ବଡ଼ଠାକୁର ବଳଭଦ୍ର ତାଙ୍କ ତାଳଧ୍ୱଜ ରଥରେ ବଡ଼ଦେଉଳକୁ ଗଲେ। ଭଉଣୀ ସୁଭଦ୍ରା ଗଲେ ବିଜୟା ରଥରେ। ଶେଷରେ ଲକ୍ଷ୍ମୀଙ୍କୁ ନେଇ ଗରୁଡ଼ ପିଠିରେ ଗଲେ ସ୍ୱୟଂ ଜଗନ୍ନାଥ। ଲକ୍ଷ୍ମୀଙ୍କୁ ପାଇ କେବଳ ଜଗନ୍ନାଥ ନୁହନ୍ତି; ସାରା ସଂସାରର ଲୋକେ ଆନନ୍ଦିତ ହେଲେ।

Advertisment

କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର କଥା ଏତିକିରେ ସରି ନାହିଁ।

କାରଣ, ଏ କଥାର ଆରମ୍ଭ ହୋଇଥିଲା ଦେବରାଜ ଇନ୍ଦ୍ରଙ୍କ ଦୁର୍ବିପାକରୁ। ବୃତ୍ତ୍ରାସୁର ମହାଶକ୍ତିଶାଳୀ ହୋଇ ସ୍ୱର୍ଗପୁର ଆକ୍ରମଣ କରିବାରୁ, ଇନ୍ଦ୍ର ପଳାଇ ଯାଇ ମେରୁ ପର୍ବତ କନ୍ଦରରେ ଲୁଚିଥିଲେ। ଦିନେ ଦେବର୍ଷି ନାରଦ ତାଙ୍କର ବହୁ ବାଳଶିଷ୍ୟଙ୍କୁ ନେଇ ସେଠାରେ ପହଞ୍ଚିଲେ। ତାଙ୍କର ପାଦ ଧୋଇଦେଇ ଓ ଆସନ ଦେଇ, ଇନ୍ଦ୍ର ପଚାରିଥିଲେ- ହେ ମହାମୁନି, କହନ୍ତୁ। ମୋର କାହିଁକି ଏପରି ସର୍ବତ୍ୟାଗ ହେଲା?

ତାହାର ଉତ୍ତରରେ, ନାରଦ ତାଙ୍କୁ କହିଥିଲେ- ହେ ଶଚୀପତି, ଶୁଣ। ଲକ୍ଷ୍ମୀ ଯାହାକୁ ବାମ ହୁଅନ୍ତି, ତାର କିଛି ଭଲ ହୁଏ ନାହିଁ। ତାକୁ ଅନ୍ନ, ବସ୍ତ୍ର ମିଳେ ନାହିଁ, କି ସେ ସଭାରେ ବସିବାର ସୌଭାଗ୍ୟ ପାଏ ନାହିଁ। ତୁମ୍ଭେ ଗୁରୁପଞ୍ଚମୀ ବ୍ରତ ନ କରିବାରୁ ତୁମ୍ଭଙ୍କୁ ଲକ୍ଷ୍ମୀ ବାମ ହେଲେ। ତୁମ୍ଭଙ୍କୁ ଶୂରସଭା ତ୍ୟାଗ କରିବାକୁ ପଡ଼ିଲା।

ତାହା ଶୁଣି ଇନ୍ଦ୍ର ନାରଦଙ୍କୁ ଯୋଡ଼ହସ୍ତରେ ଅନୁରୋଧ କଲେ- ହେ ମୁନିବର! ଏବେ ମୋ ଆଗରେ ସେହି ‘ପରମଲକ୍ଷ୍ମୀଙ୍କର ବେଭାର’ କୁହ। ତୁମ୍ଭମୁଖରୁ ତାହା ଶୁଣି ମୋର ପାତକ ନାଶ ହେଉ।

ଇନ୍ଦ୍ରଙ୍କର ଏହି କଥା ଶୁଣି, ଜଗମୋହନ ଜଗନ୍ନାଥ କିପରି ଲକ୍ଷ୍ମୀଛଡ଼ା ହେଲେ, ନାରଦ ସେକଥା ମଘବାନ ଇନ୍ଦ୍ରଙ୍କୁ କହିଥିଲେ। ତାହା ହେଉଛି- ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ର ମୁଖ୍ୟ କଥାବସ୍ତୁ।

ସେଥିପାଇଁ, ବଳରାମ, ସୁଭଦ୍ରା ଏବଂ ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ନୀଳାଦ୍ରିବିଜେର ଆନନ୍ଦଦାୟକ ପରିଣତି ପରେ, ବଳରାମ ଦାସ ତାଙ୍କ ‘ଲକ୍ଷ୍ମୀ ପୁରାଣ’ରେ କହିଛନ୍ତି-
“ଇନ୍ଦ୍ରଙ୍କ ଆଗରେ ଏହା କହିଲେ ନାରଦ
ଗୁରୁ ଯେ ପଂଚମୀ ବ୍ରତ କର ହେ ଅସନ୍ଦ।
ଲକ୍ଷ୍ମୀ ଅନୁଗ୍ରହ ତୋତେ କରି ସର୍ବକାଳେ
ସୁଖେ ଯାଇ ବସ ତୁମ୍ଭେ ସର୍ଗଦେବ ଆଳେ।”

