ପ୍ରଗତି ସାହୁ
ଶୀତ ପଡ଼ିଲେ ବୁଲାବୁଲି ଆରମ୍ଭ ହୁଏ। ପରିବାର ହେଉ ବା ସାଙ୍ଗସାଥୀଙ୍କ ସହ କିମ୍ବା ସହପାଠୀଙ୍କ ମେଳରେ ଆକର୍ଷଣୀୟ ସ୍ଥାନରେ ଏକାଠି ହୋଇ ଗପସପ, ନାଚଗୀତ ଓ ଭୋଜିଭାତ କରିବାର ଆନନ୍ଦ ନିଆରା। ପୁଣି ବଣପାହାଡ଼ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବା ସ୍ଥାନ ଅଥବା ହ୍ରଦଝରଣା କୂଳର ଶାନ୍ତ ବାତାବରଣରେ ସମୟ କାଟିବାର ଅନୁଭୂତି ବି ଖୁବ୍ ରୋମାଞ୍ଚକର। ଏଥିସହ ଉପଭୋଗର ଏହି ମୁହୂର୍ତ୍ତଗୁଡ଼ିକୁ ସାଇତି ରଖିବାକୁ ମୋବାଇଲ୍ରେ ଫଟୋ ଓ ଭିଡିଓ କରିବାକୁ ପିଲାଠୁ ବୁଢ଼ା ସଭିଏଁ ବ୍ୟଗ୍ର ଥାଆନ୍ତି। ଏଥିପାଇଁ ଅଧିକାଂଶ ବହୁତ ଭାବିଚିନ୍ତି ମନ ପସନ୍ଦର ସ୍ଥାନ ଚୟନ କରିଥାନ୍ତି। ଆସନ୍ତୁ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ତାମ୍ପରା ବୁଲିଯିବା।
କେଉଁଠି ରହିବେ
ପର୍ଯ୍ୟଟକଙ୍କ ପାଇଁ ରହିବା ଏବଂ ଖାଇବା ନିମନ୍ତେ ତାମ୍ପରାରେ ଏକ ଘରୋଇ ରିସର୍ଟ ରହିଛି। ଏହି ରିସର୍ଟରେ ୪୧ଟି କଟେଜ୍ ଏବଂ ସୁଇମିଂ ପୁଲ୍ର ବ୍ୟବସ୍ଥା ଅଛି। ଏଠାରେ ଏକ ଡବଲ୍ ବେଡ୍ ରୁମ୍ ଲାଗି ଦିନକୁ ୩ ହଜାର ଟଙ୍କା ଭଡ଼ା ରଖାଯାଇଥିବା ବେଳେ ଜଳଖିଆ ମାଗଣାରେ ଦିଆଯାଇଥାଏ। ସେହିପରି ହ୍ରଦ କୂଳରେ ଥିବା ପାର୍କ ପରିସରରେ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ୍ ମଧ୍ୟ ଖୋଲିଛି।
ଚିଲିକା ହ୍ରଦ ରାଜ୍ୟର ଏକ ଜଣାଶୁଣା ପର୍ଯ୍ୟଟନସ୍ଥଳୀ। ତେବେ ସେଠାରୁ ମାତ୍ର ୩୦-୩୫ କିଲୋମିଟର ଦୂରତ୍ବରେ ଥିବା ମଧୁର ଜଳ ହ୍ରଦ ତାମ୍ପରା ବି ପ୍ରାକୃତିକ ଶୋଭାରେ କିଛି କମ୍ ନୁହେଁ। ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ତାମ୍ପରା ହ୍ରଦ ଏବେ ପର୍ଯ୍ୟଟକଙ୍କ ନୂଆ ପସନ୍ଦ ପାଲଟିଛି। ହ୍ରଦରେ ନୌକାବିହାର ଓ ଜଳକ୍ରୀଡ଼ା ସହ ଏହା କୂଳରେ ଭୋଜିଭାତର ଆସର ଜମୁଛି। ୩୦୦ ହେକ୍ଟର (୭୪୦ ଏକର) ପରିମିତ ଏହି ମଧୁରଜଳ ହ୍ରଦ ଋଷିକୁଲ୍ୟା ନଦୀ ସହ ସଂଯୁକ୍ତ। ନଦୀର ବନ୍ୟାଜଳ ଏହାର ଜୈବ ବିବିଧତାକୁ ସମୃଦ୍ଧ କରିଥାଏ। ଏଥିପାଇଁ ତାମ୍ପରା ହ୍ରଦ ରାମସର ଆର୍ଦ୍ରଭୂମି (୨୪୯୮) ତାଲିକାରେ ସାମିଲ ହୋଇଛି। ଆଉ ଏଠାକାର ପରିବେଶ ୬୦ ପ୍ରଜାତିର ପକ୍ଷୀ ଓ ୪୬ ପ୍ରଜାତିର ମାଛଙ୍କ ପାଇଁ ବେଶ୍ ଅନୁକୂଳ। ତାମ୍ପରା ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ହ୍ରଦକୂଳରେ ଘାସ ଗାଲିଚା ସୃଷ୍ଟି କରାଯାଇଛି, ବୁଲାବୁଲି ପାଇଁ ରହିଛି ପାଦଚଲା ରାସ୍ତା ଏବଂ ସେଲ୍ଫି ପଏଣ୍ଟ୍ ବି ନିର୍ମାଣ କରାଯାଇଛି। ସଂଧ୍ୟା ପରେ ମନଭରି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଉଜ୍ଜ୍ବଳ ଆଲୋକମାଳା ବି ଖଞ୍ଜା ହୋଇଛି।
