ନୂଆଦିଲ୍ଲୀ: ସିଂହ, ବାଘ, ଚିତାବାଘ ଆଦି ପ୍ରାଣୀ ହେଉଛନ୍ତି ଶିକାରୀ ପଶୁ। ଏମାନେ ଶିକାର କରି ନିଜର ଭୋକ ମେଣ୍ଟାଇ ଥାଆନ୍ତି। ଏମାନଙ୍କ ହାବୁଡ଼ରେ ପଡ଼ିଗଲେ ଜୀବନ ବଞ୍ଚିବାର ସମ୍ଭାବନା ବହୁତ କମ ରହିଥାଏ। ତେଣୁ ଏଭଳି ହିଂସ୍ରପାଣୀଙ୍କୁ ଦେଖି ମଣିଷ ଭୟକରି ଯାଇଥାଏ। ଯଥାଶୀଘ୍ର ସେ ସ୍ଥାନ ଛାଡ଼ି ଚାଲିଯିବାକୁ ଚେଷ୍ଟା କରିଥାଏ।
ଦେଖିବାକୁ ଗଲେ ଧୀରେ ଧୀରେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ତେଣୁ ପଶୁପକ୍ଷୀମାନେ ଖାଦ୍ୟ ଖୋଜିଖୋଜି ସହର ଭିତରକୁ ଚାଲି ଆସୁଥିବାର ଅନେକ ଖବର ପୂର୍ବରୁ ମିଳିଛି। ନିକଟରେ 'ଆସାମ ବନ ବିଭାଗ' ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି ।
ଯେଉଁଥିରେ ଜଙ୍ଗଲ ଅଧିକାରୀମାନେ ଗୋହ୍ବାଟୀର ପାଣ୍ଡୁ ଲୋକୋ କଲୋନୀକୁ ପଶି ଆସିଥିବା ଏକ ଚିତାବାଘକୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ବନବିଭାଗର ଜଣେ କର୍ମଚାରୀ ଗଛ ଉପରେ ଚଢ଼ି ଥିବା ଏକ ଚିତାବାଘକୁ ଓହ୍ଲାଉ ଥିବା ଦେଖିବାକୁ ମିଳୁଛି। ଏମିତି ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ।
A leopard that had strayed into the Loco Colony of Pandu, Guwahati has been successfully rescued.@CMOfficeAssam@ParimalSuklaba1@ntca_india@assamzoo@amit62sahai@mkyadavapic.twitter.com/YOYZVTkYj2
— Assam Forest Department (@assamforest) April 19, 2022
ଚିତାବାଘ ଉଦ୍ଧାରର ଏହି ଭିଡିଓ ଏପ୍ରିଲ ୧୯ ରେ @assamforest ର ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଥିଲା । ଏଥିରେ କ୍ୟାପସନରେ ଲେଖାଯାଇଛି, ଏକ ଚିତାବାଘ ଗୋହ୍ବାଟୀର ଲୋକୋ କଲୋନି ଅଫ ପାଣ୍ଡୁରେ ବାଟବଣା ହୋଇଯାଇଛି। ଯାହାକୁ ସଫଳତାର ସହ ଉଦ୍ଧାର କରାଯାଇଛି।
ଏହା ବ୍ୟତୀତ ବନ ବିଭାଗ ଅନ୍ୟ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଏହା ଦେଖିବାକୁ ମିଳୁଛି ଯେ ଉଦ୍ଧାର କାର୍ଯ୍ୟକୁ ଦେଖିବା ପାଇଁ ଅନେକ ଲୋକ ଗଛ ମୂଳରେ ଏକାଠି ହୋଇଥିବାବେଳେ କିଛି ଜଙ୍ଗଲ ଅଧିକାରୀ ଜାଲ ଧରି ତଳେ ଠିଆ ହୋଇଛନ୍ତି। ତା’ପରେ ଗଛ ଉପରକୁ ଜଣେ ବ୍ୟକ୍ତି ଚଢ଼ି ଯାଇ ଚିତାବାଘକୁ ଯତ୍ନର ସହ ତଳକୁ ଠେଲି ଦେଉଛନ୍ତି। ଯାହାଫଳରେ ଚିତାବାଘଟି ତଳେ ବିଛା ହୋଇଥିବା ଜାଲରେ ଆସି ପଡ଼ୁଛି। ଏହି ସମୟରେ ସେ ଅଚେତ ଥିବା ଜଣାପଡ଼ୁଛି।