତୁ ଥିବୁ।”
ବଳରାମଙ୍କର ଏ କଠୋର ନିଷ୍ପତ୍ତି ସତ୍ତ୍ୱେ, ଜଗନ୍ନାଥ କିନ୍ତୁ ଆଶା ହରାଇ ନଥିଲେ। ବଡ଼ଭାଇଙ୍କୁ ତଥାପି ବୁଝାଇବାକୁ ଚେଷ୍ଟା କରିଥିଲେ। ଏପରିକି, କୁଳକୁ ଲଜ୍ଜା ହେବ ବୋଲି କହି, ବଡ଼ଭାଇଙ୍କୁ ତାଙ୍କର ନିଷ୍ପତ୍ତିରୁ ଓହରାଇବାର ପ୍ରୟାସ ବି କଲେ।
“ଜଗନ୍ନାଥେ ବୋଇଲେ ହେ ବଳରାମ ଭାଇ
ଲକ୍ଷ୍ମୀ ପରା ଭାରିଯାକୁ ପାଇବଇଂ କାହିଂ।
ପୁଣ୍ୟ କରିଥିଲେ ପାଇଂ ଏମନ୍ତ ଭାରିଯା
ୟେ ଭାରିଯା ଛାଡ଼ିଲେ କୁଳକୁ ବଡ଼ ଲଜ୍ଜା।”
ଖାଲି କୁଳ କଥା ନୁହେଁ; ସାଂସାରିକ, ସାମାଜିକ ଓ ପାରିବାରିକ ସହାବସ୍ଥାନର ପାରମ୍ପରିକ ବିଧି କଥା ବି ସେ ଏ ପ୍ରସଙ୍ଗରେ ଉଠାଇନ୍ତି। ଅତି ସୁନ୍ଦର ଭାବରେ ତାହାର ଅବତାରଣା କରିଛନ୍ତି ବଳରାମ ଦାସ।
“ସ୍ତିରୀ ଅପରାଧ କଲେ କ୍ଷମା କରେ କାନ୍ତ
ଭୃତ୍ୟ ଅପରାଧ କଲେ କ୍ଷମେ ଯେ ସାମନ୍ତ।
ନଜାଣିଣ ଦୋଷ କଲା ସିନ୍ଧୁ ରାଜଜେମା
ବାରେ ମାତ୍ର ଦୋଷ ଭାଇ ତୁମ୍ଭେ କର କ୍ଷମା।”
ତେବେ, ଏତିକିରେ ଜଗନ୍ନାଥ ନିରସ୍ତ ହୋଇ ନାହାନ୍ତି। ସେ ଜାଣିଛନ୍ତି, ବଡ଼ଭାଇ ବଳରାମ ଏଇ ଅନୁନୟ ବିନୟରେ ଏତେ ସହଜରେ ମାନିବେ ନାହିଁ। ତେଣୁ, ଯେଉଁମାନେ ଅପମାର୍ଗରେ ଚାଲି ଯାଆନ୍ତି, ତାହାର ପ୍ରତିକାର ପାଇଁ ସମାଜଶାସ୍ତ୍ରୀମାନେ ଯେଉଁସବୁ ଶାସ୍ତ୍ରୀୟ ବିଧାନ ନିର୍ଦ୍ଦେଶ କରିଛନ୍ତି, ତାହାର ଅବତାରଣା ବି ସେ କରିଛନ୍ତି। କହିଛନ୍ତି-
“ସ୍ୱର୍ଗର ଯେ ଦେବଗଣମାନ ଅଣାଇବା
ରୋଷାଇଂ ଯେ ସଂଚା କରି ଜାଣି ଭୁଂଜାଇବା।
ୟେବାର ପ୍ରମଲକ୍ଷ୍ମୀ ଜାତିରେ ଭରିବା
ଆଉ ବାରେ ଦୋଷ କଲେ ଘଉଡ଼ାଇ ଦେବା।”
ଜଗନ୍ନାଥ, ବଡ଼ଭାଇ ବଳରାମଙ୍କୁ ଏସବୁ କଥା କହି ଯାହା ବୁଝାଇବାକୁ ଚାହିଁଛନ୍ତି, ତାହା ହେଉଛି-
“ଘରର ଘରଣୀ ଘରଛାଡ଼ି ଗଲେ ଶୋଭା ଦିଶିବ ନାହିଁ।” ଏବଂ “ଲକ୍ଷ୍ମୀ ପରି ଭାରିଯାଟିଏ ଆଉ କାହିଁ ମିଳିବ ନାହିଁ।”