ମାର୍ଗଶିର ମାସର ଗୁରୁବାର ଲକ୍ଷ୍ମୀପୂଜାର ଶ୍ରେଷ୍ଠ ବାର। କିନ୍ତୁ ପାରମ୍ପରିକ ଭାବରେ, ମାର୍ଗଶିର କୃଷ୍ଟ ଅଷ୍ଟମୀ ବା ପ୍ରଥମାଷ୍ଟମୀ ପୂର୍ବର ଗୁରୁବାରଟି ହେଉଛି ‘ଅଲାଗି’ ପାଳି। କାରଣ, ଲୋକବିଶ୍ୱାସ ଅନୁସାରେ, ପ୍ରଥମାଷ୍ଟମୀରେ ପୋରୁହାଁ ହେବା ପରେ ହିଁ ମାର୍ଗଶିର ମାସର ଗୁରୁବାରରେ ଲକ୍ଷ୍ମୀଙ୍କର ପୂଜା ହୋଇଥାଏ। ପ୍ରଥମାଷ୍ଟମୀ ପରର ଗୁରୁବାର ହିଁ ତାଙ୍କ ପୂଜାର ‘ଲାଗି’ ପାଳି। ପ୍ରଥମାଷ୍ଟମୀର ଆଉ ଗୋଟିଏ ବିଧି ମଧ୍ୟ ଲୋକ-ପରମ୍ପରା ଅନୁସାରେ ପ୍ରଚଳିତ ଅଛି। ତାହା ହେଉଛି, ଏହି ପର୍ବରେ ‘ପୋରୁହାଁ’ ବା ‘ଦୋହାଁ ପୋରୁହାଁ ସନ୍ତାନଙ୍କର ବନ୍ଦାପନା ପରେ, ମାଆମାନେ ଗାଈର ପହିଲି ଛଡ଼ା (ଛୁଆ ଦେଇ ନଥିବା ଗାଈ)ର ଗୋବର, ନୂଆ ଅରୁଆ ଚାଉଳ ଓ ଗେଣ୍ଡୁଫୁଲକୁ ଏକାଠି ସାତଖଣ୍ଡ ହଳଦିଆ କନାରେ ଅଲଗା ଅଲଗା କରି ରଖି, ଅଗଣା ଡିଆଁଇ ଅଗଣାର ବିପରୀତ ଦିଗକୁ ପକାଇ ଦିଅନ୍ତି। ସନ୍ତାନକୁ ପୂର୍ବ ଓ ଉତ୍ତର କାଳରେ ଗୋ ଓ ଅନ୍ନ ପୂର୍ଣ୍ଣ ଭାବରେ ପ୍ରାପ୍ତି ହେଉ, ଏହି କାମନା ଏ ପାରମ୍ପରିକ ବିଧି ପାଳନର ଉଦ୍ଦେଶ୍ୟ।

Advertisment

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ଲକ୍ଷ୍ମୀ ହେଉଛନ୍ତି ଗୋ ଓ ଅନ୍ନଦାୟିନୀ ଦେବୀ। ସେହିପରି ଗେଣ୍ଡୁଫୁଲ ମଧ୍ୟ ଲକ୍ଷ୍ମୀଙ୍କ ସହିତ ସଂପୃକ୍ତ। ଗେଣ୍ଡୁଫୁଲ ସାଧାରଣତଃ ମାର୍ଗଶିର ମାସରେ ଫୁଟିବା ଆରମ୍ଭ ହୁଏ। ଏହା ସୂର୍ଯ୍ୟମୁଖୀ ଜାତିର ଏକ ଫୁଲ। କାରଣ, ସୂର୍ଯ୍ୟଙ୍କର କିରଣ ଯେତେ ପ୍ରଖର ହେଲେ ମଧ୍ୟ, ଏହା ମଉଳେ ନାହିଁ। ପ୍ରଥମାଷ୍ଟମୀ ପରର ପ୍ରଥମ ଗୁରୁବାରରେ ଏହି ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଲାଗି ହୁଏ। ଦେବୀ ଲକ୍ଷ୍ମୀଙ୍କର ଗୋଟିଏ ନାଆଁ ଭାର୍ଗବୀ। ଏ ନାମ ଭାର୍ଗବ ଋଷିଙ୍କ ସହ ସଂପୃକ୍ତ। ଭାର୍ଗବ କୃଷିକାରୀ ଋଷି। ଏଣୁ ଭାର୍ଗବୀ ନାମଟି ଶସ୍ୟ ଓ ଅନ୍ନ ସହ ସଂପୃକ୍ତ। ଏହି ଦୃଷ୍ଟିରୁ ମଧ୍ୟ ଲକ୍ଷ୍ମୀ ଶସ୍ୟଦେବୀ ବା ଭୂଦେବୀ। ଧାନ ଉଭୟ ଶସ୍ୟ ଓ ବୀଜ। ସେହିପରି ଗେଣ୍ଡୁଫୁଲ ଉଭୟ ପୁଷ୍ପ ଓ ବୀଜ। ଏଣୁ ଏହା ଦେବୀ ଲକ୍ଷ୍ମୀଙ୍କର ପ୍ରିୟ। ଏହି ଫୁଲ ମୁଖ୍ୟତଃ କନକବର୍ଣ୍ଣା ଏବଂ ଏହି ବର୍ଣ୍ଣ ଲକ୍ଷ୍ମୀଙ୍କର ଅତି ପ୍ରିୟ।

