‘ଆରେ ଆଜି ଫ୍ରି ଅଛୁ କି? ଚାଲ୍‌ ଗୋଟେ ପାର୍ଟି କରିବା...’ ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଏହି ପ୍ରକାରେ ଭାବବିନିମୟ ଅତି ସାଧାରଣ କଥା ‌େହାଇଗଲାଣି। ଯଦିଓ ଭାରତୀୟ ସଂସ୍କୃତିରେ ପାର୍ଟି କଲ୍‌ଚର୍‌ ଆଗରୁ ନଥିଲା, ଏବେ କିନ୍ତୁ ଏହା ଦୈନନ୍ଦିନ ଜୀବନ ସହିତ ଯୋଡ଼ି ହୋଇଯାଇଛି। କିିଛି ବଡ଼ବଡ଼ିଆ କିମ୍ବା ସେଲିବ୍ରିଟିଙ୍କୁ ଛାଡ଼ିଦେଲେ ସାଧାରଣ ଲୋକଙ୍କ କ୍ଷେତ୍ରରେ ପାର୍ଟି ଏକ ଅପହଞ୍ଚ ଚିଜ ଥିଲା। କିନ୍ତୁ ବର୍ତ୍ତମାନର ଯୁବପିଢ଼ି ତଥା ପରିବର୍ତ୍ତିତ ଜୀବନଶୈଳୀକୁ ଆଧାର କରି ପବ୍‌, ରେସ୍ତୋରାଁ, କ୍ଲବ୍‌ ଇତ୍ୟାଦି ଗଢ଼ି ଉଠୁଛି ଏବଂ ଏହା ମଧ୍ୟ ରୋଜଗାରର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ଏବେ ଜନ୍ମଦିନ ପାର୍ଟି ହେଉ କିମ୍ବା ବିବାହବାର୍ଷିକୀ ଅବା ବ୍ୟାଚ୍‌ଲର୍‌ ପାର୍ଟି, ସବୁଗୁଡ଼ିକ ଉନ୍ନତଧରଣ ତଥା ବିଳାସପୂର୍ଣ୍ଣ କରିବାକୁ ଲୋକେ କ୍ଲବ୍‌ ବା ବଡ଼ ବଡ଼ ହୋଟେଲ୍‌ ଉପରେ ନିର୍ଭର କରୁଛନ୍ତି। ଆଗରୁ କିଟି ପାର୍ଟି, କର୍ପୋରେଟ୍‌ ପାର୍ଟି କିମ୍ବା ସେଲିବ୍ରିଟି ପାର୍ଟି ଲୋକପ୍ରିୟ ଓ ବ୍ୟୟବହୁଳ ଥିଲା। ହେଲେ ଏବେ ପ୍ରାୟତଃ ସବୁ ପାର୍ଟି ବିଶେଷ ଧରଣର ଆୟୋଜନ କରାହେଉଛି।

Advertisment

ବିଚ୍‌ ପାର୍ଟି:
ଜୀବନର ଟିକେ ଅବସର ସମୟ କଟେଇବାକୁ ଅ‌ନେକ ସମୁଦ୍ରକୂଳର ଥଣ୍ଡା ପବନ ଖାଇବାକୁ ଓ ସମୁଦ୍ରରେ ଲହଡ଼ି ଭାଙ୍ଗିବାକୁ ପସନ୍ଦ କରନ୍ତି। ଲୋକମାନଙ୍କ ଭାବାବେଗକୁ ଗୁରୁତ୍ବ ଦେଇ କିଛି ସଂସ୍ଥା ଏବେ ବିଚ୍‌ ପାର୍ଟିର ଆୟୋଜନ କରୁଛନ୍ତି। ‌ଖୋଲା ଆକାଶ, ସମୁଦ୍ରର ନୀଳ ଢେଉ, ଆକ‌ର୍ଷଣୀୟ ଆଲୋକମାଳା ସଙ୍ଗକୁ ଡିଜେର ତାଳେ ତାଳେ ଖାଦ୍ୟପାନୀୟ ସହ ଭରପୁର ଆନନ୍ଦ ଉଠାଇବାକୁ ଏବେର ଯୁବପିଢ଼ି ବିଶେଷ କରି ନବଦମ୍ପତି, ପ୍ରେମୀଯୁଗଳ ଖୁବ୍‌ ପସନ୍ଦ କରୁଛନ୍ତି। ଭାରତର ଗୋଆ, କେରଳ, ମୁମ୍ବାଇ, ପୁଡୁଚେରୀ, ଆଣ୍ଡାମାନ୍‌ ବିଚ୍‌ରେ ସବୁ ବର୍ଗର ଲୋକଙ୍କ ପକେଟ୍‌କୁ ସୁହାଇଲା ଭଳି ଦାମ୍‌ ଓ ସ୍ବତନ୍ତ୍ର ଅଫର୍‌ ସହ ଆୟୋଜନ ହେଉଛି ବିଚ୍‌ ପାର୍ଟି।

