ସ୍ନାନାଦି ଦ୍ୱାରା ନିଜକୁ ଶୁଦ୍ଧପୂତ କରି, ବସ୍ତ୍ର ଓ ଭୂଷଣରେ ନିଜକୁ ସୁମଣ୍ଡିତ କରି, ହାତରେ ସୁନା ଚଟୁ ଧରି, ମା’ ଲକ୍ଷ୍ମୀ ରୋଷେଇଶାଳକୁ ବାହାରିଲେ। ବଳରାମ ଦାସ ‘ଲକ୍ଷ୍ମୀପୁରାଣ’ରେ ତାହାର ବର୍ଣ୍ଣନା ଦେଇ କହିଛନ୍ତି-
“ସୋବର୍ଣ୍ଣର ଚଟୁ ମାଏ ଧଇଲେ ହସ୍ତର
ରାନ୍ଧିଣ ବସିଲେ ମାଏ ରୋଷାଇଂଶାଳର।”
ସିନ୍ଧୁନନ୍ଦିନୀ ଲକ୍ଷ୍ମୀ କ୍ଷଣକ ମଧ୍ୟରେ ସେଠାରେ ଅନେକ ପ୍ରକାରର ରୋଷେଇ କଲେ।
“ନାନା ବିଧି କଲେ ତହିଂ ସିନ୍ଧୁର ନନ୍ଦନୀ
କ୍ଷଣକ ଭିତରେ ପାକ ସମ୍ଭାରିଲେ ଆଣି।”
ବଜାର ସଂସ୍କରଣରେ ଅବଶ୍ୟ ତାହାର ବର୍ଣ୍ଣନା ଅଛି; ମାତ୍ର ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ର ବର୍ଣ୍ଣନା ତାହା ତୁଳନାରେ ଅଧିକ ପାରମ୍ପରିକ। ତାହା ‘ଲକ୍ଷ୍ମୀପୁରାଣ’ ରଚନା କାଳର, ଅର୍ଥାତ୍ ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ଓଡ଼ିଆ ରାନ୍ଧଣା। ଏପରି ରାନ୍ଧଣାର ବର୍ଣ୍ଣନା ମଧ୍ୟ ଆମେ ବଳରାମ ଦାସଙ୍କ ‘ରାମାୟଣ’ (ଦାଣ୍ଡି ରାମାୟଣ)ର ‘ଅଯୋଧ୍ୟା କାଣ୍ଡ’ରେ ପାଉ।
‘ଲକ୍ଷ୍ମୀପୁରାଣ’ର ବର୍ଣ୍ଣନାରେ ସେହି ଖାଦ୍ୟଦ୍ରବ୍ୟମାନ ଏହିପରି-
“ନାଡ଼ି ଲୁଳି କଲେ ତହିଂ କଦଳୀର ଭଜା
ଖଣ୍ଡ ପନିର ମିଶାଇ କଲେ ଖଣ୍ଡ ଖଜା।
ଦାନ୍ତିଆ ସଙ୍ଗତେ ମାଏ କାନ୍ତିଆ ମିଶାଇ
ମରିଚ ଭୁଲି ବୋଲି ପିଠାର ନାମ ଦେଇ।
ହଂସିକେଳି ଡାଳିମ୍ବ ପିଠା ରାନ୍ଧିଲେଣ
ଲଡ଼ୁ ଯେ ମୁଖୁଡ଼ି ମାଏ କଲେ ଯେ ଭିୟାଣ।
ଦୁଧପନି କଲେ ତହିଂ ଘୃତପନି କଲେ
ଦଧିପୁଳି କାକରା ଯେ ସବୁ ତିଆରିଲେ।
ସରପୁଳି ବୋଲି ଯେ ପିଠାର ଦିଲେ ନାମ
ଚିତଉ ନବାତ ମାଏ କଲେ ଯେ ଭିଆଣ।
ଚକୋଳି ଇଣ୍ଡୋରି ମାଏ କଲେକ ନିର୍ବାଣ
ବଡ଼ି ମହୁରିକୁ ଘେନି ଅନେକ ତିଉଣ।”
ଏ ସବୁ ତିଉଣ, ପିଠା ଆଦି ସାଙ୍ଗକୁ ଲକ୍ଷ୍ମୀ ଯେଉଁ ପଣା ତିଆରି କଲେ, ତାହାର ସୁନ୍ଦର ବର୍ଣ୍ଣନା ମଧ୍ୟ ‘ଲକ୍ଷ୍ମୀପୁରାଣ’ରେ ଅଛି। ଜୀର୍ଣ୍ଣ ଓ କୀଟଦଂଷ୍ଟ ପୋଥିରୁ ସଂପାଦିତ ସଂସ୍କରଣରେ ଯେତିକି ପାଠ ଉଦ୍ଧାର ହୋଇପାରିଛି, ତାହା ହେଉଛି-
“କ୍ରପୂର ମରିଚ ଦେଇ ପଣା ସଜାଡ଼ିଲେ
ଜାଇଫଳ ବାସକୁ ସୁବାସ ତାହା ସଜ କଲେ।
ପଇଡ଼ ସହିତ............................... ପଣା
ଅଦା ମିଶାଇଣ ଯେ ନବାତ ଖଣ୍ଡ ଛେନା।”
