ଲକ୍ଷ୍ମୀ କାହିଁକି ପିତାଙ୍କ ଘରକୁ ନ ଯିବାକୁ ନିଷ୍ପତ୍ତି କଲେ, ତାହାର ଗୋଟିଏ କାରଣ ଦର୍ଶାଯାଇଛି ବଜାର ସଂସ୍କରଣ ‘ଲକ୍ଷ୍ମୀ ପୁରାଣ’ରେ। ତାହା ଅନୁସାରେ, ତାଙ୍କ ପଛେ ପଛେ ଗୋଡ଼ାଇ ଆସୁଥିବା ଦାସୀମାନଙ୍କୁ ଲକ୍ଷ୍ମୀ କହିଛନ୍ତି-
“ଏହିପରି ହୋଇ ଯେବେ ପିତାଘର ଯିବି।
ଚାରି ଦିନ ମାତ୍ର କରି ରହି ନପାରିବି।ା
ଜଗନ୍ନାଥପ୍ରାୟ ବନ୍ଧୁ ପିତାଘର ଯିବେ।
ତାଙ୍କୁ ଦେଖି ପିତା ମୋତେ ସମର୍ପିଣ ଦେବେ।ା
ଶାପ ଦେବା ଫଳ ମୋର ହେବ ଅକାରଣ।
ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ।ା”
ଗୋଟିଏ ପ୍ରାଚୀନ ପୋଥିରେ କିନ୍ତୁ ପ୍ରାୟ ଅନୁରୂପ ପାଠ ଅଛି। ତାହା ଅନୁସାରେ- ଲକ୍ଷ୍ମୀଙ୍କର ଭାବନା ଥିଲା ଏହିପରି-
“ଏହି ରୂପେ ମୁହିଂ ଯେବେ ବାପଘର ଯିବି
ଦୁଇ ଚାରିଦିନ ଘରେ ରହି ନପାରିବି।
ଜଗନାଥ ଗଲେ ମୋତେ ସମର୍ପିଣ ଦେବ
ସାପ୍ୟ ଦେବା ବାକ୍ୟ ମୋର ଅକାରଣ ହେବ।
ଦରିଦ୍ର ନୋହିବେ ପ୍ରଭୁ ଦେବ ନାରାୟଣ
ତେବେ ସିନା ସାପ୍ୟ ମୋର ହୋଇବ କାରଣ।
ଏତେ ବୋଲି ପରମ ଲକ୍ଷ୍ମୀ ମନେ ଚିନ୍ତା କଲେ
ବିଶ୍ୱକର୍ମାଙ୍କୁ ମାଏ ମନେ ଚିନ୍ତା କଲେ।
ଲକ୍ଷ୍ମୀ ଆଗ୍ୟାଂ ପାଇ ବିଶ୍ୱକର୍ମା ଚଳିଗଲା
ଦଶକ୍ରୋଶ ପ୍ରମାଣରେ ଉଆସ ତୋଳିଲା।”
ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ, ପିତାଙ୍କ ପୁରକୁ ନଯିବାକୁ ନିଷ୍ପତ୍ତି କଲା ପରେ, ଲକ୍ଷ୍ମୀ କୁବେରଙ୍କୁ ସ୍ମରଣ କଲେ। କାରଣ, ପିତାଙ୍କ ଘରକୁ ନଯାଇ ନିଜ ଘର ନିଜେ ତୋଳାଇ ରହିବାପାଇଁ ସେ ସ୍ଥିର କରିଥିଲେ ଏବଂ ସେଥିପାଇଁ କୁବେରଙ୍କର ସହାୟତା ଆବଶ୍ୟକ ଥିଲା। କାରଣ, ଲକ୍ଷ୍ମୀ ଧନର ଦେବୀ ହେଲେ ମଧ୍ୟ, ସେ ଏବେ ଗୃହଚ୍ୟୁତ ଓ ଧନହୀନ। କୁବେର ଧନାଧିପତି ଦେବତା।
ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ବର୍ଣ୍ଣନା ଅନୁସାରେ, କୁବେରଙ୍କୁ ସମ୍ମାନାର୍ଥେ ‘ପିତା’ ସମ୍ବୋଧନ କରି ଲକ୍ଷ୍ମୀ ନମସ୍କାର କଲେ। ଘରଟିଏ ତୋଳାଇ ଦେବାକୁ ତାଙ୍କୁ କହିଲେ।
