ଟଙ୍କା ନ ଥିବାରୁ ଷ୍ଟାଡିୟମ୍‌ରେ ‌ଶୋଇଥିଲି : ଲିଆଣ୍ଡର ପେସ୍

ଲିଆଣ୍ଡର ଆଜି ଯେଉଁ ସଫଳତା ପାଇଛନ୍ତି, ତା’ପଛରେ ଯେ ବହୁ ଅବିଶ୍ବସନୀୟ ଓ ସଂଘର୍ଷପୂର୍ଣ୍ଣ କାହାଣୀ ଲୁଚି ରହିଛି, ତାହା ଆଜି ଲୋକଲୋଚନକୁ ଆସିଛି।

୧୯୯୧ ନଭେମ୍ବରରେ ଲିଆଣ୍ଡର ଜର୍ମାନର ଉଡ୍‌ସବର୍ଗଠାରେ ଆୟୋଜିତ ‘ହଲ୍‌ ଅଫ୍‌ ଫେମ୍’ ଟେନିସ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେତେବେଳେ ସେ ଯୋଗ୍ୟତା ପର୍ଯ୍ୟାୟ ଜିତିବା ପରେ ତାଙ୍କ ପାଖରେ ଅଧିକ କିଛି ଅର୍ଥ ନ ଥିଲା। କେବଳ ୨୫ ଫ୍ରାଙ୍କ୍‌ ସହ ଭାରତ ଫେରିବା ‌ଟିକେଟ୍‌ ଥିଲା। ଏତିକି ଟଙ୍କାରେ ହୋଟେଲ୍‌ରେ ରହିବା ସମ୍ଭବ ନ ଥିବାରୁ ସେ ବାଧ୍ୟ ହୋଇ ଷ୍ଟାଡିୟମ୍‌ର ଲକର୍‌ ରୁମ୍‌ରେ ରାତି‌ ବିତାଇ ଥିଲେ। ସେଦିନର ସ୍ଥିତି କିପରି ଥିଲା, ତାହା ଆଜି କହିଛନ୍ତି ଲିଆଣ୍ଡର।

ଷ୍ଟାଡିୟମ୍‌ର ସିକ୍ୟୁରିଟି ଗାର୍ଡକୁ ୫ଫ୍ରାଙ୍କ୍‌ ଦେଇ ଗୋଟିଏ କଫି କିଣି ପିଆଇ ଥିଲି। ଏହାପରେ ସିକ୍ୟୁରିଟି ଗାର୍ଡକୁ ମନାଇ ଷ୍ଟାଡିୟମ୍‌ର ଲକର୍‌ ରୁମ୍‌ରେ ରହିବାକୁ କହିଥିଲି। ମୋ ପାଖରେ ଆବଶ୍ୟକ ଅର୍ଥ ନ ଥିବାରୁ ସିକ୍ୟୁରିଟି ଗାର୍ଡ ବି ରାଜି ହୋଇଯାଇଥିଲେ। ସେ ମୋତେ ତିନିଟି ଟାୱେଲ୍‌ ଦେଇଥିଲେ। ଗୋଟିଏ ତଳେ ପକାଇବାକୁ, ଗୋଟିଏ ମୋଡ଼ିକି ତକିଆ କରି ଶୋଇବାକୁ ଏବଂ ଗୋଟିଏ ଟାୱେଲ୍‌ ସକାଳୁ ପିନ୍ଧି ଗାଧେଇବାକୁ। ଲାଇଟ୍‌ ଜଳିଲେ କାଳେ କିଏ ଜାଣିଦେବେ, ‌ସେଥିପାଇଁ ସେ ଲାଇଟ୍‌ ଲିଭାଇ ଦେଇଥିଲେ। ଆଉ କହିଥିଲେ, କିଛି ଅସୁବିଧା ହେଲେ ଏହି ଝରକା ବାଟେ ଡାକିବ। ସକାଳ ୫ଟାରୁ ଉଠି ସବୁ କାମ ସାରିଦେବାକୁ କହିଥିଲେ। କାରଣ ସକାଳ ୬ଟାରୁ ଖେଳାଳି ଆସିବାର ଥିଲା।

