ପୋଥି ରୂପରେ ହେଉ ବା ପୁସ୍ତକ ଭାବରେ- ଏବେ ଉପଲବ୍‌ଧ ସମସ୍ତ ପାଠ ‘ଲକ୍ଷ୍ମୀପୁରାଣ’ ନାମରେ ହିଁ ପ୍ରଚଳିତ। ବଳରାମ ଦାସ ମଧ୍ୟ ଏହାକୁ ‘ପୁରାଣ’ ବୋଲି ଅଭିହିତ କରି ଏହାର ଉପସଂହାରରେ “ଲକ୍ଷ୍ମୀ ଯେ ପୁରାଣ ପୋଥି ସଂପୂର୍ଣ୍ଣ ହୋଇଲା” ବୋଲି କହିଛନ୍ତି। କିନ୍ତୁ ପ୍ରଶ୍ନ ଉଠେ- ‘ଲକ୍ଷ୍ମୀପୁରାଣ’ କ’ଣ ଗୋଟିଏ ପୁରାଣ?

Advertisment

ସଂସ୍କୃତ ସାହିତ୍ୟରେ ‘ପୁରାଣ’ର ସଂଜ୍ଞା ନିରୂପଣ କରି କୁହାଯାଇଛି- ‘ପୁରା ନବଂ ଭବତି’। ‘ଯାସ୍କ’ ଏହା କହିଛନ୍ତି। ଏହାର ଅର୍ଥ- ଯାହା ଏକାଧାରରେ ପୁରାତନ ଓ ନବୀନ, ତାହା ପୁରାଣ। ଅର୍ଥାତ୍‌, ପୁରାତନ ବା ପୂର୍ବକାଳର ହେଲେ ମଧ୍ୟ, ଏହା ସର୍ବକାଳର। ଏହା ପ୍ରାଚୀନ ଜ୍ଞାନ ଓ ବିଦ୍ୟା ପରମ୍ପରାର ବାହକ। ‘ପୁରାଣ’ର ଏହି ସଂଜ୍ଞା ଦୃଷ୍ଟିରୁ, ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’କୁ ପୁରାଣ ବୋଲି କୁହାଯାଇପାରିବ।

କିନ୍ତୁ ସଂସ୍କୃତ ସାହିତ୍ୟରେ ‘ପୁରାଣ’ର ବିଭିନ୍ନ ଲକ୍ଷଣ ନିର୍ଣ୍ଣୟ କରାଯାଇଛି। ଏଥିରେ ପାଞ୍ଚଟି ଲକ୍ଷଣ ଅଛି ଏବଂ ଦଶଟି ଲକ୍ଷଣ ବି ଅଛି। ପୁରାଣ କେଉଁ ଆଧାରରେ କଥିତ ହେବ, ତାହା ଅନୁସାରେ ତାହାର ପାଞ୍ଚଟି ଲକ୍ଷଣ ନିର୍ଣ୍ଣିତ ହୋଇଛି। ତାହା ହେଉଛି- ୧. ସ୍ମୃତ- ଅର୍ଥାତ୍‌, ଯାହା ମନେ ରହିଛି, ୨. ଅନୁଶୁଶ୍ରୁମ- ଅର୍ଥାତ୍ ଯେଉଁପରି ଶୁଣାହୋଇ ଆସିଛି ବା ପ୍ରଚଳିତ, ୩. ଇତିନଶ୍ରୁତମ୍‌- ଅର୍ଥାତ୍ ଯେଉଁପରି ଶୁଣାଯାଇଛି, ୪. ଯସ୍ୟ ଶ୍ଳୋକ ଅଦ୍ୟାପି ଗୀୟତେ- ଅର୍ଥାତ୍ ଏବେ ବି ଯାହାର ଶ୍ଳୋକ ଗାନ କରାଯାଉଛି, ଏବଂ ୫. ଅତ୍ରାନୁବଂଶ ଶ୍ଳୋକ- ଅର୍ଥାତ୍ ପୁରୁଷାନୁକ୍ରମେ ଯେଉଁ ଶ୍ଳୋକ ରହିଆସିଛି।

ପୁରାଣର ଆଉ ପାଞ୍ଚଟି ଲକ୍ଷଣ ମଧ୍ୟ ସଂସ୍କୃତ ସାହିତ୍ୟରେ ବର୍ଣ୍ଣିତ ଅଛି। ତାହା ଅନୁସାରେ- ସର୍ଗ, ପ୍ରତିସର୍ଗ, ବଂଶ, ବଂଶାନୁଚରିତ ଓ ମନ୍ୱନ୍ତର; ଏହି ପାଞ୍ଚଟି ଲକ୍ଷଣର ସମାହାର ହେଉଛି ପୁରାଣ। ଅର୍ଥାତ୍ ପୁରାଣରେ ଏହି ପାଞ୍ଚଟି ଲକ୍ଷଣ ରହିବା ଅବଧାରିତ।
ଏହି ଅନୁସାରେ ବିଚାର କଲେ, ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଏହି ପାଞ୍ଚଲକ୍ଷଣ ବା ଦଶ ଲକ୍ଷଣ ପୂର୍ଣ୍ଣ ଭାବରେ ନାହିଁ।
ଆମର ପୁରାଣ ମଧ୍ୟରେ ‘ଅଷ୍ଟାଦଶ ପୁରାଣ’ ପ୍ରସିଦ୍ଧ। ଏହାର ରଚୟିତା ବ୍ୟାସଦେବ। ଏହି ୧୮ଟି ପୁରାଣକୁ ସ୍ମରଣ କରିବାପାଇଁ ଗୋଟିଏ ସୂତ୍ର ମଧ୍ୟ ସଂସ୍କୃତରେ ରହିଛି। ତାହା ହେଉଛି-

