ରାମାୟଣ ରହସ୍ୟ: ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳା ୧୪ ବର୍ଷ ନିଦ୍ରାରେ ଥିଲେ କାହିଁକି? କୁମ୍ଭକର୍ଣ୍ଣ ନିଦ୍ରା ପଛରେ ଥିଲା ଇନ୍ଦ୍ରଙ୍କ କାରସାଦୀ!

ହିନ୍ଦୁ ଧର୍ମର ବହୁଚର୍ଚ୍ଚିତ ଗ୍ରନ୍ଥ ରାମାୟଣରେ ପୁରୁଷୋତ୍ତମ ଶ୍ରୀରାମ ଓ ସୀତାଙ୍କର ଜୀବନ ଯାତ୍ରା ବିଷୟରେ ବର୍ଣ୍ଣନା କରାଯାଇଛି। ଏହାର ପ୍ରଥମ ସଂସ୍କରଣକୁ ଋଷି ବାଲ୍ମିକୀ ରଚନା କରିଥିବା ବେଳେ ପରେ ବହୁ ଋଷିମୁନୀ ରାମାୟଣ ଲେଖିଛନ୍ତି। ତେବେ ରାମାୟଣର ବିଭିନ୍ନ ସଂସ୍କରଣରେ ଭିନ୍ନ ଭିନ୍ନ କାହାଣୀ ଦର୍ଶାଯାଇଛି। ଆସନ୍ତୁ ଜାଣିବା ରାମାୟଣରେ ବର୍ଣ୍ଣିତ କିଛି ଅଳ୍ପ ଆଲୋଚିତ କାହାଣୀ।

ଲକ୍ଷ୍ମଣ ୧୪ ବର୍ଷ ଶୋଇ ନ ଥିଲେ, କିନ୍ତୁ ପତ୍ନୀ ଉର୍ମିଳା ସ୍ୱାମୀଙ୍କ ନିଦ୍ରାରେ ଶୋଇ ରହିଥିଲେ…

ରାମାୟଣରେ ବର୍ଣ୍ଣିତ ଅଛି ରାମ ଏବଂ ସୀତାଙ୍କୁ ଜଗିବା ପାଇଁ ଲକ୍ଷ୍ମଣ ବନବାସର ୧୪ ବର୍ଷ ରାତିରେ ଶୋଇ ନ ଥିଲେ । ଏଣୁ ତାଙ୍କୁ ଗୁଡ଼ାକେଶ ବୋଲି କୁହାଯାଇଥାଏ । ନିଦ୍ରା ଦେବତା ଯେତେବେଳେ ବନବାସର ପ୍ରଥମ ଦିନ ଲକ୍ଷ୍ମଣଙ୍କ ପାଖରେ ପହଞ୍ଚିଥିଲେ ସେତେବେଳେ ଲକ୍ଷ୍ମଣ ତାଙ୍କ ଭାଇ ଭାଉଜଙ୍କ ସୁରକ୍ଷା ପାଇଁ ନିଦ୍ରା ଯିବେ ନାହିଁ ବୋଲି ବର ମାଗିଥିଲେ । ନିଦ୍ରାଦେବତା ତାଙ୍କର ଏହି କଥାରେ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କର ଇଛା ପୂରା କରିବା ପାଇଁ କହିଥିଲେ। କିନ୍ତୁ ଏଥିପାଇଁ ସେ ଏକ ସର୍ତ୍ତ ରଖିଥିଲେ, ଲକ୍ଷ୍ମଣଙ୍କ ଭାଗର ନିଦ୍ରାକୁ କିନ୍ତୁ କାହାକୁ ଶୋଇବା ପାଇଁ ପଡ଼ିବ ବୋଲି କହିଥିଲେ । ଏହା ପରେ ନିଦ୍ରା ଦେବତା ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳାଙ୍କ ପାଖକୁ ଯାଇଥିଲେ ଏବଂ ସ୍ୱାମୀଙ୍କ ନିଦ୍ରାରେ ଶୋଇବା ପାଇଁ କହିଥିଲେ । ଏଣୁ ରାମୟଣରେ ଉର୍ମିଳାଙ୍କ ବିଷୟରେ ବିଶେଷ କିଛି ଉଲ୍ଲେଖ ନାହିଁ, କାରଣ ସେ ୧୪ ବର୍ଷ ପର୍ଯ୍ୟନ୍ତ ଲକ୍ଷ୍ମଣଙ୍କ ନିଦ୍ରାରେ ଶୋଇଥିଲେ।