ଏହାପରେ ମୁଁ ଶପଥ ନେଇଥିଲି ଯେ କେବେ ବି ମୋର ଖାଇବା ଓ ରହିବାରେ ଯେପରି ଅର୍ଥ ବାଧକ ନ ସାଜିବ, ସେ ବ୍ୟବସ୍ଥା କରିବି। ସେ ପ୍ରତିଯୋଗିତା ଜିତିବା ପରେ ମୋ ପାଇଁ ଅର୍ଥ ‌କେବେ ବାଧକ ସାଜିନି।

ଓଡ଼ିଶାରେ ଏକାଡେମି ଖୋଲିବାକୁ ଆଗ୍ରହୀ
ଲିଆଣ୍ଡର ଓଡ଼ିଶାକୁ ଦ୍ବିତୀୟ ବାର ଗସ୍ତ କରିଥିଲେ। ପ୍ରଥମଥର ସହ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ହକି ବିଶ୍ବକପ୍ ଅବସରରେ ଭୁବନେଶ୍ବର ଆସିଥିଲେ। ସେହିସ ମୟର ଅଭିଜ୍ଞତା ବର୍ଣ୍ଣନା କରି ସେ ବେଶ୍ ଉଲ୍ଲସିତ ହୋଇଯାଇଥିଲେ। ସେ କହିଥିଲେ, ଓଡ଼ିଶା ଏବେ ଦେଶର ଏକ ନମ୍ବର କ୍ରୀଡ଼ା ରାଜ୍ୟ। ଏଠାରେ ବିଶ୍ବକପ୍ ଭଳି ବୃହତ୍ ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହେଉଥିବା ଦେଖି ମୋତେ ବହୁତ ଗର୍ବ ଅନୁଭବ ହୋଇଥିଲା। ଅବସର ପରେ ସୁଯୋଗ ମିଳିଲେ ମୁଁ ଓଡ଼ିଶାରେ ଲିଆଣ୍ଡର ପେସ୍ ଅଲିମ୍ପିକ୍ସ ଏକାଡେମି ଖୋଲିବାକୁ ଚାହିବି। ଏହି ଏକାଡେମିରେ ଉଦୀୟମାନ ଟେନିସ୍ ତାରକାଙ୍କୁ ପ୍ରଶିକ୍ଷଣ ଦିଆଯିବ। ତେ‌ବେ ମୋର ଲକ୍ଷ୍ୟ ହେବ ତୃଣମୂଳସ୍ତରରୁ ଟେନିସର ବିକାଶ କରିବା‌। ଶିକ୍ଷା ସହ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବା।

