ଲକ୍ଷ୍ମୀଙ୍କୁ ନେଇ ଜଗନ୍ନାଥ ବଡ଼ଦେଉଳକୁ ଫେରିବେ, ଏଥିରେ ସେ ଆନନ୍ଦିତ ହେବା ସ୍ୱାଭାବିକ। କିନ୍ତୁ ବଡ଼ଭାଇ ବଳରାମ ମଧ୍ୟ ସେଥିରେ ଖୁବ୍ ଆନନ୍ଦିତ ଥିଲେ। ଲକ୍ଷ୍ମୀଙ୍କ ସହ ଜଗନ୍ନାଥଙ୍କର ମିଳନ ହେଲା; ଏଥିରେ ସେ କିପରି ଆନନ୍ଦିତ ହୋଇଥିଲେ, ତାହାର ସୁନ୍ଦର ବର୍ଣ୍ଣନା ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଅଛି।
“ବଳରାମେ କହୁଛନ୍ତି ଶୁଣରେ କନାଇ
ଘରର ଘରଣୀ ଏବେ ସୁନ୍ଦର ଦିଶଇ।”
କିନ୍ତୁ ସେହି ସୁଖକର ମୁହୂର୍ତ୍ତରେ, ବିତିଯାଇଥିବା ଦୁଃଖଦାୟକ ଦିନ କଥା ବି ସେ ଭୁଲି ନାହାନ୍ତି। ତାହା ସେ ମନେ ପକାଇ ଜଗନ୍ନାଥଙ୍କୁ କହିଛନ୍ତି-
“ଯେତେବେଳେ ଦାଣ୍ଡେ ଯାଉଥିଲେ ଦୁଇଭାଇ
ଚୋର ଖଣ୍ଟ ବୋଲି ହାଦେ ସମସ୍ତେ ଯେ କହି।”
ଏହା ସ୍ୱାଭାବିକ୍, ଯେ ସୁଖର ସମୟ ଆସିଲେ ଆମେ ଦୁଃଖର ସମୟ କଥା ଭୁଲିଯାଉ। କିନ୍ତୁ ତାହା, ବିଶେଷକରି ସେହି ଦୁଃଖଦାୟକ ସମୟ ଯେଉଁ ଶିକ୍ଷା ଦିଏ, ତାହା ଭୁଲିବା କଥା ନୁହେଁ। ତେଣୁ, “ଲକ୍ଷ୍ମୀ ବଡ଼ଲୋକ ବୋଲି ଜଗତ୍ର ଜାଣିଲଇଂ”-ବଳରାମ ଏ ଯାହା କହିଥିଲେ, ଜଗନ୍ନାଥ ତାହା ତାଙ୍କୁ ମନେପକାଇ ଦେଲେ।
“ଜଗନାଥେ କହୁଛନ୍ତି ବଳରାମ ଭାଇ
ଲକ୍ଷ୍ମୀ ଯେ ୟେଡ଼େକ ଜଣ ଏବେ ଜାଣିଲଇଂ।”
ଏଣୁ ଏହା ପରେ ସମସ୍ତେ ଖୁସି ଖୁସି ବଡ଼ଦେଉଳକୁ ଫେରିବାର ପାଳି।
ଏ ପ୍ରସଙ୍ଗରେ ସ୍ମରଣୀୟ, ଯେ ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରାର ନବମ ଦିନରେ, ବଳଭଦ୍ର, ଜଗନ୍ନାଥ ଏବଂ ସୁଭଦ୍ରା ଓ ସୁଦର୍ଶନ ତିନିରଥରେ ଶ୍ରୀମନ୍ଦିର ସମ୍ମୁଖକୁ ଫେରନ୍ତି। ତାହା ତାଙ୍କର ବାହୁଡ଼ାଯାତ୍ରା। ତା’ପରେ ସେମାନେ ଯାଇ ବିଜେହୁଅନ୍ତି ବଡ଼ଦେଉଳର ରତ୍ନ ସିଂହାସନରେ। ତାହା ‘ନୀଳାଦ୍ରିବିଜେ’। କିନ୍ତୁ ‘ଲକ୍ଷ୍ମୀପୁରାଣ’ର ଏ ‘ନୀଳାଦ୍ରି ବିଜେ’ ତା’ ସହ ଯେତିକି ସମାନ, ତା’ଠୁ ସେତିକି ଭିନ୍ନ।
ବଳରାମ ଦାସ ତାହା ଖୁବ୍ ସଂକ୍ଷେପରେ, ଅଥଚ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି। ଶ୍ରୀମନ୍ଦିରର ପାରମ୍ପରିକ ପ୍ରଥା ଅନୁସାରେ, ଶ୍ରୀସୁଦର୍ଶନ ଅବଶ୍ୟ ପ୍ରଥମେ ନୀଳାଦ୍ରିବିଜେରେ ବଡ଼ଦେଉଳକୁ ଯାଆନ୍ତି; କିନ୍ତୁ ତିନିଠାକୁରଙ୍କ ଭିତରୁ ପ୍ରଥମେ ଯାଆନ୍ତି ବଳଭଦ୍ର। ସେହି ପାରମ୍ପରିକତା ‘ଲକ୍ଷ୍ମୀପୁରାଣ’ରେ ରକ୍ଷା କରିଛନ୍ତି ବଳରାମ ଦାସ। କହିଛନ୍ତି-
“ତାଳଧ୍ୱଜ ରଥରେ ଯେ ବିଜୟେ ହଳପାଣି
