ଏବେ ଲକ୍ଷ୍ମୀଙ୍କ ଅନ୍ତଃପୁରରେ ଜଗନ୍ନାଥ ଓ ଲକ୍ଷ୍ମୀ ମୁହାଁମୁହିଁ। ଉଭୟେ ନିଜ ନିଜର ପୂର୍ବ ସ୍ୱରୂପରେ। ତାହା ପରର ଦୃଶ୍ୟ ଅତ୍ୟନ୍ତ ହୃଦ୍ୟ। ଆଜିର ଆଧୁନିକାମାନେ ହୁଏତ ତାହାକୁ କୁସଂସ୍କାର ରୂପେ ଅଭିହିତ କରିପାରନ୍ତି; ମାତ୍ର କେବଳ ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀରେ ନୁହେଁ; ଏଇ ଅଳ୍ପ କେତୋଟି ଦଶନ୍ଧି ପୂର୍ବ ପର୍ଯ୍ୟନ୍ତ ମଧ୍ୟ, ତାହା ଥିଲା ଏକ ସ୍ୱୀକୃତ ସାମାଜିକ ଓ ପାରିବାରିକ ବ୍ୟବସ୍ଥା। ଆଜି ବି ହୁଏତ ଏପରି ବ୍ୟବସ୍ଥା ଅନେକତ୍ର ପ୍ରଚଳିତ। ଏଣୁ-
“ପାଣି ଝରି ଏକ ଘେନି ଲକ୍ଷ୍ମୀ ଯେ ଆସିଲେ
ଦୀନବନ୍ଧୁ ବେନି ପାଦ ବେଗେ ଧୋଇ ଦେଲେ।
ଦେହରୁ ଅଞ୍ଚଳ କାଢ଼ି ପାଦ ପୋଛି ଦେଲେ
ଥୋକାଏକ ଜଳ ନେଇ ଗର୍ଭକୁ କ୍ଷେପିଲେ।”
ଯେଉଁମାନେ ‘ଲକ୍ଷ୍ମୀପୁରାଣ’ର ଲକ୍ଷ୍ମୀଙ୍କୁ କେବଳ ବାମାବାଦୀ ସ୍ୱରୂପରେ ବା ‘ଫେମିନିଷ୍ଟ’ ଭାବରେ ଦେଖନ୍ତି; ଯେଉଁମାନେ ଲକ୍ଷ୍ମୀଙ୍କୁ କେବଳ ‘ରାଡ଼ିକାଲ୍ ଗଡ଼େସ୍’ ବା ‘ପ୍ରତିବାଦୀ ଦେବୀ’ ଭାବରେ ଅଭିହିତ କରନ୍ତି; ପୁଣି ଯେଉଁମାନେ ଲକ୍ଷ୍ମୀଙ୍କୁ କେବଳ ‘ଦି ରିବେଲ’ ରୂପେ ଚିତ୍ରିତ କରିବାକୁ ଚାହାନ୍ତି; ଲକ୍ଷ୍ମୀ ଜଗନ୍ନାଥଙ୍କ ପାଦ ଧୋଇଦେଇ, ଶାଢ଼ିକାନିରେ ତାଙ୍କ ପାଦ ପୋଛିଦେବାର ଏ ଦୃଶ୍ୟ ବା ପାଦୋଦକରୁ ଟିକିଏ ଗର୍ଭକୁ କ୍ଷେପିବାର ଏ ଘଟଣା ସେମାନଙ୍କୁ ଶକ୍ତ ଧକ୍କା ଦେବ ନିଶ୍ଚୟ।
ତେବେ, ହଁ ଲକ୍ଷ୍ମୀ ‘ରାଡ଼ିକାଲ୍ ଗଡ଼େସ୍’ ବା ପ୍ରତିବାଦୀ ଦେବୀ; ସେ ‘ରିବେଲ୍’ ବା ‘ବିଦ୍ରୋହିଣୀ’। କିନ୍ତୁ ସେହି ପ୍ରତିବାଦ, ସେହି ବିଦ୍ରୋହ ସହିତ ମିଶିଛି ତାଙ୍କର ପ୍ରେମ। ସେ ପ୍ରତିବାଦ, ସେ ବିଦ୍ରୋହ ଭିତରେ ଅଛି ତାଙ୍କର ଅଭିମାନ। ଏହାର ପର ପଦଟି ତାହାର ଏକ ଉତ୍କୃଷ୍ଟ ନିଦର୍ଶନ।
