ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ, ଲିଓ ଟଲ୍ଷ୍ଟୟ ଓ ସିଗ୍ମଣ୍ଡ୍ ଫ୍ରଏଡ୍ଙ୍କ ପର୍ଯ୍ୟନ୍ତ ବିଶ୍ବବିଖ୍ୟାତ ବ୍ୟକ୍ତିତ୍ବମାନେ ଲେଖିଥିବା ପତ୍ରାବଳି କେଉଁଠି ଦଳିତଙ୍କୁ ଅଧିକାର ଦିଆଇଛି ତ କେଉଁଠି ନାରୀ ସ୍ବାଧୀନତା ପାଇଁ ଆହ୍ବାନ ସୃଷ୍ଟି କରିଛି। ପୁଣି ଚିଠି ଜରିଆରେ ଉଜୁଡ଼ି ଯାଉଥିବା ରାଜନୈତିକ ସମ୍ପର୍କ ସଜାଡ଼ି ହୋଇଛି ତ କେଉଁଠି କୂଟନୈତିକ ବନ୍ଧନ ସୁଦୃଢ଼ ହୋଇଛି। ଚିଠିର ଚରିତ ଅବର୍ଣ୍ଣନୀୟ। ଏମିିତି କିଛି ପ୍ରସିଦ୍ଧ ଚିଠିର ଫଳଫ୍ରସୂ କାହାଣୀକୁ ନେଇ ଏଥରର ପ୍ରମୁଖ ପ୍ରସଙ୍ଗ...
ଯଦିଓ ଏବେ ପତ୍ର ବା ଚିଠି ଦିଆନିଆ ସୀମିତ ହୋଇଗଲାଣି, କିନ୍ତୁ ଦିନେ ପତ୍ର ହିଁ ଥିଲା ଯୋଗାଯୋଗର ଏକମାତ୍ର ମାଧ୍ୟମ। ଗୋଟିଏ ଗୋଟିଏ ପତ୍ର ଦେଶର ଇତିହାସ ବଦଳାଇଦେବାର ନଜୀର ରହିଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ, ଲିଓ ଟଲ୍ଷ୍ଟୟ ଓ ସିଗ୍ମଣ୍ଡ୍ ଫ୍ରଏଡ୍ଙ୍କ ପର୍ଯ୍ୟନ୍ତ ବିଶ୍ବବିଖ୍ୟାତ ବ୍ୟକ୍ତିତ୍ବମାନେ ଲେଖିଥିବା ପତ୍ରାବଳି କେଉଁଠି ଦଳିତଙ୍କୁ ଅଧିକାର ଦିଆଇଛି ତ କେଉଁଠି ନାରୀ ସ୍ବାଧୀନତା ପାଇଁ ଆହ୍ବାନ ସୃଷ୍ଟି କରିଛି। ପୁଣି ଚିଠି ଜରିଆରେ ଉଜୁଡ଼ି ଯାଉଥିବା ରାଜନୈତିକ ସମ୍ପର୍କ ସଜାଡ଼ି ହୋଇଛି ତ କେଉଁଠି କୂଟନୈତିକ ବନ୍ଧନ ସୁଦୃଢ଼ ହୋଇଛି। ପିଲାମାନଙ୍କ ଆବେଗଭରା ଅନୁରୋଧ ପତ୍ର ଯୋଗୁଁ ଭାରତରୁ ଜାପାନ୍ ଯାଇଛନ୍ତି ହାତୀ। ପତ୍ର ପ୍ରୟାସରେ ଭାରତରେ ପ୍ରଥମ ସାଇକୋଆନାଲିଟିକାଲ୍ ସୋସାଇଟି ଗଢ଼ାଯାଇଛି ଓ ଦେଶକୁ ମିଳିଛନ୍ତି ପ୍ରଥମ ମହିଳା ଡାକ୍ତର। ଖଣ୍ଡେ ଖଣ୍ଡେ ପତ୍ର ଯେ କେତେ ଉପକାର କରିଛି ତା’ର କଳନା କରାଯାଇ ପାରେନା। ଜଣେ ସାଧାରଣ ରେଳଯାତ୍ରୀଙ୍କ ଅଭିଯୋଗଭରା ପତ୍ର ଯୋଗୁଁ ଟ୍ରେନ୍ର ନିମ୍ନଶ୍ରେଣୀରେ ଖଞ୍ଜାଯାଇଛି ଶୌଚାଳୟ। ଏଭଳି କିଛି ଚିଠି ସମ୍ବନ୍ଧୀୟ କାହାଣୀ ବେଶ୍ ରୋଚକ।
