ପୂର୍ବ ଦୁଇ ଧାନ ମାଣିକା ଓଷା କଥା ପରି, ଆଉ ଗୋଟିଏ ଧାନମାଣିକା ଓଷାକଥା ମଧ୍ୟ ଆମ ଓଡ଼ିଆରେ ଅଛି। ସେ ଓଷାକଥାଟି ଅତ୍ୟନ୍ତ ରୋଚକ।
ସେ ଓଷାକଥାର ନାୟିକା ବି ଶ୍ୟାମାଦେଈ। ସେ ସାଧବଘର ଝିଅ। ବୁଢ଼ୀ ବେଶରେ ଆସିଥିବା ଲକ୍ଷ୍ମୀଦେବୀଙ୍କୁ ସାଧବାଣୀ ଘଉଡ଼ାଇ ଦେବା ପରେ, ତାଙ୍କଠୁଁ ଶୁଣି ଶ୍ୟାମାଦେଈ ଧାନମାଣିକା ଓଷା କଲା ଏବଂ ତାହାର ଫଳ ରୂପେ ରାଇଜର ରାଜାଙ୍କୁ ବାହା ହୋଇ ପାଟରାଣୀ ହେଲା। ସେ ରାଣୀ ହୋଇ ଚାଲିଯିବା ପରେ ସାଧବ ଘରକୁ ଲକ୍ଷ୍ମୀ ଛାଡ଼ିଗଲେ।

Advertisment

ସାଧବର ଦୁଃଖକଷ୍ଟ ଦେଖି ଲୋକେ କହିଲେ- ତୁମ୍ଭର ଝିଅ ତ ରାଇଜର ରାଣୀ- ପାଟ ମହାଦେଈ; ତୁମ୍ଭେ ଗଲେ ତୁମ୍ଭଙ୍କୁ ନ ପୋଷିବ କି? ତାହା ଶୁଣି, ସାଧବ ପୁଅକୁ ଡାକି ଭଉଣୀ ଘରକୁ ପଠାଇଲା। କହିଲା- ତୋ ଭଉଣୀ ତ ପାଟ ମହାଦେଈ ହୋଇଚି; ଯା’, ଯାହା ଦେବ ଧରି ଆସିବୁ।

ଭାଇ ଆସିବା ଖବର ପାଇ ଶ୍ୟାମାଦେଈ ତାକୁ ରାଜନଅରକୁ ଡକାଇ ନେଲା। ଆଦର ସତ୍କାରରେ ଭାଇ ସେଠି ଆଠଦିନ ରହିଲା। ଫେରିଲା ବେଳକୁ ଭଉଣୀ କଖାରୁ ଗୋଟିଏ କୋରେଇ, ତା’ ଭିତରେ କିଛି ଅସରପି (ସୁନା ମୋହର) ପୂରେଇ, କଖାରୁଟିକୁ ତା’ ହାତରେ ଦେଲା। କହିଲା- ବାବୁରେ, ଏ କଖାରୁକୁ କାହାକୁ ଦେବୁ ନାହିଁ। ଘରକୁ ନେଇ କାଟିବୁ। କିନ୍ତୁ ବାଟରେ ମହାଲକ୍ଷ୍ମୀ ବୁଢ଼ୀ ବେଶରେ ଆସି ତାକୁ କଖାରୁଟିକୁ ମାଗିଲେ। କେଉଁ ସୁଖରେ ଏ କଖାରୁଟିକୁ ଘରକୁ ନେବିି ଭାବି, ଭାଇ ସେ କଖାରୁଟିକୁ ତାଙ୍କୁ ଦେଇଦେଲା।

ତା’ପରେ ମହାଲକ୍ଷ୍ମୀ ଯାଇ ଶ୍ୟାମାଦେଈକୁ କହିଲେ- ମୋ ଦୋରେହା (ଦ୍ରୋହୀ) ଘରକୁ ଲୁଚାଇ ଅସରପି ଦେଉଛୁ? ଶ୍ୟାମାଦେଈ ଦୋଷ ସ୍ୱୀକାର କଲା। ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି କ୍ଷମା ମାଗିଲା।

ଏହିପରି ଭାବରେ, ଶ୍ୟାମାଦେଈ ଉଆସକୁ କେବେ ସାଧବବୋହୂ ତ କେବେ ସାଧବ ଆସିଲେ। ଶ୍ୟାମାଦେଈ କେତେବେଳେ ପିଠା ଭିତରେ ତ କେତେବେଳେ ବାଡ଼଼ି ଭିତରେ ସୁନା ମୋହର ପୂରାଇ ଦେଲା। ମାତ୍ର ସାଧବାଣୀ ଲକ୍ଷ୍ମୀଙ୍କ ଦୋରେହା ହୋଇଥିବା ହେତୁ, ଲକ୍ଷ୍ମୀ ସେ ସବୁ ହରିନେଲେ।

