‘ଆମ୍ଭ ପୁର’କୁ ଅର୍ଥାତ୍ ବଡ଼ଦେଉଳକୁ ଫେରିବାପାଇଁ ଲକ୍ଷ୍ମୀ କହିବା ପରେ, ଜଗନ୍ନାଥ ଗରୁଡକୁ ସ୍ମରଣ କଲେ। କାରଣ, ଗରୁଡ଼ ତାଙ୍କର ବାହନ। ବଳରାମ ଦାସ ‘ଲକ୍ଷ୍ମୀ ପୁରାଣ’ରେ ଏହାର ପରବର୍ତ୍ତୀ ଘଟଣାର ସୁନ୍ଦର ବର୍ଣ୍ଣନା କରିଛନ୍ତି, ଯାହା ବଜାର ସଂସ୍କରଣରେ ନାହିଁ।
ଜଗନ୍ନାଥ ଗରୁଡ଼କୁ ସ୍ମରଣ କରିବା ବେଳକୁ ଗରୁଡ଼ ରମ୍ୟକ ଦ୍ୱୀପରେ ଥିଲା। କାରଣ, ପୌରାଣିକ ଜମ୍ବୁଦ୍ୱୀପ ଅନ୍ତର୍ଗତ ନଅଟି ‘ବର୍ଷ’ ବା ‘ଦେଶ’ ମଧ୍ୟରୁ ରମ୍ୟକ ଗୋଟିଏ ଏବଂ ଏହା ଗରୁଡ଼ର ନିବାସ ସ୍ଥଳ।
ସେହି ରମ୍ୟକ ଦ୍ୱୀପରେ ଗରୁଡ଼ ଚରୁଥିବା ବେଳେ, ଜଗନ୍ନାଥ ତାକୁ ସ୍ମରଣ କରିବାରୁ, ତା’ର ଆହାର ତାକୁ ପିତା ଲାଗିଲା। ସେ ତାର ପତ୍ନୀର ମୁଖ ଚାହିଁ କହିଲା- ନିଶ୍ଚୟ କୌଣସି ଦେବତା ମୋତେ ସ୍ମରଣ କଲେ। ତାହାର ସେତେବେଳର ମନର ଭାବନା ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି ବଳରାମ ଦାସ।
“ବାସୁକୀ ଦେବତାର ମୁଂ ଯେ ସେବକ ନୋହଇଂ
ଇନ୍ଦ୍ର ଯେ ଦେବତା ମୋତେ ସାରିଖ୍ୟ ନାହିଂ ଯାଇଂ।”
ଅର୍ଥାତ୍, ସେ ଭାବିଲା, ଏ ଧରିତ୍ରୀକୁ ଧାରଣ କରିଥିବା ବାସୁକୀ ଦେବତାଙ୍କର ସେବକ ମୁଁ ନୁହେଁ। ଇନ୍ଦ୍ରଦେବଙ୍କର ମଧ୍ୟ, ମୋତେ ବାହନ କରିବାର ସମକକ୍ଷତା ନାହିଁ। ତେଣୁ କିଏ ସ୍ମରଣ କଲା ତାହା ଜାଣିବାକୁ ସେ ଧ୍ୟାନସ୍ଥ ହେଲା। ଧ୍ୟାନରେ ଜାଣିଲା, ନାରାୟଣ ହିଁ ତାକୁ ସ୍ମରଣ କରୁଛନ୍ତି।
“ଧ୍ୟାନରେ ଜାଣିଲା ତାହା ବିନତା ନନ୍ଦନ
ମୋତେ ସୁମରଣା କଲେ ଠାକୁର ନାରାୟେଣ।”
ତେଣୁ ପ୍ରଭୁ ସ୍ମରଣ କରୁଛନ୍ତି ଜାଣି, ଗରୁଡ଼ ତୁରନ୍ତ ଆସି କୋଣାର୍କ ନଦୀ ତଟର ଲକ୍ଷ୍ମୀଙ୍କ ପୁରରେ ପହଞ୍ଚିଲା। ପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣାମ କରି, କରପତ୍ର ଯୋଡ଼ି, ଦାସକୁ ସ୍ମରଣ କରିବାର କାରଣ ପଚାରିଲା।
“କରପତ୍ର ଯୋଡ଼ିଣ ଛାମୁରେ ଉଭା ହୋଇ
କି ନିମନ୍ତେ ସୁମରିଲେ ବ୍ରହ୍ମାଣ୍ଡ ଗୋସାଇଂ।”
ସେ ଏହା ମଧ୍ୟ ବିନୟ ହୋଇ କହିଲା-
“ସର୍ଗ ମଂଚ ପାତାଳ ମୁଂ ତିନିପୁର ଯିବି
ପରରାଷ୍ଟ୍ର ପଡ଼ିଲେ କ୍ଷଣକେ ସଙ୍ଘାରିବି।”
ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ, ଯେ ଗରୁଡ଼ କଶ୍ୟପ ଓ ବିନତାଙ୍କର ସନ୍ତାନ। ସେ ପକ୍ଷୀମାନଙ୍କର ରାଜା। ସେଥିପାଇଁ ତାହାର ଅନ୍ୟନାମ ପକ୍ଷୀନ୍ଦ୍ର ଓ ଖଗେଶ୍ୱର। ବ୍ୟାସଦେବ ବିରଚିତ ଅଷ୍ଟାଦଶ ପୁରାଣ ମଧ୍ୟରୁ ‘ଗରୁଡ଼ ପୁରାଣ’ ଗୋଟିଏ। ପୁରାଣ ପ୍ରସଙ୍ଗ ଅନୁସାରେ, ବିନତା ଓ କଦ୍ରୁ କଶ୍ୟପଙ୍କର ଦୁଇ ପତ୍ନୀ। ଥରେ ଉଭୟେ କଶ୍ୟପଙ୍କର ଅନେକ ସେବା କଲେ। ସେଥିରେ ସନ୍ତୁଷ୍ଟ ହୋଇ କଶ୍ୟପ ନିଜ ନିଜର ଇଚ୍ଛା ଅନୁସାରେ ବର ମାଗିନେବାକୁ ତାଙ୍କୁ କହିଲେ। କଦ୍ରୁ ଓ ବିନତା ଉଭୟ ଥିଲେ ନିଃସନ୍ତାନ। ତେଣୁ କଦ୍ରୁ କହିଲେ- ମୁଁ ସହସ୍ର ପୁତ୍ରର ଜନନୀ ହେବାକୁ ଚାହେଁ। ମାତ୍ର ବିନତା କହିଲେ- ମୋତେ ମାତ୍ର ଦୁଇଟି ପୁତ୍ର ଆବଶ୍ୟକ ଏବଂ ସେହି ଦୁଇ ପୁତ୍ର କଦ୍ରୁଙ୍କ ପୁତ୍ରଠାରୁ ଅଧିକ ଶକ୍ତିଶାଳୀ ହେବେ।
କଶ୍ୟପ ଦୁହିଁଙ୍କୁ ସେମାନଙ୍କର ନିଜ ନିଜ ଇଚ୍ଛା ଅନୁସାରେ ବର ଦେଲେ। ଫଳରେ କଦ୍ରୁ ହେଲେ ସହସ୍ର ସର୍ପପୁତ୍ରଙ୍କର ଜନନୀ। ବିନତା ହେଲେ ଦୁଇ ପକ୍ଷୀପୁତ୍ର- ଅରୁଣ ଓ ଗରୁଡ଼ଙ୍କର ମାତା। ଦୁହିଁଙ୍କର ଜନ୍ମ ପୂର୍ବରୁ, ନିଜର ଦୁଇ ଅଣ୍ଡା ଉଷୁମାଉଥିବା ବେଳେ, ଅଧୈର୍ଯ୍ୟ ହୋଇ ବିନତା ଗୋଟିଏ ଅଣ୍ଡାକୁ ଫଟାଇ ଦେଇଥିଲେ। ଫଳରେ ଅରୁଣ ଅଧାଗଢ଼ା ହୋଇ ଜାତ ହୋଇଥିଲେ। ସେ ହେଲେ ସୂର୍ଯ୍ୟଦେବଙ୍କର ସାରଥୀ। କିନ୍ତୁ ଗରୁଡ଼ ପୂର୍ଣ୍ଣ ବିକଶିତ ହୋଇ ଅଣ୍ଡାରୁ ଫୁଟିଥିବାରୁ, ଅମିତ ବଳଶାଳୀ ହୋଇଥିଲେ। ସେ ହେଲେ ଭଗବାନ ବିଷ୍ଣୁ ବା ଜଗନ୍ନାଥଙ୍କର ବାହନ। ଏଣୁ ନିଜର ଅମିତ ଶକ୍ତି ବଳରେ ଗରୁଡ଼ କ୍ଷଣକେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର ଭ୍ରମଣ କରିପାରେ। ପଥରେ ‘ପରରାଷ୍ଟ୍ର ହେଲେ’, ଅର୍ଥାତ୍, ଶତ୍ରୁ ଆକ୍ରମଣ କଲେ, ତାହାର ପ୍ରତିରୋଧ ମଧ୍ୟ ସେ କରିପାରେ।
ତେଣୁ ଗରୁଡ଼ କଥା ଶୁଣି ଜଗନ୍ନାଥ କହିଲେ- ବାବୁ ଗରୁଡ଼, ଶୁଣ। ସ୍ୱର୍ଗ କି ମର୍ତ୍ତ୍ୟ କେଉଁଠି ଆମର କିଛି କାର୍ଯ୍ୟ ନାହିଁ। ତାହା ଶୁଣି ଗରୁଡ଼ କହିଲା- ତା’ହେଲେ ମୁଁ ତୁମ୍ଭଙ୍କୁ ଦ୍ୱାରିକାକୁ ନେଇଯିବି।
ପୂର୍ବ ସୂଚିତ, ଯେ ଏହି ‘ଦ୍ୱାରିକା’ ହେଉଛି- ଶ୍ରୀକ୍ଷେତ୍ର ପୁରୀର ବଡ଼ଦେଉଳ। ତାହା ଶୁଣି ଜଗନ୍ନାଥ ଆନନ୍ଦିତ ହେଲେ।
-ଅସିତ ମହାନ୍ତି
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us