ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରୁ କେବଳ ଯେ ଜଗନ୍ନାଥଙ୍କ ରତ୍ନପଲଙ୍କ ଉଭାନ୍ ହୋଇଯାଇଛି, ତା’ ନୁହେଁ; କୁବେର ଓ ସୁଭଦ୍ରାଙ୍କ ସହିତ ହନୁମାନ ବି ଉଭାନ୍ ହୋଇଯାଇଛନ୍ତି। ସେଥିରେ, ବିଶ୍ୱକର୍ମା ଉଆସ ତୋଳି ଚାଲିଯିବା ପରେ, ଲକ୍ଷ୍ମୀ କାଳବିଳମ୍ବ ନକରି ଡାକିଛନ୍ତି ଅଷ୍ଟବେତାଳଙ୍କୁ। ତାହାର ବର୍ଣ୍ଣନା ଏହିପରି-
“ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ।
ବିଶ୍ୱକର୍ମାଙ୍କୁ ବହୁତ ପ୍ରଶଂସା ଯେ କଲେ।।
ବୈକୁଣ୍ଠପୁରକୁ ବିଶ୍ୱକର୍ମା ଚଳିଗଲେ।
ଅଷ୍ଟବେତାଳଙ୍କୁ ଡାକି ଦେବୀ ଆଜ୍ଞାଦେଲେ।।”

Advertisment

କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଲକ୍ଷ୍ମୀ ସିଧା ଅଷ୍ଟବେତାଳଙ୍କୁ ଡାକି ଆଜ୍ଞା ଦେବା କଥା ନାହିଁ। ସେଥିରେ ଅଛି-
“ହନୁମନ୍ତ ଡାକି ଆଗ୍ୟାଂ ଦେଲେ ଲକ୍ଷ୍ମୀ ଦେଈ
ରୈବତ ପର୍ବତେ ଯେ ହନୁମନ୍ତ ଥାଇ।
ଅଷ୍ଟବେତାଳଙ୍କୁ ବାବୁ ସଙ୍ଗତରେ ଘେନିଯିବୁ
ଭଣ୍ଡାର ଯେ ଘର ମାନ ବୁହାଇ ଆଣିବୁ।”

ଏ କ୍ଷେତ୍ରରେ ଲକ୍ଷ୍ମୀ ହନୁମାନଙ୍କୁ ଡାକି ଭଣ୍ଡାର ଘର ବୁହାଇ ଆଣିବାକୁ କହିବା ଅତ୍ୟନ୍ତ ଯଥାର୍ଥ। କାରଣ, ହନୁମାନ ଯୁଗାନୁକ୍ରମେ ବିଷ୍ଣୁଙ୍କର ଦାସ ବା ସେବକ। ସେ ପଞ୍ଚ (ବା ସପ୍ତ) ଚିରଂଜୀବୀଙ୍କ ମଧ୍ୟରୁ ଅନ୍ୟତମ। ତ୍ରେତୟାଯୁଗରେ ସେ ଥିଲେ ରାମ ଓ ସୀତାଙ୍କର ଅତ୍ୟନ୍ତ ପ୍ରିୟ। ସେହି ସୂତ୍ରରେ ସେ ଲକ୍ଷ୍ମୀଙ୍କର ବି ପ୍ରିୟ। କାରଣ, ଲକ୍ଷ୍ମୀ ଯିଏ, ସୀତା ବି ସିଏ।

ଏ ସଂପର୍କରେ ବଲ୍ଲଭ ନାରାୟଣ ମହାପାତ୍ର ଅନୂଦିତ ‘ଶ୍ରୀବିଷ୍ଣୁପୁରାଣ’ରେ ଗୋଟିଏ ସୁନ୍ଦର ପ୍ରସଙ୍ଗ ଅଛି।

ଲକ୍ଷ୍ମୀଙ୍କର ଅନ୍ୟ ନାମ ଭାର୍ଗବୀ। କାରଣ ସେ ଭୃଗୁପତ୍ନୀ କ୍ଷାତିଙ୍କ ଗର୍ଭରୁ ଜାତ ହୋଇଥିଲେ। ସେ ମଧ୍ୟ କ୍ଷୀର ସାଗର ମନ୍ଥନରୁ ଉଦ୍ଭୂତ ହୋଇଥିଲେ। ସେଥିରେ ଉଲ୍ଲେଖ ଅଛି-
“ଭୃଗୁପତ୍ନୀ କ୍ଷାତି ଗର୍ଭେ ଯଉଂ ଦେବୀ ଜାତ।
ସେହି ଏକା ପୂର୍ବେ ସିନ୍ଧୁ ମନ୍ଥନୁ ସମ୍ଭୂତ।।
ଏମନ୍ତ ଜଗତସ୍ରଷ୍ଟା ଦେବ ଜନାର୍ଦ୍ଦନ।
ଯଉଂ ରୂପେ ହୁଅନ୍ତିଟି ଅବତାର ମାନ।।
ସେହି ରୂପେ ଶ୍ରୀଦେବୀ ତାଙ୍କ ସହାୟିନୀ ହୋଇ।
ଜଗତରେ ବିହାର କରନ୍ତି ତପୋଦେହି।।”

