ବ୍ରାହ୍ମଣ ଦୁଇଭାଇ ଆଉ କିଛି ମାଗୁ ନାହାନ୍ତି; ଅନ୍ନଦାନ ମାଗୁଛନ୍ତି। ଏହା ଜାଣି କମଳିନୀ ସାନନ୍ଦ ହେଲେ। କାରଣ ତାହାହିଁ ଥିଲା ତାଙ୍କର ଲକ୍ଷ୍ୟ। ଦାସୀ କରୁଣାକୁ କହିଲେ- ତାଙ୍କୁ ରତ୍ନଝରିରେ ଜଳ, ନୂଆ ହାଣ୍ଡି ଓ ଚାଉଳ ଆଦି ଯୋଗାଇ ଦେ’। ଦୁହେଁ ରୋଷେଇ କରନ୍ତୁ। କିନ୍ତୁ ତାଙ୍କୁ କହ, ଯେ ଇଏ ଚଣ୍ଡାଳ ଘର। ତୁମେ ବ୍ରାହ୍ମଣ ହୋଇ କାହିଁକି ନିଜର କୁଳ ବୁଡ଼ାଇବ?
“ବଚନ ବୋଲିବୁ ବ୍ରାହ୍ମଣଙ୍କ ମୁଖ ଚାହିଂ
ଚଣ୍ଡାଳୁଣୀ ଘର ଯେ ଅଟଇ ଗୋସାଇଂ।
ବ୍ରାହ୍ମଣର କୁଳ ବୁଡ଼ାଇବ କାହିଂ ପାଇଂ
ଏମନ୍ତ ବଚନ ତାଙ୍କୁ ବେଗେ କହ ଯାଇଂ।”
ଏହା ଲକ୍ଷ୍ମୀ କହିଲେ; କାରଣ ଏହାହିଁ ‘ଲକ୍ଷ୍ମୀ ପୁରାଣ’ର ମୂଳ ଉଦ୍ଦେଶ୍ୟ; ସମାଜରେ ପ୍ରଚଳିତ ବ୍ରାହ୍ମଣ -ଚଣ୍ଡାଳ ଭେଦଭାବର ବିରୋଧ।
ସେଇଠୁ ହେଲା ରନ୍ଧନର ଆୟୋଜନ। ଲକ୍ଷ୍ମୀଙ୍କ ଆଦେଶ ପାଳି କରୁଣା ଯାଇ ଚୁଲିଟିଏ ପାରିଦେଲା। ପାଣି ଆଦି ସମସ୍ତ ଦ୍ରବ୍ୟ ଯୋଗାଇ ଦେଇ “ରନ୍ଧନ କର ହୋ ବିପ୍ର” ବୋଲି କହିଲା। ‘ଲକ୍ଷ୍ମୀପୁରାଣ’ର ମୂଳପାଠରେ ଏତିକି ମାତ୍ର ବର୍ଣ୍ଣନା ଥିବା ବେଳେ, ପୋଥିର ପରବର୍ତ୍ତୀ ପ୍ରତିଲିପିକାରମାନେ ସେଥିରେ ଅନେକ ପଦ ଯୋଡ଼ି ଦେଇଛନ୍ତି। ବଜାର ସଂସ୍କରଣରେ ଅଛି ତାହାର ରୋଚକ ଦୃଷ୍ଟାନ୍ତ। ଉଲ୍ଲେଖ ଅଛି-
“ଦାସୀମାନେ କହନ୍ତି ଲକ୍ଷ୍ମୀଙ୍କ ଆଗେ ଯାଇ।
ହାତେ ରାନ୍ଧି ଭୋଜନ କରିବେ ଦୁଇ ଭାଇ।।
ଏହା ଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ।
ଦାସୀଙ୍କ ହସ୍ତରେ ହାଣ୍ଡି ଦଶଗୋଟି ଦେଲେ।।
ଚାଉଳ ପୌଟିଏ ନେଇ ଛାମୁରେ ରଖିଲେ।
ଲେଉଟିଆ ଶାଗ ନେଇ ପୁଳାଏକ ଦେଲେ।।
ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ।
ଦୁଧ ଦହି ଛେନା ଯେ ଶର୍କରା ଦେଲେ ପୁଣ।।”
ଗୋଟିଏ ପୋଥିରେ ପୁଣି “ଦୁଧ ଭାର ଗୋଟା ଚାରି ଛାମୁରେ ଥୋଇଲେ” ବୋଲି ବର୍ଣ୍ଣନା ଅଛି। ଏସବୁ ଦେଇ, “ଏବେ ଯେତେ ଇଚ୍ଛା ତେତେ ଭୁଞ୍ଜ ହେ।” ବୋଲି କହିଲେ।
ପରେ ଯୋଡ଼ା ହୋଇଥିବା ଏହି ପଦଗୁଡ଼ିକ ଅବଶ୍ୟ ‘ଲକ୍ଷ୍ମୀପୁରାଣ’କୁ ଅଧିକ ଲୋକପ୍ରିୟ କରିବାରେ ସହାୟକ ହୋଇଛି- କିନ୍ତୁ ମୂଳ ପ୍ରସଙ୍ଗକୁ ପୁଷ୍ଟ କରୁନାହିଁ। କାରଣ, ମୂଳ ପ୍ରସଙ୍ଗ ହେଉଛି- ଦୁଇ ଭାଇ ରନ୍ଧନ କାର୍ଯ୍ୟରେ ଅସଫଳ ହେଲେ ହିଁ ଚଣ୍ଡାଳୁଣୀ ଘରେ ତା’ ହାତରନ୍ଧା ଖାଇବେ। ପୁଣି ଅନ୍ୟ ଦୃଷ୍ଟିରୁ ଦେଖିଲେ- ଯଦି ଚାରି ଭାର ଦୁଧ ସାଙ୍ଗକୁ ଦହି ଓ ଛେନା ଆଦି ଥିଲା, ତେବେ ଦୁଇ ଭାଇ ତାହାକୁ ତ ଖାଇ ନିଜର ଭୋକ ମେଣ୍ଟାଇ ପାରିଥାନ୍ତେ; ରନ୍ଧନର କି ପ୍ରୟୋଜନ ବା ଥିଲା?
