ଲକ୍ଷ୍ମୀପୁରାଣ କଥା-୧୮: ନାରଦ-ପରାଶର ନା ନାରଦ-ଇନ୍ଦ୍ର?

ଅସିତ ମହାନ୍ତି

ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ, ଲକ୍ଷ୍ମୀ ଠାକୁରାଣୀ ବାମ ହେବାରୁ ବଡ଼ଦେଉଳର ଦୁଇ ଠାକୁରଙ୍କର ଘୋର ଦୁର୍ଦ୍ଦଶା ହେଲା। ସେ କାହାଣୀ ଦେବର୍ଷି ନାରଦ ଦେବରାଜ ଇନ୍ଦ୍ରଙ୍କୁ କହିଛନ୍ତି। ସେଥିରେ ସ୍ପଷ୍ଟ ଉଲ୍ଲେଖ ଅଛି-
“ବଦୟନ୍ତି ନାରଦ ହେ ଶୁଣ ମଘବାନ
ଲକ୍ଷ୍ମୀଛଡ଼ା ହୋଇଲେ ସେ ଜଗ ଯେ ମୋହନ।
ହୋଇଲେ ଯେମନ୍ତ ଭାବେ ଶୁଣ ମୁଁ କହଇ
ୟେକ ମନେ ଶୁଣ କର୍ଣ୍ଣ ସାବଧାନ ହୋଇ।”

ଅଥଚ, ବଜାର ସଂସ୍କରଣ ‘ମାଣବସା ଲକ୍ଷ୍ମୀପୁରାଣ’ ବା ‘ବିଶୁଦ୍ଧ ମାଣବସା ଲକ୍ଷ୍ମୀପୁରାଣ’ରେ, ସେହି କାହାଣୀ ପରାଶର କହିଛନ୍ତି ନାରଦଙ୍କୁ। ସମ୍ଭବତଃ ‘ଗୁରୁ ପଞ୍ଚମୀ ବ୍ରତ କଥା’ରେ ଥିବା ‘ପରାଶର-ମୈତ୍ରେୟ ସମ୍ବାଦ’ର ପ୍ରଭାବରେ ସେପରି କରାଯାଇଛି। ସେ ସଂପର୍କରେ ବର୍ଣ୍ଣନା ଅଛି-
“ଦିନେକ ନାରଦ ପରାଶର ମୁନି ଦୁଇ
ଭ୍ରମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇ।
x x x
ଏହା ଶୁଣି ପରାଶର ହୋଇ ହସ ହସ
କହନ୍ତି ବଚନ ଧୀରେ ଶୁଣ ବିଧି ଶିଷ୍ୟ।”

ନାରଦ ତ୍ରିକାଳଦର୍ଶୀ ମୁନି। ସେ ବ୍ରହ୍ମାଙ୍କର ଦଶ ମାନସପୁତ୍ରଙ୍କ ମଧ୍ୟରୁ ଜଣେ। ସେ ଦେବର୍ଷି। ଢିଙ୍କି ଆକୃତିର ଏକ ମନପବନ ଯାନ ଚଢ଼ି ମୁହୂର୍ତ୍ତକ ମଧ୍ୟରେ ସେ ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ଭ୍ରମଣ କରିପାରନ୍ତି। ତ୍ରିଲୋକର ସବୁ ଖବର ତାଙ୍କୁ ଜଣା। ଅପରପକ୍ଷରେ, ପରାଶର ବ୍ରହ୍ମାଙ୍କ ମାନସପୁତ୍ର ବଶିଷ୍ଠଙ୍କର ପୁତ୍ର (ବା ପୌତ୍ର)। ନାରଦଙ୍କ ପରି ମନପବନ ଯାନ ତାଙ୍କର ନାହିଁ। ତେଣୁ ନାରଦ ତାଙ୍କୁ ମର୍ତ୍ତ୍ୟର ଲକ୍ଷ୍ମୀପୂଜା ସଂପର୍କରେ ପଚାରିବା ଏବଂ ସେ ନାରଦଙ୍କୁ ସେ ସଂପର୍କରେ କହିବା ଯୁକ୍ତିସଙ୍ଗତ ମନେହୁଏ ନାହିଁ।

ଅନ୍ୟ ଗୋଟିଏ ପ୍ରସଙ୍ଗ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ।

ମାର୍ଗଶିର ମାସ ଗୁରୁବାରରେ ଅବଶ୍ୟ ଲକ୍ଷ୍ମୀପୂଜା ହୁଏ, କିନ୍ତୁ ‘ଲକ୍ଷ୍ମୀପୁରାଣ’ର କାହାଣୀ ମାର୍ଗଶିର ମାସର କଥା ନୁହେଁ। ତାହା ମେଷମାସ, ଅର୍ଥାତ୍ ବୈଶାଖ ମାସର କଥା। ନାରଦ ଇନ୍ଦ୍ରଙ୍କୁ ଯେଉଁ କାହାଣୀ କହିଛନ୍ତି, ସେଥିରେ ଏହାର ସ୍ପଷ୍ଟ ଉଲ୍ଲେଖ ଅଛି। ତାହା ହେଉଛି-
“ମେଷ ଯେ ଶୁକଳ ଯେ ଦଶମୀ ଗୁରୁବାର
ଲକ୍ଷ୍ମୀ ନାରାୟଣ ବ୍ରତ ପଡ଼େ ସେ ଦିନର।”