“ବରୁଣ ପୁରକୁ ଯେ ନଗଲେ ମହାମାଈ
କୋବେରକୁ ସୁମରଣ କଲେ ଲକ୍ଷ୍ମୀଦେଈ।
ଭୋ ପିତା କୋବେର ତୋର ପରିମୁଣ୍ଡା ଯାଇ
ଦିବ୍ୟ କରି ଘର ମୋତେ ଦେବାକ ତୋଳାଇ।ା”
ଲକ୍ଷ୍ମୀଙ୍କର ସେହି କଥା ଶୁଣି କୁବେର ସ୍ୱର୍ଗରୁ ବିଶ୍ୱକର୍ମାଙ୍କୁ ଡକାଇଲେ। ତାଙ୍କୁ ଆଜ୍ଞା ଦେଲେ- ହେ ବିଶ୍ୱକର୍ମା! ଶୀଘ୍ର ଯାଇ ଲକ୍ଷ୍ମୀଙ୍କ ପାଇଁ ଦିବ୍ୟ ପୁରଟିଏ ତୋଳି ଦିଅ।
“କମଳା ବଚନ ଯହୁଂ କୋବେର ଶୁଣିଲେ
ସର୍ଗ ବିଶ୍ୱକର୍ମାଙ୍କୁ ସେ ରାଇ ଆଗ୍ୟାଂ ଦିଲେ।
ତୁମ୍ଭେ ହୋ ବିଶକର୍ମା ବେଗେ ଚଳିଯିବ।
କମଳାଙ୍କୁ ଦିବ୍ୟପୁର ତୋଳାଇଣ ଦେବ।”
ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ କିନ୍ତୁ କୁବେର ନାହାନ୍ତି। ଲକ୍ଷ୍ମୀ ସିଧା ବିଶ୍ୱକର୍ମାଙ୍କୁ ସ୍ମରଣ କରିଛନ୍ତି। ବିଶ୍ୱକର୍ମା ବୈକୁଣ୍ଠପୁରରୁ ଆସି ପହଞ୍ଚିବାରୁ, ତାଙ୍କୁ କହିଛନ୍ତି-
“ଚଣ୍ଡାଳୁଣୀ ବାଦେ ପ୍ରଭୁ ଦେଲେ ଘଉଡ଼ାଇ
ପାରିବୁ କି ଖଣ୍ଡିଏ କୁଡ଼ିଆ ତୋଳି ଦେଇ।”
କିନ୍ତୁ ବିଶ୍ୱକର୍ମା ଉପଦେବତା। ଲକ୍ଷ୍ମୀ ସିନା ନିଜର ପିତା ବରୁଣଙ୍କ ଆଗରେ ନିଜର ଦୁଃଖ କହିବେ; ବିଶ୍ୱକର୍ମାଙ୍କୁ କହିବେ କାହିଁକି? ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ରେ ସେ କୁବେରଙ୍କୁ ବି ସେ କଥା କହି ନାହାନ୍ତି।
କିନ୍ତୁ ଲକ୍ଷ୍ମୀଙ୍କୁ ଅସ୍ପୃଶ୍ୟା କହି, ତାଙ୍କୁ ଘରୁ ତଡ଼ିଦେବାକୁ ବଡ଼ଭାଇ ବଳରାମଙ୍କର କଡ଼ା ନିର୍ଦ୍ଦେଶ ଥିବାବେଳେ, ତାହାକୁ ଏଡ଼ି ଜଗନ୍ନାଥ ବରୁଣପୁରକୁ ଯାଇ ଲକ୍ଷ୍ମୀଙ୍କୁ ଘରକୁ ବାହୁଡ଼ାଇ ଆଣିବାର ସମ୍ଭାବନା ଥିଲା କ୍ଷୀଣ। ଏଣୁ ପିତାଙ୍କ ଘରକୁ ନଯିବାର ନିଷ୍ପତ୍ତି ଥିଲା ଲକ୍ଷ୍ମୀଙ୍କର ସ୍ୱାଭିମାନର ପରିଚାୟକ।
ତେଣୁ କୁବେରଙ୍କ ନିର୍ଦ୍ଦେଶ ପାଇ ବିଶ୍ୱକର୍ମା କୁବେରଙ୍କୁ କହିଛନ୍ତି- ତୁମ ଆଜ୍ଞାରେ ଯାଇ ପୁରଟିଏ ଯେ ତୋଳାଇଦେବି; କିନ୍ତୁ କେଉଁଠାରେ?
ବଜାର ସଂସ୍କରଣ ‘ଲକ୍ଷ୍ମୀପୁରାଣ’ରେ ଏହାର ଉତ୍ତର ନାହିଁ। ସେଥିରେ କେବଳ ବର୍ଣ୍ଣନା ଅଛି, ବିଶ୍ୱକର୍ମା ଆଜ୍ଞାମାତ୍ରେ ଯାଇ ‘ତିନିକ୍ରୋଶ ପ୍ରମାଣେ’ ଉଆସଟିଏ ତୋଳିଦେଲେ।
ଲୋକକଥିତ ଭାବରେ, ଲକ୍ଷ୍ମୀଙ୍କର ବାପଘର ଶ୍ରୀକ୍ଷେତ୍ରର ମହୋଦଧି ତଟବର୍ତ୍ତୀ ଚକ୍ରତୀର୍ଥ ନିକଟ ବାଙ୍କି ମୁହାଣ। ତେଣୁ ବଜାର ସଂସ୍କରଣ ଅନୁସାରେ, ସାଧାରଣରେ ଧାରଣାଟିଏ ସୃଷ୍ଟି ହୋଇଛି, ଯେ ବିଶ୍ୱକର୍ମା ସେହିଠାରେ ହିଁ ଲକ୍ଷ୍ମୀଙ୍କର ଉଆସ ତୋଳାଇ ଥିଲେ। କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ, ବିଶ୍ୱକର୍ମା ତାହା ତୋଳାଇଥିଲେ କୋଣାର୍କ ନିକଟରେ। କାରଣ, ଏହା ସ୍ୱାଭାବିକ ଯେ ପିତାଙ୍କ ପୁର ନିକଟରେ ଲକ୍ଷ୍ମୀ ରହିବାପାଇଁ ଚାହିଁ ନଥିବେ।
“ଲକ୍ଷ୍ମୀ ବୋଇଲେ ସମୋଦ୍ର ପଶ୍ଚିମକୁ ଯିବୁ
କୋଣାରଖ ପାରୁଶରେ ଘର ଗୋଟିୟେ ତୋଳିବୁ।”
ଏଣୁ ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ ଅନୁସାରେ-
“କୋବେର ବଚନେ ବିଶକର୍ମା ଚଳିଗଲା
କମଳାଙ୍କ ଦିବ୍ୟପୁର ତୋଳାଇଣ ଦିଲା।”
ଏ ପ୍ରସଙ୍ଗରେ ସ୍ମରଣ କରାଯାଇପାରେ, ଯେ ‘ଲକ୍ଷ୍ମୀପୁରାଣ’ର ରଚୟିତା ବଳରାମ ଦାସଙ୍କର ଜନ୍ମସ୍ଥାନ କୋଣାର୍କ ନିକଟ ଏରବଙ୍ଗ। ତାହାର ନିକଟବର୍ତ୍ତୀ ବେଗୁନିଆଠାରେ ମଧ୍ୟ ଅଛି ତାଙ୍କର ସମାଧିପୀଠ। ସେଠାରୁ ସମୁଦ୍ର ତଟ ପ୍ରାୟ ୭ କିଲୋମିଟର ଏବଂ ତାହା ପୁରୀ ସମୁଦ୍ରତଟର ପଶ୍ଚିମରେ। ଏଣୁ, ଏହା ଅତ୍ୟନ୍ତ ସ୍ୱାଭାବିକ, ଯେ ବଳରାମ ଦାସ ତାଙ୍କ ‘ଲକ୍ଷ୍ମୀପୁରାଣ’ରେ ବାଙ୍କି ମୁହାଣଠାରେ ଲକ୍ଷ୍ମୀଙ୍କର ସେହି ଉଆସ ନ ତୋଳାଇ, ତୋଳାଇଛନ୍ତି ନିଜର ଜନ୍ମସ୍ଥାନ କୋଣାର୍କ ନିକଟରେ।
-ଅସିତ ମହାନ୍ତି