ଲକ୍ଷ୍ମୀପୁରାଣ କଥା-୭୦: ‘ସପତ ଯେ ସିନ୍ଧୁ ଜଳ ଶୁଖି କରି ଯିବୁ’

ଅସିତ ମହାନ୍ତି

ବଳରାମ ଓ ଜଗନ୍ନାଥ ଦୁଇଭାଇଙ୍କ ପାଇଁ ଲକ୍ଷ୍ମୀ ନାନାବିଧ ପାକ କରି ସଞ୍ଚା ପ୍ରସ୍ତୁତ କରିଦେଲେ। ମଣୋହି ସ୍ଥାନରେ ତାହା ସୁସଜ୍ଜିତ ହୋଇ ରହିଲା। ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ତାହାର ବର୍ଣ୍ଣନା ଅଛି-
“ପାକ ସଂଚାଇଣ ଲକ୍ଷ୍ମୀ ନିର୍ବାଣ ଯେ କଲେ
ମଣୋହି ଠାବରେ ମାଏ ମଣ୍ଡିଣ ଲାଗିଲେ।”

ଏହା ପରେ ଠାଆ ପ୍ରସ୍ତୁତି। ଶ୍ରୀଜଗନ୍ନାଥ ମନ୍ଦିରର ପାରମ୍ପରିକ ଭୋଗ ନୈବେଦ୍ୟ ବିଧିରେ, ଷଡ଼ଙ୍ଗ ସଂସ୍କାରରେ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ତାହା ମହାଲକ୍ଷ୍ମୀଙ୍କ ଦ୍ୱାରା ବୈଷ୍ଣବାଗ୍ନିରେ ପାକ ହୁଏ ଏବଂ ଶ୍ରୀଯନ୍ତ୍ର ଉପରେ ଠାଆମୁରୁଜ ଉପରେ ବଢ଼ାହୋଇ ଭୋଗ ନୈବେଦ୍ୟ ହୋଇଥାଏ। ତାହା ପୂର୍ବରୁ ଶ୍ରୀମନ୍ଦିରର ଗର୍ଭଗୃହକୁ ଧୋପଖାଳ (ଧୌତ ପ୍ରକ୍ଷାଳନ) କରାଯାଇ ଶୁଚିମନ୍ତ କରା ହୋଇଥାଏ। ସେହି ବିଧି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ରକ୍ଷା କରାଯାଇଛି। ବର୍ଣ୍ଣିତ ଅଛି-
“ଚନ୍ଦନ କ୍ରପୂର ଛଡ଼ା ମାଏ ପକାଇଲେ
ମୁକୁତା ଚୂରିଣ ମାଏ ମୁରୁଜ ଲେଖିଲେ।”

ଏଠାରେ ‘ଛଡ଼ା’ର ଅର୍ଥ ‘ଛେରା’। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଗଜପତି ମହାରାଜା ଯେଉଁ ‘ଛେରା ପହଁରା’ କରନ୍ତି, ସେଥିରେ ଘୋରା ଚନ୍ଦନର ଛେରା ଓ ଶୁକ୍ଳପୁଷ୍ପ ପକାଯାଏ ଏବଂ ସୁବର୍ଣ୍ଣ ସଂମାର୍ଜନୀରେ ଗଜପତି ମହାରାଜା ତାହାକୁ ପହଁରନ୍ତି। ଏଠାରେ, ଲକ୍ଷ୍ମୀ ଛେରା ପକାଇ ବା ସଂସ୍କାରିତ ଓ ଶୁଦ୍ଧପୂତ କରି, ମୁରୁଜ ଲେଖି, ବଳଭଦ୍ର ଓ ଜଗନ୍ନାଥଙ୍କ ମଣୋହି ସ୍ଥାନକୁ ପ୍ରସ୍ତୁତ କରିଛନ୍ତି। ମୁକ୍ତାଚୂର୍ଣ୍ଣରେ ସେହି ମୁରୁଜ ପଡ଼ିଛି।
ଏ ପ୍ରସଙ୍ଗରେ ଆହୁରି ସୁନ୍ଦର ବର୍ଣ୍ଣନା ବି ଅଛି-
“ଶତଦଳ ପଦ୍ମମାନ ତହିଂରେ ଲେଖିଲେ
ଇନ୍ଦ୍ରଗୋବିନ୍ଦ ଚିତ୍ର ତହିଂ ଉପରେ ଆଙ୍କିଲେ।
ସୋବର୍ଣ୍ଣ ଚାମର ଚାରିଦିଗରେ ଖଂଜିଲେ
ବିଚିତ୍ର କରିଣ ତହିଂ ପୁରେକ ମଣ୍ଡିଲେ।”

କିନ୍ତୁ ବଳରାମ ଓ ଜଗନ୍ନାଥ ତ ଯେମିତି ସେମିତି ମଣୋହି କରିବେ ନାହିଁ; ବିଧିମତେ ମଣୋହି ପୂର୍ବରୁ ହାତ, ପାଦ ଧୋଇବେ। ସେଥିପାଇଁ ବି ଲକ୍ଷ୍ମୀ ପ୍ରସ୍ତୁତି କରି ରଖିଲେ। ବର୍ଣ୍ଣନା ଅଛି-
“ହାତଧୁଆ, ପାଦଧୁଆ ପ୍ରତି ପ୍ରତି କରି
ସୁବର୍ଣ୍ଣ ଥାଳି କଟରା ସୁବର୍ଣ୍ଣର ଝରି।”

