ଲୋ’ଲେଭଲ୍ ଲାଇଟ୍ ଥେରାପି (ଏଲ୍ଏଲ୍ଏଲ୍ଟି) ଭାବେ ଜଣାଶୁଣା ଏଲ୍ଇଡି ଲାଇଟ୍ ଥେରାପି ଏବେ କ୍ରମଶଃ ଲୋକପ୍ରିୟ ହେଉଛି। ଏହି ଚର୍ମ ଚିକିତ୍ସା ପଦ୍ଧତିରେ ଶରୀରର କୋଷୀୟ ପ୍ରଣାଳୀ ଓ ଉପଶମ ପ୍ରକ୍ରିୟାକୁ ଉତ୍ସାହିତ କରିବା ପାଇଁ ନିର୍ଦ୍ଦିଷ୍ଟ ୱେଭ୍ଲେଙ୍ଗ୍ଥ୍ ବିଶିଷ୍ଟ ଆଲୋକ ରଶ୍ମି ବ୍ୟବହୃତ ହୋଇଥାଏ। ଏହି ପ୍ରକ୍ରିୟାରେ ଚର୍ମକୁ ବିଭିନ୍ନ ରଙ୍ଗର ଏଲ୍ଇଡି ଆଲୋକ ସଂସ୍ପର୍ଶରେ ଆଣି ବିଭିନ୍ନ ପ୍ରକାର ଉପଶମ ହାସଲ କରିହେବ। ଏଲ୍ଇଡି ଚିକିତ୍ସାରେ ବ୍ୟବହୃତ ମୁଖ୍ୟ ରଙ୍ଗଗୁଡ଼ିକ ହେଉଛି ଲାଲ୍, ନୀଳ, ହଳଦିଆ ଓ ଇନ୍ଫ୍ରାରେଡ୍। ଭିନ୍ନ ରଙ୍ଗର ଭିନ୍ନ ଉପକାରିତା ରହିଛି।
ଲାଲ୍ ରଙ୍ଗ ଆଲୋକର ଚିକିତ୍ସା ଶରୀରରେ ତନ୍ତୁ ସଂଯୋଗକାରୀ ପ୍ରୋଟିନ୍ ‘କୋଲାଜେନ୍’ ଉତ୍ପାଦନକୁ ପ୍ରୋତ୍ସାହିତ କରେ, ପ୍ରଦାହ ହ୍ରାସ କରେ ଏବଂ ଚର୍ମକୁ ସତେଜ କରାଏ। ଏହା କ୍ଷତ ଭରିବା ସହିତ ବ୍ରଣ ଓ ସୂକ୍ଷ୍ମ ଦାଗ ଲିଭାଇ ଦେଇଥାଏ। ନୀଳ ଆଲୋକ ମୁଖ୍ୟତଃ ବ୍ରଣ ସୃଷ୍ଟି କରୁଥିବା ଜୀବାଣୁକୁ ଦୂର କରିଥାଏ। ପାରମ୍ପରିକ ବ୍ରଣ ଔଷଧ କାମ କରୁନଥିବା ଚର୍ମ ପାଇଁ ଏହା ଏକ ଉନ୍ନତ ବିକଳ୍ପ। ସେହିପରି ହଳଦିଆ ଆଲୋକ ଚିକିତ୍ସିତ ସ୍ଥାନରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ରକ୍ତ ସଂଚାଳନ ବଢ଼ାଇଥାଏ ଏବଂ ଚର୍ମର ଆର୍ଦ୍ରତା ବୃଦ୍ଧି କରିଥାଏ। ଇନ୍ଫ୍ରାରେଡ୍ ଆଲୋକ ବିଶେଷ କରି ଉନ୍ନତ ରକ୍ତ ସଂଚାଳନ, ଯନ୍ତ୍ରଣା ଓ ପ୍ରଦାହ ହ୍ରାସ ସମେତ ବର୍ଦ୍ଧିତ ତନ୍ତୁର ମରାମତି ଓ ପୁନରୁଦ୍ଧାର କରିଥାଏ। ଏହି ଏଲ୍ଇଡି ଚିକିତ୍ସା ସାଧାରଣତଃ ନିରାପଦ ଓ କଷ୍ଟରହିତ। ଏଥିରେ ଅତିବାଇଗଣୀ ବିକିରଣ ସଂଶ୍ଳିଷ୍ଟ ନଥିବାରୁ ଏହା ସବୁ ପ୍ରକାରର ଚର୍ମ ପାଇଁ ଉପଯୋଗୀ। ମାସ୍କ, ଵାଣ୍ଡ୍ ଓ ଲ୍ୟାମ୍ପ ପରି ବିଭିନ୍ନ ରୂପରେ ଏଲ୍ଇଡି ଯନ୍ତ୍ରମାନ ଏବେ ବଜାରରେ ଉପଲବ୍ଧ।