ଦୁଇଭାଇ ବଳରାମ ଓ ଜଗନ୍ନାଥ ମଣୋହି ଠାଆରେ, ରତ୍ନପିଢାରେ ବସିଗଲେ। ଏବେ ଅନ୍ନ ପରିବେଷଣ ଓ ଅନ୍ନ ଭୋଜନର ପାଳି।
କିନ୍ତୁ ଏଇଠି, ଲକ୍ଷ୍ମୀଙ୍କ ଆଚରଣରେ ଓଡ଼ିଆ ଘରର ଗୋଟିଏ ପରମ୍ପରା, ଗୋଟିଏ ସଣ୍ଠଣାର କଥା କୁହାଯାଇଛି। ତାହା ହେଉଛି- ଦେଡ଼ଶୁରଙ୍କୁ ଭାଇବୋହୂ ଭୋଜନ ପରଷେ ନାହିଁ। ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ରେ ତାହାର ବର୍ଣ୍ଣନା ଅଛି ଏହିପରି-
“ଏମନ୍ତ ପରମଲକ୍ଷ୍ମୀ କେଉଂ କୃତ୍ୟ କଲେ
ବ୍ରାହ୍ମଣୀ ଗୋଟିକୁ ମାଏ ପାଶକୁ ରାଇଲେ।”
ପାଖକୁ ଡାକି ସେ ସେହି ବ୍ରାହ୍ମଣୀକୁ କହିଲେ-
“ଦେଢଶୁର ହୁଅନ୍ତି ଯେ ପ୍ରଭୁ ବଳରାମ
ମୋହ ଅର୍ଣ୍ଣ ଦେବାକୁ ଯେ ନ ଯୋଗାଇ ପୁଣ।”
ଏ ସଂପର୍କରେ ଆହୁରି ମଧ୍ୟ ବର୍ଣ୍ଣନା ଅଛି-
“ମୋହ ମାନିଲେଣ ସିନା ମାନିବେ ଧରତ୍ରୀ
ଏତେ ବୋଲି ମନେ ବିଚାରିଲେ ସିନ୍ଧୁପୁତ୍ରୀ।”
Sambad is now on WhatsApp
Join and get latest news updates delivered to you via WhatsApp
ତାହା ପରେ, ସେହି ବ୍ରାହ୍ମଣୀକୁ ସୁବେଶ କରାଇ ବଳରାମଙ୍କୁ ଅନ୍ନ ପରଷିବା ପାଇଁ ସେ ପଠାଇଲେ। ବ୍ରାହ୍ମଣୀ ଯାଇ ବଳରାମଙ୍କୁ ଅନ୍ନ ପରିବେଷଣ କଲା।
ଏ ପ୍ରସଙ୍ଗରେ ଗୋଟିଏ ଉଲ୍ଲେଖନୀୟ ବିଷୟ ଏହି, ଯେ ବଳରାମଙ୍କୁ ଅନ୍ନ ପରଷିଥିବା ଏହି ଦାସୀର ନାମ ଭିନ୍ନ ଭିନ୍ନ ପୋଥିରେ ଭିନ୍ନ ଭିନ୍ନ ଅଛି। କେଉଁଥିରେ ଏହା ‘ଦୁଲଣା’ ବା ‘ଭୁଲଣା’ ତ କେଉଁଥିରେ ‘କୁଳନୀ’। ପୁଣି ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ଏହି ଦାସୀର ନାମ ‘ତୁଳସୀ’। କିନ୍ତୁ ସଂପାଦିତ ପୁସ୍ତକର ମୂଳପାଠରେ ଏ ଦାସୀର କୌଣସି ନାମ ନାହିଁ।
ଏ ପ୍ରସଙ୍ଗରେ, ଆମ ପରମ୍ପରାରେ ପ୍ରଚଳିତ, ଅନ୍ନଭୋଜନର ଗୋଟିଏ ସ୍ୱତନ୍ତ୍ର ବିଧାନର ଅବତାରଣା କରିଛନ୍ତି ବଳରାମ ଦାସ। କହିଛନ୍ତି-
“ବିଶ୍ୱେଦେବା ପୂଜାବିଧି କଲେ ନାରାୟଣ
ଅନ୍ନ ଜଳ ଘେନିଣ ସେ ପ୍ରଭୁ ଯେ ଆପଣ।”
ଏହି ‘ବିଶ୍ୱଦେବା’ କଥାଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଆମ ଅନ୍ନଭୋଜନର ଶାସ୍ତ୍ରୀୟ ବିଧି ଅନୁସାରେ, ଅନ୍ନ ଗ୍ରହଣ ପୂର୍ବରୁ ‘ଆଚମନ’ ବା ଚଳୁ କରାଯାଇଥାଏ। ‘ବିଶ୍ୱଦେବା’ ହେଉଛନ୍ତି ଅଗ୍ନି ଓ ଅନ୍ୟ ଦଶ ଗଣଦେବତା। ‘ଋଗ୍ବେଦ’ ଅନୁସାରେ, ଏମାନେ ଭିନ୍ନ ଭିନ୍ନ ହେଲେ ମଧ୍ୟ, ଏମାନଙ୍କର ସମବେତ ଐଶୀଶକ୍ତି ଏକ। ଶ୍ରୀଜଗନ୍ନାଥ ସ୍ୱୟଂ ପରଂବ୍ରହ୍ମ ହେଲେ ମଧ୍ୟ, ସେ ଅନ୍ନ ଗ୍ରହଣର ଏହି ଶାସ୍ତ୍ରୀୟ ବିଧାନ ପାଳନ କରିବା କଥା କହି, ବଳରାମ ଦାସ ଆମପାଇଁ ଏକ ଲୋକଶିକ୍ଷା ଦେଇଛନ୍ତି।