ଟେରାସ୍‌ ପାର୍ଟି:
ଏବେ ସମୟ ଅଭ‌ାବରୁ ଅଫିସ୍‌ରୁ ଲମ୍ବା ଛୁଟି ପାଇବା ପ୍ରାୟତଃ ଅସମ୍ଭବ। ଏଣୁ ଆଜିକାଲି ଲୋକେ ନିଜ ଘରର ଛାତ ଉପରେ ବଗିଚା ପରି ସବୁଜ ଗାଲିଚା ବିଛାଇ, ରଂଗିନ ଆଲୋକମାଳା ସଜାଇ, ମ୍ୟୁଜିକ୍‌ ସିଷ୍ଟମ୍‌ ସହ ପାର୍ଟି କରୁଥିବା ଦେଖାଯାଉଛି। ‘ଟେରାସ୍‌’ ଶବ୍ଦଟି ଲାଟିନ୍‌ ଶବ୍ଦ ‘ଟେରା’ରୁ ଆସିଛି, ଯାହାର ଅର୍ଥ ହେଉଛି ପୃଥିବୀ ଏବଂ ୧୨ହଜାର ବର୍ଷ ପୂର୍ବେ ପାହାଡ଼ ଉପରେ ହେଉଥିବା ଚାଷ ପଦ୍ଧତିକୁ ଦୃଷ୍ଟିରେ ରଖି ଏହି ଧାରା ସୃଷ୍ଟି କରାଯାଇଛି। ତେବେ ସ୍ବଳ୍ପ ବଜେଟ୍‌ର ଏହି ପାର୍ଟିର ଖୁବ୍‌ ଚାହିଦା ରହିଛି। କେତେକ ହୋଟେଲ୍‌ ବା ରେ‌େସ୍ତାରାଁ ଛାତ ଉପରେ ଟେରାସ୍‌ ପାର୍ଟିର ଆୟୋଜନ କରୁଛନ୍ତି।

