ଲକ୍ଷ୍ମୀ କେବଳ ହସ୍ତରୁ ସୁବର୍ଣ୍ଣ ବାହି, ଶିରରୁ ମୁକୁତାର ଝାଲି ଓ ହୃଦରୁ ଇନ୍ଦ୍ରଗୋବିନ୍ଦ କାଞ୍ଚୁଲି ଖୋଲିଦେଲେ ନାହିଁ; ଅଣ୍ଟାରୁ ରତ୍ନ ଓଡ଼ିଆଣି, ନାକରୁ କନକ ବସଣି, କାନରୁ ହୀରାର କୁଣ୍ଡଳ, ଗଳାରୁ ଦୋସରି ଚିନାମାଳ ବି କାଢ଼ି ରଖିଦେଲେ। ବଳରାମ ଦାସ ‘ଲକ୍ଷ୍ମୀ ପୁରାଣ’ରେ ତାହାର ସୁନ୍ଦର ବର୍ଣ୍ଣନା ଦେଇ କହିଛନ୍ତି-
“ଅଂଟାରୁ କାଢ଼ିଲେ ସେ ରତ୍ନ ଓଡ଼ିଆଣି
ନାସାରୁ କାଢ଼ିଲେ ସେ କନେକ ବସଣି।
କାନରୁ କାଢ଼ିଲେ ମାୟେ ହୀରାର କୁଣ୍ଡଳ
ଗଳାରୁ କାଢ଼ିଲେ ଯେ ଦୋସରି ଚିନାମାଳ।”
ଏସବୁ ମଧ୍ୟରୁ ‘ଓଡ଼ିଆଣି’ ହେଉଛି ଏକ ବିଶେଷ ଅଳଙ୍କାର; ଯାହା ସମ୍ଭ୍ରାନ୍ତ ପରିବାରର ନାରୀମାନଙ୍କର ଏକ ମୂଲ୍ୟବାନ ଭୂଷଣ। ଏହା ଅଣ୍ଟାରେ ପିନ୍ଧାଯାଉଥିବା ଏକ ଅଳଙ୍କାର- ଯାହାକୁ ଲୋକକଥିତ ଭାଷାରେ କୁହାଯାଏ, ଅଣ୍ଟାସୂତା ବା ବିଛା।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ରଥ ଉପରେ ଯେଉଁ ସୁନାବେଶ ହୁଏ, ସେଥିରେ ଦେବୀ ସୁଭଦ୍ରା ଏହି ଅଳଙ୍କାର ପରିଧାନ କରିଥାଆନ୍ତି। ‘ଭାଗବତ’ରେ କିନ୍ତୁ ଏହା ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କର ପ୍ରିୟ ଅଳଙ୍କାର ବୋଲି ଉଲ୍ଲେଖ ଅଛି। ସେଥିରେ ତାଙ୍କର ବେଶ ବର୍ଣ୍ଣନା ବାବଦରେ କୁହାଯାଇଛି,
“ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି। କଟିରେ ରତ୍ନ ଓଡ଼ିଆଣି।”
ଏହି ଓଡ଼ିଆଣି ଅଳଙ୍କାର ମଧ୍ୟ ଯେ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ, ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଏହାର ପ୍ରମାଣ।