ବାପାଙ୍କର ୬ମିନିଟ୍ ହସ ପ୍ରେରଣା ଦେଇଥିଲା
ସ୍କୁଲରେ ପଢ଼ିବା ସମୟରେ ଫୁଟବଲ୍‌ ଖେଳୁଥିଲି। ଫୁଟବଲ୍‌ ଖେଳରେ ଅଧିକ ପ୍ରଶିକ୍ଷଣ ନେବାକୁ ବ୍ରାସିଲୋନା ଯାଇଥିଲି। ସେଠାରେ ପହଞ୍ଚିବା‌ ପରେ କିନ୍ତୁ ମୋତେ କୁହାଗଲା ଯେ ସ୍ପେନ୍ ନାଗରିକତା ଗ୍ରହଣ କରି ପାସ୍‌ପୋର୍ଟ କରିବାକୁ। ମୁଁ କେବଳ ସ୍ପେନ୍ ପାଇଁ ଖେଳିବି। ଭାରତ ପାଇଁ ଖେଳି ପାରିବିନି। କିନ୍ତୁ ମୁଁ ଭାରତ ପାଇଁ ଖେଳିବାକୁ ଚାହୁଁଥିଲି। ତେଣୁ ଭାରତ ଫେରି ଆସିଲି। ସେଇଠି ହିଁ ମୋର ଫୁଟବଲ୍‌ ଖେଳିବା ନିଶା ଛାଡ଼ିଗଲା। ହେଲେ ଘରେ ପହଞ୍ଚିବା ପରେ ବାପା କହିଥି‌ଲେ, ଫୁଟବଲ୍‌ ନ ଖେଳିଲେ କ’ଣ ଖେଳିବୁ। ମୋ ପାଟିରୁ ବାହାରି ପଡ଼ିଥିଲା ଟେନିସ୍। ଏହାପରେ ବାପା ୬ ମିନିଟ୍ ହସିଥିଲେ। ଆଉ ମୁଁ କହିଥିଲି ଯେ ପଡ଼ିଆରେ ୧୦ଜଣଙ୍କୁ ସଙ୍ଗରେ ନେଇ ଦେଶ ପାଇଁ ପଦକ ଜିତିବା ଅପେକ୍ଷା ଏକାକୀ ଖେଳି ପଦକ ଜିତିବା ଠିକ୍ ହେବ ବୋଲି ଭାବୁଛି। ଏହାପରେ ବାପା ମୋତେ ବେଙ୍ଗାଲୁରୁରେ ଟେନିସ୍ ପ୍ରଶିକ୍ଷଣ ନେବାକୁ ଛାଡ଼ିଥିଲେ। ଏହିଭଳି ମୋ ଟେନିସ୍‌ କ୍ୟାରିୟର୍‌ ଆରମ୍ଭ ହୋଇଥିଲା। ଆଉ ବାପାଙ୍କ ସେଇ ୬ ମିନିଟର ହସ ‌େମାତେ ସବୁବେଳେ ପ୍ରେରଣା ଦେଇଥାଏ।

ପ୍ରଶଂସକଙ୍କ ପାଇଁ ‘ଲାଷ୍ଟ ରୋର୍’ ଚ୍ୟାଲେଞ୍ଜ
ସମ୍ବାଦର ଚତୁର୍ଥ ପ୍ରେରଣାଦାୟୀ ବକ୍ତୃତାର ଶେଷ ପର୍ଯ୍ୟାୟରେ ଲିଆଣ୍ଡର ପେସ୍ ଏକ ନିଆରା ଚ୍ୟାଲେଞ୍ଜ ଘୋଷଣା କରିଥିଲେ। ଖେଳ ଜୀବନର ଅନ୍ତିମ ବର୍ଷକୁ ନେଇ ସେ ଆରମ୍ଭ କରିଥିବା ‘ ୱାନ୍ ଲାଷ୍ଟ ରୋର୍’ ଅଭିଯାନ ଅନ୍ତର୍ଗତ ତାଙ୍କ ଖେଳ ଜୀବନକୁ ନେଇ ଚିତ୍ର, ସ୍କେଚ୍, ଗ୍ରାଫିକ୍ ଡିଜାଇନ୍, ଚାରକୋଲ୍ ପେଣ୍ଟିଂ ପଠାଇ ପୁରସ୍କାର ଜିତିବାକୁ ପ୍ରଶଂସକଙ୍କୁ ଆହ୍ବାନ କରିଥିଲେ। ଏହି ପ୍ରତିଯୋଗିତା ଆସନ୍ତା ଏକ ମାସ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିବ। ଭାଗ୍ୟଶାଳୀ ବିଜେତା ତାଙ୍କ ସହ ୧୫ମିନିଟ୍ ସମୟ ବିତାଇବାର ସୁଯୋଗ ପାଇବ। ସେହିଭଳି ସେ ମଧ୍ୟ ଏକ ‘ଲାଷ୍ଟ ରୋର୍’ ଜିତିବ। ଲିଆଣ୍ଡର୍‌ ବ୍ୟକ୍ତିଗତ ଭାବେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ପ୍ରତିଯୋଗିତାରେ ଭାଗ ନେବା ଲାଗି ପ୍ରଶଂସକମାନେ ଆଙ୍କିଥିବା ଚିତ୍ର କିମ୍ବା ଡିଜାଇନକୁ ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ବିଟର୍‌ରେ ପ୍ରକାଶ କରି ଲିଆଣ୍ଡର୍‌ଙ୍କୁ ଟ୍ୟାଗ୍‌ କରିବେ। ସୂଚନାଯୋଗ୍ୟ ଯେ ତିନି ଦଶନ୍ଧିର ଟେନିସ୍ ଜୀବନ ପରେ ଚଳିତ ବର୍ଷ ଏଥିରୁ ଅବସର ନେବେ ବୋଲି ଲିଆଣ୍ଡର୍‌ ଘୋଷଣା କରିଛନ୍ତି।

ଗୁରୁମନ୍ତ୍ର ନେଲେ ଓଡ଼ିଶା ଖେଳାଳି
ଲିଆଣ୍ଡର ପେସ୍‌ଙ୍କ ପ୍ରେରଣାଦାୟୀ ବକ୍ତୃତା ଶୁଣିବାକୁ ରାଜ୍ୟର ବହୁ କ୍ରୀଡ଼ା ବ୍ୟକ୍ତିତ୍ବ, ଖେଳାଳି, ପ୍ରଶିକ୍ଷକ ଏବଂ ପ୍ରଶାସକ ବୁଧବାର ଏକାଠି ହୋଇଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ କୁଇଜ୍‌, କବିତା, କାର୍ଟୁନ ଏବଂ ଉପାଖ୍ୟାନର ବିଜେତାମାନେ ମଧ୍ୟ ସାମିଲ ହୋଇଥିଲେ। ଖେଳାଳିଙ୍କ ମଧ୍ୟରେ ଟେଷ୍ଟ୍ କ୍ରିକେଟର୍‌ ଶିବସୁନ୍ଦର ଦାସ, ବିଶ୍ବକପ୍‌ ବିଜେତା ଦୃଷ୍ଟିହୀନ କ୍ରିକେଟ୍‌ ମହମ୍ମଦ ଜାଫର ଇକ୍‌ବାଲ୍‌, ଅଲିମ୍ପିଆନ୍‌ ଧାବିକା ଅନୁରାଧା ବିଶ୍ବାଳ, ଏଭେରେଷ୍ଟ୍‌ ବିଜେତା ଗଣେଶ ଚନ୍ଦ୍ର ଜେନା, ଚେସ୍‌ ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ ଟେନିସ୍‌ ଦୁନିଆରୁ ଅଜୟ ନିଶଙ୍କ, ସତୀର୍ଥ ପଟ୍ଟନାୟକ, ସନ୍ତୋଷ କୁମାର ମଲ୍ଲିକ, ଫାରହାନ୍‌ ଅଲୀ, ଲଳିତ କୁମାର ଦାଶ, ଚିନ୍ମୟ ପ୍ରଧାନ, ବିବେକ କୁମାର ତିବରୱାଲ, କବିର ହଂସ, ଋତୁପର୍ଣ୍ଣା‌ ଚୌଧୁରୀ, ଅମୃତଜୟ ମହାନ୍ତି, ଆଦିତ୍ୟ ଶତପଥୀ, ଦେବାଶିଷ ସାହୁ, ସୋହିନୀ ଏସ ମହାନ୍ତି, ନେମା ଏସ୍ କିସପୋଟା, କୁମାର ଅନୁରାଗ ଶରନଙ୍କ ସହିତ ବହୁ ଉଦୀୟମାନ ଖେଳାଳି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର