ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ନାରୀଙ୍କ ପାଇଁ ନିଷେଧର ସୂଚୀ ସୁଦୀର୍ଘ। ସେଥିରେ କୁହାଯାଇଛି, ଗୁରୁବାର, ଅମାବାସ୍ୟା ଓ ସଂକ୍ରାନ୍ତି, ଏହି ତିନିଦିନ ଯେଉଁ ନାରୀ ମୋହବଶରେ ପୁରୁଷ ସହିତ ମାତେ, ଲକ୍ଷ୍ମୀ ତାହାକୁ ପ୍ରାଣରେ ନମାରି ବହୁ ଦୁଃଖ ଦିଅନ୍ତି। ତାକୁ କେଉଁଠାରେ ଅନ୍ନ, ବସ୍ତ୍ର ମିଳେ ନାହିଁ। ସକାଳୁ ମୁହଁ ଧୋଇ ନଥିବା ନାରୀର ମୁହଁ ଯେ ଦେଖେ, ତାର ଅଶୁଭ ହୁଏ। ରାତି ପାହିବା ପରେ ବାସି ଶେଯରେ ଶୋଇଥିବା ନାରୀକୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି। ସନ୍ଧ୍ୟାରେ ଯେଉଁ ନାରୀ କେଶ କୁଣ୍ଡାଇ ବାନ୍ଧେ, ଯେଉଁ ନାରୀ ନଖରେ ଭୂଇଁରେ ଗାର କାଟେ, ପିନ୍ଧିଥିବା ଲୁଗା କାନିରେ ବିଞ୍ଚି ହୁଏ, ଲକ୍ଷ୍ମୀ ତା’ ମୁହଁ ଚାହାଁନ୍ତି ନାହିଁ। ପାଣିକଖାରୁ କାଟିବାକୁ ବି ଏଥିରେ ବାରଣ କରାଯାଇଛି। ପୁଣି କୁହାଯାଇଛି- ଯେଉଁ ନାରୀ ନିଜ ସ୍ୱାମୀ ଉପରେ ରାଗେ, ସ୍ୱାମୀ ଯାହା କହେ ତାହା ନକରେ, ଲକ୍ଷ୍ମୀଙ୍କ କୋପରେ ସେ କାଙ୍ଗାଳିନୀ ହୋଇ ବାରଦ୍ୱାର ଘୂରିବୁଲେ। କିନ୍ତୁ ଯେଉଁ ନାରୀ ସ୍ୱାମୀଙ୍କୁ ଦେବତା ମନେକରି, ତାଙ୍କର ମନ ଜାଣି ସେବା କରି ସନ୍ତୁଷ୍ଟ କରେ, ଲକ୍ଷ୍ମୀ ତା’ ଘର କେବେ ଛାଡ଼ିଯାଆନ୍ତି ନାହିଁ।

Advertisment

ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଯେଉଁ ବ୍ରତ ବିଧି ଅଛି, ତାହା ସଂକ୍ଷିପ୍ତ। କିନ୍ତୁ ବଜାର ସଂସ୍କରଣରେ ତାହା ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି। ବୁଢ଼ୀ ବ୍ରାହ୍ମଣୀ ବେଶରେ ଆସି, ମହାଲକ୍ଷ୍ମୀ ସାଧବାଣୀ ଘରେ ପହଞ୍ଚିଛନ୍ତି। ସେ ବ୍ରତ ପାଳନ କରୁନଥିବା ଦେଖି କହିଛନ୍ତି- ଆଜି ପରା ଗୁରୁବାରର ମହାଲକ୍ଷ୍ମୀ ବ୍ରତ; ଘରଦ୍ୱାର କାହିଁକି ଲିପାପୋଛା କରିନାହୁଁ? ସାଧବାଣୀ ପଚାରିଛି- ଏ କାହାର ପୂଜା? କିପରି ଏ ବ୍ରତ ପୂଜା କରାଯାଏ? ହେ ‘ନାନୀ ଗୋସାଇଁ’, ମୋତେ ଏହା ବୁଝାଇ କୁହ। ମନକୁ ପାଇଲେ ମୁଁ ଏ ବ୍ରତ କରିବି।

ତା’ କଥା ଶୁଣି ଲକ୍ଷ୍ମୀ ତାକୁ ବ୍ରତବିଧି ବତାଇଛନ୍ତି-
“ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ।
ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ।।”