ଅଣ୍ଡର୍‌ ୱାଟର୍‌ ପା‌ର୍ଟି:
ସମୁଦ୍ର ତଳେ ନିଜ ସାଥୀଙ୍କ ସହ ଏକାନ୍ତରେ କିଛି ସମୟ ବିତାଇବାକୁ ଚାହୁଁଥିଲେ କିମ୍ବା ସାଙ୍ଗସାଥୀଙ୍କ ସହ ପାର୍ଟି କରିବାକୁ ଚାହଁୁଥିଲେ ଏହା ଆପଣ କରିପାରିବେ। ଏବେ ଅଣ୍ଡର୍‌ୱାଟର୍‌ ପା‌ର୍ଟି ମାଧ୍ୟମରେ ଆପଣ ନୂଆ ଧରଣର ଅନୁଭୂତି ପାଇପାରିବେ। ବର୍ତ୍ତମାନ ଭାରତରେ ମଧ୍ୟ ଏହା ସମ୍ଭବ। ଭାରତର ପ୍ରଥମ ଅଣ୍ଡର୍‌ ୱାଟର୍‌ ଟନେଲ୍‌ ଆକ୍ୱାରିୟମ୍‌, ୱାଟର୍‌ କ୍ୟାଣ୍ଡେଲ୍‌ ଲାଇଟ୍‌ ଡାଇନିଂ ଏବଂ ୱାଟର୍‌ ୱେଡିଂ ତଥା ଅଣ୍ଡର୍‌ ୱାଟର୍‌ ବିଳାସପୂର୍ଣ୍ଣ ସୁଟ୍ ମଧ୍ୟ ଉପଲବ୍ଧ। ଜାଞ୍ଜିବର କିମ୍ବା ମାଳଦ୍ୱୀପରେ ଥିବା ଅଣ୍ଡର୍‌ ୱାଟର୍‌ ରୁମ୍ ପରି ଚେନ୍ନାଇର ଭିଜିପି ମେରାଇନ୍‌ କିଙ୍ଗ୍‌ଡମ୍‌ରେ ମଜା ନେଇପାରିବେ। ହଜାର ହଜାର ସାମୁଦ୍ରିକ ଜୀବଙ୍କ ଦ୍ୱାରା ଘେରି ରହିଥିବା ପ୍ରାୟ ୭୦୦୦୦ ବର୍ଗଫୁଟ୍‌ର ବିରାଟ ୱାକ୍‌ଥ୍ରୁ ଆକ୍ବାରିୟମ୍‌ ଭିତରେ ସମ୍ପୂର୍ଣ୍ଣ ନାଇଟ୍‌ ପାର୍ଟି ଉପଭୋଗ କରିପାରିବେ ଏବଂ ସ୍କୁବା ଡାଇଭ୍ ମଧ୍ୟ କରିପାରିବେ।

ଅଣ୍ଡର୍‌ଗ୍ରା‌ଉଣ୍ଡ୍‌ ପାର୍ଟି:
ଅଣ୍ଡର୍‌ଗ୍ରାଉଣ୍ଡ୍‌ ପାର୍ଟି ମୁଖ୍ୟତଃ ଲୋକଙ୍କ ଦୃଷ୍ଟି ଆଢୁଆଳରେ ହୋଇଥାଏ। ରାତିରେ ଶବ୍ଦ ପ୍ରଦୂଷଣକୁ ରୋକିବାକୁ ଏବଂ ପଡ଼ୋଶୀଙ୍କୁ ହଇରାଣ ନକରିବାକୁ ଅଣ୍ଡର୍‌ଗ୍ରାଉଣ୍ଡ ପାର୍ଟିର ଆୟୋଜନ ହୋଇଥାଏ। ମଧ୍ୟରାତ୍ରୀରୁ ଆରମ୍ଭ ହୋଇ ପାର୍ଟି ସକାଳ ପର୍ଯ୍ୟନ୍ତ ଚାଲେ। ଏବେର ଯୁବପିଢ଼ିଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଅନେକ କ୍ଲବ୍‌ ଓ ପବ୍‌ ଅଣ୍ଡର୍‌ଗ୍ରାଉଣ୍ଡ୍‌ ପ‌ାର୍ଟି କରୁଛନ୍ତି। ଏହି ପାର୍ଟିରେ ପ୍ରାୟତଃ ଜଣେ ସେଲିବ୍ରିଟିଙ୍କ ଉପସ୍ଥିତି ସାଙ୍ଗକୁ ଲାଇଭ୍‌ ଡିଜେ ମ୍ୟୁଜିକ୍‌ ଏବଂ ମଦ୍ୟପାନ କରାଯାଏ।

