କେବଳ ମାର୍ଗଶିର ମାସର ଗୁରୁବାରରେ ନୁହେଁ; ଅନ୍ୟ ଗୁରୁବାରରେ ବି ଲକ୍ଷ୍ମୀପୂଜା ବା ଲକ୍ଷ୍ମୀବ୍ରତ ଅଛି। ସେଥିରୁ ତିନିଟି ପ୍ରମୁଖ ବ୍ରତ ହେଉଛି- ଚତୁର୍ମାସ୍ୟା ଗୁରୁବାର, ଗୁରୁପଞ୍ଚମୀ ଓ ସୁଦଶାବ୍ରତ।
‘ଚତୁର୍ମାସ୍ୟା ଗୁରୁବାର’କୁ ନେଇ ଥିବା ବ୍ରତକଥା ଅନୁସାରେ, ଏହି ଚାରିମାସ ହେଉଛି- ଶ୍ରାବଣ, ଭାଦ୍ରବ, ଆଶ୍ୱିନ ଓ କାର୍ତ୍ତିକ। ପ୍ରାୟ ଏହି ସମୟକୁ ବିଷ୍ଣୁ ନିଦ୍ରା ଯାଇଥାନ୍ତି। ଏ ପ୍ରସଙ୍ଗରେ ଏକ ଉଲ୍ଲେଖନୀୟ ବିଷୟ ହେଉଛି- ଆଷାଢ଼ ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାରିମାସ, ସାଧୁସନ୍ଥମାନେ ଗୋଟିଏ ସ୍ଥାନରେ ରହି ଯଜ୍ଞ ଓ ଭଜନ କୀର୍ତ୍ତନ ଆଦି କରି ଚତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି। ଗୌତମ ବୁଦ୍ଧ ମଧ୍ୟ ଏହି ଚାରିମାସ ‘ବର୍ଷା ବାସ’ ଭାବରେ ବିତାଉଥିଲେ।
ଏହି ଚାରିମାସର ଗୁରୁବାରଗୁଡ଼ିକ ମଧ୍ୟ ଲକ୍ଷ୍ମୀପୂଜାର ବାର। ‘ଚତୁର୍ମାସ୍ୟା ଗୁରୁବାର’ ନାଆଁରେ ଯେଉଁସବୁ ବ୍ରତ କଥା ଅଛି, ସେଥିରେ ଚେତି ମାଲୁଣୀ ଓ ଅଚେତି ସାଧବାଣୀ, ସାଧବ-ସାଧବାଣୀ, ରାଣ୍ଡୀବ୍ରାହ୍ମଣୀ ଓ ଶ୍ରୀୟା ମାଲୁଣୀଙ୍କର କାହାଣୀ କୁହାଯାଇଛି।
ଏହି ବ୍ରତର ବିଧି ଅନୁସାରେ, ଶ୍ରାବଣ ମାସରେ ତରଣ ଖାଇ ଶରଣ ପଶନ୍ତି; ଭାଦ୍ରବ ମାସରେ ଚିତଉ ଖାଇ ଚିତ୍ତ ଖଟାନ୍ତି; ଆଶ୍ୱିନ ମାସରେ ସର ଖାଇ ସମର୍ପି ହୁଅନ୍ତି ଏବଂ କାର୍ତ୍ତିକ ମାସରେ ପୁଳି ଖାଇ ବ୍ରତ ପୂରଣ କରନ୍ତି।
ଗୋଟିଏ ବ୍ରତକଥା ଅନୁସାରେ, ଶ୍ରୀୟା ମାଲୁଣୀ ସେହିପରି ଭାବରେ ବ୍ରତ କରେ। ସାଧବାଣୀ ତାର ସଙ୍ଗାତ। ସେ ଫୁଲ ତୋଳି ଆଣି ସାଧବାଣୀକୁ ଦିଏ। ଶ୍ରାବଣ ମାସ ଗୁରୁବାରରେ ଆସି ଫୁଲ ଦେବାବେଳେ ଦେଖିଲା, ସାଧବାଣୀ ମାଛ ତୁଉଣ ଘେନି ଭାତ ଖାଉଛି। ଚତୁର୍ମାସ୍ୟା ଗୁରୁବାର ବ୍ରତ ନକର କି ବୋଲି ପଚାରିବାରୁ ସାଧବାଣୀ କ୍ରୋଧ ହେଲା। କହିଲା- ସେ ଗୁରୁବାର ମୁଁ ବହୁତ କରିଛି, ଆଉ କରିବା କି ଦରକାର? ମାଲୁଣୀ ତାକୁ ଫୁଲ ପୋଟଳାଟି ଦେବାରୁ ସେ ଡାକିଲା- ଆଗୋ ଲକ୍ଷ୍ମୀ, ଏ ଫୁଲ ନିଅ। ତା’ ଡାକ ଶୁଣି ଠାକୁରାଣୀ ଗଙ୍ଗା ଯମୁନା ମରେଇରୁ ବାହାରିଲେ। ବସନ୍ତ ପାଟ ପିନ୍ଧିଛନ୍ତି, ଖଣ୍ଡୁଆ ଉପରାଣ ଦେଇଛନ୍ତି, ଅଷ୍ଟ ଅଳଙ୍କାର, ରତ୍ନଜଡ଼ିତ ଆଭରଣ ହୋଇଛନ୍ତି, ମୁକୁତା ମାଳ ପଡ଼ିଛନ୍ତି। ୟେ ରୂପେ ଆସି, ଫୁଲ ପୁଟୁଳାଟି ନେଇ ପୁଣି ଗଙ୍ଗା ଯମୁନା ମରେଇରେ ପଶିଗଲେ।
