ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଷ୍ଟେସନ ଭିତରକୁ ଏକ ଚିତାବାଘ ପଶି ଆସିଥିବା ବେଳେ ଜଣେ କନଷ୍ଟେବଳ ଉପସ୍ଥିତ ବୁଦ୍ଧି ଦେଖାଇଥିବାରୁ ତାଙ୍କ ଜୀବନ ରକ୍ଷା ପାଇଯାଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓଟିକୁ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଆଇଏଏସ ଅଧିକାରୀ ସୁପ୍ରିୟା ସାହୁ ଏପ୍ରିଲ ୨୯ ତାରିଖରେ ପୋଷ୍ଟ କରି ଲେଖିଛନ୍ତି, ‘ ଘଟଣାଟି ନାଦୁଭତ୍ତମ ପୁଲିସ ଷ୍ଟେସନରେ ଘଟିଥିଲା। ଏକ ଚିତାବାଘ ବାଟବଣା ହୋଇ ପୁଲିସ ଷ୍ଟେସନ ଭିତରକୁ ପ୍ରବେଶ କରିଥିଲା। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କନଷ୍ଟେବଳ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ଜୀବନ ବଞ୍ଚାଇଥିଲେ।
ସ୍ଥାନୀୟ ରିପୋର୍ଟ ଅନୁସାରେ, ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟପ୍ରାଣୀମାନେ ବୁଲୁଥିବା ସାଧାରଣ କଥା, କିନ୍ତୁ ଏଥର ଚିତାବାଘ ସିଧା ପୁଲିସ ଷ୍ଟେସନ ଭିତରକୁ ପ୍ରବେଶ କରିଥିଲା। ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଚିତାବାଘଟି ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରି ଇନ୍ସପେକ୍ଟରଙ୍କ କୋଠରିରେ ପହଞ୍ଚିଥିଲା। ସେହି ସମୟରେ ଜଣେ କନଷ୍ଟେବଳ ଅନ୍ୟ ଏକ କୋଠରିରେ ବସି କାମ କରୁଥିଲେ। ଯେତେବେଳେ କନଷ୍ଟେବଳ ଚିତାବାଘକୁ ଦେଖିଥିଲେ, ସେ ଭୟଭୀତ ହୋଇ ନିଜ ସ୍ଥାନରେ ସ୍ଥିର ହୋଇ ବସି ରହିଥିଲେ।
A Leopard decided to inspect the Naduvattam Police Station in Nilgiris. Hats off to the police person on duty who calmly closed the door and called forest officials. No one was hurt. Leopard went back safely to the forest #wildlife #TNForest pic.twitter.com/WEtXgW36kI
— Supriya Sahu IAS (@supriyasahuias) April 29, 2025
ଚିତାବାଘଟି କିଛି ସମୟ ଷ୍ଟେସନ ଭିତରେ ଘୁରି ବୁଲିଥିଲା, କିନ୍ତୁ ଯେତେବେଳେ ତାକୁ ଖାଇବାକୁ କିଛି ମିଳିଲା ନାହିଁ, ସେ ଶିଡ଼ି ଦେଇ ତଳକୁ ଆସି ବାହାରକୁ ଚାଲି ଯାଇଥିଲା। ଚିତାବାଘ ବାହାରକୁ ଆସିବା ପରେ, କନଷ୍ଟେବଳ ତୁରନ୍ତ ଭିତରପାର୍ଶ୍ବରୁ ଷ୍ଟେସନର ଦ୍ୱାର ବନ୍ଦ କରିଦେଇଥିଲେ।
ଏହି ଘଟଣା ପରେ ପୁଲିସ ଏବଂ ବନ ବିଭାଗଦଳ ଚିତାବାଘକୁ ଖୋଜୁଛନ୍ତି ଏବଂ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।