ଆମ ଓଡ଼ିଆ ଓଷ‌ାବ୍ରତ ପରମ୍ପରାରେ, ଶୁକ୍ଳଦଶମୀ ତିଥିରେ ଗୁରୁବାର ପଡ଼ିଲେ ତାହା ‘ସୁଦଶାବ୍ରତ’ ରୂପେ ପାଳିତ ହୁଏ। ‘ଲକ୍ଷ୍ମୀପୁରାଣ’ର ଶେଷରେ ବଳରାମ ଦାସ ମଧ୍ୟ ତାହା ହିଁ କହିଛନ୍ତି। ତାଙ୍କର ବର୍ଣ୍ଣନା ଅନୁସାରେ-
“ଦଶମୀ ଯେ ଗୁରୁବାର ସୁଦଶାର ବ୍ରତ
ଏହା କଲେ ଧନଜନ ହୋଇବ ପ୍ରାପତ।
ଗୁରୁବାରେ ଯେଉଁ ଜନ ଏହାକୁ ପଢ଼ଇ
ଜନ୍ମଜନ୍ମାନ୍ତର ତା’ର ଦୁରିତ ହରଇ।”

ସେହି ଅନୁସାରେ, ମାର୍ଗଶିର ମାସ ଗୁରୁବାରର ଲକ୍ଷ୍ମୀପୂଜାରେ ‘ଲକ୍ଷ୍ମୀ ପୁରାଣ’ ପାଠର ପରମ୍ପରା ପ୍ରଚଳିତ ହୋଇଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖନୀୟ, ଯେ ଶୁକ୍ଳଦଶମୀ ତିଥି ଗୁରୁବାରରେ ପଡ଼ିଲେ ଯେପରି ସୁଦଶାବ୍ରତ ହୁଏ, ସେହିପରି କୌଣସି ମାସର ଶୁକ୍ଳଏକାଦଶୀ ତିଥି ଗୁରୁବାରରେ ପଡ଼ିଲେ ‘ଲକ୍ଷ୍ମୀ-ନାରାୟଣ ବ୍ରତ’ ହୁଏ। ଅନ୍ୟ ଓଷାବ୍ରତ ପରି ଏ ବ୍ରତର ମଧ୍ୟ ବ୍ରତକଥା ଅଛି। ଗୋଟିଏ ବ୍ରତକଥା ଏହିପରି-

ଦିନେ ଯୁଧିଷ୍ଠିରଙ୍କ ପାଖରେ ଆସି ପହଞ୍ଚିଲେ ଦେବର୍ଷି ନାରଦ। ଯୁଧିଷ୍ଠିର ତାଙ୍କୁ ଆଦରସତ୍କାର କରି ଆସନ ଦେଲେ ଏବଂ ପଚାରିଲେ- ହେ ଦେବର୍ଷି! କୁହ, କେଉଁ ବ୍ରତ କଲେ ଲୋକ ଧନଧାନ୍ୟ, ପୁତ୍ର, ସୁଖ, ଐଶ୍ୱର୍ଯ୍ୟ, ରାଜବିଭବ ଓ ଗୋ-ମହିଷାଦି ପଶୁ ସଂପଦ ପ୍ରାପ୍ତ ହୁଏ ଏବଂ ଅନ୍ତକାଳରେ ପୁଣ୍ୟବନ୍ତ ରୂପେ ବୈକୁଣ୍ଠ ଲାଭ କରେ?

ତାହାର ଉତ୍ତରରେ ଦେବର୍ଷି ନାରଦ କହିଲେ- ହେ ମହାରାଜ! ଲକ୍ଷ୍ମୀ-ନାରାୟଣ ବ୍ରତ କଲେ ଏ ସମସ୍ତ ପ୍ରାପ୍ତ ହୁଏ। ପୂର୍ବକାଳରେ ଅସୁରଙ୍କ ଦ୍ୱାରା ପୀଡ଼ିତ ହୋଇ ଇନ୍ଦ୍ର ଦେବଗୁରୁ ବୃହସ୍ପତିଙ୍କୁ ଏ ପ୍ରଶ୍ନ ପଚାରିଥିଲେ। ବୃହସ୍ପତି ଉତ୍ତର ଦେଇଥିଲେ- ମଧୁସୂଦନ ଅର୍ଥାତ୍ ସ୍ୱୟଂ ନାରାୟଣ କହିଛନ୍ତି, ଲକ୍ଷ୍ମୀ-ନାରାୟଣ ବ୍ରତ ହଁ ବ୍ରତମାନଙ୍କ ମଧ୍ୟରେ ଉତ୍ତମ। ଏହି ବ୍ରତରେ ଲକ୍ଷ୍ମୀ-ନାରାୟଣଙ୍କର ସ୍ୱର୍ଣ୍ଣ ବା ରୌପ୍ୟ ପ୍ରତିମାଙ୍କୁ ପ୍ରତି ଗୁରୁବାରରେ ପୂଜା କରାଯାଏ।

କିନ୍ତୁ ମାର୍ଗଶିର ମାସର ଗୁରୁବାର ପରି, ଶୁକ୍ଳ-ଦଶମୀ ଗୁରୁବାର ହେଉଛି ଲକ୍ଷ୍ମୀଙ୍କର ବ୍ରତ। ଏଣୁ ବଳରାମ ଦାସ, ଗୋଟିଏ ଶୁକ୍ଳଦଶମୀ ଗୁରୁବାରରୁ ହିଁ ତାଙ୍କ ‘ଲକ୍ଷ୍ମୀପୁରାଣ’ର କାହାଣୀ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର