ମାର୍ଗଶିର କୃଷ୍ଣ ଅଷ୍ଟମୀ ବା ପ୍ରଥମାଷ୍ଟମୀ ପରର ଗୁରୁବାର ହେଉଛି ଲକ୍ଷ୍ମୀପୂଜାର ପ୍ରଥମ ପାଳି। ଏହିଦିନ ଘରେ ଘରେ ମାଣ ବସେ। ‘ଲକ୍ଷ୍ମୀପୁରାଣ’ ପାଠ ହୁଏ। ଏହା ମାର୍ଗଶିର ମାସ ଗୁରୁବାର ଲକ୍ଷ୍ମୀପୂଜାର ବିଧି।
Sambad is now on WhatsApp
Join and get latest news updates delivered to you via WhatsApp
ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ ଏହି ବିଧି ପ୍ରଚଳିତ ହୋଇ, କ୍ରମେ ଓଡ଼ିଆ ଘରର ଏକ ଅବଶ୍ୟ ପାଳନୀୟ ପରମ୍ପରାରେ ପରିଣତ ହୋଇଛି। କାରଣ, ବଳରାମ ଦାସ ‘ଲକ୍ଷ୍ମୀପୁରାଣ’ର ଉପସଂହାରରେ କହିଛନ୍ତି-
“ଗୁରୁବାରେ ଯେଉଁ ଜନ ଏହାକୁ ପଢ଼ଇ,
ଜନ୍ମ ଜନ୍ମାନ୍ତର ତା’ର ଦୁରିତ ହରଇ।
ଲକ୍ଷ୍ମୀ ଯେ ପୁରାଣ ପୋଥି ସଂପୂର୍ଣ୍ଣ ହୋଇଲା
ବଳରାମ ଦାସ ଏହା ଗୀତରେ ଗାଇଲା।”
ବଳରାମ ଦାସ ଷୋଡ଼ଶ ଶତାବ୍ଦୀର ଭକ୍ତକବି। ସେ ଓଡ଼ିଆ ‘ମହାଭାରତ’ର ରଚୟିତା ଆଦିକବି ସାରଳା ଦାସଙ୍କର ଉତ୍ତର-ସୂରୀ। ସାରଳା ଦାସ ସଂପୂର୍ଣ୍ଣ ‘ମହାଭାରତ’ ରଚନା କରିବା ପରି, ସେ ଓଡ଼ିଆରେ ସଂପୂର୍ଣ୍ଣ ‘ରାମାୟଣ’ ରଚନା କରିଥିଲେ। କିନ୍ତୁ ‘ଲକ୍ଷ୍ମୀପୁରାଣ’ ପାଇଁ ହିଁ ସେ ପ୍ରତି ଓଡ଼ିଆ ଘରେ ସୁପରିଚିତ।
ରାମକାବ୍ୟ ‘ରାମାୟଣ’ ରଚନା କରିଥିଲେ ମଧ୍ୟ, ବଳରାମ ଦାସ ମୁଖ୍ୟତଃ ଜଗନ୍ନାଥଙ୍କର ଭକ୍ତ। ସେଥିପାଇଁ ରାମଙ୍କୁ ଜଗନ୍ନାଥଙ୍କ ସହ, ଲକ୍ଷ୍ମଣଙ୍କୁ ବଳଭଦ୍ରଙ୍କ ସହ ଏବଂ ସୀତାଙ୍କୁ ସୁଭଦ୍ରାଙ୍କ ସହ ସେ ଏକ କରିଛନ୍ତି। ‘ଦାଣ୍ଡି ରାମାୟଣ’ ଓ ‘ଜଗମୋହନ ରାମାୟଣ’ ନାମରେ ମଧ୍ୟ ତାଙ୍କ ‘ରାମାୟଣ’ ପରିଚିତ। କାରଣ, ଏହା ଦାଣ୍ଡିବୃତ୍ତରେ ଲେଖା ଏବଂ କିଂବଦନ୍ତି ଅନୁସାରେ, ଏହା ଶ୍ରୀମନ୍ଦିରର ଜଗମୋହନ ଠାରେ ରଚିତ। କିନ୍ତୁ ବଳରାମ ଦାସଙ୍କ ଭାଷାରେ- ସେ ନୁହନ୍ତି; ଜଗମୋହନ ଜଗନ୍ନାଥ ସ୍ୱୟଂ ଏହାର କବି। ସେଥିପାଇଁ ସେ କହିଛନ୍ତି- ଜଗନ୍ନାଥ ତାଙ୍କ ହୃଦରେ ବସି କହନ୍ତି ଏବଂ ସେ ଲେଖନ୍ତି।
କେବଳ ଜଗନ୍ନାଥଙ୍କର ନୁହେଁ; ସ୍ୱାଭାବିକ ଭାବରେ ବଳରାମ ଦାସ ଦେବୀ ଲକ୍ଷ୍ମୀଙ୍କର ମଧ୍ୟ ଭକ୍ତ। ତାଙ୍କ ‘ରାମାୟଣ’ର ଶୁଭାରମ୍ଭ ସେ କରିଛନ୍ତି ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀଦେବୀଙ୍କ ବନ୍ଦନାରୁ। ତାଙ୍କ ଭାଷାରେ- ସାକାର ଦାରୁବ୍ରହ୍ମ ଓ ନିରାକାର ବ୍ରହ୍ମ, ଜଗୁଜନ ଆତ୍ମା, ଜଗତଜନ ହିତରେ, ଭାଇ, ଭାରିଜା ଓ ଭଉଣୀ ସହିତେ ନୀଳଗିରିରେ ବିଜେ ହୋଇଛନ୍ତି। ଏଣୁ ନୀଳଗିରି ବା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ, ଜଗନ୍ନାଥଙ୍କ ସହିତ, ତାଙ୍କ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଭାରିଜା ଲକ୍ଷ୍ମୀଙ୍କୁ ମଧ୍ୟ ସେ ସ୍ୱୀକାର କରିଛନ୍ତି।
ଏ ପ୍ରସଙ୍ଗରେ ଦୁଇଟି ବର୍ଣ୍ଣନା ବିଶେଷ ଉଲ୍ଲେଖନୀୟ। ଏଥିରୁ ଗୋଟିଏ ବର୍ଣ୍ଣନା ତାଙ୍କ ‘ରାମାୟଣ’ର ‘ଅଯୋଧ୍ୟାକାଣ୍ଡ’ର। ସେଥିରେ ସେ କହିଛନ୍ତି, ଜଗନ୍ନାଥ ତାଙ୍କର ପିତା ଓ ଲକ୍ଷ୍ମୀ ତାଙ୍କର ମାତା-
“ବଳରାମ ଦାସ ମୁଁ ସର୍ବଦା ତୋହୋର
ଜଗନ୍ନାଥ ପିଅର କମଳା ମାତା ମୋର।”
ଅନ୍ୟ ବର୍ଣ୍ଣନାଟି ଶ୍ରୀମନ୍ଦିର ବା ବଡ଼ଦେଉଳର। ଏହି ଶ୍ରୀବତ୍ସ ଖଣ୍ଡଶାଳ ପ୍ରାସାଦ ବା ଶ୍ରୀମନ୍ଦିର, ତାଙ୍କର ଓ ଓଡ଼ିଆ ଜାତିର ‘ବଡ଼ଦେଉଳ’। ତାହାର ସମ୍ମୁଖ ଭାଗରେ ଥିବା ଜଗମୋହନ ‘ସାନଦେଉଳ’। ଏ ଦୁଇ ଦେଉଳ ତାଙ୍କୁ ଶ୍ରୀଜଗନ୍ନାଥଙ୍କ କୋଳରେ ଦେବୀ ଲକ୍ଷ୍ମୀ ବସିବା ପରି ମନେ ହୋଇଛି। ସେ କହିଛନ୍ତି-
“ନାରାୟେଣ କୋଳେ ଯେହ୍ନେ ମହାଲକ୍ଷ୍ମୀ ବସଇ
ସାନ ଦେଉଳ ଗୋଟି ତେସନେକ ଦିଶଇ।”
ନାରାୟଣ ବା ଶ୍ରୀଜଗନ୍ନାଥଙ୍କ କୋଳରେ ବସିଥିବା ଦେବୀ ଲକ୍ଷ୍ମୀଙ୍କୁ ନେଇ ଯେଉଁ ବଡ଼ଦେଉଳ- ସେହି ବଡ଼ ଦେଉଳ ନାମକ ବଡ଼ଘରର ବଡ଼ ଗୁମର କଥା ହେଉଛି ‘ଲକ୍ଷ୍ମୀ ପୁରାଣ’। ବଳରାମ ଦାସଙ୍କର ସେଇ ଲକ୍ଷ୍ମୀପୁରାଣ ମାଣବସା ଗୁରୁବାରରେ ପ୍ରତି ଓଡ଼ିଆ ଘରେ ପାଠ ହୁଏ।