ଏସବୁ ସହିତ, ପିନ୍ଧିଥିବା ଅନ୍ୟ ଅଳଂକାରମାନ ବି ଲକ୍ଷ୍ମୀ ଦେହରୁ ଖୋଲିଦେଲେ। ତାହାର ବର୍ଣ୍ଣନା କରି ବଳରାମ ଦାସ କହିଛନ୍ତି-
“ଅନ୍ୟ ଅଳଙ୍କାର କଥା କି କହିବା ଆଉ
ରୁଣ୍ଡ କଲେ ସମସ୍ତ ଦିଶନ୍ତି ଦାଉ ଦାଉ।
ଅଷ୍ଟ ଅଳଙ୍କାର ମାୟେ ଏକ ରୁଣ୍ଡ କଲେ
ପ୍ରଭୁଙ୍କ ଛାମୁରେ ସମର୍ପିଣ ଦିଲେ।”
ଲକ୍ଷ୍ମୀଙ୍କର ଏହି ଅପ୍ରତ୍ୟାଶିତ ପ୍ରତିକ୍ରିୟା କିନ୍ତୁ ଜଗନ୍ନାଥଙ୍କୁ କିଛିକ୍ଷଣ ପାଇଁ ହତବାକ୍ କରି ଦେଇଥିବ। କାରଣ, ଏହା ପୂର୍ବରୁ ସେ ଅତି ସ୍ପଷ୍ଟ ଭାବରେ କହିଥିଲେ, ସ୍ତ୍ରୀର ଦେହରେ ଥିବା ଅଳଙ୍କାର ତା’ର। ସ୍ୱାମୀର ତା’ ଉପରେ କୌଣସି ଅଧିକାର ନାହିଁ। ତେଣୁ ଲକ୍ଷ୍ମୀ ସବୁ ଅଳଙ୍କାର ନେଇ ତାଙ୍କୁ ସମର୍ପିଦେବା ପରେ, ସେ କହିଲେ- ଏସବୁ ଅଳଙ୍କାରରେ ମୋର କି ବା ପ୍ରୟୋଜନ ଅଛି?
“ଗୋବିନ୍ଦେ ବୋଲନ୍ତି କଥାୟେକ କହିବଇଂ ମୁହିଂ
ଆମ୍ଭର ଯେ ଅଳଂକାରେ ପ୍ରୟୋଜନ ନାହିଂ।”
ଏ ପ୍ରସଙ୍ଗରେ ସ୍ମରଣୀୟ, ଯେ ଲକ୍ଷ୍ମୀଙ୍କୁ ଛାଡ଼ିବା କଥା ପ୍ରାୟ ନିଶ୍ଚିତ ହୋଇଯିବା ପରେ, ସେ କହିଥିଲେ- ଲେଖି ଯୋଖି ତାଙ୍କୁ ପଡ଼ି ବର୍ତ୍ତନ ଦେବେ। ତେଣୁ ତାହାର ପୁନରାବୃତ୍ତି କରି ସେ କହିଲେ-
“ଯେଉଁ ମାଇପକୁ ଯେଉଂ ଗୁରସ୍ତ ଛାଡ଼ଇଂ
ଛ ମାସକୁ ଭାତଲୁଗା ଲେଖିଯୋଖି ଦେଇଂ।”
ଆଧୁନିକ ପରିଭାଷାରେ ଏହା ‘ଆଲିମନି’ ବା ଛାଡ଼ପତ୍ର ବାବଦ କ୍ଷତିପୂରଣ। କିନ୍ତୁ ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀରେ ତାହା ଥିଲା ‘ପଡ଼ି ବରତନ’ ବା ‘ଲେଖାଯୋଖା ଭାତ-ଲୁଗା’ ଖର୍ଚ୍ଚ।
କିନ୍ତୁ ଲକ୍ଷ୍ମୀ ‘ପଡ଼ିଦେଈ’ ବା ‘ପଡ଼ିଦାତ୍ରୀ’ଠାକୁରାଣୀ। ସେ ହିଁ ସମସ୍ତଙ୍କୁ ପଡ଼ି ଦିଅନ୍ତି।
ଏହାକୁ ନେଇ ଗୋଟିଏ ସୁନ୍ଦର ଉପାଖ୍ୟାନ ଅଛି ‘ନିତ୍ୟାନି ଗୁରୁବାର ଓଷା’ କଥାରେ।