“ମଦ୍ୱୟଂ ଭଦ୍ୱୟଂ ଚୈବ ବ୍ରତ୍ରୟଂ ବ ଚତୁଷ୍ଟୟମ୍‌
ଅନାପଲିଂଗ କୂସ୍କାନି ପୁରାଣାନି ପ୍ରଚକ୍ଷତେ।”

ଏହା ଅନୁସାରେ, ଦୁଇଟି ‘ମ’ ମଧ୍ୟରେ ରହିଛି- ମତ୍ସ୍ୟପୁରାଣ ଓ ମାର୍କଣ୍ଡେୟ ପୁରାଣ; ଦୁଇଟି ‘ଭ’ ମଧ୍ୟରେ ରହିଛି- ଭାଗବତ ପୁରାଣ ଓ ଭବିଷ୍ୟପୁରାଣ; ତିନିଟି ‘ବ୍ର’ ମଧ୍ୟରେ ରହିଛି- ବ୍ରହ୍ମପୁରାଣ, ବ୍ରହ୍ମାଣ୍ଡ ପୁରାଣ ଓ ବ୍ରହ୍ମବୈବର୍ତ୍ତ ପୁରାଣ; ଚାରିଟି ‘ବ’ ମଧ୍ୟରେ ରହିଛି- ବାୟୁପୁରାଣ, ବାମନ ପୁରାଣ, ବରାହ ପୁରାଣ ଓ ବିଷ୍ଣୁପୁରାଣ ଏବଂ ‘ଅନାପଲିଂଗ କୂସ୍କାନି’ ମଧ୍ୟରେ ରହିଛି- ‘ଅ’ରେ ଅଗ୍ନିପୁରାଣ, ‘ନା’ରେ ନାରଦୀୟ ପୁରାଣ, ‘ପ’ରେ ପଦ୍ମପୁରାଣ, ‘ଲିଂ’ରେ ଲିଂଗପୁରାଣ, ‘ଗ’ରେ ଗରୁଡ଼ ପୁରାଣ, ‘କୂ’ରେ କୂର୍ମପୁରାଣ ଓ ‘ସ୍କ’ରେ ସ୍କନ୍ଦପୁରାଣ। ଏହି ‘ଅଷ୍ଟାଦଶ ପୁରାଣ’ ଆଧାରରେ ଓଡ଼ିଆରେ ଅନେକ ପୁରାଣ ରଚିତ ହୋଇଛି। ଏହା ମଧ୍ୟରେ କିନ୍ତୁ ‘ଲକ୍ଷ୍ମୀପୁରାଣ’ ନାହିଁ।

ଓଡ଼ିଆ ପୁରାଣ ସାହିତ୍ୟ ଅତ୍ୟନ୍ତ ସମୃଦ୍ଧ। ଓଡ଼ିଆରେ ଏପରି ଅନେକ ପୁରାଣ ଅଛି- ଯାହା ସଂସ୍କୃତ ‘ଅଷ୍ଟାଦଶ ପୁରାଣ’ ମଧ୍ୟରେ ନାହିଁ। ସପ୍ତଦଶ ଶତାବ୍ଦୀର ପୀତାମ୍ବର ଦାଶ ଓଡ଼ିଶାରେ ‘ପଞ୍ଚପୁରାଣସଂଘ’ ପରମ୍ପରାର ପ୍ରବର୍ତ୍ତକ। ତାଙ୍କ ଅନୁସାରେ, ପାଞ୍ଚଟି ଗ୍ରନ୍ଥ- ସାରଳା ଦାସଙ୍କ ‘ମହାଭାରତ’, ବଳରାମ ଦାସଙ୍କ ‘ରାମାୟଣ’, ଜଗନ୍ନାଥ ଦାସଙ୍କ ‘ଭାଗବତ’, ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ଓ ପୀତାମ୍ବର ଦାସଙ୍କ ‘ନୃସିଂହ ପୁରାଣ’ ଏହି ‘ପଞ୍ଚପୁରାଣସଂଘ’ର ଅନ୍ତର୍ଗତ। ତାହା ମଧ୍ୟରେ ବି ‘ଲକ୍ଷ୍ମୀପୁରାଣ’ ନାହିଁ।

ତେବେ ଲୋକ-ସ୍ୱୀକୃତିରେ ବଳରାମ ଦାସଙ୍କର ଏହି କ୍ଷୁଦ୍ର ରଚନା ‘ଲକ୍ଷ୍ମୀପୁରାଣ’, ପୁରାଣ ରୂପେ ଗୃହୀତ। ଏହା ମଧ୍ୟ ସବୁଠୁ ବେଶି ଲୋକପ୍ରିୟ। ଅତୀତରେ ପୁରାଣ, ଇତିହାସ ଓ କାବ୍ୟକୁ ‘ପୁରାଣ’ କୁହାଯାଉଥିଲା। ସମ୍ଭବତଃ ସେହି ଦୃଷ୍ଟିରୁ ଏହା ‘ପୁରାଣ’ ରୂପେ ଜନସମାଜରେ ସ୍ୱୀକୃତ।