ଲକ୍ଷ୍ମୀପୁରାଣ କଥା-୨୨: ଷାଠିଏ ସହସ୍ର ଘର ଦ୍ୱାରାବତୀ ପୁର!

ଅସିତ ମହାନ୍ତି

ଦେବୀ ଲକ୍ଷ୍ମୀ ‘ରତ୍ନ ହାନ୍ଦୋଳା’ ବା ‘ମଣି ବିମାନ’ରେ ବିଜେ କରି ଯେଉଁ ‘ଦ୍ୱାରାବତୀ ପୁର’ ବୁଲି ଆସିଲେ, ତାହା କ’ଣ କେବଳ ପୁରୀ ନଗ୍ର? ଏ ପ୍ରଶ୍ନ ମନକୁ ଆସେ, ସେଥିରେ ଉଲ୍ଳେଖ ଥିବା ‘ଷାଠିଏ ସହସ୍ର ଘର’ପାଇଁ। କାରଣ, ବଳରାମ ଦାସଙ୍କ ସମୟରେ ପୁରୀ ନଗରୀରେ ଷାଠିଏ ସହସ୍ର ଘର ଥିବା କେବେ ସମ୍ଭବ ନୁହେଁ।

ଶ୍ରୀଜଗନ୍ନାଥଙ୍କର ମୂଳପୀଠ ହେଉଛି ପୁରୀ। ଏହାର ଅନ୍ୟ ନାମ ଶ୍ରୀକ୍ଷେତ୍ର। ପୂର୍ବେ ଶ୍ରୀପୁରୁଷୋତ୍ତମକ୍ଷେତ୍ର ରୂପେ ଏହା ପରିଚିତ ଥିଲା। ପ୍ରାଚୀନ ଶାସ୍ତ୍ରଗ୍ରନ୍ଥରେ ଏହାକୁ ଅନେକ ମହତ୍ତ୍ୱ ଦିଆହୋଇ ଆସିଛି। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ ଶ୍ରୀଜଗନ୍ନାଥଙ୍କ ସଂପର୍କିତ ଏକ ମହତ୍ତ୍ୱପୂର୍ଣ୍ଣ କୃତି। ଏଥିରେ ମୁନିମାନେ ଜୈମିନୀ ଋଷିଙ୍କୁ ପଚାରିଛନ୍ତି- କେଉଁ ଦେଶରେ ସେହି ପୁରୁଷୋତ୍ତମକ୍ଷେତ୍ର ରହିଛି, ଯେଉଁଠାରେ ଶ୍ରୀନାରାୟଣ ସାକ୍ଷାତ୍ ଦାରୁରୂପରେ ବିରାଜମାନ କରୁଛନ୍ତି? ଏହାର ଉତ୍ତରରେ ଜୈମିନୀ ଋଷି କହିଛନ୍ତି- ଯଦିଓ ଶ୍ରୀଜଗନ୍ନାଥ ସର୍ବବ୍ୟାପୀ, ସକଳର କାରଣ- ଅନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟ ବିଶେଷ ପାପନାଶକ- ତଥାପି ଶ୍ରୀକ୍ଷେତ୍ର ଭଗବାନଙ୍କର ବପୁ ସଦୃଶ; ତେଣୁ ସର୍ବଶ୍ରେଷ୍ଠ। ଭଗବାନ ସ୍ୱୟଂ ବିଗ୍ରହଧାରୀ ହୋଇ ସେହି ସ୍ଥାନରେ ଅବସ୍ଥାନ କରୁଛନ୍ତି ଏବଂ ସେହି କ୍ଷେତ୍ରକୁ ସ୍ୱନାମରେ ବିଖ୍ୟାତ କରିଛନ୍ତି।