ଦିନେ ଜଗତଜନଙ୍କୁ ପଡ଼ି ଦେଇସାରି ବଡ଼ଦେଉଳକୁ ଫେରୁ ଫେରୁ ଲକ୍ଷ୍ମୀଙ୍କର ଡେରି ହୋଇଗଲା। ରାତିରେ ଅମୃତ ମଣୋହି ପରଷିବା ବେଳେ ଜଗନ୍ନାଥ ତାଙ୍କୁ କହିଲେ, “ତୁମ୍ଭେ ତ ଆଦରଲକ୍ଷ୍ମୀ। ଯହିଁ ଆଦର ପାଅ ତହିଁ ରହି। ଆମ୍ଭ କଥା ମନେ ନଥାଇ।” ତାହା ଶୁଣି ଲକ୍ଷ୍ମୀ କହିଲେ, “ତୁମ୍ଭେ ଜଗତ ଠାକୁର। ତୁମ୍ଭ ଆଜ୍ଞାରୁ ମୁଁ ଜଗତ ଠାକୁରାଣୀ। ଯାହାକୁ ପଡ଼ି ନଦେବି ସେ ନ ପାଇ।”
ବଡ଼ସିଂହାରର ସେହି ଅମୃତ ମଣୋହି ସରିଲା। ଠାକୁର କର୍ପୂର ବିଡ଼ିଆ ଲାଗି ହେଲେ। ରତ୍ନ ପଲଙ୍କରେ ଲକ୍ଷ୍ମୀ-ନାରାୟଣଙ୍କର ଏକାନ୍ତ ହେଲା। ଠାକୁର ମନରେ ବିଚାର କଲେ- ଲକ୍ଷ୍ମୀଙ୍କ ପଡ଼ି ଦେବାର କଥା ଆଜି ବିଡ଼ିବା। ସେଥିପାଇଁ ଗୋପନରେ ଭଅଁରଟିଏ ପିନ୍ଧା ଲୁଗା କାନିରେ ବାନ୍ଧି ପହୁଡ଼ିଲେ।
ସକାଳେ ନିଦ ଭାଙ୍ଗିବା ପରେ ସେ ଲକ୍ଷ୍ମୀ ଠାକୁରାଣୀଙ୍କୁ କହିଲେ, “ଆମ୍ଭ ପିନ୍ଧାକାନିରେ କି ଅଛି ଗଣ୍ଠି ଫିଟାଅ। ଲକ୍ଷ୍ମୀ ଗଣ୍ଠି ଫିଟାଇଲେ। ଦୁହେଁ ଦେଖିଲେ, ଭ୍ରମରଟିଏ ଅଛି ଏବଂ ତା’ ତୁଣ୍ଡରେ ନିର୍ମାଲ୍ୟଟିଏ ଅଛି। ତାହା ଦେଖି ଠାକୁର ହସହସ ହୋଇ ଲକ୍ଷ୍ମୀଙ୍କୁ କୋଳାଗ୍ରତ କଲେ।
ଏ ସଂପର୍କରେ ପୀତାମ୍ବର ଦାଶଙ୍କ ‘ନୃସିଂହ ପୁରାଣ’ରେ କୁହାଯାଇଛି-
‘କୀଟୁ ବ୍ରହ୍ମଯାଏ ଦିଅ ସମସ୍ତଙ୍କୁ ପଡ଼ି।
ଭଣ୍ଡାରୁ ତୁମ୍ଭେ ଦିଅ ଯା ଭାଗ୍ୟ ଯାହା ଲୋଡ଼ି।”
ତେଣୁ ଜଗନ୍ନାଥଙ୍କର ସେହି ପଡ଼ିଦେବା ପ୍ରସ୍ତାବକୁ ସ୍ୱୀକାର କଲେ ନାହିଁ ଲକ୍ଷ୍ମୀ। ବରଂ ପ୍ରଚଣ୍ଡ ଅଭିମାନରେ କହିଲେ- ମୋ’ରି ପରି ଗୋଟିଏ ସ୍ତ୍ରୀ ଆଣି, ତାକୁ ଏହି ଅଳଙ୍କାର ତକ ଦେଇଦେବ।
“ମୋହରି ପରାୟେକ ସ୍ତୀରିଏ ଆଣିବ
ୟେହି ଅଳଙ୍କାରମାନ ଆଭରଣ ଦେବ।”