ସେ ପଦଟି ଏହିପରି ଲେଖିଛନ୍ତି ବା ସେହି ଦୃଶ୍ୟଟି ଏହିପରି ଆଙ୍କିଛନ୍ତି ବଳରାମ ଦାସ-
“ଆଖି ଥନ ଥନ କରି କିଂଚିତେ ବସିଲେ
କ୍ରୋଧେ ଗଦଗଦ ହୋଇ ମାଏ ବଚନ ବୋଇଲେ।”
ଏଠି, ଲକ୍ଷ୍ମୀ “ଆଖି ଥନ ଥନ କରି ବସିବା” ଏବଂ କ୍ରୋଧେ ଗଦ ଗଦ ହୋଇ ବଚନ ବୋଲିବାର ଦୃଶ୍ୟ ହେଉଛି- ଓଡ଼ିଆ ଘରର ଦାମ୍ପତ୍ୟ ପ୍ରେମର ଏକ ଚିରାଚରିତ ଚିତ୍ର। କାରଣ, ଏଥିରେ ସ୍ୱାମୀଙ୍କୁ ପଦାନତ ବା ପରାହତ କରିବାର ଦର୍ପ ନାହିଁ; ବା ଘରକୁ ଭାଙ୍ଗିଦେବା ପରି ଆତ୍ମମ୍ଭରିତା ନାହିଁ। ଅଛି- ଯୁଗପତ୍ ପ୍ରତିବାଦ ଓ ପ୍ରୀତିର ସମ୍ମିଳିତ ରୂପ।
ଏଣୁ, ଏବେ ଆମ ଆଖି ଆଗରେ ସେଇ ଦୃଶ୍ୟ- ଯେଉଁଠି ଜଗନ୍ନାଥଙ୍କ ପାଖାପାଖି ବସିଛନ୍ତି ଲକ୍ଷ୍ମୀ। ଆଖିରେ ତାଙ୍କର ଲୁହ ଏବଂ ହୃଦୟରେ ପ୍ରତିବାଦ। ସେ ପ୍ରତିବାଦର ସ୍ୱରୂପ ଏହିପରି- ଯେଉଁଥିରେ ଯୁଗପତ୍ ଅଛି କ୍ରୋଧ ଓ ଅଭିମାନ-
“ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଇ
ମୋହର ବିହୁନେ ତୁମ୍ଭେ ବୁଲ ଦେହି ଦେହି।”
ଅର୍ଥାତ୍, ଚଣ୍ଡାଳୁଣୀ ବୋଲି ମୋତେ ତ ବଡ଼ ଦେଉଳରୁ ଘଉଡ଼ାଇ ଦେଲ; କିନ୍ତୁ ମୋ ବିହୁନେ ତୁମେ ବି କେତେ ଦେହ କଷ୍ଟ ପାଇଲ!
ଏହି କ୍ରୋଧ ଓ ଅଭିମାନର ସ୍ୱର କିନ୍ତୁ ଏତିକିରେ ପ୍ରଶମିତ ହୋଇନାହିଁ। ସେ ଆହୁରି ମଧ୍ୟ କହିଛନ୍ତି-
“ସେହି ଚଣ୍ଡାଳୁଣୀ ଘରେ ଭିକ୍ଷା ଯେ ମାଗିଲ
ମୋହର ବିହୁନେ କାହିଁ ଅର୍ଣ୍ଣ ନ ପାଇଲ।
ଯେବେ ମୋହଠାରେ ତୁମ୍ଭ ଦରକାର ନାହିଂ।
ବଡ଼ଭାଇଙ୍କୁ ଘେନିଣ ତୁମ୍ଭେ ଯହିଂ ଯାଅ ତହିଂ।”
ଅର୍ଥାତ୍, ଯଦି ତୁମପାଇଁ ମୋର କିଛି ପ୍ରୟୋଜନ ନାହିଁ; ତେବେ ବଡ଼ଭାଇଙ୍କୁ ନେଇ ଯେଉଁଠାକୁ ଯିବ ଯାଅ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/laxmi-ff.jpg)