ଲକ୍ଷ୍ମୀଙ୍କୁ ଛାଡ଼ିବାରୁ, ଲକ୍ଷ୍ମୀଦ୍ରୋହୀ ହେବାରୁ, ଆମର ଏ ଦଶା, ଏ ଦୁର୍ଦ୍ଦଶା ବୋଲି ଦାସୀକୁ ଜଗନ୍ନାଥ ଯାହା କହିଲେ, ତାହା ହେଉଛି ‘ଲକ୍ଷ୍ମୀପୁରାଣ’ର ମୂଳପ୍ରସଙ୍ଗ।
କିନ୍ତୁ ‘ଲକ୍ଷ୍ମୀପୁରାଣ’ର ଗୋଟିଏ ମୁଦ୍ରିତ ସଂସ୍କରଣରେ ଏ ପ୍ରସଙ୍ଗରେ ଜଗନ୍ନାଥଙ୍କର ଉତ୍ତର ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି। ତାହା ଏହିପରି-
“ଗୋବିନ୍ଦ ବୋଇଲେ ଘର ବଡ଼ଦେଉଳର
ପଂଚୁକୋଷ ଅଟଇ ଯେ ଶାସନ ଆମ୍ଭର।
ଯଜନ ଯାଜନ ଅଧ୍ୟୟନ ଅଧ୍ୟାପନ
ଦାନ ପରିଗ୍ରହ ଛାଡ଼ି କର୍ମେ ଯେ ବ୍ରାହ୍ମଣ।
ବାପା ନାମ ଆମ୍ଭ ବାସୁଦେବ ବାଜପେୟୀ
ମାତାଙ୍କ ନାମ ଆମ୍ଭ ଦେବକୀ ଅଟଇ।
ମଉସାଙ୍କ ନାମ ଆମ୍ଭ ନନ୍ଦ ବାଜପେୟୀ
ମାଉସୀଙ୍କ ନାମ ଆମ୍ଭ ଯଶୋଦା ଅଟଇ।
ବଡ଼ଭାଇ ନାମ ବଳଭଦ୍ର ବାଜପେୟୀ
ଭଉଣୀ ଗୋଟିର ନାମ ସୋଭଦ୍ରା ଅଟଇ।
ଆମ୍ଭ ନାମ ଗୋଟି ଜଗନ୍ନାଥ ବାଜପେୟୀ
ବିଭା ହୋଇଅଛୁ ଆମ୍ଭେ ବେନି ଗୋଟି ଭାଇ।
ଦଇବର ଯୋଗରୁ ଘରଣୀ ଘରେ ନାହିଂ
ଆମ୍ଭର ଭାରିଯା ନାମ ଲକ୍ଷ୍ମୀ ଯେ ଅଟଇ।”
କିନ୍ତୁ ମୁଦ୍ରିତ ପୁସ୍ତକର ଏହି ଅଂଶ ପ୍ରକ୍ଷିପ୍ତ। କାରଣ, ଯେତେବେଳେ କଥାବସ୍ତୁ ପରିଣତି ଅଭିମୁଖୀ, ସେତେବେଳେ ଏସବୁ ବର୍ଣ୍ଣନା ‘ଲକ୍ଷ୍ମୀପୁରାଣ’ ରଚନାର ମୂଳ ଉଦ୍ଦେଶ୍ୟ ଠାରୁ ପାଠକକୁ ବିଚ୍ୟୁତ କରୁଛି। ଏହି ଭାଷା ମଧ୍ୟ ପ୍ରାଚୀନ ପୋଥିପାଠର ଅନୁରୂପ ନୁହେଁ। ତେଣୁ ମୂଳପାଠରେ ଜଗନ୍ନାଥଙ୍କ ମୁହଁରେ ସଂକ୍ଷେପରେ କେବଳ ଏତିକି କୁହାଯାଇଛି, ଯେ- ଶୁଣ ଦାସୀ, ମୁଁ ଲକ୍ଷ୍ମୀ ପରି ଭାରିଯାକୁ ଛାଡ଼ିଛି। ଅଦୃଷ୍ଟ, କର୍ମଦୋଷରୁ ଆମେ ଏ ଦୁଃଖ ଭୋଗ କଲୁ। ଲକ୍ଷ୍ମୀଦ୍ରୋହୀ ହେବା ହିଁ ଆମର ଏହି ଅନିଭୋଗର କାରଣ।
ଏଣୁ, ଏଠାରେ କଥାବସ୍ତୁକୁ ଅଧିକ ପରିଣତିମୁଖୀ ଓ ଅଧିକ ଏକାଗ୍ର କରିବାପାଇଁ, ଦାସୀ ମୁହଁରେ ମାତ୍ର ଗୋଟିଏ ପଦ ଦେଇଛନ୍ତି ବଳରାମ ଦାସ। ତାହା ହେଉଛି-
“ଦାସୀ ବୋଇଲେ ତୁମ୍ଭେ ହୋଇଲ କି ବାଈ
ମାଇପଛଡ଼ା ପୁରୁଷ ଦରିଦ୍ର କି ହୋଇ।”
ଏ ପ୍ରସଙ୍ଗରେ ସ୍ମରଣଯୋଗ୍ୟ, ଯେ ଲକ୍ଷ୍ମୀ ବଡ଼ଦେଉଳ ଛାଡ଼ିବାବେଳେ ଯେଉଁ ଅଭିଶାପ ଦେଇଥିଲେ, ତାହାର ଉତ୍ତରରେ ସେତେବେଳେ ଜଗନ୍ନାଥ ଏହି କଥା କହିଥିଲେ। ସେଦିନ ତାଙ୍କର ସେହି ଉକ୍ତି ଥିଲା ଏହିପରି-
“ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲକି ବାଈ
ତୋହରି କହିଲେ କି ଦରିଦ୍ର ଆମ୍ଭେ ହୋଇ।”
ଏବେ ଦାସୀର ଏହି କଥାରେ ଜଗନ୍ନାଥ କହିଲେ- ତୋତେ ଯାହା କହୁଛି ଶୁଣ। ଏମିତି ସ୍ତ୍ରୀ ଅଛନ୍ତି, ଯିଏ ଥିଲେ ବାସି ପେଜ ମିଳେ ନାହିଁ। ପୁଣି ଏମିତି ବି ସ୍ତ୍ରୀ ଅଛନ୍ତି, ଯିଏ ଥିଲେ ମୁଣ୍ଡକାଟ ହୁଏ। ସେହିପରି, କେଉଁ ସ୍ତ୍ରୀ ଥିଲେ ବଂଶ ପବିତ୍ର ହୁଏ ତ ଆଉ କେଉଁ ସ୍ତ୍ରୀ ଥିଲେ ଶାଢ଼ି, ସୁନାବଳା ମିଳେ ବା ଐଶ୍ୱର୍ଯ୍ୟ ଭୋଗ ହୁଏ। ଏପରି ସ୍ତ୍ରୀ ବି ଅଛନ୍ତି, ଯିଏ ଥିଲେ ଅନ୍ତକାଳରେ ସ୍ୱର୍ଗଭୋଗ ହୁଏ। ସ୍ତ୍ରୀଙ୍କର ଚରିତ୍ର ଏହିପରି ବିଚିତ୍ର। ବଡ଼ପଣ୍ଡାଙ୍କ ସାନଭାଇ ଏହା କହିଲେ ବୋଲି ଯାଇ ତୁମ ସାଆନ୍ତାଣୀଙ୍କୁ କହ।
ତାହା ଶୁଣି ଦାସୀ ଟିକିଏ ବିଗିଡ଼ିଗଲା। କାରଣ, ତା’ର ମନେହେଲା, ସେମାନେ ଯେ ଅନ୍ନଜଳ ନପାଇ ବାତୁଳ ପରି ବାରଦୁଆର ବୁଲିଲେ, ତାହା ଲକ୍ଷ୍ମୀଙ୍କ ଯୋଗୁଁ ହେଲା ବୋଲି ସେ ଆକ୍ଷେପ କରୁଛନ୍ତି। ଏତେ ସାହସ ତାଙ୍କର କିପରି ହେଲା ଭାବି ସେ ବିସ୍ମିତ ହେଲା। ତେଣୁ, ସେ କହିଲା-
“କ୍ଷୁଧା ଲାଗୁଥିଲା ଅର୍ଣ୍ଣ ମାଗିଣ ଖାଇଲ
ଆମ୍ଭ ସାଆନ୍ତାଣୀଙ୍କି ଗୋ ଏମନ୍ତ କହିଲ।
ଏଡ଼େ କି ଭରଷା ତୁମ୍ଭେ କାହୁଂ ହେ ପାଇଲ।
ଏଡ଼େବଡ଼ କଥା ତୁମ୍ଭେ ମୁଖେ ଉଚାରିଲ।”
ବଳରାମ ଦେଖିଲେ, କଥା ବିଗିଡ଼ି ଯିବାକୁ ବସିଛି। ତେଣୁ ସେ ଦାସୀକୁ କହିଲେ- ମୋର ଏ ପିଲାଭାଇ ବଡ଼ ଚଗଲା। ତା’ ଉପରେ ବେଳେବେଳେ ନୃସିଂହ ସବାର ହୁଏ। ମତିଗତି କିଛି ଠିକ୍ ରହେନାହିଁ। ଯାଇ ତୁମ ସାଆନ୍ତାଣୀଙ୍କୁ ଏକଥା ବୁଝାଇ ଦିଅ।
“ବଳରାମ ବୋଇଲେକ ଆମ୍ଭ ପିଲା ଭାଇ
ବଡ଼ ଖେଉଡ଼ର ମତି କିଛି ନଜାଣଇଂ।
ତୁମ୍ଭ ସାଆନ୍ତାଣୀକି ଗୋ ବେଗେ କହ ଯାଇଂ
ୟେ ଭାଇ ଗୋଟାକୁ ଆମ୍ଭ ନୃସିଂହ ଝାଙ୍କଇ।”
କିନ୍ତୁ ଜଗନ୍ନାଥ ସେତେବେଳକୁ ନିଶ୍ଚିତ ହୋଇ ସାରିଥିଲେ, ଯେ ଏହା ଲକ୍ଷ୍ମୀଙ୍କ ଘର। ତେଣୁ ସେ କହିଲେ- ଭାଇ, କାହିଁକି ଡରୁଛ? ଇଏ ପରା ଲକ୍ଷ୍ମୀଙ୍କ ଘର!
“ଜଗନ୍ନାଥେ ବୋଇଲେ ହୋ ଡର କାହିଂପାଇଂ
କିଛି ନବିଚାର ତୁମ୍ଭେ ବଳରାମ ଭାଇ।
ଲକ୍ଷ୍ମୀଙ୍କର ଘର ସିନା ଏହି ସେ ଅଟଇଂ
ଏ କଥାକୁ ଭୟେ କିମ୍ପା କରୁଅଛ ଭାଇ।”