ଅନ୍ୟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସଂଯୋଗ ହେଉଛି- ଭଗବାନ ବିଷ୍ଣୁଙ୍କର ବାରମାସର ଯେଉଁ ବାରଟି ନାଆଁ ଅଛି, ସେଥିରୁ ମାର୍ଗଶିର ମାସର ନାଆଁ କେଶବ। ଲକ୍ଷ୍ମୀ ‘କମଳା’ ନାମରେ ଏବଂ ବିଷ୍ଣୁ ‘କେଶବ’ ନାମରେ ଏହି ମାସରେ ପୂଜିତ ହୁଅନ୍ତି। ଏହି ଦୃଷ୍ଟିରୁ ଲକ୍ଷ୍ମୀ-ନାରାୟଣ ‘କେଶବ-କମଳା’ ଭାବରେ ଲୋକପ୍ରିୟ। ବିଷ୍ଣୁଙ୍କର ମାର୍ଗଶିର ମାସର ନାମ ‘କେଶବ’ ଏବଂ ଏହା ମଧ୍ୟ ଗେଣ୍ଡୁ ବା ମଣ୍ଡାକୁସୁମର ନାମ। ଏଣୁ ଏହି ଫୁଲ ଦେବୀଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ। ସେଥିପାଇଁ ମାର୍ଗଶିର ମାସର ପ୍ରଥମ ‘ଲାଗି’ପାଳିରେ ଲକ୍ଷ୍ମୀଙ୍କୁ ଏହି ଫୁଲ ଲାଗି କରାଯାଏ। ଆମେ ସାଧାରଣତଃ କୌଣସି ଶୁଭ କାର୍ଯ୍ୟରେ ଆମ୍ବଡାଳ ଓ ଗେଣ୍ଡୁଫୁଲର ମାଳରେ ଗୃହରଦ୍ୱାରକୁ ସଜ୍ଜିତ କରିଥାଉ। କଳସ ମଧ୍ୟ ଶୁକ୍ଳ ଧାନ ବା ଅରୁଆ ଚାଉଳ ଉପରେ ବସାଯାଏ। ଜଳପୂର୍ଣ୍ଣ କଳସରେ ଆମ୍ବଡାଳ ଶୋଭାପାଏ। ଆମ୍ବ ଡାଳ ବା ଆମ୍ବ ପତ୍ର ବିଘ୍ନହାରୀ। ଗେଣ୍ଡୁଫୁଲ ଅସରନ୍ତି ବୀଜଧାରୀ। ଏଣୁ, ଏହା ଫଳରେ ଦେବୀ ଲକ୍ଷ୍ମୀ ପ୍ରସନ୍ନା ହୁଅନ୍ତି। ସେ ପ୍ରସନ୍ନା ହେଲେ ଅସରନ୍ତି ସୁଖ ସମୃଦ୍ଧି ଓ ଆନନ୍ଦ ମିଳେ ବୋଲି ବିଶ୍ୱାସ କରାଯାଏ।

-ଅସିତ ମହାନ୍ତି