ଜଗନ୍ନାଥ ଅନ୍ନ ଜଳ ଘେନି ବିଶ୍ୱଦେବାଙ୍କ ପୂଜାବିଧି କରିବା ମାଧ୍ୟମରେ, ଅନ୍ନଭୋଜନ ପୂର୍ବରୁ ଚଳୁ କରିବା ବିଧି ମଧ୍ୟ ସୂଚିତ ହୋଇଛି। ଏହି ବିଧିରେ- ପ୍ରଥମେ “ଓଁ ବ୍ରହ୍ମଣେ ନମଃ, ଓଁ ଧର୍ମରାଜାୟ ନମଃ, ଓଁ ଚିତ୍ରଗୁପ୍ତାୟ ନମଃ” ଆଦି ଉଚ୍ଚାରଣ କରି ଭୂମିରେ ଜଳଧାରା ଦିଆଯାଏ। ଏବଂ, “ଓଁ ଅମୃତପିଧାନମସି” ଉଚ୍ଚାରଣ କରି ଚଳୁରେ କିଂଚିତ୍ ଜଳ ଗ୍ରହଣ କରାଯାଏ। ତାହାପରେ, ଭୋଜନ ପୂର୍ବରୁ “ଓଁ ଧର୍ମରାଜାୟ ସ୍ୱାହା, ଓଁ ଚିତ୍ରଗୁପ୍ତାୟ ସ୍ୱାହା” ଆଦି ଉଚ୍ଚାରଣ କରି ଟିକିଏ ଟିକିଏ ଅନ୍ନ ଭୂମିରେ ଦିଆଯାଏ। ତାହାପରେ, ପଞ୍ଚ ପ୍ରାଣବାୟୁ, ଅର୍ଥାତ୍ “ଓଁଁ ପ୍ରାଣାୟ ସ୍ୱାହା, ଓଁ ଅପାନାୟ ସ୍ୱାହା, ଓଁ ବ୍ୟାନାୟ ସ୍ୱାହା, ଓଁ ଉଦାନାୟ ସ୍ୱାହା, ଓଁ ସମାନାୟ ସ୍ୱାହା” ଉଚ୍ଚାରଣ କରି, ପାଞ୍ଚ ମୁଠା ଅନ୍ନ ଭୋଜନ କରାଯାଏ। ଏହି ଭୋଜନର ଶାସ୍ତ୍ରୀୟ ନାମ ‘ପଞ୍ଚୁଗ୍ରାସୀ’।
ତେବେ, ଜଗନ୍ନାଥ ଅନ୍ନଭୋଜନ ପୂର୍ବରୁ ଅନ୍ନଗ୍ରହଣର ଏହି ଶାସ୍ତ୍ରୀୟ ବିଧାନ ପାଳନ କରିଥିବାବେଳେ, ବଳରାମ ଏହା ପାଳନ କରିଥିବାର ବର୍ଣ୍ଣନା ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ରେ ନାହିଁ। ସମ୍ଭବତଃ କ୍ଷୁଧାର ତାଡ଼ନାରୁ ସେ ଏହି ବିଧାନ ପାଳନ କରିବାକୁ ଭୁଲି ଯାଇଛନ୍ତି।
ଏ ପ୍ରସଙ୍ଗରେ କିନ୍ତୁ ଆଉ ଗୋଟିଏ କୌତୂହଳପ୍ରଦ କଥା ବର୍ଣ୍ଣନା କରିଛନ୍ତି ବଳରାମ ଦାସ। ବଳରାମ ବଡ଼ ଓ ତାଙ୍କର ଦେଡ଼ଶୁର। ସେଥିପାଇଁ ତାଙ୍କୁ ପ୍ରଥମେ ଅନ୍ନ ପରିବେଷଣ କରିବାପାଇଁ ବ୍ରାହ୍ମଣୀ ଦାସୀକୁ ନିର୍ଦ୍ଦେଶ ଦେଇଛନ୍ତି ଲକ୍ଷ୍ମୀ। କିନ୍ତୁ ଅନ୍ନ ପରିବେଷଣ ପାଇଁ ଆସି, ସେହି ଦାସୀ, କିଏ ବଡ଼ କିଏ ସାନ, ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି। ସେହି ଘଟଣାରେ, ବଳରାମଙ୍କ ସ୍ୱଭାବ ଚରିତ୍ରର ଗୋଟିଏ ରୋଚକ ଅବତାରଣା କରିଛନ୍ତି କବି। ତାହା ହେଉଛି-
“ବଳରାମେ ବୋଇଲେ ତୁ ହୋଇଲୁ କି କାଣୀ
ବଡ଼ସାନ ବୋଲି କିଏ ପାରୁ ନାହୁଂ ଚିହ୍ନି।
ଆମ୍ଭେ ବଡ଼ ପ୍ରଥମେ ଦିଅ ବୋଲିଣ ଯେ କହି
ବ୍ରାହ୍ମଣୀ ବୋଇଲା କୋପ ନକର ଗୋସାଇଁ।”