ସାଧାରଣ ଭାବେ ଆମେ ଡାହାଣ ହାତରେ ଅଧିକାଂଶ କାମ କରୁ। ବାମହାତ ମୁଖ୍ୟତଃ ଶୌଚାଦି କର୍ମରେ ବ୍ୟବହୃତ ହୋଇଥାଏ। ପୁଣି କେତେକ ବାମହାତକୁ ଅଶୁଭ ବି ମାନିଥାଆନ୍ତି। କିନ୍ତୁ ଆମ ଭିତରେ ଏମିତି ବି ମଣିଷ ଅଛନ୍ତି, ଯେଉଁମାନେ ବାମହାତରେ ଅଧିକାଂଶ କାମ କରନ୍ତି-ଲେଖାପଢ଼ାରୁ ନେଇ ଖିଆପିଆ ପର୍ଯ୍ୟନ୍ତ। ଏମାନଙ୍କୁ ଲୋକଭାଷାରେ ବାଉଁଆ ବା ବାମହାତି କୁହାଯାଏ। ଆଉ ବହୁ ପ୍ରସିଦ୍ଧ ବ୍ୟକ୍ତି ବାମହାତି। ମହାତ୍ମା ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶିଳ୍ପପତି ରତନ ଏନ୍‌ ଟାଟା, ଅଭିନେତା ରାଜ କପୁର ଓ ଅମିତାଭ ବଚ୍ଚନ, ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବିସ୍‌ମିଲ୍ଲା ଖାଁ ଆଦି ସଫଳ ତଥା ବିଶିଷ୍ଟ ବ୍ୟକ୍ତିତ୍ବ ବାମହାତି। ସେଇଭଳି ଭାରତୀୟ କ୍ରିକେଟ୍‌ ଦଳର ଦୁଇ ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲ୍‌କର୍‌ ଓ ସୌରଭ ଗାଙ୍ଗୁଲୀ ବାମହାତରେ ବ୍ୟାଟିଙ୍ଗ୍‌ କରନ୍ତି। ଏଭରେଷ୍ଟ ଶୃଙ୍ଗାରୋହିଣୀ ଅରୁଣିମା ସିହ୍ନା ଏବଂ ୨୦୦୮ ବେଜିଂ ଅଲିମ୍ପିକ୍ସ୍‌ରେ ସ୍ବର୍ଣ୍ଣପଦକ ଜିଣିଥିବା ସୁଟର୍‌ ଅଭିନବ ବିନ୍ଦ୍ରା ମଧ୍ୟ ବାମହାତି। ଏହି ତାଲିକା ବହୁତ ଲମ୍ବା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଜଣେ ବାମହାତି।

Advertisment

ବାମହାତିଙ୍କ ବିଶେଷତ୍ବ କ’ଣ?
ବିଶ୍ବରେ ପ୍ରାୟ ୧୦% ଅଥବା ୧୦%ରୁ କମ୍‌ ସଂଖ୍ୟକ ଲୋକ ବାମହାତି। ନ୍ୟୁରୋସାଇଣ୍ଟିଷ୍ଟ୍‌ମାନେ କରିଥିବା ବ୍ୟାପକ ଗବେଷଣାରୁ ଅନୁମେୟ ଯେ ବାମହାତି ବା ବାମହାତିମାନଙ୍କ ଚିନ୍ତନ ପରିସର ପ୍ରଶସ୍ତ। ତେଣୁ, ତୁଳନାତ୍ମକ ଭାବେ ଅଧିକାଂଶ ନୋବେଲ୍‌ ବିଜୟୀ ଲେଖକ ଏବଂ ଚିତ୍ରକର ବାମହାତି। ପୁଣି ଦୁନିଆର ଅଧିକାଂଶ ବାମହାତି ହେଉଛନ୍ତି ପୁରୁଷ। ଏଭଳି ମହିଳାଙ୍କ ସଂଖ୍ୟା କମ୍। ସେମାନେ ଡାହାଣହାତିମାନଙ୍କଠାରୁ ୪/୫ ମାସ ଆଗୁଆ ପ୍ରାପ୍ତ ବୟସ୍କ ହୁଅନ୍ତି। ବାମହାତିମାନେ ମସ୍ତିଷ୍କର ଦକ୍ଷିଣ ଭାଗ ଅଧିକ ଉପଯୋଗ କରନ୍ତି। ତେଣୁ ସେମାନେ ଅଧିକ ସ୍ମାର୍ଟ ବା ତତ୍ପର ଏବଂ ସେମାନଙ୍କର ବୁଦ୍ଧିମତ୍ତା ବା ଆଇକ୍ୟୁ ସ୍ତର ମଧ୍ୟ ଅଧିକ। ନାନାବିଧ କାର୍ଯ୍ୟ ସମ୍ପାଦନ କରିବାରେ ବାମହାତିମାନେ ପାରଙ୍ଗମ। ସେମାନେ କ୍ରୀଡ଼ାକସରତରେ ସୁଦକ୍ଷ ହୁଅନ୍ତି। ଡାହାଣହାତିମାନଙ୍କଠାରୁ ମଧ୍ୟ ସେମାନେ ଅପେକ୍ଷାକୃତ ଅଧିକ ଜ୍ଞାନୀ ଓ ଅତ୍ୟନ୍ତ ସର୍ଜନଶୀଳ। କିନ୍ତୁ, ବାମହାତିମାନଙ୍କୁ ଏଲର୍ଜି ହେବାର ସମ୍ଭାବନ ଅଧିକ। ସେମାନେ ନିଦ୍ରାହୀନତା ଭୋଗିବାର ଆଶଙ୍କା ବି ଅଧିକ। ବାମହାତିମାନେ ନିଶାଡ଼ି ହେବା ଏବଂ ଭାଷାଗତ ସମସ୍ୟା ଭୋଗିବାର ସମ୍ଭାବନା ଅଧିକ ବୋଲି ବିଭିନ୍ନ ଅନୁଧ୍ୟାନରୁ ଜଣାଯାଇଛି।

ଅନ୍ତର୍ଜାତୀୟ ବାମହାତି ଦିବସ
ବିଶ୍ବର ବାମହାତିମାନଙ୍କ ବିଶେଷତ୍ବ ଓ ଭିନ୍ନତାକୁ ସ୍ବୀକୃତି ଜଣାଇ ପ୍ରତିବର୍ଷ ଅଗଷ୍ଟ ୧୩ ଦିନ ପାଳନ କରାଯାଉଛି ଆନ୍ତର୍ଜାତିକ ବାମହାତି ଦିବସ। ପ୍ରଥମେ ୧୯୭୬ ମସିହାରେ ବାମହାତି କ୍ଲବ୍‌ର ସଂସ୍ଥାପକ ଡିନ୍‌ ଆର୍‌. କ୍ୟାମ୍ପ୍‌ବେଲ୍‌ ଏ ଦିବସ ପାଳନ କରିଥିଲେ। ଦକ୍ଷିଣହସ୍ତୀ ପ୍ରଧାନ ଦୁନିଆରେ ବାମହାତିମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଏ ସମସ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବା ଲାଗି ଏ ଦିବସ ପ୍ରଚଳନ କରାଯାଇଥିଲା। ବର୍ତ୍ତମାନ ସାରା ବିଶ୍ବରେ ଏହା ପାଳନ କରାଯାଉଛି।