ସେହି ବିଧି ହେଉଛି- ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ଉଷାକାଳରୁ ଶେଯ ଛାଡ଼ି ଉଠି ଗୋମୟ ଜଳରେ ଘର ଦୁଆର ଲିପିବ। ଲକ୍ଷ୍ମୀଦେବୀଙ୍କ ପାଦପଦ୍ମ ଚିତା ଲେଖିବ। ନୂଆ ମାଣ ଗୋଟିଏ ବେଗେ ଆଣି ତାକୁ ଯତ୍ନରେ ଧୋଇଧାଇ, ଶୁଖାଇ ଚିତ୍ର ବିଚିତ୍ର କରିବ। ସବୁ ଚିତା ଚାଉଳବଟାରେ ଲେଖା ହେବ। ସ୍ନାନ କରି, ଶୁଚିମନ୍ତ ହୋଇ ଆସି ଖଟୁଲିଟିଏ ଆଣିବ। ତାକୁ ଧୋଇଧାଇ ସେଥିରେ ନୂଆ ଶୁକ୍ଳ ଧାନ ଦେବ। ଧାନମାଣକୁ ଶୁକ୍ଳଧାନରେ ପୂର୍ଣ୍ଣ କରି ତା’ ଉପରେ ରଖିବ। ହଳଦି ପାଣିରେ ଧୋଇ ତିନିଟି ଗୁଆ ଥାପିବ। ଶୁକ୍ଳ ଧାନର ଶିଁଶାରେ ବେଣ୍ଟି କରି ରଖିବ। ତା’ପରେ ଆଖୁ, କଦଳୀ, ମୂଳା ଆଦି ରଖି, ସେସବୁ ଉପରେ ରଙ୍ଗ ଓଢ଼ଣି ଦେଇ, ପୁଷ୍ପାଦିରେ ସୁସଜ୍ଜିତ କରି, ସେଥିରେ ମହାଲକ୍ଷ୍ମୀଙ୍କୁ ଆବାହନ କରିବ। ଗନ୍ଧ, ପୁଷ୍ପ, ଧୂପ, ଦୀପ ଦେବ।

ବ୍ରତବିଧିରେ, ଏହା ପରେ ଅଛି ଭୋଗର ବର୍ଣ୍ଣନା। ପ୍ରଥମେ ବାଳଧୂପ ଓ ପରେ ଶଙ୍ଖୁଡ଼ି- ଏହିପରି ତିନିଧୂପ କରିବା କଥା କୁହାଯାଇଛି। ତାହା ପରେ ବର୍ଣ୍ଣିତ ହୋଇଛି ସୁଦଶାବ୍ରତର ବିଧି। କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଏତେ ବର୍ଣ୍ଣନା ନାହିଁ।

ଏ ପ୍ରସଙ୍ଗରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି- ବଜାର ସଂସ୍କରଣର ଗୋଟିଏ ନିବାରଣ। ସେଥିରେ କୁହାଯାଇଛି-
“ମହାଲକ୍ଷ୍ମୀଙ୍କୁ ତା’ ପୂଜା କରି ଭକ୍ତିଚିତ୍ତେ।
ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ।।
ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ।
ବିଭା ହୋଇଥିବା ଝିଅ ସୁଦ୍ଧା ନଖାଇବ।।”

ଏହା ଗୁରୁତ୍ୱପୂର୍ଣ୍ଣ ଏଇଥିପାଇଁ, ଯେ ବଳରାମ ଦାସ ଏହା ଲେଖିନାହାନ୍ତି। କୌଣସି ପ୍ରାଚୀନ ପୋଥିରେ ଏହା ନାହିଁ। ଏଣୁ ମନେହୁଏ, ବିବାହିତା କନ୍ୟାକୁ ପୈତୃକ ସଂପତ୍ତିରୁ ବଞ୍ଚିତ କରିବାପାଇଁ ଏହା ପରବର୍ତ୍ତୀ କାଳର ଏକ ଚକ୍ରାନ୍ତ। ଏ ଧାଡ଼ି ଦୁଇଟିକୁ ଯୋଡ଼ି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ନାଆଁରେ ଚଳାଇ ଦିଆଯାଇଛି।

ଏ ପ୍ରସଙ୍ଗରେ ବଳରାମ ଦାସଙ୍କ ‘ରାମାୟଣ’ର ‘ଅଯୋଧ୍ୟାକାଣ୍ଡ’ରୁ ଏକ ଉଦ୍ଧୃତି ଆମେ ଦେଇପାରିବା। ବଳରାମ ଦାସଙ୍କ ପାଇଁ ଜଗନ୍ନାଥ ଥିଲେ ପିତା ଓ ଲକ୍ଷ୍ମୀ ମାତା। ସେଥିରେ ସେ ଲେଖିଛନ୍ତି-
“ବଳରାମ ଦାସ ମୁଁ ସର୍ବଦା ତୋହୋର
ଜଗନ୍ନାଥ ପିଅର କମଳା ମାତା ମୋର।”

ଏଣୁ ଯେଉଁ ବଳରାମ ଦାସ ଜଗନ୍ନାଥଙ୍କୁ ନିଜର ପିତା ଓ ଲକ୍ଷ୍ମୀଙ୍କୁ ନିଜର ମାତା ବୋଲି ମନେ କରୁଥିଲେ, ସେ କ’ଣ କେବେ ନିଜର ଗୋଟିଏ ଭଉଣୀକୁ ପର ବୋଲି ଭାବି ଲକ୍ଷ୍ମୀଙ୍କ ଭୋଗରୁ ବଞ୍ଚିତ କରି ପାରିବେ?

ବଜାର ସଂସ୍କରଣ ‘ଲକ୍ଷ୍ମୀ ପୁରାଣ’ରେ ବହୁ ନିଷେଧ ନାରୀପାଇଁ ଅଛି- ଯାହା ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ନାହିଁ। ସେଥିପାଇଁ ସୁସଂପାଦିତ ‘ବଳରାମ ଦାସ କୃତ ଲକ୍ଷ୍ମୀପୁରାଣ’ର ସଂପାଦକବୃନ୍ଦ ଏହି ‘ବଜାର ସଂସ୍କରଣ’କୁ କହିଛନ୍ତି ‘ବଜାରି ସଂସ୍କରଣ’।