ଆଜି ନୂଆପିଢ଼ିର ନାରୀମାନଙ୍କ ଦ୍ୱାରା ‘ଲକ୍ଷ୍ମୀପୁରାଣ’ ଯେଉଁଥିପାଇଁ ସମାଲୋଚିତ ହୁଏ, ତାହା ହେଉଛି, ସେଥିରେ ବର୍ଣ୍ଣିତ ବିଧି-ନିଷେଧ। ସେମାନେ ପ୍ରଶ୍ନ କରନ୍ତି- ‘ଲକ୍ଷ୍ମୀପୁରାଣ’ରେ ବର୍ଣ୍ଣିତ ଯେତେ ବିଧି-ନିଷେଧ, ସବୁ ନାରୀ ପାଇଁ କାହିଁକି? ଏହିସବୁ ବିଧି-ନିଷେଧ ପାଇଁ ‘ଲକ୍ଷ୍ମୀପୁରାଣ’ ଆକ୍ଷେପ ଓ ପରିହାସର ଶରବ୍ୟ ମଧ୍ୟ ହୋଇଆସିଛି।
ଏ ପ୍ରଶ୍ନ ବା ଏ ଆକ୍ଷେପ ଓ ପରିହାସ ଅତ୍ୟନ୍ତ ଯଥାର୍ଥ। କାରଣ, ବଳରାମ ଦାସ ଯାହା ଲେଖିନାହାନ୍ତି, ବା ଯାହା କେବେ କଳ୍ପନାରେ ଚିନ୍ତା ବି କରି ନଥିବେ, ସେପରି ଅନେକ କଥା ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ଯୋଡ଼ି ଦିଆଯାଇଛି। ତାହା ପୁଣି ଆଉ କାହା ମୁହଁରେ ନୁହେଁ; ବୁଢ଼ୀ ବ୍ରାହ୍ମଣୀ ବେଶ ଧରିଥିବା ଲକ୍ଷ୍ମୀଙ୍କ ମୁହଁରେ ହିଁ କୁହାଯାଇଛି ସାଧବାଣୀକୁ।
କିପରି ମାର୍ଗଶିର ମାସର ଗୁରୁବାର ବ୍ରତ ଓ ଶୁକ୍ଳ ଦଶମୀ ଗୁରୁବାରର ସୁଦଶାବ୍ରତ କରିବ, ସେ ‘ବିଧି’ ସାଧବାଣୀକୁ କହିବା ପରେ, ଆସିଛି ଗୁରୁବାରର ‘ନିବାରଣ’ ବା ‘ନିଷେଧ’ଗୁଡ଼ିକ। ‘ବୁଢ଼ୀ ବ୍ରାହ୍ମଣୀ’ କହିଛନ୍ତି-
“ଗୁରୁବାର ଦିନ ଯେଉଁ କଥା ନିବାରଣ
ସେ କଥା କହୁଛି ଏବେ ସାଧବାଣୀ ଶୁଣ।”
ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ ଓ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ବିଧି-ନିଷେଧ ମଧ୍ୟରେ ସାମ୍ୟ ଅଳ୍ପ, ବେଷମ୍ୟ ବେଶୀ। ଗୁରୁବାର ଦିନ ଆଇଁଷ ଖାଇବା ଏବଂ ଖଇ ଓ ଚାଉଳ ଭାଜିବାକୁ ଉଭୟରେ ନିଷେଧ କରାଯାଇଛି। କୁହାଯାଇଛି, ଗୁରୁବାରରେ ଯେ ଆଇଁଷ ଖାଏ, ଲକ୍ଷ୍ମୀ ତାକୁ ପ୍ରାଣରେ ନମାରି ଦେଶଦେଶ ବୁଲାନ୍ତି।
ଉଭୟ ‘ଲକ୍ଷ୍ମୀପୁରାଣ’ରେ ଚୁଲିକୁ ପାଉଁଶ କାଢ଼ି ପରିଷ୍କାର କରିବା, ହାଣ୍ଡିକୁ ଭଲ ଭାବରେ କଳା ଛଡ଼ାଇ ଧୋଇବା ଏବଂ ବିଛଣାକୁ ବାଙ୍କ କରି ନ ବିଛାଇବା ଉପରେ ଗୁରୁତ୍ୱ ଦିଆଯାଇଛି। କୁହାଯାଇଛି- ଯେ ଗୁରୁବାର ଚୁଲିରୁ ପାଉଁଶ ନକାଢ଼େ, ଲକ୍ଷ୍ମୀ ତାହାର ବଂଶ ନାଶ କରନ୍ତି। ଯେ ହାଣ୍ଡିରୁ ଠିକ୍ ଭାବରେ କଳା ଛଡ଼ାଇ ଧୁଏ ନାହିଁ, ତା’ ଘର ହତଶ୍ରୀ ହୁଏ ବୋଲି ମଧ୍ୟ କୁହାଯାଇଛି। ପୁଣି ଯେ ବିଛଣା ବାଙ୍କ କରେ ସେ ସାତ ଜନ୍ମ ଯାଏ କାଙ୍କ ହୁଏ, ଯେ ଗୁରୁବାର ଚାଉଳ ଭାଜେ ତା’ ବଂଶ ନେଉଳ ହୁଏ ଏବଂ ଯେ ଗୁରୁବାର ଖଇ ଭାଜେ ତାହାର ବଂଶ ଦେହିଂ ଦେହିଂ (ଦିଅ ଦିଅ) କହି ଘୂରି ବୁଲେ ବୋଲି ବି କୁହାଯାଇଛି।