ଏଣୁ, ଶ୍ରୀଜଗନ୍ନାଥଙ୍କ ନାମ ଯେପରି ଶ୍ରୀପୁରୁଷୋତ୍ତମ, ତାଙ୍କ କ୍ଷେତ୍ରର ନାମ ମଧ୍ୟ ସେହିପରି ଶ୍ରୀପୁରୁଷୋତ୍ତମ। ଏଥିରୁ, ତାଙ୍କର ପ୍ରାସାଦ (ମନ୍ଦିର) ଥିବା ପୁରୀ ବା ଶ୍ରୀକ୍ଷେତ୍ର ହିଁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ବୋଲି ସାଧାରଣରେ ଗୋଟିଏ ଧାରଣା ହୁଏ। କିନ୍ତୁ ସେହି ‘ସ୍କନ୍ଦପୁରାଣ’ ମଧ୍ୟ, ଏକ ବିସ୍ତୃତ କ୍ଷେତ୍ରକୁ ପୁରୁଷୋତ୍ତମକ୍ଷେତ୍ର ବୋଲି କହନ୍ତି। ‘ସ୍କନ୍ଦପୁରାଣ’ର ପ୍ରଥମ ଅଧ୍ୟାୟ, ତ୍ରୟୋଦଶ ଶ୍ଳୋକରେ କୁହାଯାଇଛି- ସେହି ପରମ ରମଣୀୟ ଆଶ୍ଚର୍ଯ୍ୟକ୍ଷେତ୍ର ଦଶଯୋଜନ ବିସ୍ତୃତ ଏବଂ ତୀର୍ଥରାଜ ଅର୍ଥାତ୍ ସମୁଦ୍ରର ଜଳରୁ ସମୁତ୍ଥିତ ହୋଇ ତାହା ବାଲୁକାରାଶି ବେଷ୍ଟିତ।

କିନ୍ତୁ ‘ସ୍କନ୍ଦପୁରାଣ’ର ଦ୍ୱାଦଶ ଅଧ୍ୟାୟରେ, ଦେବଦେବ ମହାଦେବ ଓ ଶ୍ରୀଜଗନ୍ନାଥଙ୍କ କଥୋପକଥନ କ୍ରମରେ, ଶ୍ରୀପୁରୁଷୋତ୍ତମକ୍ଷେତ୍ର ସଂପର୍କରେ ଅଧିକ ବିସ୍ତୃତ ଭାବରେ କୁହାଯାଇଛି। ତାହା ହେଉଛି- ଏହି କ୍ଷେତ୍ର ଦକ୍ଷିଣ ସମୁଦ୍ର ତୀରର ନୀଳପର୍ବତ (ନୀଳାଚଳ)ଦ୍ୱାରା ସୁଶୋଭିତ ଏବଂ ବିରଜାମଣ୍ଡଳ ପର୍ଯ୍ୟନ୍ତ କ୍ରମଶଃ ପବିତ୍ରତର। ସେଠାରୁ ଦକ୍ଷିଣ ସମୁଦ୍ର ପର୍ଯ୍ୟନ୍ତ ଯେଉଁ ପ୍ରଦେଶ ପରିବ୍ୟାପ୍ତ, ତାହାର ପ୍ରତି ପଦକ୍ଷେପର ସ୍ଥାନ ଶ୍ରେଷ୍ଠରୁ ଶ୍ରେଷ୍ଠତର ଏବଂ ସେଠାରେ ଥିବା ନୀଳପର୍ବତ ମୁକ୍ତିଦାୟକ। ସେହିଠାରେ ମୁଁ ନୀଳକାନ୍ତ ମଣିମୟ ରୂପରେ ଅବସ୍ଥାନ କରୁଅଛି।

