ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ପାସେଞ୍ଜର, ଏକ୍ସପ୍ରେସ, ସୁପରଫାଷ୍ଟ ଟ୍ରେନ ଦେଖିଥିବେ | ଟ୍ରେନର ବେଗକୁ ଆଧାର କରି ଏହାକୁ ପାସେଞ୍ଜର ଅଥବା ଏକ୍ସପ୍ରେସ ଭାବରେ ବିଭକ୍ତିକରଣ କରାଯାଇଥାଏ | ତେବେ ଆମେ ଯଦି ଆପଣଙ୍କୁ ପଚାରିବୁ ଯେ ସବୁଠାରୁ କମ ବେଗରେ ଯାଉଥିବା ଟ୍ରେନ ବାବଦରେ ଜାଣିଛନ୍ତି କି? ଆପଣ କହିବେ ଯେ ପାସେଞ୍ଜର ଟ୍ରେନ ହିଁ ସବୁଠାରୁ କମ ବେଗରେ ଯାଇଥାଏ | ତେବେ ଏହା ସତ ନୁହେଁ | ପାସେଞ୍ଜର ଟ୍ରେନଠାରୁ ବି କମ ବେଗରେ ଯାଉଥିବା ଏକ ଟ୍ରେନ ଅଛି | ଏହି ଟ୍ରେନର ନାମ ହେଉଛି ନୀଳଗିରି ମାଉଣ୍ଟେନ୍ ଟ୍ରେନ | ଏହି ଟ୍ରେନ୍ ନୀଳଗିରି ପର୍ବତ ଦେଇ ଯାଉଥିବାବେଳେ ବ୍ରିଟିଶମାନେ ଏହାକୁ ଆରମ୍ଭ କରିଥିଲେ | ନୀଳଗିରି ମାଉଣ୍ଟେନ୍ ରେଲୱେ ହେଉଛି ଭାରତର ସବୁଠାରୁ ଧୀର ଟ୍ରେନ୍ | ଘଣ୍ଟାକୁ ୯ କିଲୋମିଟର ବେଗରେ ଯାତ୍ରା କରୁଥିବା ଏହି ଟ୍ରେନ୍ ପାଞ୍ଚ ଘଣ୍ଟା ମଧ୍ୟରେ ୪୬ କିଲୋମିଟର ଦୂରତା ଅତିକ୍ରମ କରେ | ଏହା ଭାରତର ଦ୍ରୁତତମ ଟ୍ରେନ୍ ଠାରୁ ପ୍ରାୟ ୧୬ ଗୁଣ ଧୀର ହୋଇଥିବାବେଳେ ଏହା ମେଟ୍ଟୁପାଲାୟମରୁ ଉଟି ପର୍ଯ୍ୟନ୍ତ ଚାଲିଥାଏ |
ଏହି ଟ୍ରେନରେ ପ୍ରାୟତଃ ପର୍ଯ୍ୟଟକମାନେ ଯାତ୍ରା କରିଥାନ୍ତି | ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇଥାନ୍ତି | କାରଣ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଘଂଚ ଜଙ୍ଗଲ, ଜଳପ୍ରପାତ ସହ ଅନ୍ୟାନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପାଇଥାନ୍ତି | କୁହାଯାଏ ଯେ ବ୍ରିଟିଶମାନେ ଗରମରୁ ମୁକ୍ତି ପାଇବାକୁ ହିଲଷ୍ଟେସନକୁ ଯିବାକୁ ଏହି ଟ୍ରେନର ଚଳାଚଳ ଆରମ୍ଭ କରିଥିଲେ | ନୀଳଗିରି ମାଉଣ୍ଟେନ୍ ରେଳ ଟ୍ରେନ୍ ସକାଳ ୭.୧୦ରେ ମେଟ୍ଟୁପାଲାୟମରୁ ବାହାରି ଛାଡି ମଧ୍ୟାହ୍ନ ୧୨ଟାରେ ଉଟିରେ ପହଞ୍ଚିଥାଏ | ସେହିପରି ଟ୍ରେନଟି ଉଟିରୁ ୨ଟାରେ ଛାଡି ଅପରାହ୍ନ ୫ଟା ୩୫ରେ ମେଟ୍ଟୁପାଲାୟମରେ ପହଞ୍ଚିଥାଏ | ଏହାର ମାର୍ଗରେ ଥିବା ମୁଖ୍ୟ ଷ୍ଟେସନଗୁଡ଼ିକ ହେଉଛି କୁନୁର, ୱେଲିଙ୍ଗଟନ୍, ଅରବାଙ୍କଡୁ, କେଟି ଏବଂ ଲଭଡେଲ୍ |