ଫିଜିରେ ଭାରତୀୟ ଗୋତିଶ୍ରମିକଙ୍କୁ ଅଧିକାର ଦେଲା ଚିଠି
୧୯୦୭ ମସିହା ପ୍ରାରମ୍ଭରେ ଫିଜିରେ ଭାରତୀୟ ଗୋତିଶ୍ରମିକଙ୍କ ଆଇନଗତ ଅଧିକାର ଓ ସ୍ବାଧୀନତା ହାସଲ କ୍ଷେତ୍ରରେ ମହାତ୍ମା ଗାନ୍ଧୀଙ୍କ ଦୂତ ମଣିଲାଲ୍ ଡକ୍ଟର୍ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଆଉ ସେ ଫିଜି ଯାଇ ଭାରତୀୟମାନଙ୍କୁ ସାହାଯ୍ୟ କରିବାର ବାଟ ଫିଟାଇଥିଲା ଗୋଟାଏ ପତ୍ର। ନିର୍ଯାତିତ ଭାରତୀୟମାନେ ସାହାଯ୍ୟ ପ୍ରାର୍ଥନାକରି ଗାନ୍ଧୀଜୀଙ୍କୁ ପତ୍ର ଲେଖିବା ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗାନ୍ଧୀଜୀ ଏହି ପତ୍ରକୁ ‘ଇଣ୍ଡିଅାନ୍ ଓପିନିଅନ୍’ ନାମକ ସମ୍ବାଦପତ୍ରରେ ପ୍ରକାଶ କରାଇଥିଲେ। ବ୍ରିଟିଶ୍ମାନଙ୍କ ଦୁର୍ବ୍ୟବହାର ସଂକ୍ରାନ୍ତରେ ଗୁରୁତ୍ବାରୋପ କରିଥିବା ସେ ପତ୍ର ପାଠକରିବା ପରେ ମଣିଲାଲ୍ ଡକ୍ଟର୍ ଫିଜି ଯାଇ ଗୋତି ଶ୍ରମିକମାନଙ୍କୁ ସାହାଯ୍ୟ କରିଥିଲେ। ବିନା ମଜୁରିରେ ସେମାନଙ୍କୁ ଆଖୁକ୍ଷେତରେ କାମ କରିବାକୁ ବାଧ୍ୟ କରାଯାଉଥିଲା। ଡକ୍ଟର୍ ଅନେକ ପତ୍ର ଓ ଦରଖାସ୍ତ ଲେଖି ଅଦାଲତରେ ସେମାନଙ୍କ ତରଫରୁ ମୋକଦ୍ଦମା ଲଢ଼ିଥିଲେ। ଗୋତିଶ୍ରମିକ ବା ବେଠିଆ ବ୍ୟବସ୍ଥା ଅବସାନ କରି ସେ ଭାରତୀୟମାନଙ୍କୁ ରାଜନୈତିକ ଓ ଅର୍ଥନୈତିକ ଅଧିକାର ଦିଆଇଥିଲେ।
କାରାବାସରେ ଦଣ୍ଡବତେ ଦମ୍ପତି ଲେଖିଥିଲେ ୨୦୦ ପତ୍ର
୧୯୭୫ ମସିହାରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି କାଳରେ ପୂର୍ବତନ ଅର୍ଥମନ୍ତ୍ରୀ ମଧୁ ଦଣ୍ଡବତେ ଓ ପୂର୍ବତନ ପାର୍ଲାମେଣ୍ଟ୍ ସଦସ୍ୟା ତଥା ତାଙ୍କ ସ୍ତ୍ରୀ ପ୍ରମିଳା ଦଣ୍ଡବତେ ଯଥାକ୍ରେମ ବେଙ୍ଗାଲୁରୁ ଓ ୟେରାୱାଡ଼ା ଜେଲ୍ରେ ବନ୍ଦୀହୋଇ ରହିଥିଲେ। ସ୍ବାଧୀନତା ସଂଗ୍ରାମରୁ ଉଦ୍ଦ୍ଭୂତ ଏ ଦମ୍ପତିଙ୍କୁ ବିବାହର ୨୩ ବର୍ଷ ପରେ ପରସ୍ପରଠାରୁ ପୃଥକ୍ କରାଯାଇଥିଲା। ଏହା ଥିଲା ସେମାନଙ୍କ ଲାଗି ବେଦନାଦାୟକ ଅନୁଭୂତି। ୧୮ ମାସର କାରାବାସ କାଳରେ ସେମାନେ ପରସ୍ପରକୁ ପ୍ରାୟ ୨୦୦ ପତ୍ର ଲେଖିଥିଲେ। ସଂଗୀତ, କବିତା, ପୁସ୍ତକ, ଦର୍ଶନ ଓ ରାଜନୀତି ସମ୍ବନ୍ଧରେ ଆଲୋଚନା ଥିବା ଉକ୍ତ ପତ୍ରାବଳି ହେଉଛି ଏକଚ୍ଛତ୍ରବାଦ ଶାସନ ବିରୋଧରେ ପ୍ରତିବାଦର ସ୍ବର ଥିବା ସେମାନଙ୍କ ପରିବର୍ତ୍ତିତ ପ୍ରେମର ପ୍ରମାଣ। ପ୍ରମିଳା ହତୋତ୍ସାହ ହେବାପରି ପ୍ରତୀୟମାନ ହେଲେ ମଧୁ ଲେଖୁଥିଲେ- ‘‘ଆମ ଇଚ୍ଛାଶକ୍ତି ଅଟଳ ଥିବାଯାଏ ଏକୀଭୂତ ହୋଇଥିବା ଆମ ଜୀବନକୁ କିଏ ସ୍ପର୍ଶ କରିପାରିବ?’’ ସେମାନଙ୍କ ପତ୍ର ଦର୍ଶାଉଛି ଯେ ସେମାନଙ୍କ ପ୍ରୀତି ସ୍ବାର୍ଥପର ନୁହେଁ, ସେମାନେ ନିଜର ତଥା ଦେଶବାସୀଙ୍କ ସ୍ବାଧୀନତା ଓ ମର୍ଯ୍ୟାଦା ନିମନ୍ତେ ସଂଗ୍ରାମ କରୁଥିଲେ।
ରାଜନୈତିକ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ପ୍ରଶଂସାର ମୂକସାକ୍ଷୀ ପତ୍ର
ରାଜନୈତିକ ମତଭେଦ ଥାଇ ବି ଦେଶର ମଙ୍ଗଳ ପାଇଁ ଦୁଇନେତା କିପରି ଏକତ୍ର କାର୍ଯ୍ୟ କରିପାରନ୍ତି ତା’ର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଓ ପଣ୍ଡିତ ଜବାହରଲାଲ୍ ନେହେରୁ। ପରସ୍ପର ପ୍ରତି ସେମାନଙ୍କର ଯେଭଳି ସମ୍ମାନ ଥିଲା ତା’ର ଦୃଷ୍ଟାନ୍ତ ହେଉଛି ୧୯୪୯ ମସିହାରେ ନେହେରୁଙ୍କ ୬୦ତମ ଜନ୍ମଦିବସରେ ପଟେଲ୍ ଲେଖିଥିବା ପତ୍ର। ସେ ଲେଖିଥିଲେ- ‘‘ଜବାହରଲାଲ୍ ଓ ମୁଁ କଂଗ୍ରେସର ସଦସ୍ୟ ଥିଲୁ, ସ୍ବାଧୀନତା ସଂଗ୍ରାମରେ ସୈନିକ ଥିଲୁ, ମହାନ୍ ଶିକ୍ଷକ (ଗାନ୍ଧୀ)ଙ୍କ ନିଷ୍ଠାପର ଅନୁଗାମୀ ଥିଲୁ ଏବଂ ଏ ବିଶାଳ ଦେଶର ପ୍ରଶାସନଗତ ପ୍ରଚଣ୍ଡ ଓ ଭାରୀ ବୋଝ ମିଳିମିଶି ସମ୍ଭାଳିଥିଲୁ।
ତାଙ୍କ ବ୍ୟକ୍ତିତ୍ବର ମୂଲ୍ୟାୟନ କରିବା ଲାଗି ଏ ପରିଚୟ, ଘନିଷ୍ଠତା, ନିବିଡ଼ତା ଓ ଭ୍ରାତୃପ୍ରୀତି ମୋ ପାଇଁ ଅନ୍ତରାୟ ସୃଷ୍ଟି କରୁଛି। ତେବେ ବି ଦେଶର ସମ୍ମାନସ୍ପଦ, ଜନନେତା,... ଜନଗଣଙ୍କ ନାୟକ ମୋ ପାଖରୁ କୌଣସି ପ୍ରଶଂସା ଆବଶ୍ୟକ କରନ୍ତି ନାହିଁ।’’ ନେହେରୁ ତାଙ୍କଠାରୁ ପ୍ରଧାନମନ୍ତ୍ରୀ ପଦବି ଛଡ଼ାଇ ନେଇଥିବା ମତକୁ ମଧ୍ୟ ପଟେଲ୍ ଖଣ୍ଡନ କରନ୍ତି। ବରଂ େସ କହନ୍ତି, ନେହେରୁ ଆମ ଆଲୋକବର୍ତ୍ତିକା ହେବେ ବୋଲି ସ୍ବାଧୀନତା ପାହାନ୍ତି ପୂର୍ବ ଗୋଧୂଳିଲଗ୍ନରୁ ଯୋଗ୍ୟ ବିବେଚିତ ହୋଇଥିଲେ।
ଭାରତର ପ୍ରଥମ ଡାକ୍ତରାଣୀଙ୍କୁ ଜନ୍ମଦେଇଥିଲା ପତ୍ର
ଲିଙ୍ଗଗତ ବୈଷମ୍ୟ ଓ ପୁରୁଷ ପ୍ରାଧାନ୍ୟ ସାମାଜିକ ଅର୍ଗଳକୁ ପ୍ରତିହତ କରି ଯୁକ୍ତରାଷ୍ଟ୍ର ଆମେରିକାରୁ ପାଶ୍ଚାତ୍ୟ ଭେଷଜ ବିଦ୍ୟାରେ ଡିଗ୍ରି ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ଆନନ୍ଦୀବାଈ ଯୋଶୀ। ମାତ୍ର ୯ ବର୍ଷ ବୟସରେ ସେ ବିବାହ କରିଥିଲେ। ଆବଶ୍ୟକ ଡାକ୍ତରୀ ଚିକିତ୍ସା ଅଭାବରୁ ତାଙ୍କ ୧୦ ଦିନର ପୁଅ ମୃତ୍ୟୁବରଣ କରିଥିଲା। ସେତେବେଳକୁ ଆନନ୍ଦୀବାଈଙ୍କ ବୟସ ମାତ୍ର ୧୪ ବର୍ଷ। ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ ହୋଇ ସେ ଡାକ୍ତରୀ ପଢ଼ିବାକୁ ନିଷ୍ପତ୍ତି ନେଲେ। ଏଥିପାଇଁ ତାଙ୍କୁ ପ୍ରେରିତ କରିଥିଲେ ସ୍ବାମୀ ଗୋପାଳରାଓ। ଆନନ୍ଦୀଙ୍କ ଲାଗି ସହାୟତା ଲୋଡ଼ି ଆମେରିକୀୟ ମିସ୍ନାରି ‘ରୟାଲ୍ ୱାଇଡର୍’କୁ ସେ ପତ୍ର ଲେଖିଥିଲେ। ‘ରୟାଲ୍ ୱାଇଡର୍’ ସହାୟତା କରି ନ ପାରିବାରୁ ‘ପ୍ରିନ୍ସ୍ଟନ୍ ୟୁନିଭର୍ସିଟି’ ପତ୍ରିକାରେ ଗୋପାଳରାଓ ଉକ୍ତ ପତ୍ରାବଳି ପ୍ରକାଶ କରାଇଲେ। ପତ୍ରିକାରୁ ସେ ପତ୍ରାବଳି ପାଠକରି ‘ଥିଓଡିକାଲ୍ କାର୍ପେଣ୍ଟର୍’ ଆନନ୍ଦୀଙ୍କ ଶିକ୍ଷା ବ୍ୟବସ୍ଥା କରାଇଥିଲେ। ପେନ୍ସିଲ୍ଭାନିଆସ୍ଥିତ ଉମେନ୍ସ୍ ମେଡିକାଲ୍ କଲେଜ୍ରେ ଆନନ୍ଦୀ ଭେଷଜ ପଢ଼ି ୧୮୮୬ ମସିହାରେ ସଫଳତାର ସହ ଭାରତ ଫେରିଥିଲେ। ମେଡିକାଲ୍ କଲେଜ୍କୁ ମର୍ମସ୍ପର୍ଶୀ ଆବେଦନ ପତ୍ରରେ ସେ ଲେଖିଥିଲେ, ‘‘ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି ମୋ ଦେଶର ଦୁର୍ଦ୍ଦଶାଗ୍ରସ୍ତ ମହିଳାମାନଙ୍କୁ ଡାକ୍ତରୀ ସହାୟତା ପ୍ରଦାନ କରିବା। କାରଣ, ପୁରୁଷ ଡାକ୍ତରଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେବାଠାରୁ ସେମାନେ ମରଣକୁ ଶ୍ରେୟସ୍କର ମଣନ୍ତି।’’
ପତ୍ର ଜରିଆରେ ଗାନ୍ଧୀଙ୍କୁ ଉଦ୍ବୁଦ୍ଧ କରିଥିଲେ ଟଲ୍ଷ୍ଟୟ
ରୁଷୀୟ ଲେଖକ ଲିଓ ଟଲ୍ଷ୍ଟୟଙ୍କ ଦ୍ବାରା ଲିଖିତ ପତ୍ର ଦ୍ବାରା ମହାତ୍ମା ଗାନ୍ଧୀ ଖୁବ୍ ଅନୁପ୍ରେରିତ ହୋଇଥିଲେ। ଗାନ୍ଧୀଜୀ ତାଙ୍କୁ କହିଥିଲେ- ସେ ହେଉଛନ୍ତି ସାମ୍ପ୍ରତିକ ଯୁଗ ଉତ୍ପତ୍ତି କରିଥିବା ସର୍ବଶ୍ରେଷ୍ଠ ଅହିଂସା ଦୂତ ଏବଂ ମହାନ୍ ଶିକ୍ଷକ, ଯାହାଙ୍କୁ ମୁଁ ଦୀର୍ଘଦିନ ହେବ ମୋର ଅନ୍ୟତମ ପଥପ୍ରଦର୍ଶକ ଭାବେ ଗ୍ରହଣ କରିଛି। ଟଲ୍ଷ୍ଟୟଙ୍କ ଦ୍ବାରା