କୁବେରଙ୍କ ନିର୍ଦ୍ଦେଶରେ, ମହୋଦଧିର ପଶ୍ଚିମ ଦିଗରେ, କୋଣାର୍କ ପାର୍ଶ୍ବରେ, ଲକ୍ଷ୍ମୀଙ୍କ ପାଇଁ ଯେଉଁ ଦିବ୍ୟପୁର ନିର୍ମାଣ କଲେ ବିଶ୍ୱକର୍ମା, ସେ ପୁର ଥିଲା ବିଚିତ୍ର। ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ତାହାର ବର୍ଣ୍ଣନା ଅତ୍ୟନ୍ତ ସଂକ୍ଷିପ୍ତ। ତାହା ଅନୁସାରେ, ସେହି ପୁରର କାନ୍ଥ ସବୁ ସୁବର୍ଣ୍ଣରେ ନିର୍ମିତ ହୋଇଥିଲା। ସ୍ତମ୍ଭଗୁଡ଼ିକ ଥିଲା ପ୍ରବାଳର ଏବଂ ଗଣ୍ଠି ତଳେ ମୁକୁତା ଏବଂ ସବୁ ଘରେ ହୀରା, ନୀଳା, ମାଣିକ୍ୟ ଆଦି ଖଞ୍ଜା ହୋଇଥିଲା।
କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଏହାର ଅତି ସୁନ୍ଦର ବର୍ଣ୍ଣନା ଅଛି।
“ବୈଦୁର୍ଯ୍ୟର କାନ୍ଥ ଯେ ମାଣିକ୍ୟର ବତା
ଗଣ୍ଠିକରେ ଲାଗିଅଛି ଛ ବୋଡ଼ି ମୁକୁତା।
ଗୋଟିଏ ଯେ ବାହିଂକୁ ଯେ ମୁକୁତା ଗୋଟିଏ
କ୍ଷିଦ୍ର ମୋତି ଲାଗିଅଛି ପୋହଳା ଥୋଡ଼ାଏ।
ଚାରି ଚାଳେ ହୋଇଅଛି ମୁକୁତା ବସଣି
ପାଟସୂତା ଗଣ୍ଠିମାନ ଦେଇଛନ୍ତି ଟାଣି।
ଉପରେ ଯେ ସୁବର୍ଣ୍ଣ କଳସ ବସାଇଲେ
ବିଚିତ୍ର କରିଣ ତହୁଂ ପୁର ମଣ୍ଡାଇଲେ।”
କେବଳ ଏତିକି ନୁହେଁ। କୁବେରଙ୍କ ନିର୍ଦ୍ଦେଶରେ ଓ ଲକ୍ଷ୍ମୀଙ୍କର ଆଜ୍ଞାରେ ପୁରଟିଏ ବିଶ୍ୱକର୍ମା ନିର୍ମାଣ କରିବା ପରେ, ତାହାର କାନ୍ଥକୁ କିପରି ଚିତ୍ରିତ କରାଗଲା, ତାହାର ବର୍ଣ୍ଣନା ବି ସେଥିରେ ଅଛି। ବଳରାମ ଦାସ ଲେଖିଛନ୍ତି-
“ଦଶ ଅବତାର ଯାକ କାନ୍ଥରେ ଲେଖିଲେ
ଦେଖିକରି କମଳା ଯେ ସାନନ୍ଦ ହୋଇଲେ।”
‘ଲକ୍ଷ୍ମୀପୁରାଣ’ର ଯେଉଁ ସଂପାଦିତ ସଂସ୍କରଣ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶ ପାଇଛି, ତାହାର ମୂଳ ପାଠରେ, ଗୋଟିଏ ପ୍ରାଚୀନ ପୋଥିରେ ଥିବା ଏହି ଦଶାବତାର ଚିତ୍ରର ବର୍ଣ୍ଣନା ଅଛି। ସେଥିରେ ରହିଛି- ମତ୍ସ୍ୟ, କୂର୍ମ, ବରାହ, ନୃସିଂହ ଓ ବାମନ ଅବତାରଙ୍କର ବର୍ଣ୍ଣନା। ତାହା ଏହିପରି-
“କେଉଂଠାରେ ଲେଖିଗଲେ ମଛ ଯେ ମୂରତି
ଶଙ୍ଖାସୁର ମାରି ବ୍ରହ୍ମାବେଦ ଉଧରନ୍ତି।
କେଉଂଠାରେ ଲେଖିଗଲେ କୃମ ରୂପ ଗୋଟି
ସମୋଦ୍ର ମନ୍ଥନୁ ମେରୁ ଧରିଛନ୍ତି ପିଠି।
ବରେହା ରୂପେଣ ପୃଥ୍ୱୀ ଦନ୍ତାଗ୍ରରେ ଧରି
ନରସିଂହ ରୂପରେ ଯେ ହିରଣ୍ୟ ବିଦାରି।
ବାମନ ରୂପେଣ ବଇଲୋଚନ ସଂହାରି।”
ଏହିପରି ଭାବରେ, ଦଶଟିଯାକ ଅବତାରଙ୍କର ବର୍ଣ୍ଣନା କରାନଯାଇ, “ଦଶ ଅବତାରଯାକ କାନ୍ଥରେ ଲେଖିଲେ” ବୋଲି କୁହାଯାଇଛି। ପୁଣି କୁହାଯାଇଛି-
“ଦଶ ଅବତାର ଦେଖି ପାପ କର କ୍ଷୟେ
ଅନୁଗ୍ରହ କରିବେ ତ୍ରଇଲୋକ୍ୟ ଦେବରାୟେ।”
ବଳରାମ ଦାସ ତାଙ୍କ ‘ଲକ୍ଷ୍ମୀପୁରାଣ’ରେ ଏହା ସଂକ୍ଷେପରେ ଏବଂ ମାତ୍ର ପାଞ୍ଚଟି ଅବତାରର ସଂକ୍ଷିପ୍ତ ରୂପରେ ଉପସ୍ଥାପିତ କରିଛନ୍ତି; କାରଣ, ତାହା ତାଙ୍କର ମୂଳ ଲକ୍ଷ୍ୟ ନଥିଲା। କିନ୍ତୁ ଏହି ଅବକାଶରେ, କେତେକ ପୋଥିର ଲିପିକାରମାନେ ଏହି ଦଶ ଅବତାର ଚିତ୍ରର ବିସ୍ତୃତ ବର୍ଣ୍ଣନା କରି ପକାଇଛନ୍ତି। ସେଥିରୁ ଗୋଟିଏ ଉଦାହରଣ- ବାମନ ଅବତାରର ବର୍ଣ୍ଣନା। ସେଥିରେ କୁହାଯାଇଛି-
“ବାବନ ଯେ ଅବତାର ନେଖିଲା ଯେ କେଉଂଠାରେ
ଭିକ୍ଷା ମାଗୁଛନ୍ତି ପ୍ରଭୁ ବଳି ଯଜ୍ଞ ଘରେ।
ତିନି ପାଦେ ବଳିକି ମାଗନ୍ତି ଭୂମିଦାନ
ହରଷ ହୋଇଣ ବଳି ଦେଉଅଛି ଦାନ।
ପାଦେ ବଢ଼ାଇଣଛନ୍ତି ଆକାଶରେ ହରି
ଆରପାଦ ମୃତ୍ୟୁ ଯେ ଭୁବନ ଅଛି ପୁରି।
ଆର ଏକ ପାଦ ପ୍ରଭୁ ନାଭିରୁ ଜନମ
ବଳିକି ଚାପୁଣଛନ୍ତି ପାତାଳ ଭୁବନ।”
ରାମ ଅବତାର ଆଉ ଏକ ଉଦାହରଣ। ସେ ବାବଦରେ ଅଛି ଆହୁରି ବିସ୍ତୃତ ବର୍ଣ୍ଣନା। କୁହାଯାଇଛି-
“ରାମ ଅବତାର କେଉଂଠାରେ ଲେଖିଛନ୍ତି
ଅଯୋଧ୍ୟା ଭୁବନ ଦଶରଥ ଚାରି ବଛି।
ରାମ ଲଇକ୍ଷଣ ଯେ ଭରତ ଶତ୍ରୁଘନ
କଉଶଲ୍ୟା କୈକେୟୀ ଯେ ସୁମିତ୍ରା ତିନିଜଣ।
ଯାଗରକ୍ଷା କରିବାକୁ ନ୍ୟନ୍ତି କଉଶୁକ
ତାଡ଼କୀକି ମାରିଣ ଅଛନ୍ତି ରଘୁଶିଷ।”
ଏହିପରି ଭାବରେ, ମିଥିଳା କଟକରେ ଶିବଧନୁ ଭଙ୍ଗ ଓ ସୀତା ବିଭା, ପିତୃସତ୍ୟ ପାଳି ରାମ, ଲକ୍ଷ୍ମଣ ଓ ସୀତାଙ୍କ ବନଗମନ, ସୀତାହରଣ ଓ ରାମ ଲକ୍ଷ୍ମଣଙ୍କ ରୋଦନ, ମାଲ୍ୟବନ୍ତରେ ବାଳୀକୁ ମାରି ସୁଗ୍ରୀବଙ୍କୁ ରାଜା କରିବା, କପିଙ୍କ ସହାୟତାରେ ଶ୍ରୀରାମଙ୍କ ସେତୁବନ୍ଧ ବନ୍ଧନ, ବିଭୀଷଣଙ୍କ ଶରଣ, ନଳଙ୍କ ସ୍ପର୍ଶରେ ସମୁଦ୍ର ଜଳରେ ପର୍ବତ (ପଥର) ଭାସିବା ଘଟଣା, ରାମ-ରାବଣ ଯୁଦ୍ଧ ଆଦିର ବର୍ଣ୍ଣନା ବି ସେଥିରେ ଅଛି। ରହିଛି ମଧ୍ୟ ଅଶୋକବନରୁ ସୀତାଙ୍କ ଉଦ୍ଧାର ଓ ସୀତାଙ୍କ ଅଗ୍ନିପରୀକ୍ଷାର ବର୍ଣ୍ଣନା। କୃଷ୍ଣ-ବଳରାମଙ୍କ ବର୍ଣ୍ଣନା ବି ଏହିପରି ଭାବରେ ବିସ୍ତୃତ ଭାବରେ ରହିଛି। କଳ୍କୀ ଅବତାର ପର୍ଯ୍ୟନ୍ତ, ସେଥିରେ ସବୁ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଛି।
କିନ୍ତୁ ବଜାର ସଂସ୍କରଣରେ, ଲକ୍ଷ୍ମୀଙ୍କ ଉଆସ କାନ୍ଥରେ ଏହି ଦଶାବତାର ଚିତ୍ରଅଙ୍କନର ବିସ୍ତୃତ କି ସଂକ୍ଷିପ୍ତ ବର୍ଣ୍ଣନା, କିଛି ନାହିଁ।
-ଅସିତ ମହାନ୍ତି
Advertisment
Sambad is now on WhatsApp
Join and get latest news updates delivered to you via WhatsApp