ଅର୍ଥାତ୍‌, ହେ ଇନ୍ଦ୍ର! ତୁମ୍ଭେ ଗୁରୁପଞ୍ଚମୀ ବ୍ରତ କର। ଲକ୍ଷ୍ମୀ ତୁମ୍ଭଙ୍କୁ ଅନୁଗ୍ରହ କରିବେ ଏବଂ ତୁମ୍ଭେ ପୁଣି ଯାଇ ସ୍ୱର୍ଗ ରାଜ୍ୟରେ ରାଜା ହେବ।

ନାରଦଙ୍କଠାରୁ ଏହି ଦୀକ୍ଷା ପାଇ, ଇନ୍ଦ୍ର ପୁଣି ଗୁରୁପଞ୍ଚମୀ ବ୍ରତ କଲେ। ତାହା ଫଳରେ ପୁଣି ସ୍ୱର୍ଗରାଜ୍ୟ ଲାଭ କରିବା ସହିତ, ଶଚୀଦେବୀଙ୍କୁ ପାଇ ସୁଖୀ ହେଲେ। ‘ଲକ୍ଷ୍ମୀ ପୁରାଣ’ରେ ବର୍ଣ୍ଣନା ଅଛି-
“ନାରଦଙ୍କ ଠାରୁ ଇନ୍ଦ୍ର ଦୀକ୍ଷା ଯେ ପାଇଲେ
ଗୁରୁ ଯେ ପଂଚମୀ ବ୍ରତ ଇନ୍ଦ୍ର ଭିଆଇଲେ।
ପୁଣି ଇନ୍ଦ୍ର ଆସନେ ବସିଲେ ସୁଖେ ଯାଇଂ
ସଚୀଦେବୀ ଯାଇ ସନିଧେ ଖଟଇଂ।”

ଏହା କହିବା ସହିତ, ପରିଶେଷରେ ବଳରାମ ଦାସ କହିଛନ୍ତି- ଏ ‘ଲକ୍ଷ୍ମୀପୁରାଣ’ ଦ୍ୱାରା ଯେଉଁ କଥା ସିଦ୍ଧ ହେଉଛି, ତାହା ହେଲା-
“ଦଶମୀ ଯେ ଗୁରୁବାର ସୁଦଶାର ବ୍ରତ
ଏହା କଲେ ଧନଜନ ହୋଇବ ପ୍ରାପତ।
ଗୁରୁବାରେ ଯେଉଁ ଜନ ଏହାକୁ ପଢ଼ଇ
ଜନ୍ମ ଜନ୍ମାନ୍ତର ତା’ର ଦୁରିତ ହରଇ।”

ଏଣୁ, ମାର୍ଗଶିର ମାସ ଶ୍ରେଷ୍ଠମାସ ହୋଇଥିବାରୁ, ଏବଂ ସବୁ ଗୁରୁବାର ଅପେକ୍ଷା ଏ ମାସର ଗୁରୁବାର ଲକ୍ଷ୍ମୀଙ୍କର ସବୁଠୁ ପ୍ରିୟ ହୋଇଥିବାରୁ, ଏ ମାସର ଗୁରୁବାରଗୁଡ଼ିକରେ ଧାନ୍ୟଲକ୍ଷ୍ମୀ ବା ଶସ୍ୟଲକ୍ଷ୍ମୀ ଭାବରେ ଲକ୍ଷ୍ମୀଙ୍କର ପୂଜା କରାଯାଏ। ‘ଲକ୍ଷ୍ମୀପୁରାଣ’ ପଢ଼ାଯାଏ।

ମାର୍ଗଶିର ମାସ ଗୁରୁବାରର ଏହି ଲକ୍ଷ୍ମୀପୂଜା ପଛରେ ମଧ୍ୟ ରହିଛି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ପ୍ରଭାବ। କାରଣ, ଏହି କ୍ଷୁଦ୍ର ଅଥଚ ମହତ୍ତ୍ୱପୂର୍ଣ୍ଣ ରଚନାର ଶେଷରେ ବଳରାମ ଦାସ ଲେଖିଛନ୍ତି-
‘ଗୁରୁବାରେ ଯେଉଁଜନ ଏହାକୁ ପଢ଼ଇ,
ଜନ୍ମ ଜନ୍ମାନ୍ତର ତାର ଦୁରିତ ହରଇ।”

ଏବଂ, ଜନସମାଜ ପାଇଁ ଅଭିପ୍ରେତ ଏହି ବାର୍ତ୍ତାରେ ତାଙ୍କ ‘ଲକ୍ଷ୍ମୀ ପୁରାଣ’ର ପରିସମାପ୍ତି କରି, ତାହାର ପୁଷ୍ପିକା ବା ଭଣିତାରେ ସେ କହିଛନ୍ତି-
“ଲକ୍ଷ୍ମୀ ଯେ ପୁରାଣ ପୋଥି ସଂପୂର୍ଣ୍ଣ ହୋଇଲା
ବଳରାମ ଦାସ ଏହା ଗୀତରେ ଗାଇଲା।”