SMITECentra

ଇନ୍ଦ୍ରଙ୍କ ଭୟ ପାଇଁ ନିଦ୍ରାରେ ଥାନ୍ତି କୁମ୍ଭକର୍ଣ୍ଣ :

ରାମାୟଣରେ ସବୁଠାରୁ କୌତୁହଳପ୍ରଦ କାହାଣୀ ହେଉଛି କୁମ୍ଭକର୍ଣ୍ଣଙ୍କ ନିଦ୍ରା । ରାବଣର ଭାଇ କୁମ୍ଭକର୍ଣ୍ଣ ବିଶାଳ ଶରୀର ବିଶିଷ୍ଟ ହେବା ସହ ସେ ୬ମାସରେ ଥରେ ଖାଆନ୍ତି ଓ ୬ ମାସ ଶୋଇପଡ଼ନ୍ତି। ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତି ପରେ ସେ ଏପରି ଜୀବନ ଲାଭ କରିଥିଲେ।

ପ୍ରକୃତରେ କୁମ୍ଭକର୍ଣ୍ଣ ଆରମ୍ଭରୁ ଏପରି ନଥିଲେ। ଥରେ ଏକ ଯଜ୍ଞ କରିବା ପରେ ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ତୁଷ୍ଟ କରିଦେଲେ।ବ୍ରହ୍ମା ତାଙ୍କୁ ବର ଦାନ କରିବାକୁ ଆଜ୍ଞା ଦେଲେ। କୁମ୍ଭକର୍ଣ୍ଣ ଇନ୍ଦ୍ରାସନ ମାଗିବାକୁ ଯାଉଥିବା ବେଳେ ଭଗବାନ ଇନ୍ଦ୍ରଙ୍କୁ ଏହା ଗୋଚର ହେଲା। ସେ ରାଗି ଯାଇ ସରସ୍ୱତୀଙ୍କୁ କୁମ୍ଭକର୍ଣ୍ଣର ଜିଭ ଅଚଳ କରିବା ଲାଗି ଅନୁରୋଧ କଲେ। ଫଳରେ ଏହି ସମୟରେ କୁମ୍ଭକର୍ଣ୍ଣ ‘ଇନ୍ଦ୍ରାସନ’ ମାଗିବା ବଦଳରେ ଜିଭ ନଚାଲିବାରୁ ‘ନିଦ୍ରାସନ’ ମାଗିଲେ । ବ୍ରହ୍ମା ତଥାସ୍ତୁ କରିବା ଫଳରେ ସେ୬ମାସରେ ଥରେ ଖାଆନ୍ତି ଓ ୬ ମାସ ଶୋଇପଡ଼ନ୍ତି।

ଯୁଦ୍ଧ ସମୟରେ କୁମ୍ଭକର୍ଣ୍ଣ ରାବଣଙ୍କୁ ରାମଙ୍କ ସହ ଯୁଦ୍ଧ ନ କରିବା ପାଇଁ ଉପଦେଶ ଦେଇଥିଲେ କିନ୍ତୁ ରାବଣ ତାଙ୍କ କଥା ଶୁଣି ନ ଥିଲେ। ଏଣୁ ଶେଷକୁ ବାଧ୍ୟ ହୋଇ ଭାଇଙ୍କ ଆଦେଶରେ କୁମ୍ଭକର୍ଣ୍ଣ ରାମଙ୍କ ସହ ଯୁଦ୍ଧ କରିଥିଲେ ଏବଂ ମୃତ୍ୟୁ ବରଣ କରିଥିଲେ ।

ସମ୍ବନ୍ଧିତ ଖବର