ବିଭୂତି ପତି
ଆରମ୍ଭ ହୋଇଯାଇଛି ମତଦାନ। ସରଗରମ ହୋଇଛି ପ୍ରଚାର। ନେତା ଏବେ ଜନତାଙ୍କ ଦ୍ବାରସ୍ଥ। ଭୋଟରମାନଙ୍କୁ ନିଜ ସପକ୍ଷରେ ନେବାକୁ ନେତା ଆପଣାଉଛନ୍ତି ବିଭିନ୍ନ କଳାକୌଶଳ। ଜନତାଙ୍କ ମନଜିଣିବା ଲାଗି ଓ ସେମାନଙ୍କ ନିକଟତର ହେବା ପାଇଁ ଚଳାଇଛନ୍ତି ଜୋରଦାର ପ୍ରୟାସ। କେବଳ ସଭାରେ କି ରାଲିରେ ଭାଷଣ ନୁହେଁ, ବିଭିନ୍ନ ଭାବଭଙ୍ଗୀ ଜରିଆରେ ପିଲାଠୁ ବୁଢ଼ାଯାଏ ସଭିଁଙ୍କ ମନ କିଣିବାକୁ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ। ମଞ୍ଚରୁ ହାତ ହଲାଇବା ହେଉ କି ନମସ୍କାର, ସାଷ୍ଟାଙ୍ଗ ପ୍ରଣିପାତ ହେଉ କି ଆଲିଙ୍ଗନ ଅବା କରମର୍ଦ୍ଦନ; ପୁଣି ପିଲାଙ୍କୁ ଦେଖି କୋଳେଇନେବା, ବୟୋଜ୍ୟେଷ୍ଠଙ୍କ ପାଦଛୁଇଁବା, ଯୁବକଙ୍କ ପିଠି ଥାପୁଡ଼ାଇବା, ହାତରେ ହାତଛନ୍ଦି ଚାଲିବା ଓ ସେଲ୍ଫି ନେବା ଆଦି ପାଲଟିଛି ନିର୍ବାଚନ ପ୍ରଚାରର ଲୋକପ୍ରିୟ କୌଶଳ। ପ୍ରଚାରର ଏହିସବୁ ନିଆରା ମୁଦ୍ରାକୁ ନେଇ ବିଶେଷ ଉପସ୍ଥାପନା...
ନିର୍ବାଚନ ଗଣତନ୍ତ୍ରର ଏକ ବଡ଼ ପର୍ବ। ଏହି ପର୍ବ ନେତା ଓ ଜନତାଙ୍କୁ ଏକାଠି କରେ। ନିର୍ବାଚନ ଋତୁ ଆସିଲେ ରାଜନୈତିକ ଦଳର ନେତା ଓ କର୍ମୀ ଭୋଟ୍ ସାଉଁଟିବାକୁ ପ୍ରଚାର ମୈଦାନକୁ ଓହ୍ଲାଇ ଆସନ୍ତି। ଜନସାଧାରଣଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଭୋଟ୍ ପ୍ରଚାର ସମୟରେ ବିଭିନ୍ନ କୌଶଳ ଆପଣାଇଥା’ନ୍ତି। ଯୁବପିଢ଼ି ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେଲଫି ହେଉ ବା ରାହୁଲ ଗାନ୍ଧୀଙ୍କ କାନ୍ଧରେ ହାତପକାଇବା, ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ହଲାଇବା, ଏସବୁ ଭାବଭଙ୍ଗୀ ଭୋଟରଙ୍କ ମନଜିଣିବା ପାଇଁ ଢେର୍ ସହାୟକ ହୋଇଥାଏ। ଆଉ ଏଭଳି ଶୈଳୀ ପାଇଁ ନେତା ବି ହୋଇଥାଆନ୍ତି ଲୋକପ୍ରିୟ। ପ୍ରଚାରର ଏହିସବୁ ମୁଦ୍ରା ଗୌଣ ମନେ ହେଉଥିଲେ ବି ବାସ୍ତବରେ ଜନମାନସକୁ ବେଶ୍ ପ୍ରଭାବିତ କରିଥାଏ।
ଆଚରଣ ଓ ଉଚ୍ଚାରଣ
ହାତଯୋଡ଼ି ନମସ୍କାର ହେବା, ହାତ ହଲାଇ ସ୍ବାଗତ ସହିତ ମୁହଁରେ ହସ ଫୁଟାଇ ଅଭିବାଦନର ମୁଦ୍ରା ଆଜି ବି ପ୍ରଚାର ମୈଦାନରେ ପ୍ରଥମ ସ୍ଥାନରେ ରହିଛି। ଏହା ସର୍ବତ୍ର ପ୍ରଚଳିତ ଏବଂ ପ୍ରାୟ ସବୁ ନେତାଙ୍କ ନିକଟରେ ଦେଖିବାକୁ ମିଳିଥାଏ। ପୁଣି ଅନେକେ ଆଲିଙ୍ଗନ କରିବା ସହିତ କରମର୍ଦ୍ଦନ କରି ପିଠି ଥାପୁଡ଼ାଇବା ଭଳି ମୁଦ୍ରାକୁ ସଚେତନ ଭାବରେ ଅନୁସରଣ କରନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ଭଳି ନେତାଙ୍କର ନମସ୍କାର ଶୈଳୀ ଓ ହାତ ହଲାଇ ସ୍ବାଗତ କରିବା ମୁଦ୍ରା ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ମିତହାସ୍ୟ ସହ ହାତ ହଲାଇବାର ଭଙ୍ଗୀ ଲୋକଙ୍କୁ ଆନନ୍ଦିତ କରେ। ଏହା ସହିତ ଅନେକ ନେତା ମୁହଁରେ ହସ ଫୁଟାଇ ଖୁସି ଜାହିର କରିବା ମାଧ୍ୟମରେ ଭୋଟରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତି। କେହି କେହି ନମସ୍କାର ଓ ହାତ ହଲାଇ ସ୍ବାଗତ ଭିତରେ ସୀମିତ ନ ରହି ଦି’ପଦ ବାକ୍ୟ ବିନିମୟ କରିଥା’ନ୍ତି। ଯେପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆପଣମାନେ ଖୁସି ତ’, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘େମରେ ପ୍ୟାରେ ଭାୟେଁା ଔର୍ ବେହେନୋଁ’, ଇନ୍ଦିରାଙ୍କ ‘ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ଦେଶର ସେବା କରିବି’, ବାଜପେୟୀଙ୍କ ‘ଦେଶ ଆମ ପାଇଁ ପ୍ରଥମ’। ସେହିପରି ଓଡ଼ିଶାର ନେତା ସୁର ରାଉତରାୟଙ୍କ ‘ରେଡ୍ଡି, ମାଡ଼ିଚାଲ’ ଉକ୍ତି ଆମୋଦଦାୟକ ହୋଇଥାଏ। ଉପରୋକ୍ତ ମୁଦ୍ରାସମୂହ ନିର୍ବାଚନ ପ୍ରଚାରରେ ଆଜି ବି ବେଶ୍ ଗୁରୁତ୍ବ ବହନ କରେ।
ଅାପଣାପଣର ମୁଦ୍ରା
ବୟସ୍କଙ୍କୁ ଆଲିଙ୍ଗନ କରି ପାଦଛୁଇଁ ମୁଣ୍ଡିଆ ମାରିବା, ଛୋଟ ଛୋଟ ପିଲାମାନଙ୍କୁ କୋଳେଇ ନେବା ତଥା ମୁଣ୍ଡ ଆଉଁଶି ଦେବା ଏବଂ ଜନସମାଗମରେ ଲୋକଙ୍କ ପିଠି ଥାପୁଡ଼େଇ ଦେବା ଭଳି ଶାରୀରିକ ଅଙ୍ଗଭଙ୍ଗୀ ପ୍ରାର୍ଥୀମାନଙ୍କ ଦ୍ବିତୀୟ ବହୁଚର୍ଚ୍ଚିତ ମୁଦ୍ରା ରୂପେ ଆଦୃତ। ବିଜେପିର ବରିଷ୍ଠ ନେତା ଲାଲ୍କୃଷ୍ଣ ଆଡ଼ଭାନୀଙ୍କ ପିଲାଙ୍କ ମୁଣ୍ଡ ଆଉଁଶି ଦେବା, ରାହୁଲ୍ ଗାନ୍ଧୀଙ୍କ ଛୋଟ ଛୋଟ ପିଲାଙ୍କୁ କୋଳେଇନେବା ଭଳି ମୁଦ୍ରା ଅଧିକାଂଶ ସମୟରେ ଭୋଟରଙ୍କୁ ଆକର୍ଷିତ କରିଥାଏ। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ପ୍ରଚାରରୁ ସମୟ କାଢ଼ି ପିଲାମାନଙ୍କ ସହିତ ବାର୍ତ୍ତାଳାପ କରୁଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାମାନଙ୍କ ସହିତ ସେଲ୍ଫି ନେଉଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କି ରାଜୀବ ଗାନ୍ଧୀ କିମ୍ବା ସୋନିଆ, ପ୍ରିୟଙ୍କା ଓ ରାହୁଲ୍ ହୁଅନ୍ତୁ, ନିର୍ବାଚନ ପ୍ରଚାର ସମୟରେ ଆଦିବାସୀମାନଙ୍କ ଗହଣରେ ସେମାନେ ପାରମ୍ପରିକ ପୋଷାକ ପରିଧାନ କରି ନାଚିବା କିମ୍ବା ହାତ ଧରି ନିର୍ବାଚନ ପ୍ରଚାରରେ ଚାଲିବା ମୁଦ୍ରା ଅନେକଙ୍କୁ ଆମୋଦିତ କରିଥାଏ। ଅତୀତରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତି କଟକରେ ଏକ ଛୋଟ ଶିଶୁକୁ କାଖେଇଥିବା ମୁଦ୍ରାରେ ଫେଟା ଉଠାଇ ନିଜ ନିର୍ବାଚନ ପୋଷ୍ଟର୍ରେ ଲଗାଇବା ମଧ୍ୟ ସମସ୍ତଙ୍କୁ ଚମତ୍କୃତ କରିଥିଲା। ଅଧିକାଂଶ ରାଜନୈତିକ ନେତା ଓ ନେତ୍ରୀ ଏଭଳି ମୁଦ୍ରାକୁ ପ୍ରଚାରରେ ବ୍ୟବହାର କରିଥାଆନ୍ତି। ଏହା ସହିତ ବୟସ୍କଙ୍କ ପାଦଛୁଇଁ ପ୍ରଣାମ କରିବା ମଧ୍ୟ ନିର୍ବାଚନ ପ୍ରଚାର ବେଳେ ଦେଖିବାକୁ ମିଳିଥାଏ। ଗତ ନିର୍ବାଚନ ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ସମ୍ବିତ୍ ପାତ୍ର ଜଣେ ବୃଦ୍ଧାଙ୍କ ରୋଷେଇଘରେ ତାଙ୍କୁ ପ୍ରଣାମ କରି ଧୂଆଁରେ ଆଖିମଳିବା ସମୟେର ସ୍ମିତହାସ୍ୟ ମୁଦ୍ରାରେ କଥାବାର୍ତ୍ତା କରିବା ବେଶ୍ ଚର୍ଚ୍ଚା ସାଉଁଟି ଥିଲା। ସେହିପରି ବର୍ତ୍ତମାନ ନିର୍ବାଚନ ପ୍ରଚାର କରୁଥିବା ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ସଂତୃପ୍ତ ମିଶ୍ର ଏକ ପ୍ରଚାର ମଞ୍ଚରେ ଜନତାଙ୍କୁ ମୁଣ୍ଡିଆ ମାରିବା ମୁଦ୍ରା ମଧ୍ୟ ଆଲୋଚନାର ଖୋରାକ ଯୋଗାଇଛି।
ଚା’ ଖଟିରେ ଚର୍ଚ୍ଚା
ଏବେ ନିର୍ବାଚନ ପ୍ରଚାରରେ ଯୋଡ଼ି ହୋଇଯାଇଛି ଚା’ଖଟିରେ ଚର୍ଚ୍ଚା। ହାଟବଜାର ଓ ଛକରେ ଥିବା ଚା’ ଖଟିରେ ଜନତାଙ୍କ ସହ ଚା’ପିଇ ଗପସପ କରିବା ପାଲଟିଛି ପ୍ରଚାରର ନୂଆ ଶୈଳୀ। ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବୈଜୟନ୍ତ ପଣ୍ଡା ଚା’ ଖଟିରେ ଲୋକଙ୍କ ସହିତ ଆଲୋଚନା କରିବା ଏବଂ ପରେ କେତେକଙ୍କ ଘରକୁ ଯାଇ ସେଠାରେ ବସି ଦୁଃଖସୁଖ ହେବାର ଦୃଶ୍ୟ ଚର୍ଚ୍ଚିତ ହୋଇଛି। ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ୍ ଚା’ ଦୋକାନରେ ଲୋକଙ୍କୁ ଚା’ ପିଆଇବା ଏବଂ ବାର୍ତ୍ତାଳାପ କରିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏକଦା ବଲିଉଡ୍ ଡ୍ରିମ୍ ଗାର୍ଲ ଭାବେ ପରିଚିତ ବିଜେପି ପ୍ରାର୍ଥିନୀ ହେମାମାଳିନୀ ଗହମ କ୍ଷେତରେ ମହିଳାମାନଙ୍କ ସହିତ ଦା’ ଓ ଗହମକେଣ୍ଡା ଧରିଥିବାର ପ୍ରଚାର ଫଟୋ ପୋଷ୍ଟର୍ ମଧ୍ୟ ବହୁଚର୍ଚ୍ଚିତ ହୋଇଛି।
୨୦୨୨ ମସିହା ପୁରୀ ଜିଲ୍ଲା କଣାସ ବ୍ଲକ୍ ୫ ନମ୍ବର ଜୋନ୍ରୁ ସିପିଆଇଏମ୍ ପକ୍ଷରୁ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଧନେଶ୍ୱରର ସ୍ୱାଇଁ ହାତରେ ଫଟା ମାଇକ ଧରି ଭଙ୍ଗା ସାଇକେଲରେ ଘରକୁ ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଭୋଟର୍ଙ୍କ ନିକଟରୁ ଚାଉଳ ଭିକ୍ଷା କରିବା ସହ ଭୋଟ୍ ଭିକ୍ଷା ମଧ୍ୟ କରୁଥିଲେ। ଏପରିକି ଖଡ଼ି ଧରି ନିଜେ ନିଜର ପ୍ରଚାରପତ୍ର ମଧ୍ୟ ଆଙ୍କୁଥିବା ଦେଖିବାକୁ ମିଳିଥିଲା। ଏଭଳି ଅନେକ ଅଭିନବ ପ୍ରଚାର ଶୈଳୀ ଆପଣାଇ ନେତାମାନେ ଭୋଟର୍ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ପ୍ରତ୍ୟେକ ନିର୍ବାଚନ ପ୍ରଚାରରେ ଏଭଳି ଆକର୍ଷକ ଶାରୀରିକ ଭାବଭଙ୍ଗୀ ପ୍ରଦର୍ଶନକୁ ପ୍ରାୟ ସବୁ ନେତା ଓ ନେତ୍ରୀ ଆପଣାଇଥା’ନ୍ତି। ତେବେ ଏସବୁ ମୁଦ୍ରା ଆଜି କେତେ ସଚଳ ବା ଅଚଳ ତାହା ଆେମ ଊଣାଅଧିକେ ବୁଝିସାରିଛେ। ଏଭଳି ଶାରୀରିକ ଭାବଭଙ୍ଗୀ ଓ ମୁଦ୍ରା ଆଜିର ଦିନରେ ବିଭିନ୍ନ ମଞ୍ଚରେ ଅନେକ କଳାକାର ଏବଂ ଗଣମାଧ୍ୟମ ବ୍ୟଙ୍ଗାତ୍ମକ ଢଙ୍ଗରେ ଉପସ୍ଥାପନ କରି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି।
ମୁଦ୍ରାକୁ ନେଇ ମତାମତ
ନିର୍ବାଚନ ପ୍ରଚାରରେ ଅନୁସୃତ ଭାବଭଙ୍ଗୀ ଓ ମୁଦ୍ରା ସହିତ ଆଚାରବ୍ୟବହାରର ପାରସ୍ପରିକ ପ୍ରାସଙ୍ଗିକତା ରହିଛି ବୋଲି ଅନେକ ରାଜନୈତିକ ବିଦ୍ୱାନ୍ ମତ ଦେଇଛନ୍ତି। ପ୍ରତିଯୋଗିତା ଓ ସଙ୍ଘର୍ଷରେ ପରିପୂର୍ଣ୍ଣ ଦୁନିଆରେ ନିର୍ବାଚନ ପ୍ରଚାରରେ ଆକର୍ଷକ ମୁଦ୍ରାର ପ୍ରୟୋଗ ସବୁବେଳେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ରାଜନେତାମାନେ ନିର୍ବାଚନ ରଣାଙ୍ଗନରେ କିପରି ଭୋଟରମାନଙ୍କୁ ନିଜ ପକ୍ଷକୁ ଆକର୍ଷିତ କରିବେ ସେଥିପାଇଁ ସୁଚିନ୍ତିତ କୌଶଳ ଆପଣାଇବା ଜରୁରି। ଏହି ଶୈଳୀ ହିଁ ଅନେକ କ୍ଷେତ୍ରରେ ସଫଳତା ଆଣିବାରେ ସହାୟକ ହୋଇଥାଏ। ନିର୍ବାଚନ ପ୍ରଚାରରେ ରାଜନେତାଙ୍କ ଭାବଭଙ୍ଗୀ ଓ ଆଚରଣ ସେମାନଙ୍କ ବ୍ୟକ୍ତିତ୍ୱ ସଂପର୍କରେ ସୂଚନା ଦେଇଥାଏ। ବହୁ ପୁରୁଣା ସମୟରୁ ନିର୍ବାଚନ ପ୍ରଚାରରେ ଏଭଳି ଶାରୀରିକ ଅଙ୍ଗଭଙ୍ଗୀର ପ୍ରଦର୍ଶନ ପ୍ରଚାରର ଏକ ଅଂଶବିଶେଷ ବୋଲି ବିବେଚନା କରାଯାଉଥିଲା। ସାଂପ୍ରତିକ ସମାଜରେ ମଧ୍ୟ ଏହା ସମ୍ପୂର୍ଣ୍ଣ ଗୁରୁତ୍ବ ହରାଇନାହିଁ ବୋଲି କହନ୍ତି ବିଶିଷ୍ଟ ରାଜନୀତି ବିଜ୍ଞାନୀ ଆଡୋଲ୍ଫ ଫଲେନ୍। ସେହିପରି ବିଶିଷ୍ଟ ଇଂରେଜ ରାଜନୈତିକ ମନସ୍ତତ୍ତ୍ବବିତ୍ ଲିଓନିଏ ହୁଡିଙ୍କ ମତରେ ଏପରି ପ୍ରଦର୍ଶନ ଦ୍ୱାରା ରାଜନେତାମାନେ ନିଜର ଏକ ବିଶ୍ୱସନୀୟ ଓ ଚିତ୍ତାକର୍ଷକ ଭାବମୂର୍ତ୍ତି ଉପସ୍ଥାପନ କରି ଭୋଟର୍ଙ୍କ ବିଶ୍ୱାସ ଜିତିବାକୁ ପ୍ରୟାସ କରିଥାନ୍ତି। ରାଜନେତାମାନେ ବିଶ୍ୱାସ କରନ୍ତି ଏସବୁ ମୁଦ୍ରା ଓ ଆଚରଣ ଭୋଟର୍ଙ୍କ ସହିତ ଘନିଷ୍ଠ ସମ୍ପର୍କ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଶାରୀରିକ ମୁଦ୍ରା, ଭାଷଣ ଓ ବ୍ୟବହାର କିଭଳି ନିର୍ବାଚନ ପ୍ରଚାରରେ ଫଳାଫଳର ପୂର୍ବାନୁମାନ କରିପାରେ ସେ ବିଷୟରେ ଲିଓନିଏ ଅଧ୍ୟୟନ କରିଥିଲେ।
ପ୍ରଚାରର ସମୟରେ ନେତାନେତ୍ରୀଙ୍କ ଭାବଭଙ୍ଗୀ ପ୍ରଦର୍ଶନ ଓ ଭାଷଣକୁ ଭୋଟର୍ ଅନୁଧ୍ୟାନ କରିଥାନ୍ତି। ଭାଷାଗତ ଯୋଗାଯୋଗ ଦକ୍ଷତା ବ୍ୟତୀତ ରାଜନେତାମାନେ ନିଜର ଅଙ୍ଗଭଙ୍ଗୀ ମାଧ୍ୟମରେ ବିନା ଶବ୍ଦରେ ବିଶେଷ ଭାବେ ଭୋଟର୍ଙ୍କୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଥାନ୍ତି। ହାତର ଭଙ୍ଗୀ, ଭାବର ପରିପ୍ରକାଶରେ ଉଚ୍ଚାରଣ ଏବଂ ଭାବବିନିମୟ ସମୟରେ ଆଖି ସହିତ ଆଖିର ସମ୍ପର୍କ, ଏହି ତିନିଟି ନିର୍ଦ୍ଦିଷ୍ଟ ଅଙ୍ଗଭଙ୍ଗୀକୁ ସାଧାରଣ ଜନତା ନିର୍ବାଚନ ପ୍ରଚାର ବେଳେ ଲକ୍ଷ୍ୟ କରିଥାନ୍ତି। ଏହା ରାଜନେତାଙ୍କ ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି କହନ୍ତି ରାଜନୈତକ ସମୀକ୍ଷକ ଆଶିଷ ନନ୍ଦୀ। ଏହି ମୁଦ୍ରା ପ୍ରଦର୍ଶନର ଭାଷା କେତେକ ରାଜନେତାଙ୍କ ଚମତ୍କାରିତା ବୋଲି କୁହାଯାଇପାରେ। ଏହା ମାଧ୍ୟମରେ ଲୋକମାନଙ୍କୁ ପ୍ରଭାବିତ କରି ସେମାନଙ୍କୁ ନିଜର କରି ଭୋଟ୍ ଦେବା ପାଇଁ ପ୍ରେରିତ କରିବାର ଯଥେଷ୍ଟ ଦୃଷ୍ଟାନ୍ତ ବିଗତ ଦଶନ୍ଧିର ନିର୍ବାଚନରେ ଦେଖାଯାଇଛି। ନେତାଙ୍କ ଶରୀରର ଭାଷା ହେଉଛି ଭୋଟର୍ଙ୍କୁ ହାତେଇବାକୁ ସବୁଠାରୁ ଶକ୍ତିଶାଳୀ ଉପକରଣ।
ମୁଦ୍ରା ଅଚଳ!
ଏ ପ୍ରସଙ୍ଗରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହନ୍ତି, ‘‘ସାମ୍ପ୍ରତିକ ରାଜନୈତିକ ଘଟଣା ଅନେକ ଭାବନାକୁ ଉତ୍ସାହିତ କରୁଛି। ଭୋଟର୍ମାନେ ଆଜିକାଲି ଯଥେଷ୍ଟ ସଚେତନ ଓ ସାବଧାନ ହୋଇଗଲେଣି। ସେମାନେ ରାଜନୈତିକ ବ୍ୟକ୍ତିଙ୍କ ଶରୀରର ଭାଷାକୁ ଗଭୀର ଭାବେ ଅନୁଧ୍ୟାନ କରୁଛନ୍ତି। କାରଣ ନିର୍ବାଚନ ପ୍ରଚାର ସରିଗଲା ପରେ ସେମାନଙ୍କ ଶରୀରର ଭାଷା ବଦଳିଯାଉଛି। ଲୋକମାନେ ଭଲଭାବେ ବୁଝିଗଲେଣି ଏସବୁ କେବଳ ନିର୍ବାଚନୀ ଭେଳିକି। ବିଗତ ଦିନରେ ଏହା ଗୁରୁତ୍ୱ ବହନ କରୁଥିଲା, କିନ୍ତୁ ଆଜିର ଦିନରେ ଏହା କାମ କରୁନାହିଁ। ଭୋଟର୍ ଜାଣିଗଲେଣି ନିର୍ବାଚନ ପ୍ରଚାରରେ ଯେଉଁ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କ ଛୁଆପିଲାଙ୍କୁ କୋଳେଇକାଖେଇ ଦେଉଛନ୍ତି, ଘରେ ପହଞ୍ଚି ଖାଇବା ପିଇବା କରିବା ସହିତ ଘର ଅଗଣାରେ ବସି ଦୁଃଖସୁଖ ପଚାରି ବୁଝୁଛନ୍ତି, ବୃଦ୍ଧବୃଦ୍ଧାଙ୍କୁ ମୁଣ୍ଡିଆ ମାରିବା ସହ ଆଲିଙ୍ଗନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ନେତା ନିର୍ବାଚନ ସରିଲେ ଦେଖା ଦିଅନ୍ତି ନାହିଁ। ଏଭଳି ନିର୍ବାଚନ ପ୍ରଚାର ଭେଳିକି ଆଜିକାଲି ବିଶେଷ ଆକର୍ଷଣର କେନ୍ଦ୍ର ହେଉନାହିଁ। ଏହି ସବୁ ମୁଦ୍ରା ଅଚଳ ହେଇଗଲାଣି।’’