ଜଗନ୍ନାଥଙ୍କ ସହ ଗରୁଡ଼ ପିଠିରେ ବସି ବଡ଼ଦେଉଳକୁ ଫେରିବା ପୂର୍ବରୁ, ଲକ୍ଷ୍ମୀ କିନ୍ତୁ ଗୋଟିଏ କଥା କରିବାକୁ ଭୁଲି ନଥିଲେ। ଅଷ୍ଟବେତାଳଙ୍କୁ ଡାକି ବାଉନକୋଟି ଭଣ୍ଡାର ପୁଣି ବଡ଼ଦେଉଳକୁ ବୋହି ଆଣିବାକୁ ଆଦେଶ ଦେଇଥିଲେ। ବଳଭଦ୍ର ଓ ଜଗନ୍ନାଥ ଶୋଇଥିବା ରତ୍ନଖଟ, ଦୁହେଁ ପିନ୍ଧିଥିବା ପାଟବସ୍ତ୍ର, ସୁଭଦ୍ରା ପିନ୍ଧିଥିବା ସ୍ୱର୍ଣ୍ଣ ବାହି ଆଦି ନେଇଆସିବା ପରି, କିଛି ସ୍ପର୍ଶକାତର କଥା ସେଥିରେ ନଥିଲା। ତେଣୁ ହନୁମାନଙ୍କର ଆଉ ପ୍ରୟୋଜନ ନଥିଲା। ସେଥିପାଇଁ ଲକ୍ଷ୍ମୀ ଆଦେଶ ଦେଲେ-
“ଆହେ ଅଷ୍ଟବେତାଳ ତୁମ୍ଭେ ଏହିକ୍ଷଣି ଯିବ
ବାଉନ କୋଟି ଭଣ୍ଡାର ବହିଣ ଆଣିବ।”

Advertisment

କିନ୍ତୁ, ‘ବୃହତ୍ ମହାଲକ୍ଷ୍ମୀ ପୁରାଣ’ ନାମକ ଗୋଟିଏ ନୂଆ, ବଜାର ସଂସ୍କରଣରେ, ‘କଇଳାସ’ ନାମକ ଏହାର ଲେଖକ ବର୍ଣ୍ଣନା କରିଛନ୍ତି-
“ଦାସୀଙ୍କୁ ଡାକିଣ ମାତା ତହୁଁ ଆଜ୍ଞା ଦେଲେ
ରତ୍ନ ପଲଙ୍କକୁ ବେଗେ ଆଣ ଗୋ ବୋଇଲେ।
ସଜାଇଣ ଆଣ ଶାଢ଼ୀ ଓ ପାଟପତନୀ
ଆସିବ ମୋହର ପିଠା ଖଡ଼ିକାକୁ ଘେନି।
ଆଣ ସୁନା ରୂପା ଚଟୁ କରଚୁଲି ମାନ
ଚାଉଳଧୁଆ ଟୋକେଇ କୁଣ୍ଢେଇ ଓ ମାଣ।
ମାଣ୍ଡି ପରୁଡ଼ି ମସିଣା ଯେ ଶୀତଳ ପଟି
ନିତ୍ୟ ବ୍ୟବହାର ପାଇଁ ସୁନାକୁମ୍ଭ ବାଟି।
କରେଇ ଢାଳ ଆଦିକ ବାସନ କୁସନ
ବିଚିତ୍ର ପୁଡ଼ିଆ ସବୁ ସଙ୍ଗେ କରି ଆଣ।
କୁଲାରୁ ଛାଞ୍ଚୁଣି ଯାଏ ରତ୍ନବାସ ମାନ
ଘରକରଣା ଜିନିଷ ସବୁ ଦେଖି ଆଣ।
ସକଳ ଆଣିବ ଦାସୀ କିଛି ନ ଛାଡ଼ିବ
ମସଲା ବାଟଣା ସୁନା ଝରି ଯେ ଆଣିବ।
ଏମନ୍ତେ ଆଜ୍ଞା ଦିଅନ୍ତେ ଦାସୀଏ ଗମିଲେ
ରୋଷଘରେ ଆଣି ସବୁ ଯତ୍ନେ ରଖାଇଲେ।”

ଏହି ବର୍ଣ୍ଣନା ଅତ୍ୟନ୍ତ ହାସ୍ୟକର। କାରଣ, ହନୁମାନ ଓ ଅଷ୍ଟବେତାଳ ଲାଗିପଡ଼ି ଯେଉଁସବୁ ଦ୍ରବ୍ୟ ଶ୍ରୀମନ୍ଦିରରୁ ବୁହାଇ ଆଣିଥିଲେ, ଦାସୀ କେତେଜଣ ପୁଣି ତାହା ବୁହାଇନେଇ ଶ୍ରୀମନ୍ଦିରରେ ରଖିବା କିପରି ବା ସମ୍ଭବ? ତା’ଛଡ଼ା, ଘଟଣା ଯେତେବେଳେ ସୁଖକର ପରିସମାପ୍ତି ଅଭିମୁଖୀ, ସେତେବେଳେ ଏପରି ଦୀର୍ଘ ଓ ସ୍ଥୂଳ ବର୍ଣ୍ଣନା ମୂଳ ପ୍ରସଙ୍ଗରୁ ପାଠକପାଠିକାଙ୍କୁ ବିଚ୍ୟୁତ ହିଁ କରୁଛି।

ତେଣୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଲକ୍ଷ୍ମୀ ଅଷ୍ଟବେତାଳଙ୍କୁ ସଂକ୍ଷେପରେ “ବାଉନ କୋଟି ଭଣ୍ଡାର ବହି ଯେ ଆଣିବ” ବୋଲି କହିଛନ୍ତି। ତା’ ସହିତ ନିର୍ଦ୍ଦେଶ ଦେଇଛନ୍ତି-
“ସମସ୍ତ ସରଘରେ ଯେ ନେଇଂଣ ପୂରୋଇବ
ଟିକାଏ ଟିକାଏ ଦ୍ରବ୍ୟ ଏଥି ନରଖିବ।”

ଅଷ୍ଟବେତାଳଙ୍କୁ ଏହି ଆଦେଶ ଦେବା ପରେ, ଜଗନ୍ନାଥ ଓ ଲକ୍ଷ୍ମୀ ଗରୁଡ଼ ପିଠିରେ ବସି ବଡ଼ଦେଉଳକୁ ବିଜେ କରିଛନ୍ତି। ତାଙ୍କ ସହିତ ‘ତେତ୍ରିଶ କୋଟି ଦେବତା’ ମଧ୍ୟ ବଡ଼ ଦେଉଳକୁ ଯାଇଛନ୍ତି।
ବଳରାମ ଦାସ କହିଛନ୍ତି-
“ବଡ଼ ଦେଉଳକୁ ପ୍ରମଲକ୍ଷ୍ମୀ ବିଜେ କଲେ
ତେତ୍ରିଶ କୋଟି ଦେବତା ସାଙ୍ଗରେ ଯେ ନେଲେ।”

ଜଗନ୍ନାଥ ଓ ଲକ୍ଷ୍ମୀଙ୍କର ଏହି ଅଭିନବ ନୀଳାଦ୍ରିବିଜେର ସୁନ୍ଦର ବର୍ଣ୍ଣନା ମଧ୍ୟ କରିଛନ୍ତି ବଳରାମ ଦାସ। ସେତେବେଳେ ନାନା ବାଇଦ ବାଜଣାରେ ଉଛୁଳିଛି ବଡ଼ଦେଉଳ।
“ଢୋଲ ଦମାଲ ଯେ ବାଜଇ ଅପାର
ଭେରୀ ମହୁରୀ କଂସାଳ ତାଳ ବୀଣା ତୂର।”

ସେହି ନୀଳାଦ୍ରିବିଜେ ବେଳେ, କେବଳ ଏହିସବୁ ପାରମ୍ପରିକ ବାଦ୍ୟ ବାଜୁ ନଥିଲା; ଇନ୍ଦ୍ର, ବରୁଣ, କୁବେର ଆଦି ଦେବତା ମଧ୍ୟ ଉପସ୍ଥିତ ରହି ନିଜ ନିଜର ସେବା କରୁଥିଲେ। ସ୍ୱର୍ଗର ଅପ୍‌ସରୀମାନେ ନୃତ୍ୟ କରୁଥିଲେ। ସେହି ଦିବ୍ୟ ଦୃଶ୍ୟ ଏହିପରି-
“ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା
ଦୁଃଖ ଯେ ନାଶନ ପ୍ରଭୁ ଗୁହାରି ଶୁଣିମା।
ବରୁଣ କୁବେର ଯେ ହସ୍ତରେ ବେତ ଧରି
ନୃତ୍ୟ କରୁଛନ୍ତି ତହିଂ ସ୍ୱର୍ଗ ଅପଛରୀ।
ରମ୍ଭା ଯେ ମେନକା ଆବର ତହିଂ ଚିତ୍ରରେଖା
ତିଳୋତମା ତୁଲେ ଯେ ଆବର ମଦନିକା।”

ଏବଂ ସେହି ନୀଳାଦ୍ରିବିଜେ ବଡ଼ ଦେଉଳରେ ଓ ଜନ ସମୁଦାୟରେ ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିଛି। ମାତ୍ର ଗୋଟିଏ ପଦରେ ତାହାର ସୁନ୍ଦର ବର୍ଣ୍ଣନା କରି ବଳରାମ ଦାସ କହିଛନ୍ତି-
“ଲକ୍ଷ୍ମୀଙ୍କୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ
ସଂସାରର ଲୋକମାନେ ହୋଇଲେ ସାନନ୍ଦ।”