କେମିତି ଯିବେ
ତାମ୍ପରା ଯିବା ଲାଗି ରାସ୍ତା ଯୋଗାଯୋଗ ଖୁବ୍ ଭଲ। ଭୁବନେଶ୍ବର-ବ୍ରହ୍ମପୁର ରାସ୍ତାରେ ଯାଇ ଛତ୍ରପୁର ପୂର୍ବରୁ ବାମ ପାର୍ଶ୍ବରେ ପ୍ରାୟ ୨ କିଲୋମିଟର ଦୂରତାରେ ଏହା ଅବସ୍ଥିତ। ରାଜଧାନୀ ଭୁବନେଶ୍ୱରରୁ ଏହାର ଦୂରତା ପ୍ରାୟ ୧୫୦ କିଲୋମିଟର ଏବଂ ବ୍ରହ୍ମପୁରରୁ ତାମ୍ପରାର ଦୂରତା ପାଖାପାଖି ୩୦ କିଲୋମିଟର। ଭୁବନେଶ୍ବରରୁ ନିଜ ବ୍ୟବସ୍ଥାରେ କିମ୍ବା ବ୍ରହ୍ମପୁରରୁ ଅଟୋ କିମ୍ବା କାର୍ କରି ତାମ୍ପରା ହ୍ରଦ ଆସିପାରିବେ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଠାରେ ବିଭିନ୍ନ ସୁବିଧା କରାଯାଇଛି।
ସ୍ବତନ୍ତ୍ର ଆକର୍ଷଣ ନୌବିହାର
ଜଳକ୍ରୀଡ଼ା ଓ ନୌବିହାରରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ପାଇଁ ତାମ୍ପରା ହ୍ରଦ ଏକ ମନୋଜ୍ଞ ସ୍ଥାନ। ପରିବାର ସହିତ ଅନେକ ଏଠାକୁ ବୋଟିଂର ମଜା ନେବାକୁ ଆସିଥାଆନ୍ତି। ଏହାବାଦ୍ ଜେଟ୍ ସ୍କି, ବନାନା ରାଇଡ୍ ଓ ବ୍ୟାଣ୍ଡ୍ ୱାଗନ୍ ବି ଏଠାରେ ଉପଲବ୍ଧ। ତେବେ ସକାଳ ୧୦ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହା ପରିଦର୍ଶକଙ୍କ ଲାଗି ଖୋଲାରହେ। ନୌବିହାର ଓ ଜଳକ୍ରୀଡ଼ା ଲାଗି ସ୍ବତନ୍ତ୍ର ଦେୟ ରହିଛି। ଏବିସି ବୋଟିଂ କ୍ଲବ୍ ପକ୍ଷରୁ ଏଠାରେ ୫ ପ୍ରକାର ବୋଟିଂ ସୁବିଧା ମିଳୁଥିବା ବେଳେ ଜଣ ପିଛା ଟିକେଟ୍ ବାବଦକୁ ୧୦୦ ଟଙ୍କାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ। ତାମ୍ପରାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏକ ପାର୍କ କରାଯାଇଛି। ବଣଭୋଜି ଲାଗି ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା ମଧ୍ୟ ରହିଛି। ଏଥିସହ ପୁଣି ପାଣି, ଟଏଲେଟ୍, ସ୍ନାକ୍ସ ବାର୍ ଓ ଗେମ୍ ଜୋନ୍ ବି ଉପଲବ୍ଧ। ଆଜିକାଲି ଏଠାରେ ପ୍ରି-ୱେଡିଂ ସୁଟ୍ ମଧ୍ୟ କରାଯାଉଛି। ତେବେ ଏଥିଲାଗି ସ୍ଥିରୀକୃତ ଦେୟ ପୈଠ କରି ଭାବୀ ଦମ୍ପତି ଫଟୋ ଓ ଭିଡିଓ ସେସନ୍ର ଆନନ୍ଦ ଉଠାଇ ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/26/Gziyc139qYXheZ60rYHC.jpg)