ଏହାପରେ ଦୁଇଭାଇଙ୍କୁ ମଣୋହି ପାଇଁ ନିମନ୍ତ୍ରଣ।
“କରୁଣା ଦାସୀକି ରାଇ ବୋଇଲେ ବଚନ
ବ୍ରାହ୍ମଣଂକୁ ଘେନି ଆସ ଯାଇ ତୁ ବହନ।”

ସେତେବେଳକୁ ସନ୍ଧ୍ୟା ଆଗତ ପ୍ରାୟ। ତାହାର ବର୍ଣ୍ଣନା ବଜାର ସଂସ୍କରଣରେ ନାହିଁ। କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଏହାର ବର୍ଣ୍ଣନା ଅଛି। ସ୍ମରଣରେ ରଖିବାକୁ ହେବ, ଯେ ଏହା ‘ଲକ୍ଷ୍ମୀ ପୁରାଣ’ରେ ବର୍ଣ୍ଣିତ ସମଗ୍ର ଘଟଣାକ୍ରମର ଦ୍ୱିତୀୟ ଦିନ। ପୂର୍ବଦିନ ଅନ୍ନ ଜଳ ବିହୁନେ ଦୁଇଭାଇଙ୍କର ଅନାହାରରେ ବିତିଥିଲା। ସେଦିନ ବି ସେ ଯାଏ ଦୁଇଭାଇ ଅଧୁଆମୁହାଁ, ଅଗାଧୁଆ ହୋଇ ରହିଥିଲେ। ତେଣୁ ମଣୋହି ପୂର୍ବରୁ, କରୁଣା ଦାସୀଦ୍ୱାରା ଲକ୍ଷ୍ମୀ ସେ ବାବଦରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
“ଏବେ ତୁ କରୁଣା ଆଗୋ ଶୀଘ୍ରହୋଇ ଯିବୁ
ବ୍ରାହ୍ମଣଙ୍କ ମୁଖ ଚାହିଂ ବଚନ ବୋଲିବୁ।
ପାକ ସଂଚା ଯୁଗତେଣ ହୋଇଲା ନିର୍ବାଣ
ସନ୍ଧ୍ୟା ସ୍ରାହାନ କରନ୍ତୁ ଯେ ତୁମ୍ଭେ ଦୁଇଜଣ।”

ସେହି ଆଜ୍ଞା ପାଇ, କରୁଣା ଲକ୍ଷ୍ମୀଙ୍କ ଅନ୍ତଃପୁରର ସିଂହଦ୍ୱାରଠାରେ ଯାଇ ପହଞ୍ଚିଛି। ବର୍ଣ୍ଣନା ଅଛି-
“କରପତ୍ର ହୋଇ ଦାସୀ କହୁଅଛି ତହିଂ
ୟେବେ ଅର୍ଣ୍ଣ ଭୁଂଜିବେ ହେ ସୁବେଦୀ ଗୋସାଇଂ।”

କିନ୍ତୁ ‘ହଟି କମଳିନୀ’ଙ୍କର ହଟ ତଥାପି ସରି ନଥିଲା। ଶେଷ ହଟ ବାକି ଥିଲା। ତାହା ହେଉଛି- ଦୁଇ ଭାଇ ନିଜ ହାତରେ ରନ୍ଧନ କରି ତ ଖାଇପାରିଲେ ନାହିଁ; ନିଜେ ନିଜେ ସ୍ନାନ ବି ନ କରନ୍ତୁ। ଏଥର ତେଣୁ ସେ ନିଜର ପିତା ବରୁଣ ଦେବଙ୍କୁ ସ୍ମରଣ କଲେ।
“ତେତେବେଳେ କମଳିନୀ କେଉଁ କୃତ୍ୟ କଲେ
ବରୁଣ ଦେବତାଂକୁ ଲକ୍ଷ୍ମୀ ସୁମରଣା କଲେ।
ଭୋ ପିତା ବରୁଣ ତୋର ପରିମୁଣ୍ଡା ଯାଇଂ
ସ୍ରାହାନକୁ ଯାଉଂଛନ୍ତି ସୁବେଦୀ ଗୋସାଇଂ
ସପତ ଯେ ସିନ୍ଧୁ ଜଳ ଶୁଖି କରି ଯିବୁ
ଚଳେକ ଜଳ ଯେ ତହିଂରେ ନ ରଖିବୁ।

ପିତା ବରୁଣ, ପୁତ୍ରୀର ସେହି ଅନୁରୋଧ ରଖିଛନ୍ତି। ବଳରାମ ଦାସ ତାହାର ସୁନ୍ଦର ବର୍ଣ୍ଣନା ଦେଇ କହିଛନ୍ତି-
“କହୁ କହୁ ସିନ୍ଧୁରାଜା ଚଳିଣ ଯେ ଗଲା
ଦଶ ଯେ ଯୋଜନ ଅନ୍ତେ ଜୁଆର ଛାଡ଼ିଲା।
ଚଳେକ ଜଳ ଅନ୍ତେ ତହିଂରେ ନରଖିଲା
ଶୁଖିଲା ଭୂମିର ପ୍ରାଏ ହୋଇଣ ରହିଲା।”
କିନ୍ତୁ ବଜାର ସଂସ୍କରଣରେ ଏ ପ୍ରସଙ୍ଗ ବି ନାହିଁ।

ସମ୍ବନ୍ଧିତ ଖବର