କିନ୍ତୁ ରନ୍ଧନର ପ୍ରୟୋଜନ ଅଛି। କାରଣ, ମୂଳ ପାଠ ଅନୁସାରେ, ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ କରୁଣା ଦାସୀ ତାଙ୍କୁ ଚୁଲି, ପାଣି ଓ ହାଣ୍ଡି ଆଦି ଯୋଗାଡ଼ି ଦେବା ସହିତ ଚାଉଳ ବି ଦେଇଛି। ବର୍ଣ୍ଣନା ଅଛି-
“ଦେଖି କରି ସାନନ୍ଦ ଯେ ପ୍ରଭୁ ନାରାୟଣ
ରନ୍ଧନକୁ ବିଜେ କଲେ କମଳଲୋଚନ।
ଚୁଲିର ଉପରେ ହାଣ୍ଡି ଆଣି ବସାଇଲେ
କାଷ୍ଠ ଯେ ଭରିଣ ଚୁଲି ଲଗାଇଲେ।”
କିନ୍ତୁ ‘ହଟି କମଳିନୀ’ଙ୍କର ହଟ ସରି ନଥିଲା। କାରଣ, ଦୁଇଭାଇ ଯଦି ହାତରେ ରୋଷେଇ କରି ଖାଇନେବେ, ତେବେ ଜାତିଭେଦକୁ ନେଇ ସମାଜରେ ଯେଉଁ ଅସଙ୍ଗତି ଅଛି, ତାହା ରହିଥିବ। ସମାଜରେ ଚଣ୍ଡାଳ ଅଛବ ହୋଇ ରହିବେ। ଗୃହରେ ମଧ୍ୟ ନାରୀ ତା’ର ବାଂଛିତ ସ୍ଥାନ ପାଇପାରିବ ନାହିଁ।
ଏ ବାବଦରେ ତେଣୁ ମୂଳ ପାଠରେ ବର୍ଣ୍ଣନା ଅଛି-
“ଅଗ୍ନି ଯେ ଦେବତାଙ୍କୁ ମାଏ ସୁମରଣା କଲେ
ବ୍ରାହ୍ଣଣ ଯେ ବେନିଭାଇ ରନ୍ଧନକୁ ଗଲେ।
ଭୋ ଅଗ୍ନି ଦେବତା ମୁଂ ଯେ ତୋହରେ ଶରଣ
ରନ୍ଧନକୁ ଯାଇଛନ୍ତି ଶ୍ରୀମଧୁସୋଦନ।
ହାଣ୍ଡି ନ ତାତିବ ତଳ କଳା ନପଡ଼ିବ
ଏକାବେଳେ କାଷ୍ଠଯାକ ଜଳି କରି ଯିବ।
ଫୁଙ୍କି ଫୁଙ୍କି ପ୍ରଭୁର ଦେହ ହେବ ଖିନ
ଲେଉଟିୟନ୍ତି ଖାଇବେ ମୋହରି ହସ୍ତେଣ।”
ଏହା ହିଁ ‘ଲକ୍ଷ୍ମୀପୁରାଣ’ର ମୂଳ ଲକ୍ଷ୍ୟ। କାରଣ, ପୂର୍ବଦିନ ବଡ଼ଦେଉଳ ଛାଡ଼ିବା ବେଳେ ଲକ୍ଷ୍ମୀ ଅଭିଶାପ ଦେଇ କହିଥିଲେ-
“ମୁହିଂ ଚଣ୍ଡାଳୁଣୀ ଯେବେ ରାନ୍ଧିଦେବି ଅନ୍ନ
ତୁମ୍ଭେ ହେ ଭୁଂଜିବ ପ୍ରଭୁ କାଳୀୟଗଂଜନ।”
-ଅସିତ ମହାନ୍ତି
Advertisment
Sambad is now on WhatsApp
Join and get latest news updates delivered to you via WhatsApp