ଲକ୍ଷ୍ମୀଙ୍କ ଭିତରପୁରରେ ବଳରାମ ଓ ଜଗନ୍ନାଥଙ୍କ ଅନ୍ନଭୋଜନର ବିବରଣୀ ଅତ୍ୟନ୍ତ ରୋଚକ। ଦୁଇଦିନ ହେଲା ଅନ୍ନ, ଜଳ କିଛି ପେଟରେ ପଡ଼ିନଥିଲା। ତେଣୁ ଦୁଇଭାଇ କ୍ଷୁଧାରେ ଆତୁର ଥିଲେ। ସେଥିପାଇଁ ବ୍ରାହ୍ମଣୀ ଦାସୀ, କିଏ ବଡ଼ କିଏ ସାନ ଜାଣି ନପାରି, ତାଙ୍କୁ କି ଜଗନ୍ନାଥଙ୍କୁ ଆଗ ଅନ୍ନ ଦେବ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିବାରୁ, ବଳରାମ ଅଧୈର୍ଯ୍ୟ ହୋଇ ତାକୁ ‘କାଣୀ’ ବୋଲି କହି ଗାଳି ଦେଇଥିଲେ। “ମୁଁ ବଡ଼, ମୋତେ ଆଗ ଦେ” ବୋଲି ବି କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଣିଥିବା ସବୁତକ ଅନ୍ନ ବଳରାମଙ୍କ ଥାଳିରେ ଦେଇ, ବ୍ରାହ୍ମଣୀ ପୁଣି ଅନ୍ନ ଆଣିବାକୁ ଭିତରକୁ ଗଲା। ସେ ଦ୍ୱିତୀୟ ଥାଳି ଆଣି ଆସିବା ବେଳକୁ ଥାଳିରେ କିଛି ଅନ୍ନ ନଥିଲା। ସେ ଚକିତ ହୋଇ, “ଏ ବ୍ରାହ୍ମଣଙ୍କ ଅନ୍ନ ନେଲା କେ” ବୋଲି କହିଲା।
“ବଳରାମେ ବୋଇଲେ ହୋ କ୍ଷୁଧା ହୋଇଥିଲି
ଏଣୁକରି ଅର୍ଣ୍ଣ ଚାରିଗ୍ରାସେ ମୁଁ ଖାଇଲି।”
ତାହା ଶୁଣି ବ୍ରାହ୍ମଣୀ ହସିଦେଲା। କହିଲା- ତୁମେ କ’ଣ ‘କୁଟୁମ୍ବ ଗଡ଼ାକୀ’? ଅର୍ଥାତ୍, ତୁମ କୁଟୁମ୍ବରେ କ’ଣ ଆଉ କେହି ନାହାନ୍ତି?
କିନ୍ତୁ ବଜାର ସଂସ୍କାରଣରେ ଏ ପ୍ରସଙ୍ଗରେ ‘କୁଟୁମ୍ବମରା’ ବା ବଉଁଶବୁଡ଼ା ଆକ୍ଷେପ ଅଛି। ସେହି ପଦଟି ହେଉଛି-
“ହସିଲା ବ୍ରାହ୍ମଣୀ ଦୁଇଭାଇଙ୍କୁ ଅନାଇଁ।
କୁଟୁମ୍ବ ମାରିବା ପ୍ରାୟ ଦିଶୁଛ ଗୋସାଇଁ।”
ଏଣୁ ସମ୍ଭବତଃ ‘କୁଟୁମ୍ବ ଗଡ଼ାକୀ’ ଏକ ମୁଦ୍ରଣ ପ୍ରମାଦ; ତାହା ‘କୁଟୁମ୍ବ ମଡ଼ାକୀ’ ହେବ।
ଏ ତ ଗଲା ବଳରାମଙ୍କୁ ଅନ୍ନ ପରଷିବା କଥା। ଜଗନ୍ନାଥଙ୍କୁ ଅନ୍ନ ପରଷିବା ଏବଂ ଜଗନ୍ନାଥ ତାହା ଭୋଜନ କରିବାର ସୁନ୍ଦର ବର୍ଣ୍ଣନା ବି ବଳରାମ ଦାସ କରିିଛନ୍ତି।
ଏ ପ୍ରସଙ୍ଗରେ ଆମେ ‘ପଦ୍ମପୁରାଣ’ ଓ ‘ସ୍କନ୍ଦପୁରାଣ’ର ଶାସ୍ତ୍ରୋକ୍ତି ସ୍ମରଣ କରିପାରିବା। ‘ପଦ୍ମପୁରାଣ’ରେ କୁହାଯାଇଛି- “ତତ୍ରାନ୍ନ ପାଚିକା ଲକ୍ଷ୍ମୀଃ ସ୍ୱୟଂ ଭୋକ୍ତା ଜନାର୍ଦ୍ଦନଃ”। ‘ସ୍କନ୍ଦପୁରାଣ’ରେ ମଧ୍ୟ ଜୈମିନୀ ଅନ୍ୟ ଋଷିମାନଙ୍କୁ କହିଛନ୍ତି- ହେ ମୁନିଗଣ! ଲକ୍ଷ୍ମୀଦେବୀ ହିଁ ଭଗବାନଙ୍କ ଅନ୍ନବ୍ୟଞ୍ଜନାଦିର ପାକକାର୍ଯ୍ୟ କରି ଥାଆନ୍ତି। ସାକ୍ଷାତ୍ ନାରାୟଣ ନିତ୍ୟ କମଳାଙ୍କ ସ୍ୱହସ୍ତ ସଂପାଦିତ ଅନ୍ନାଦି ଭୋଜନ କରନ୍ତି। ଶ୍ରୀଜଗନ୍ନାଙ୍କ ପ୍ରୀତ୍ୟର୍ଥେ ମା’ ନିଜେ ତାହା ପରିବେଷଣ କରିଥାଆନ୍ତି।