ଏହି କ୍ଷେତ୍ର ଯେ କେବଳ ପୁରୀ ନୁହେଁ- ସମଗ୍ର ଓଡ଼ିଶା, ଏହା ସୂଚିତ ହୋଇଛି ସେହି ‘ସ୍କନ୍ଦପୁରାଣ’ର ଷଷ୍ଠ ଅଧ୍ୟାୟରେ। ସେଥିରେ କୁହାଯାଇଛି- ଦକ୍ଷିଣଗାମିନୀ ଋଷିକୁଲ୍ୟା ନଦୀଠାରୁ ଆରମ୍ଭ କରି, ଉତ୍ତରବର୍ତ୍ତିନୀ ସୁବର୍ଣ୍ଣରେଖା ଓ ମହାନଦୀ ମଧ୍ୟରେ ଯେତେ ପ୍ରଦେଶ ଅଛି, ସେ ସମସ୍ତ ହେଉଛି ଶ୍ରୀପୁରୁଷୋତ୍ତମକ୍ଷେତ୍ର। ଏହା ସୂଚାଏ- କେବଳ ପୁରୀ ନୁହେଁ, ସମଗ୍ର ଓଡ଼ିଶା ହିଁ ଶ୍ରୀପୁରୁଷୋତ୍ତମକ୍ଷେତ୍ର ବା ଜଗନ୍ନାଥ ଦେଶ। ଏହା ଆମର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପରିଚିତି।

ଏଣୁ ବଳରାମ ଦାସଙ୍କ ବର୍ଣ୍ଣନାର ‘ଦ୍ୱାରାବତୀ ପୁର’ ହେଉଛି ପୁରୀ ବା ଶ୍ରୀକ୍ଷେତ୍ର ବା ଶ୍ରୀପୁରୁଷୋତ୍ତମ କ୍ଷେତ୍ର ସମେତ ସମଗ୍ର ଓଡ଼ିଶା। ଏହି ବିସ୍ତୃତ କ୍ଷେତ୍ରରେ ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀରେ ‘ଷାଠିଏ ସହସ୍ର ଘର’ ରହିବା ଆଦୌ ବିଚିତ୍ର ନୁହେଁ।

ତେବେ ‘ସପ୍ତ ମୁକ୍ତିଦାୟିନୀ ନଗରୀ’ ଭାବଧାରାରେ ମଧ୍ୟ ଏହାର ସ୍ଥାନ ଅତ୍ୟୁଚ୍ଚ। ‘ଦ୍ୱାରାବତୀ’ର ଅନ୍ୟନାମ ‘ଦ୍ୱାରକା’ ବା ‘ଦ୍ୱାରିକା’। ଏହାର ଶବ୍ଦତତ୍ତ୍ୱ କହେ, ‘ଦ୍ୱାର’ର ଅର୍ଥ- ମୁକ୍ତିପଥ। ସେହିଥିରୁ ‘ଦ୍ୱାରକା’ ବା ‘ଦ୍ୱାରିକା’ ହୋଇଛି। ଏହାର ଅର୍ଥ- ମୁକ୍ତିପଥ ନଗରୀ। ପୁରୀ ଯେ ପରମ ମୁକ୍ତିପ୍ରଦ- ଏହା ବହୁ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଏ ସଂପର୍କରେ ଜଗନ୍ନାଥ ଦାସଙ୍କ ନାମରେ ପ୍ରଚଳିତ ଗୋଟିଏ ଲୋକପ୍ରିୟ ଶ୍ଳୋକ କହେ- ଗଙ୍ଗାରେ ବା ହରିଦ୍ୱାରରେ ଜଳରେ ମୁକ୍ତି ମିଳେ। କାଶୀରେ ଜଳ ଓ ସ୍ଥଳ ଉଭୟରେ ମୁକ୍ତି ମିଳେ। କିନ୍ତୁ ପୁରୀରେ ଜଳ, ସ୍ଥଳ ଓ ଆକାଶରେ ମୁକ୍ତି ମିଳେ। ଏଣୁ ପୁରୀ ପ୍ରକୃତରେ ହେଉଛି ପରମ ମୁକ୍ତିଦାୟିନୀ ନଗରୀ। ଦ୍ୱାରାବତୀପୁର ବା ଦ୍ୱାରାବତୀପୁରୀ।

ସମ୍ବନ୍ଧିତ ଖବର