ଶେଷରେ ଆସିଲା ସାଧବାଣୀ। ସେ ଲକ୍ଷ୍ମୀ ଦୋରେହା ହୋଇଥିବାରୁ, ଶ୍ୟମାଦେଈ ତାକୁ ଗୁରୁବାର ବ୍ରତ କରିବାକୁ କହିଲା। ମାତ୍ର ସାଧବାଣୀ ସବୁ ପାଳିରେ କିଛି ନା କିଛି ବିଘ୍ନ କଲା। ଫଳରେ ଶ୍ୟାମାଦେଈ କୌଶଳ କରି ତାକୁ ଘରୁ ଘଉଡ଼େଇ ଦେଲା। ସାଧବାଣୀ ଯେ ଦିନେ ଲକ୍ଷ୍ମୀଙ୍କୁ ଘରୁ ଘଉଡ଼େଇ ଦେଇଥିଲା, ତାର ଫଳ ପାଇଲା। ସେଥିରେ ଲକ୍ଷ୍ମୀ ପ୍ରସନ୍ନ ହୋଇ ଶ୍ୟାମାଦେଈକୁ ବର ଯାଚିଲେ। ଶ୍ୟାମାଦେଈ ମା’ର ସବୁ ଦୋଷ କ୍ଷମା କରି ଦେବାକୁ ତାଙ୍କୁ ବର ମାଗିଲା। ଫଳରେ ସାଧବାଣୀ ଘରର ପୂର୍ବ ସୌଭାଗ୍ୟ ଫେରି ଆସିଲା।

ତା’ ପରେ ଦିନେ ଶ୍ୟମାଦେଈ ନିଜ ବାପଘରକୁ ଗଲା। କିନ୍ତୁ ସାଧବାଣୀ ପୂର୍ବ କଥା ମନେ ପକାଇ ତା’ ମୁହଁ ଚାହିଁଲା ନାହିଁ। ତେଣୁ ଶ୍ୟାମାଦେଈ ଲୁଣ ଗୋଟିଏ ତୁଣ୍ଡରେ ପକାଇ, ସିନ୍ଦୂର କଜ୍ଜ୍ୱଳ ନାଇ, ପାଲିଙ୍କିରେ ବସି ସେଠୁ ଫେରି ଆସିଲା।

ଶ୍ୟାମାଦେଈ ସଅଳ ବାପଘରୁ ଫେରିଆସିବା ଦେଖି ରାଜା ତାକୁ ପଚାରିଲେ- ଏଡ଼େ ବେଗି ଚାଲି ଆସିଲୁ; କି ଘେନି ଅଇଲୁ? ଶ୍ୟାମାଦେଈ କହିଲା- ସଂସାରର ସାର ଘେନି ଅଇଲି। ସଂସାରର ସାର ଖାଇ ଅଇଲି, ପରେ ସେ କଥା କହିବି। ତା’ ପରଦିନ ଶ୍ୟାମାଦେଈ କୌଶଳ କରି ରାଜାଙ୍କୁ ବୁଝାଇ ଦେଲା, ଯେ ଲୁଣ ବିନା ତୁଉଣ ସୁଆଦ ଲାଗେ ନାହିଁ; ତେଣୁ ଲୁଣ ହେଉଛିି ସଂସାରର ସାର। ସେହିପରି, ସିନ୍ଦୂର ଓ କଜ୍ଜ୍ୱଳ ବିନା ନାରୀ ଶୋଭା ପାଏ ନାହିଁ; ତେଣୁ ତାହା ମଧ୍ୟ ସଂସାରର ସାର।

ଏହି ଧାନମାଣିକା ଓଷା କଥାରେ, ଦୁହିତା କିପରି ଦୁଇ କୁଳକୁ ହିତା, ତାହା କୁହାଯାଇଛି। ପୁଣି, ଲକ୍ଷ୍ମୀଦ୍ରୋହୀ ହେଲେ କିପରି କଷ୍ଟ ମିଳେ ଏବଂ ସେ ପ୍ରସନ୍ନା ହେଲେ କିପରି ସୌଭାଗ୍ୟ ଫେରିଆସେ, ସେ କଥା ବି କୁହାଯାଇଛି।

ଅସିତ ମହାନ୍ତି