ଅର୍ଥାତ୍‌, ଜଗତ୍‌ପିତା ବିଷ୍ଣୁ ଯେବେ ଯେଉଁ ଅବତାର ଗ୍ରହଣ କରନ୍ତି, ସେହି ଅବତାରରେ ଶ୍ରୀଦେବୀ ବା ଲକ୍ଷ୍ମୀ ସେହି ଅନୁରୂପେ ତାଙ୍କର ପତ୍ନୀ ବା ସହାୟିନୀ ହୋଇ ଜାତ ହୁଅନ୍ତି।

ଏ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି-
“ଯଉଂକାଳେ ନାରାୟଣ ହୁଅନ୍ତି ଆଦିତ୍ୟ।
ଲକ୍ଷ୍ମୀ ପୁଣି ହୁଅନ୍ତି ଯେ ପଦ୍ମରୁ ସମ୍ଭୂତ।।
ହରି ଯେବେ ହୁଅନ୍ତି ପରଶୁରାମ ରୂପ।
ସେ କାଳେ ଲକ୍ଷ୍ମୀ ହୁଅନ୍ତି ଧରଣୀ ସ୍ୱରୂପ।।
ରଘୁନାଥ ଅବତାରେ ହୁଅନ୍ତି ସେ ସୀତା।
କୃଷ୍ଣ ଅବତାରରେ ରୁକ୍ମିଣୀ ଜଗନ୍ମାତା।।
ଆନ ଅବତାରମାନଙ୍କରେ ବିଷ୍ଣୁଙ୍କର।
ସହାୟିନୀ ହୋଇଣ ଯେ କରନ୍ତି ସଂଚାର।।”

ଏଣୁ କୃଷ୍ଣ ଅବତାରରେ ଲକ୍ଷ୍ମୀ ଯେ ରୁକ୍ମିଣୀ ହୋଇଥିଲେ, ତାହାର ପ୍ରମାଣ ମିଳେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ରୁକ୍ମିଣୀହରଣ ଓ ରୁକ୍ମିଣୀ ବିବାହ ନୀତିରୁ। ଏଥିରେ ‘ଶ୍ରୀଦେବୀ’ ହିଁ ଋକ୍ମିଣୀ ହୁଅନ୍ତି। ସେହିପରି ମଧ୍ୟ, ରାମାବତାରରେ ସେ ସୀତା ଏବଂ ହନୁମାନ ତାଙ୍କର ଓ ଶ୍ରୀରାମଙ୍କର ପ୍ରିୟ ଦାସ ବା ସେବକ। ଏଣୁ ଶ୍ରୀମନ୍ଦିରର ଲକ୍ଷ୍ମୀ ଭଣ୍ଡାର ଜୁର କରି ଆଣିବାପାଇଁ ଲକ୍ଷ୍ମୀ ହନୁମାନଙ୍କୁ ହିଁ ଡାକି ଆଜ୍ଞା ଦେବା ସଂପୂର୍ଣ୍ଣ ସମୀଚୀନ।

ଅପରପକ୍ଷରେ, ବେତାଳ ହେଉଛନ୍ତି ଶିବଙ୍କର ଅନୁଚର ଓ ଦେବଯୋନି ବିଶେଷ। ଭୂତଯୋନି ବେତାଳ ବି ଅଛନ୍ତି ଏବଂ ଶିବ ମଧ୍ୟ ଭୂତନାଥ। ତାଳ ଓ ବେତାଳ ଶିବଙ୍କର ପ୍ରିୟ ଅନୁଚର। ହନୁମାନ ରାମଶିଷ୍ୟ ହେଲେ ମଧ୍ୟ, ସେ ରୁଦ୍ରାବତାର ରୂପେ ସ୍ୱୀକୃତ। ଏଣୁ ବେତାଳମାନେ ମଧ୍ୟ ହନୁମାନଙ୍କର ଆଜ୍ଞାବହ। ସେଥିପାଇଁ ଲକ୍ଷ୍ମୀ, ଅଷ୍ଟବେତାଳଙ୍କୁ ସାଙ୍ଗରେ ନେଇ ସମଗ୍ର ଭଣ୍ଡାରଘର ବୁହାଇ ଆଣିବାକୁ ହନୁମାନଙ୍କୁ ହିଁ ଆଜ୍ଞା ଦେବା ସଂପୂର୍ଣ୍ଣ ସମୀଚୀନ।

ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ, ଆଜ୍ଞା ପାଇ ହନୁମାନଙ୍କ ସହ ଅଷ୍ଟବେତାଳ ଆସି ଲକ୍ଷ୍ମୀଙ୍କ ଚରଣରେ ପ୍ରଣାମ କଲେ। ସେଥିରେ ବର୍ଣ୍ଣନା ଅଛି-
“ହନୁ ଅଷ୍ଟବେନ୍ତାଳ ଯେ ଶ୍ରୀଚରଣେ ପଡ଼ିଲେ
ଦେଖିକରି କମଳିଣୀ ସନ୍ତୋଷ ହୋଇଲେ।”