ଏସବୁ ସହିତ ଲକ୍ଷ୍ମୀ ସ୍ୱତନ୍ତ୍ର ଭାବରେ ପୋଡ଼ପିଠା ମଧ୍ୟ ପ୍ରସ୍ତୁତ କଲେ। ଅନ୍ନ ଭିତରେ ଥିଲା କଳନା କରି ନହେବା ପରି ବଗଡ଼ା ଅନ୍ନ। ତାହାର ବର୍ଣ୍ଣନା କରି ବଳରାମ ଦାସ କହିଛନ୍ତି-
“ଖଣ୍ଡିଏ ଖଣ୍ଡିଏ କରି ଯତନେ ସଂପାଦିଲେ
ଭୋଜନ ଶେଷକୁ ପୋଡ଼ପିଠାଏ ପୋଡ଼ିଲେ।
ଯେଉଁ ପୋଡ଼ପିଠା ମୂଲ ଷାଠିଏ କାହାଣ
ତାହା ଦିଲେ ଭୋଜନ କରନ୍ତି ନାରାୟଣ।
କୁଡ଼ିଆ ଷାଠିଏ ଗୋଟି ରାନ୍ଧି ମହାମାଈ
ବଗଡ଼ା ଭାତର କଥା କଳଣା ନ ଯାଇ।”
‘ଲକ୍ଷ୍ମୀ ପୁରାଣ’ର ବଜାର ସଂସ୍କରଣରେ ମଧ୍ୟ ଏହି ଲକ୍ଷ୍ମୀ-ରାନ୍ଧଣାର ବର୍ଣ୍ଣନା ଅତ୍ୟନ୍ତ ରୋଚକ। ଭିନ୍ନ ଭିନ୍ନ ପୋଥିରେ, ତାହାର ପ୍ରତିଲିପିକାରମାନେ ଏହି ରାନ୍ଧଣାରେ ନିଜ ନିଜ ସମୟର କେତେକ ପ୍ରଚଳିତ ଓ ଲୋକପ୍ରିୟ ଖାଦ୍ୟ ଯୋଡ଼ିଛନ୍ତି। ଗୋଟିଏ ପ୍ରାଚୀନ ପୋଥିରେ ବର୍ଣ୍ଣନା ଅଛି-
ପ୍ରଥମେ ଯେ କଲେ ମାଏ ବଗଡ଼ା ଯେ ଅର୍ଣ୍ଣ
ଘୃତ ମଧୁ ଦେଇ କଲେ ନାନାଦି ବ୍ୟଞ୍ଜନ।
ଶାଗ ମୁଗ କଲେ ମାଏ କଦଳୀର ଭଜା
ଖଣ୍ଡ କିରିସା ମିଶାଇ କଲେ ଖଣ୍ଡ ଖଜା।”
ସେହିପରି, ଅନ୍ୟ ପ୍ରାଚୀନ ପୋଥିରେ ବର୍ଣ୍ଣିତ ଅଛି-
“ପ୍ରଥମେ ରାନ୍ଧିଲେ ମାଏ ଦିବ୍ୟ ଶାଳି ଅନ୍ନ
ମୁଗ ମଧୁର ଲିମ୍ବ କଲେ ନାନାଦି ବ୍ୟଞ୍ଜନ,
ନାଉଂ ତୁନି କଲେ ତହୁଂ କଦଳୀର ଭଜା
ଖଣ୍ଡପନୀ ସଙ୍ଗତେ ମିଶାଇ ଖଣ୍ଡ ଖଜା।
ଷାଠିଏ ପଉଟି ଯେ ରାନ୍ଧଣା କଲେ ତହିଂ
ବଗଡ଼ା ଅର୍ଣ୍ଣ କଥା କହଣା ନ ଯାଇ।
ଦୁଧପନି କଲେ ତହୁଂ ଘୃତପୁନି କଲେ
ଦୁଧପୁଳି କାକରା ଯେ ସକଳ ମଣିଲେ।”
ବଜାର ସଂସ୍କରଣରେ ମଧ୍ୟ ଅଛି-
“ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ।
ମୁଗ ମଧୁରୁଚି କ୍ଷୀରି ନାନାଦି ବ୍ୟଞ୍ଜନ।ା
ଆମ୍ବିଳ ଶାକର କଲେ କଦଳୀର ଭଜା।
ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା।ା
ଏହିପରି ଭାବରେ, ବଳରାମ ଓ ଜଗନ୍ନାଥ ଦୁଇଭାଇଙ୍କ ପାଇଁ ଲକ୍ଷ୍ମୀ ନାନାବିଧ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରି ଦେଲେ।
-ଅସିତ ମହାନ୍ତି
ଲକ୍ଷ୍ମୀପୁରାଣ କଥା-୬୯: ‘ନାନା ବିଧି କଲେ ତହିଂ ସିନ୍ଧୁର ନନ୍ଦନୀ’
/sambad/media/post_attachments/wp-content/uploads/2022/11/laxmi-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)