କର୍ପୋରେଟ୍‌ ପାର୍ଟି:
କର୍ପୋରେଟ୍‌ ପାର୍ଟି କଲ୍‌ଚର୍‌ ମୁଖ୍ୟତଃ ବ୍ୟବସାୟୀମାନଙ୍କ ପାଇଁ ଆୟୋଜନ କରାଯାଇଥାଏ, ଯାହାକୁ ଧନୀକମାନଙ୍କ ପାର୍ଟି ମଧ୍ୟ କୁହାଯାଏ। ଏକାଠି ଗୋ‌ଟିଏ ସ୍ଥାନରେ ମିଳିତ ହୋଇ ମଜାମସ୍ତି କରିବା ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆଲୋଚନା ତଥା ଯୋଜନା ପ୍ରସ୍ତୁତି ଏହି ପାର୍ଟିର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ହୋଇଥାଏ। ଏହାବାଦ୍‌ ନିଜର ନୂଆ ଅଧିକାରୀଙ୍କୁ କାମ ବିଷୟରେ ପ୍ରଶିକ୍ଷଣ ଦେବାକୁ ମଧ୍ୟ ଏହି ପାର୍ଟିର ଆୟୋଜନ କରାଯାଇଥାଏ। ଏହି ପାର୍ଟିକୁ ସାଧାରଣତଃ ଗେ‌ାଟିଏ କମ୍ପାନି ଦ୍ବାରା ପ୍ରାୟୋଜନ କରାଯାଇଥା‌ଏ। ଏଥିରେ ମୁଖ୍ୟତଃ ବ୍ୟବସାୟୀମାନେ ସାମିଲ ‌ହୁଅନ୍ତି। ପାର୍ଟିରେ ଅନେକ କମ୍ପାନି ପକ୍ଷରୁ ଚୁକ୍ତି ସ୍ବାକ୍ଷର ମଧ୍ୟ କରାହୁଏ। ବିଳାସମୟ ପରିବେଶରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କର୍ପୋରେଟ୍‌ ପାର୍ଟି ଆୟୋଜନ କରାହୁଏ। କର୍ପୋରେଟ୍‌ ପାର୍ଟି ବିଭିନ୍ନ ପ୍ରକାରର ଥାଏ, ଯଥା- ଆୱାର୍ଡ ସେରିମନି, କମ୍ପାନିର ସଫଳତା ପାଇଁ ପାର୍ଟି, ସେୟାର୍‌ହୋଲ୍‌ଡର୍‌ ମିଟିଂ, ବୋର୍ଡ ମିଟିଂ, ଟ୍ରେଡ୍‌ ଶୋ’, ପ୍ରଡକ୍ଟ ଲଞ୍ଚ୍‌ ଇତ୍ୟାଦି ୨୦ ପ୍ରକାରର କର୍ପୋରେଟ୍‌ ପାର୍ଟି ରହିଛି।

ରେଭ୍‌ ପାର୍ଟି:
ରେଭ୍‌ ପାର୍ଟି କଲ୍‌ଚର୍‌ ମୂଳତଃ ଲଣ୍ଡନରୁ ଆସିଛି। ଏହି ପାର୍ଟିରେ ଡିଜେ ପରିବେଷଣକୁ ପ୍ରାଧାନ୍ୟ ଦିଆଯାଏ। ଏହା ଅତି ବିଳାସମୟ ପାର୍ଟି ଭିତରୁ ଗୋଟିଏ। ମୁଖ୍ୟତଃ ଧନୀ ପରିବାରର ଯୁବକଯୁବତୀ ଏହି ପାର୍ଟିରେ ଯୋଗ ଦେବାକୁ ପସନ୍ଦ କରନ୍ତି। ଏଥିରେ ଅନେକ ସେଲିବ୍ରିଟି ମଧ୍ୟ ସାମିଲ ହୁଅନ୍ତି। ପାର୍ଟି ଭେନ୍ୟୁକୁ ଦୃଷ୍ଟିରେ ରଖି ଏହାର ମୂଲ୍ୟ ନିର୍ଧାରଣ କରାଯାଇଥାଏ। ହାଇ ଭଲ୍ୟୁମ୍‌ର ଇଲେକ୍‌ଟ୍ରିକ୍‌ ଟିପ୍‌ ବାସ୍‌ ମ୍ୟୁଜିକ୍‌, ଯୁବପିଢ଼ିଙ୍କ ଡ୍ରଗ୍ସ ସେବନ ଇତ୍ୟାଦିର କୁପରିଣାମକୁ ଦୃଷ୍ଟିରେ ରଖି ରେଭ୍‌ ବା ଅଣ୍ଡର୍‌ଗ୍ରାଉଣ୍ଡ୍‌ ପାର୍ଟିକୁ ଭାରତରେ ନିଷେଧ କରାଯାଇଛି।