ଲକ୍ଷ୍ମୀପୁରାଣ କଥା-୭୩: ‘ପିଢା ଦେଖି ଚିହ୍ନିଲେ ଠାକୁର ଭାବଗ୍ରାହୀ’

ଅସିତ ମହାନ୍ତି

ଦିବ୍ୟ ସ୍ନାନ ପରେ ଦୁଇଭାଇ ‘ପାଟ ଯଥା’ ପିନ୍ଧିଥିଲେ। ଦେହରେ ଗନ୍ଧ ଚନ୍ଦନ ବି ଲେପନ ହୋଇଥିଲା। ପାଦରେ ହୀରା, ନୀଳା, ମାଣିକ୍ୟ ଖଚିତ କଠଉ ଦାଉ ଦାଉ କରୁଥିଲା। ଦାସୀ କରୁଣା ତାଙ୍କୁ ଭିତର ପୁରକୁ ନିମନ୍ତ୍ରଣ ବି କଲା। ଦୁଇଭାଇ ଭିତର ପୁରକୁ ବିଜେ କରିବାକୁ ବାହାରିଲେ। ବର୍ଣ୍ଣନା ଅଛି-
“ଆଗେ ଆଗେ ଚାଲୁଛନ୍ତି ପ୍ରଭୁ ବଳରାମ
ପଛରେ ଚଳିଲେ ତହିଂ କାଳୀୟଗଂଜନ।”

ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ଏତେ ସବୁ କଥା ନାହିଁ। କେବଳ ଲକ୍ଷ୍ମୀଙ୍କ ଆଦେଶରେ ଦାସୀ ଯାଇ କହିଛି ଏବଂ ଦୁଇଭାଇ ତୈଳ ମର୍ଦ୍ଦନ ହୋଇ ସ୍ନାନ କରିଛନ୍ତି ଓ ପୀତାମ୍ବର ପାଟ ପିନ୍ଧିଛନ୍ତି ବୋଲି ସଂକ୍ଷେପରେ ବର୍ଣ୍ଣନା ଅଛି। ରତ୍ନଜଡ଼ିତ ସୁବର୍ଣ୍ଣ କଠାଉ ନାହିଁ କି ଦାସୀ କରୁଣା ତାଙ୍କୁ ଭିତରପୁରକୁ ନିମନ୍ତ୍ରଣ କରିବା କଥା ନାହିଁ। ତାହା ଅନୁସାରେ, ତା’ପରର ଘଟଣା ଏହିପରି-
“ବଳରାମ କହୁଛନ୍ତି ଶୁଣରେ କହ୍ନାଇ।
ଏମନ୍ତ ପ୍ରକାରେ ମାନ୍ୟ କରେ କିସ ପାଇଁ।ା
ଏହା ଘରେ ପୁରୁଷ ତ ଜଣେ ଦିଶୁ ନାହିଁ।
ଶୂଳି ଦେବା ପ୍ରାୟ ଏହି ବିଚାର ଦିଶଇ।ା”

ଏହା କହି, ସେଠାରୁ ପଳାଇ ଯିବାକୁ ସେ ଜଗନ୍ନାଥଙ୍କୁ କହିଛନ୍ତି। କିନ୍ତୁ ଜଗନ୍ନାଥ ତାଙ୍କୁ କହିଛନ୍ତି- ହେ ଭାଇ ବଳରାମ, ଶୁଣ। ଆଜି ଆପଣ ଏ ଘରର କର୍ତ୍ତା ହେବେ। କିନ୍ତୁ ବଳରାମ କହିଛନ୍ତି- ନା, ଏପରି କଥା କହିବା ତୋର ଠିକ୍ ନୁହେଁ।

କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ, ବଳରାମ ନୁହନ୍ତି; ଜଗନ୍ନାଥ ହିଁ କହିଛନ୍ତି- ଏଠି ଜଣେ ହେଲେ କେହି ପୁରୁଷ ଲୋକ ଦିଶୁ ନାହାନ୍ତି। ତେଣୁ ଭିତରପୁରକୁ ଯିବା ଉଚିତ ନୁହେଁ।
“ଜଗନାଥେ ବୋଇଲେ ଭାଇ ଆମ୍ଭ ତହୁଂ ଶୁଣ
ପ୍ରତକ୍ଷରେ ସ୍ତିରୀଲୋକ ଅଟଇ ଯେ ପୁଣ।
ପୁରୁଷ ଯେ ଜଣେ ହେଂ ଏଠାବରେ କେହି ନାହିଂ
ଅନ୍ତେପୁର ଦ୍ୱାରକୁ ଯେ ଯିବା ଉଚିତ ନୋହଇଂ।

ତେଣୁ ସେ ବଡ଼ଭାଇ ବଳରାମଙ୍କୁ ନିଜର ନିଷ୍ପତ୍ତି ସଫା ସଫା ଶୁଣାଇ ଦେଇଛନ୍ତି-
“ୟେହି ଠାବରେ ଆମ୍ଭେ ଭୋଜନ କରିବୁ
ଆଚେଂବନ କରିଣ ଯେ ଆମ୍ଭେ ଚଳିଯିବୁ।”

ଅର୍ଥାତ୍, ଏହି ବାହାରୁ ବାହାରୁ ଆମେ ଆଚମନ ଓ ଭୋଜନ କରିବୁ। ଅନ୍ତଃପୁରକୁ କଦାପି ଯିବୁ ନାହିଁ।

କିନ୍ତୁ ବଳରାମ ସେଥିରେ ରାଜି ହୋଇ ନାହାନ୍ତି। ସେ କହିଛନ୍ତି- ଶୁଣ୍, ତୁ ଯାହା କହୁଛୁ ଅବଶ୍ୟ ଠିକ୍; ମାତ୍ର ଆମେ କେବଳ ଆଜିକ ଏ ଗୃହସ୍ଥଙ୍କ ଘରେ ଅନ୍ନ ଭୋଜନ କରି ଆମର ପିଣ୍ଡ ଶାନ୍ତି କରିବା।

ଜଗନ୍ନାଥ ବି ହୁଏତ ମନେ ମନେ ତାହା ହିଁ ଚାହୁଁଥିଲେ। ତେଣୁ ଆଉ କିଛି ନକହି, ସେ ଭାଇ ବଳରାମଙ୍କ ସହିତ ଭିତରପୁରକୁ ଗଲେ ଏବଂ ମଣୋହି ଠାବରେ ବିଜେ ହେଲେ।

ଭିତର ପୁରରେ ଥିଲା ମଣୋହି ଠାଆ। ସେ ପୁରର ସୌନ୍ଦର୍ଯ୍ୟ ଦେଖି ଜଗନ୍ନାଥ ଆଶ୍ଚର୍ଯ୍ୟ ହୋଇଗଲେ। ଚିନ୍ତା କଲେ- ଏ ସୁନ୍ଦର ପୁର କିଏ ନିର୍ମାଣ କଲା! ପୁରର ମଣ୍ଡଣି ବି କିଛି କମ୍ ନଥିଲା। ତାହା ଥିଲା ଲକ୍ଷ୍ମୀଙ୍କ ମଣ୍ଡଣିର ଅନୁରୂପ। ତାଙ୍କର ସେହି ଅନ୍ତର୍ଗତ ଭାବନାକୁ ଗୋଟିଏ ପଦରେ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି ବଳରାମ ଦାସ-
“ପୂର୍ବେ ପ୍ରମଲକ୍ଷ୍ମୀ ଯେମନ୍ତ ପୁର ମଣ୍ଡିଥିଲା
ସେହିମତି ପୁର ଆମ୍ଭଙ୍କୁ ସୁନ୍ଦର ଲାଗିଲା।”

ସେହି ସମୟରେ ଆଉ ଗୋଟିଏ ଘଟଣା ଘଟିଲା। ଦାସୀ ଆଣି ଜଗନ୍ନାଥଙ୍କୁ ଯେଉଁ ପିଢାଟି ଦେଲା, ତାହାକୁ ସେ ତୁରନ୍ତ ଚିହ୍ନିନେଲେ। କାରଣ, ତାହା ଥିଲା ସେହି ପିଢା, ଯାହା ଶ୍ରୀମନ୍ଦିର ଜୂର କଲାବେଳେ ହନୁମନ୍ତ ନେଇ ଆସିଥିଲେ। ଏ ପ୍ରସଙ୍ଗରେ ସ୍ମରଣଯୋଗ୍ୟ, ଯେ ଦୁଇ ଭାଇଙ୍କର ଦୁଇ ରତ୍ନପିଢା ସହିତ, ରତ୍ନଭଣ୍ଡାର ଜଗି ଶୋଇଥିବା ସୁଭଦ୍ରାଙ୍କ ଦୁଇ ହାତରୁ ଦୁଇ ସୁନା ଚୁଡ଼ି ବି ହନୁମନ୍ତ ଖୋଲି ଆଣିଥିଲେ। ସେ ପଦଟି ଏହିପରି-
“ବେନି ଚୁଡ଼ି ବେନି ପିଢା ହନୁ ଘେନିଗଲା
କମଳାଙ୍କ ଛାମୁରେଣ ପ୍ରବେଶ ହୋଇଲା।”

ଏଣୁ ନିଜର ତଥା ଶ୍ରୀମନ୍ଦିରର ସେହି ପିଢାକୁ ଦେଖି ଜଗନ୍ନାଥ ବଳରାମଙ୍କୁ ସ୍ମରଣ କରାଇ ଦେଲେ ସେ ପିଢା ସହିତ ଜଡ଼ିତ ଘଟଣାଟିର କଥା। ସେ କହିଲେ-
“ଯେତେବେଳେ ବରୁଣ ଲକ୍ଷ୍ମୀଙ୍କୁ ଦିଲା ଦାନ
ଏଇ ସେ ସୋବର୍ଣ୍ଣ ପିଢା ଦିଲେକ ଆପଣ।”

ଏଣୁ ସେ ନିଶ୍ଚିତ ହୋଇଗଲେ, ଯେ ଏହା ଲକ୍ଷ୍ମୀଙ୍କ ପୁର। ସେ କହିଲେ-
“ଏହାର ପୁରକୁ ଏ ଅଇଲା କିସ ପାଇଂ
ନିଶ୍ଚୟ ପରମଲକ୍ଷ୍ମୀ ଏଠାରେ ଅଛଇଂ।”

ଏଣୁ, ଆଗ ଭୋଜନ ସରୁ; ତା’ପରେ ଏହାର ଖବର ନେବା କହି ଦୁଇଭାଇ ଭୋଜନ ପାଇଁ ବସିଗଲେ।

ସମ୍ବନ୍ଧିତ ଖବର