ଏହିପରି ଶ୍ରାବଣ, ଭାଦ୍ରବ ଓ ଆଶ୍ୱିନ- ପ୍ରତି ମାସରେ ଘଟିଲା। ଚତୁର୍ଥ ମାସରେ ଶ୍ରୀୟା ମାଲୁଣୀ କହିଲା- ପ୍ରଥମ ମାସରେ ବ୍ରତ ନ କଲ, ଦ୍ୱିତୀୟ ମାସରେ ନ କଲ, ତୃତୀୟ ମାସରେ ନ କଲ; ଏବେ ଚତୁର୍ଥ ମାସ ହେଲା, ଏଥର ତ ବ୍ରତ କର। ତାହା ଶୁଣି ସାଧବାଣୀ ବଡ଼ କ୍ରୋଧ ହେଲା। ତାକୁ ଗାଳି ଦେଇ କହିଲା- ଏ ଡାହାଣୀ ମୋ ଖାଇବାକୁ ଦୃଷ୍ଟି କରୁଛି। ଯାହା ନ କହ ବୋଇଲେ ସେଇ କଥା କହୁଛି।
ତାହା ଶୁଣି ମାଲୁଣୀ କହିଲା- ହେ ମହାଲକ୍ଷ୍ମି! ଯେ ତୋତେ ଅନାଦର କରଇ ତାକୁ ତୁ ଆଦର କରୁ। ଯେ ଆଦର କରଇ ତାକୁ ତୁ ଅନାଦର କରୁ। ଏହା କହି ସେଠୁ ଚାଲି ଆସି, ପୂଜା ସାରି, ପୁଳି ଭୋଗ ନ ଖାଇ, ମନ ଦୁଃଖରେ ଶୋଇଲା। ତାହା ଜାଣି, ଦୟଣାମାଳ ଓ ମହାପ୍ରସାଦ ଘେନି ଲକ୍ଷ୍ମୀ ଆସି ମାଲୁଣୀର ମୁଣ୍ଡ ସିନ୍ଥାଣ ଉପରେ ଉଭା ହେଲେ। ବୋଇଲେ- ଉଠୁ ଉଠୁ। ସେ ସାଧବାଣୀ ପୂର୍ବେ କରିଥିବାରୁ, ଏବେ ପାଉଛି। ତୁ ଏବେ କରୁଛୁ, ପରେ ପାଇବୁ। ସେ ଯାହା ହେବ ତୁ ଦେଖିବୁ, ତୁ ଯାହା ହେବୁ ସେ ଦେଖିବ।
ସେହି ଅନୁସାରେ, ମରଣ ପରେ ଶ୍ରୀୟା ମାଲୁଣୀ ଲକ୍ଷଶ୍ରୀୟା ନାମରେ ସାଧବ ଘରେ ଜନ୍ମ ହୋଇ ସେ ରାଇଜର ରଜାଙ୍କ ପାଟ ମହାଦେଈ ହେଲା। ସାଧବାଣୀ ଶବରୁଣୀ ଘରେ ଜନ୍ମ ହୋଇ ସାତ ପୁଅର ମାଆ ହେଲା। ପାଟ ମହାଦେଈ ହୋଇ ଶ୍ରୀୟା ମାଲୁଣୀ ଜଗତି ଉପରେ ବସିବା ବେଳେ, ଶବରୁଣୀର ସାତପୁଅ କାଠଭାର ଧରିଲେ ଆଉ ସାତବୋହୂ ପେଜହାଣ୍ଡି ଧରି ବସିଲେ।
ପରିଶେଷରେ, ଦିନେ ରଥଯାତ୍ରାରେ ଦୁହିଁଙ୍କର ଭେଟ ହେଲା। ଜାତକେଶ୍ୱର ହୋଇଥିବାରୁ ଦୁହେଁ ଦୁହିଁଙ୍କୁ ଚିହ୍ନିପାରିଲେ। ଅନେକ ଟଙ୍କା, ସୁନା ଦେଇ ରାଣୀ ଆଜ୍ଞା ଦେଲେ- ସଙ୍ଗାତ, ଏବେ ଲକ୍ଷ୍ମୀଙ୍କ ବ୍ରତ କର, ଫଳ ପାଇବ। ଅଭକ୍ଷ ନ ଭକ୍ଷିବ। ଅଶୁଚିବନ୍ତ ନହୋଇବ।
ସେହିପରି କରିବାରୁ, ଶବରୁଣୀ ପୁଣି ସାଧବ ଘରେ ଜନ୍ମ ହୋଇ ସୁଖରେ ରହିଲା।