ଏବେ ଉପଲବ୍ଧ ପୋଥିଗୁଡ଼ିକରେ ଏହା ଅଛି। ଏହିସବୁ ପୋଥି ବଳରାମ ଦାସଙ୍କର ପ୍ରାୟ ୩୦୦ ବର୍ଷ ପରର ପ୍ରତିଲିପି। ମନେହୁଏ, ଏସବୁ ମଧ୍ୟ ପରବର୍ତ୍ତୀ କାଳର ପ୍ରକ୍ଷେପ।
କିନ୍ତୁ ବଜାର ସଂସ୍କରଣରେ ଏହି ‘ନିବାରଣ’ଗୁଡ଼ିକ ବ୍ୟାପକ। କୁହାଯାଇଛି, ଯେଉଁ ନାରୀ ଗୁରୁବାର ଦିନ ଲୋଭରେ ପଡ଼ି ଉଚ୍ଛିଷ୍ଟ (ଅଇଁଠା) ଖାଏ, କେଶ ଧୁଏ ନାହିଁ, ତୁଳା ଭିଣେ, ଲାଉ ସହ ଆମିଷ ଖାଏ, ଖଟର ଛାଇରେ ଶୁଏ, ରାତିରେ ଦହିଭାତ ଖାଏ, ଭୋଜନ ସମୟରେ ତଳେ ଭାତ ପକାଏ ବା ନଖାଇପାରି ଭାତ ଫିଙ୍ଗେ, ସେ କେବେ ଲକ୍ଷ୍ମୀଙ୍କୁ ପାଏ ନାହିଁ। ଏପରିକି ଏହିସବୁ ନିବାରଣ ବା ନିଷେଧମାନ ନାରୀ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ, ସେଥିରେ ଅଛି, “କ୍ଷୌର ହୁଏ ଯେହୁ ଯାଇ ନାପିତର ଦ୍ୱାରେ” ତାକୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି। ମନେହୁଏ, ଅସାବଧାନତା ଯୋଗୁଁ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଏହି ନିଷେଧଟି ନାରୀଙ୍କ ନିଷେଧ ଭିତରେ ପଶିଯାଇଛି। କିନ୍ତୁ ଆଜିର ଦିନରେ ପ୍ରାୟ ସମସ୍ତେ ତ ନାପିତ ଦ୍ୱାରରେ (ସେଲୁନ୍ରେ) କ୍ଷୌର ହେଉଛନ୍ତି; ତା’ହେଲେ ସେମାନେ ସମସ୍ତେ କ’ଣ ଲକ୍ଷ୍ମୀଛଡ଼ା?
ଏହି ବଜାର ସଂସ୍କରଣର ‘ନିବାରଣ’ ବା ନିଷେଧଗୁଡ଼ିକ ମଧ୍ୟରେ ପୁରୁଷଙ୍କ ପାଇଁ କେତେକ ନିଷେଧ ଅବଶ୍ୟ ଅଛି; ମାତ୍ର ତାହା ସ୍ୱଳ୍ପ। ସେସବୁ ମଧ୍ୟରେ ଅଛି- ଅମାବାସ୍ୟା, ସଂକ୍ରାନ୍ତିରେ ଯେ ହଳ ବୁଲାଏ ଓ ଦେହରେ ତେଲ ଲଗାଏ, ସଭାରେ ବସି ଯେ ମିଛ କହେ, ଋତୁମତୀ ନାରୀକୁ ଯେ ରମଣ କରେ, କନ୍ୟା ଓ ତୁଳା ମାସରେ ଯେ ପିତୃଶ୍ରାଦ୍ଧ ଦିଏ ନାହିଁ ତାକୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି। ଏପରିକି, ହସି ହସି କଥା କହିବାକୁ ବି ଏହି ବଜାର ସଂସ୍କରଣରେ ବାରଣ କରାଯାଇଛି। କୁହାଯାଇଛି- ଏପରି ଲୋକର ଆୟୁ, ବୁଦ୍ଧି ନାଶ ହୁଏ। ତାକୁ ଅନ୍ନ ମିଳେ ନାହିଁ।
କିନ୍ତୁ ସେଥିରେ ପୁରୁଷଙ୍କ ତୁଳନାରେ ନାରୀଙ୍କ ପାଇଁ ଅଛି ମାତ୍ରାଧିକ ନିବାରଣ।