କିନ୍ତୁ, ‘ଲକ୍ଷ୍ମୀପୁରାଣ’ ଅନୁସାରେ, ଯେହେତୁ ଦୁଇଭାଇ ଗୋଟିଏ ସ୍ଥାନରେ ଠାଆରେ ବସିଥିଲେ, ତେଣୁ ଲକ୍ଷ୍ମୀ ସେ ସ୍ଥାନକୁ ଆସି ନଥିଲେ। କାରଣ ବଳରାମ ତାଙ୍କର ଦେଡ଼ଶୁର। ବଳରାମ ଦାସ ଗୋଟିଏ ପଦରେ ଏହାର ସୁନ୍ଦର ବର୍ଣ୍ଣନା କରିଛନ୍ତି।
“କ୍ଷୁଧାରେଣ ଭୋଜନ କରନ୍ତି ଦାରୁବ୍ରହ୍ମ
ଲକ୍ଷ୍ମୀ ଦେଉଛନ୍ତି ପୁଣ ଭିତରେ ଥାଇଣ।”
ଭିତରେ ଥାଇ ଲକ୍ଷ୍ମୀ କ’ଣ କ’ଣ ପରିଷିଛନ୍ତି, ତାହାର ସୁନ୍ଦର ବର୍ଣ୍ଣନା ମଧ୍ୟ ‘ଲକ୍ଷ୍ମୀପୁରାଣ’ରେ ଅଛି। ‘ହସି ଖେଳି’, ଅର୍ଥାତ୍ ଅତ୍ୟନ୍ତ ଆନନ୍ଦରେ ଲକ୍ଷ୍ମୀ ସେସବୁ ପରଷିଛନ୍ତି ଏବଂ ଜଗନ୍ନାଥ ସନ୍ତୋଷ ମନରେ ତାହା ଭୋଜନ କରିଛନ୍ତି। ଭିତରେ ରହି, ବଳେଇ ବଳେଇ ଲକ୍ଷ୍ମୀ ସେ ସବୁ ତାଙ୍କୁ ଖୁଆଇଛନ୍ତି। ତାହାର ବର୍ଣ୍ଣନା ଏହିପରି-
“ଦିବ୍ୟ ପିଠାମାନ ଲକ୍ଷ୍ମୀ ଦେଉଛନ୍ତି ନେଇଂ
ଖଣ୍ଡ ଯେ ଶାକର ଛେନା ଗୋଟିକା ମିଶାଇଂ।
ମନୋହର ପିଠାମାନ ଦେଉଛନ୍ତି ନେଇଂ
ହସିଖେଳି ଦେଉଛନ୍ତି ସିନ୍ଧୁର ତନଈ।
ସନ୍ତୋଷ ହୃଦେଣ ଦେବ କରନ୍ତି ଭୋଜନ
ବଳାଇ ବଳାଇ ମାଏ ଦିଲେ ଦ୍ରବ୍ୟମାନ।”
ଭାବଗ୍ରାହୀ ଜଗନ୍ନାଥ କେବଳ ସନ୍ତୋଷ ହୋଇ ଖାଇଲେ ନାହିଁ; କ୍ଷୁଧାର୍ତ୍ତ ଜଗନ୍ନାଥ ସେହି ଭୋଜନରେ ହରଷ ହେଲେ ବୋଲି ମଧ୍ୟ ସେଥିରେ କୁହାଯାଇଛି।
“ସରପୁଳି କାକରା ଯେ ଆରିସା ଦିଲେ ନେଇଂ
କ୍ଷୁଧାରେଣ ଭୋଜନ କରନ୍ତି ଭାବଗ୍ରାହୀ।
ଗୋଟିକା ଅଧାମ ଘୋଟି ଦିଲେ ମହାମାଈ
ବଗଡ଼ା ଭାତର କଥା କହି ତ ନ ଯୋଗାଇ।
ଅଙ୍ଗବାସ ପଣାକୁ ଦିଲେ ମହାମାଈ
ଭୋଜନରେ ହରଷ ହୋଇଲେ ଭାବଗ୍ରାହୀ।”
କିନ୍ତୁ ଏହି ତୃପ୍ତିକର ଭୋଜନ ଜନିତ ହର୍ଷ ବା ଆନନ୍ଦ କେବଳ ଏତିକିରେ ସରି ନାହିଁ। ଭୋଜନ ଶେଷକୁ ମଧ୍ୟ ଲକ୍ଷ୍ମୀ ପରଷିଛନ୍ତି ସ୍ୱାଦିଷ୍ଠ ପୋଡ଼ପିଠା। ପୂର୍ବବର୍ଣ୍ଣିତ (ଲକ୍ଷ୍ମୀପୁରାଣ କଥା- ୬୯) ଯେ ଲକ୍ଷ୍ମୀ ଅତ୍ୟନ୍ତ ଆଗ୍ରହରେ ଷାଠିଏ କାହାଣ ମୂଲ୍ୟର ଗୋଟିଏ ପୋଡ଼ପିଠା ଦୁଇଭାଇଙ୍କ ମଣୋହି ପାଇଁ ପୋଡ଼ି ପ୍ରସ୍ତୁତ କରି ରଖିଥିଲେ। ତେଣୁ ବଳରାମ ଦାସ କହିଛନ୍ତି-
“ଭୋଜନ ଶେଷକୁ ପୋଡ଼ପିଠା ଦିଲେ ନେଇ
ଖାଇକରି ସନ୍ତୋଷ ହୋଇଲେ ଭାବଗ୍ରାହୀ।”