ପ୍ରବେଶ ହୋଇଲେ ବଡ଼ ଦେଉଳରେ ପୁଣିଂ।”
ଏ ପ୍ରସଙ୍ଗରେ ଆଉ ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଣ୍ଣନା ମଧ୍ୟ ଅଛି। ତାହା ହେଉଛି-
“ବିଜୟା ରଥରେ ଯେ ସୋଭଦ୍ରା ବିଜେ କଲେ।”
ଅର୍ଥାତ୍, ବଡ଼ଭାଇ ବଳଭଦ୍ର ତାଙ୍କ ‘ତାଳଧ୍ୱଜ’ ରଥରେ ଯିବା ପରେ, ଭଉଣୀ ସୁଭଦ୍ରା ତାଙ୍କ ‘ବିଜୟା’ ରଥରେ ବଡ଼ଦେଉଳକୁ ଗଲେ। ଏହା ମଧ୍ୟ ପାରମ୍ପରିକ ବିଧି। ଏ ସଂପର୍କରେ ସୂଚନାଯୋଗ୍ୟ, ଯେ ସୁଭଦ୍ରାଙ୍କ ‘ଦେବଦଳନ’ ରଥର ଅନ୍ୟନାମ ‘ବିଜୟା’।
କିନ୍ତୁ ଏ ପ୍ରସଙ୍ଗରେ ପ୍ରଶ୍ନ ଉଠେ, ଲକ୍ଷ୍ମୀ ବଡ଼ଦେଉଳ ଛାଡ଼ି ଚାଲିଯିବା ପରେ, ବଡ଼ଭାଇ ବଳରାମଙ୍କ ଆଦେଶରେ ସୁଭଦ୍ରା ତ ଭଣ୍ଡାରଘର ଜଗି ଶୋଇଥିଲେ; ସେ ପୁଣି ଲକ୍ଷ୍ମୀଙ୍କ ପୁରକୁ ଆସିଲେ କିପରି?
ପୂର୍ବସୂଚିତ, ଯେ ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ସୁଭଦ୍ରା ଆଦୌ ନାହାନ୍ତି। ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ସେ ଅବଶ୍ୟ ଉପସ୍ଥିତ; ମାତ୍ର ସେ ଲକ୍ଷ୍ମୀଙ୍କ ପୁରକୁ ଆସିବାର ବର୍ଣ୍ଣନା ସେଥିରେ ନାହିଁ। ସମ୍ଭବତଃ ଯାହା ଊହ୍ୟ ରହିଛି, ଅଥଚ ବୋଧଗମ୍ୟ, ତାହା ହେଉଛି- ଦୁଇ ଭାଇ ଭୋକ ଉପାସରେ ବଡ଼ଦେଉଳ ଛାଡ଼ି ଦାଣ୍ଡ ଓ ନଗ୍ରକୁ ଭିକ୍ଷା କରିବାକୁ ଚାଲି ଆସିବା ପରେ, ଲକ୍ଷ୍ମୀ ହୁଏତ ସୁଭଦ୍ରାଙ୍କୁ ତାଙ୍କ ପୁରକୁ ନେଇ ଆସିଥିଲେ। ନ ହେଲେ, ସୁଭଦ୍ରା ବି ବଡ଼ ଦେଉଳରେ ଏକୁଟିଆ ଭୋକ ଉପାସରେ ପଡ଼ି ରହିଥାଆନ୍ତେ। ଏଣୁ, ଏହା ନଣନ୍ଦ-ଭାଉଜ ସଂପର୍କର ମଧୁରତାର ଅଭିବ୍ୟଞ୍ଜକ।
କିନ୍ତୁ ବଳରାମ ତାଙ୍କ ‘ତାଳଧ୍ୱଜ’ ରଥରେ ଓ ସୁଭଦ୍ରା ତାଙ୍କ ‘ବିଜୟା’ ରଥରେ ନୀଳାଦ୍ରିବିଜେ କରିବା ପରେ, ଜଗନ୍ନାଥ ଓ ଲକ୍ଷ୍ମୀ ନୀଳାଦ୍ରିବିଜେ କିପରି ଭାବରେ କଲେ? କ’ଣ ତାଙ୍କ ‘ନନ୍ଦିଘୋଷ’ ରଥରେ? ନା। କାରଣ, ଲକ୍ଷ୍ମୀ ଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥରେ ବିଜେ କରିବାର କୌଣସି ପରମ୍ପରା ଶ୍ରୀମନ୍ଦିରରେ ନାହିଁ।
ଏହା ହିଁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ବିଶେଷତ୍ୱ, ଯେ ଜଗନ୍ନାଥ ଲକ୍ଷ୍ମୀଙ୍କୁ ‘ନନ୍ଦିଘୋଷ’ ରଥରେ ନନେଇ, ତାଙ୍କ କୋଳରେ ବସାଇ, ବଡ଼ଦେଉଳକୁ ଗରୁଡ଼ ପିଠିରେ ନେଲେ। ତାହାର ବର୍ଣ୍ଣନା କରି ବଳରାମ ଦାସ କହିଛନ୍ତି- “ଗରୁଡ଼ ପୃଷ୍ଠରେ ଜଗନାଥ କମଳାଙ୍କୁ ନେଲେ।”