ଲକ୍ଷ୍ମୀପୁରାଣ କଥା-୭୨: ‘ମୋହ ଛାର ପାଇଂ କଷ୍ଟ ପାଇଲେ ବେନି ଭାଇ’

ଅସିତ ମହାନ୍ତି

ସ୍ନାନପାଇଁ ସମୁଦ୍ରକୁ ଯାଇଥିବା ଦୁଇଭାଇ ବିଫଳ ଓ ବିକଳ ହୋଇ ପୁଣି ଫେରିଲେ କମଳିନୀଙ୍କ ପୁରକୁ। ତାଙ୍କୁ ଦେଖି କରୁଣା ଦାସୀ ପଚାରିଲା- କ’ଣ ଏତେ ଶୀଘ୍ର, ଏତେ ତତ୍ପର ହୋଇ ଚାଲି ଆସିଲ? ସ୍ନାନ କଲ ତ?

‘ହଁ, ସ୍ନାନ କଲୁ’ ବୋଲି କହିବାପାଇଁ ଦୁଇଭାଇ ଶିଖାଶିଖି ହୋଇଥିଲେ। ସେଥିପାଇଁ ଦୁହେଁ କହିଲେ- ହଁ, ସ୍ନାନ କଲୁ। ତାହା କିନ୍ତୁ ମନେ ମନେ ଜାଣିପାରିଲେ ମା’ ଲକ୍ଷ୍ମୀ। ତାଙ୍କର ମନ କଷ୍ଟ ହେଲା। ଆହା! ସେ ଏ ସଂସାରର ସୃଷ୍ଟିକର୍ତ୍ତା। ମୁଁ ଛାର ଲୋକଟିଏ! ଅଥଚ ମୋ’ ପାଇଁ ଦୁଇଭାଇ କେତେ କଷ୍ଟ ପାଉଛନ୍ତି ସତେ!
ଏହାର ସୁନ୍ଦର ବର୍ଣ୍ଣନା କରିଛନ୍ତି ବଳରାମ ଦାସ।
“ସ୍ନାନ ସନ୍ଧ୍ୟା କଲୁ ଯେ ବୋଲନ୍ତି ବେନିଭାଇ
ଅନ୍ତର୍ଗତେ ଜାଣିଲେ ତା’ ସିନ୍ଧୁର ତନଈ।
ସଂସାର ନିମନ୍ତେ ସୃଷ୍ଟି କରିଛନ୍ତି ସେହି
ମୋହ ଛାର ପାଇଂ କଷ୍ଟ ପାଇଲେ ବେନି ଭାଇ।”

ଏହା କେବଳ ମନେ ମନେ ଚିନ୍ତା କରି ଲକ୍ଷ୍ମୀ ଚୁପ୍ ହୋଇ ବସିଲେ ନାହିଁ। ଦୁଇଭାଇଙ୍କୁ ଉତ୍ତମ ରୂପେ ସ୍ନାନ କରାଇବାପାଇଁ ଦାସୀ କରୁଣାକୁ ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦେଶ ମଧ୍ୟ ଦେଲେ।
“ଶୁଣ ଆଗୋ କରୁଣା ତୁ ଏମନ୍ତ କରିବୁ
ସୋବର୍ଣ୍ଣ ଝରିରେ ନିର ଘେନି କରି ଯିବୁ।
ବେନିଜଣ ବ୍ରାହ୍ମଣଙ୍କୁ ସ୍ରାହାନ କରାଇବୁ
ପାଟ ଯେ ତଡ଼ପଲାଗି ଘରୁ ନେଇ ଦେବୁ।
ଏହି ଯେ ସନ୍ଧ୍ୟା ବସନ ପିନ୍ଧି ଭୋଜନ କରିବେ
ଯିବାବେଳେ ପାଟ ଯଥା ପାଲଟି ଥୋଇବେ।”

ପୂର୍ବ ସୂଚିତ, ଯେ ବଳରାମ ଦାସ ତାଙ୍କ ପିତାଙ୍କ ସୂତ୍ରରେ ଥିଲେ ଶ୍ରୀମନ୍ଦିର ସହ ସଂପର୍କିତ। ଏଣୁ ଶ୍ରୀମନ୍ଦିରର ସବୁ ରୀତିନୀତି ତାଙ୍କୁ ଜଣାଥିଲା। ଶ୍ରୀମନ୍ଦିରର ପାରିଭାଷିକ ଶବ୍ଦାବଳୀ ବି ତାଙ୍କୁ ଉତ୍ତମ ରୂପେ ଜଣା। ତେଣୁ ତାହା ପ୍ରତିଫଳିତ ହୋଇଛି, ଦାସୀ କରୁଣାକୁ ଲକ୍ଷ୍ମୀ ଦେଇଥିବା ଏହି ଆଦେଶରେ।

ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ପ୍ରତିଦିନ ସକାଳେ ଦନ୍ତ ମାର୍ଜନ ଓ ସ୍ନାନ ଆଦି କରିଥାଆନ୍ତି। ଏହାକୁ ‘ଅବକାଶ’ କୁହାଯାଏ। ସେଥିପାଇଁ ସେମାନଙ୍କୁ ଚାରିଗୋଟି ‘ତଡ଼ପ’ ଲାଗି କରାଯାଏ। ‘ତଡ଼ପ’ ହେଉଛି- ଗାମୁଛା ପରି ପତଳା ସୂତାବସ୍ତ୍ର। ତାହା ପିନ୍ଧି ସେମାନେ ଦନ୍ତମାର୍ଜନ ଓ ସ୍ନାନ ଆଦି କରିଥାନ୍ତି। ସେହିପରି, ପ୍ରତି ଧୂପ ପରେ ‘ମଇଲମ’ ହୁଏ; ଅର୍ଥାତ୍ ଯେଉଁ ବସ୍ତ୍ର, ଭୂଷଣ ପିନ୍ଧି ଠାକୁରମାନେ ଭୋଜନ କରିଥାଆନ୍ତି, ଭୋଜନ ପରେ ସେହି ବେଶ ବଦଳାଇ ନୂଆ ବେଶ ହୁଅନ୍ତି। ସେଥିପାଇଁ ଲକ୍ଷ୍ମୀ, ଦାସୀ କରୁଣାକୁ ନିର୍ଦ୍ଦିଷ୍ଟ ଭାବରେ, ସେମାନଙ୍କ ସ୍ନାନ ପାଇଁ ତଡ଼ପ ଏବଂ ସ୍ନାନ ପରେ ପିନ୍ଧିବାପାଇଁ ପାଟ ଦେବାକୁ କହିଛନ୍ତି। ସେହି ପାଟ ଓ ତଡ଼ପ ଘରୁ ନେଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୁଣି ଭୋଜନ ପରେ ସେମାନେ ସେହି ‘ପାଟ ଯଥା’ ପାଲଟି ଥୋଇବାକୁ, ଅର୍ଥାତ୍ ମଇଲମ କରିବାକୁ ବି କହିଛନ୍ତି।

ଲକ୍ଷ୍ମୀଙ୍କଠାରୁ ଏ ଆଦେଶ ପାଇ ଦାସୀ କରୁଣା ଆନନ୍ଦିତ ହେଲା। ସାଙ୍ଗରେ ଆଉ ତିନି ଦାସୀଙ୍କୁ ନେଇ ଦୁଇଭାଇଙ୍କୁ ତୈଳ ମର୍ଦ୍ଦନ କରାଇ ଉତ୍ତମ ରୂପେ ସ୍ନାନ କରାଇଲା। ଏ ସଂପର୍କରେ ବର୍ଣ୍ଣନା ଅଛି-
“ଏହା ଶୁଣି ଦାସୀ ହରଷ ହୋଇ ଗଲା
କମଳି ବିମଳି ଆଳି ସଙ୍ଗେ ଘେନି ଗଲା।
ସେ ଦୁଇ ଭାଇଙ୍କି ଯେ ମର୍ଦ୍ଦନ ବେଗେ କଲେ
ସୁବାସିତ ଜଳରେ ସ୍ରାହାନ କରାଇଲେ।”

ଏହାପରେ ପାଟବସ୍ତ୍ର ପରିଧାନ ଏବଂ ଗନ୍ଧ ଚନ୍ଦନ ଆଦି ଲେପନ ହୋଇ ମଣୋହି ପାଇଁ ଯିବାର ପାଳି। ଏହା ମଧ୍ୟ ଶ୍ରୀମନ୍ଦିରର ଦୈନନ୍ଦିନ ନୀତି। ଏ ସଂପର୍କରେ ବର୍ଣ୍ଣନା ଅଛି-
“ମଥା ପୋଛି ପିନ୍ଧାଇ ଦିଲେ ପାଟ ଧୋତି
କାନ୍ଧରେ ଉତ୍ତରୀ ଗୋଟିଏ ପକାଇଲେ ଧାତି।
ଗନ୍ଧ ଯେ ଚନ୍ଦନ ଆଣି ଦେହରେ ବୋଳିଲେ
ମଣୋହିଂକୁ ବିଜେକର ବୋଲିଣ ବୋଇଲେ।”
ଖାଲି କ’ଣ ଏତିକି? ଆହୁରି ମଧ୍ୟ ଅଛି-
“ପୟରକୁ ଦିଲେ ତହୁଂ ସୋବର୍ଣ୍ଣ କଠାଉ
ହୀରା ନିଳା ମାଣିକ୍ୟ ଦିଶଇଂ ଦାଉଂ ଦାଉଂ।
କରୁଣା ବିଜୟ କଲେ ଭିତର ପୁରକୁ।
ଆସ ଆସ ବିପ୍ରବର ମଣୋହି ଠାବକୁ।”

ସମ୍ବନ୍ଧିତ ଖବର