ଉଦ୍ବୁଦ୍ଧ ହୋଇ ଅହିଂସା ପଥ ଧରିଲେ ବୋଲି ଗାନ୍ଧୀଜୀ କହିଛନ୍ତି। ଟଲଷ୍ଟୟଙ୍କ ଲିଖିତ ‘ଦି କିଙ୍ଗ୍ଡମ୍ ଅଫ୍ ଗଡ୍ ଇଜ୍ ଉଇଦିନ୍ ୟୁ’ ଗାନ୍ଧୀଜୀଙ୍କୁ ଅଭିଭୂତ କରିଥିଲା। ୧୯୦୯ରେ ଦୁହେଁ ଦୀର୍ଘଦିନ ଧରି ପତ୍ର ବିନିମୟ କରିଥିଲେ। ବ୍ରିଟିସ୍ ଉପନିବେଶବାଦ ବିରୋଧରେ ଟଲ୍ଷ୍ଟୟ ଗୋଟାଏ ପତ୍ର ଲେଖିଥିଲେ ଏବଂ ସେଇଟି ‘ଫ୍ରି ହିନ୍ଦୁସ୍ତାନ୍’ ଖବରକାଗଜରେ ପ୍ରକାଶିତ ହୋଇଥିଲା। ତାହାକୁ ପଢ଼ି ଅଭିଭୂତ ହୋଇପଡ଼ିଥିବା ଗାନ୍ଧୀଜୀ ପୁନଶ୍ଚ ସେ ପତ୍ରକୁ ‘ଏ ଲେଟର୍ ଟୁ ହିନ୍ଦୁ’ ଶିରୋନାମାରେ ‘ଇଣ୍ଡିଆନ୍ ଓପିନିଅନ୍’ ପତ୍ରିକାରେ ପ୍ରକାଶ କରିବା ଲାଗି ଅନୁମତି ମାଗି ଟଲ୍ଷ୍ଟୟଙ୍କୁ ପତ୍ର ଲେଖିଥିଲେ। ଏହାହିଁ ଥିଲା ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ପତ୍ର-ବିନିମୟର ଅୟମାରମ୍ଭ। ଟଲ୍ଷ୍ଟୟଙ୍କ ପତ୍ରାବଳି ଅହିଂସା ପ୍ରତିରୋଧ ସପକ୍ଷରେ ଥିଲା। ସେ ଗାନ୍ଧୀଜୀଙ୍କୁ ଲେଖିଥିଲେ, ‘‘ସମସ୍ତ ଦୁର୍ଦ୍ଦଶାରୁ ମାନବ ଜାତିକୁ ଉଦ୍ଧାର କରିବାର ଏକମାତ୍ର ଉପାୟ ହେଉଛି ପ୍ରେମ। ଆଉ ଆପଣଙ୍କ ଲୋକମାନଙ୍କୁ ଦାସତ୍ବରୁ ରକ୍ଷା କରିବା ଲାଗି ଏଥିରୁ ହିଁ ଆପଣ ଏକମାତ୍ର ପଦ୍ଧତି ପାଇବେ... ତାହା ହେଉଛି ପ୍ରେମ।’’
ପିଲାଙ୍କ ଚିଠିପଢ଼ି ହାତୀ ଯାଇଥିଲା ଜାପାନ୍
ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ବୋମା ଆକ୍ରମଣ ସମୟରେ ଜାପାନର ସର୍ବପୁରାତନ ଚିଡ଼ିଆଖାନା ‘ଉଏନୋ ଜୁ’ରେ ଥିବା ୩ଟି ହାତୀ ଜୀବନ ବିକଳରେ ଏଣେତେଣେ ଦୌଡ଼ିବା ବେଳେ ଜୀବନ ହାରିଥିଲେ। ସେ ହାତୀଙ୍କ ମଧ୍ୟରୁ ଦୁଇଟି ଆସିଥିଲେ ଭାରତରୁ। ଜାପାନୀ ପିଲାମାନେ ସେ ହାତୀମାନଙ୍କୁ ଖୁବ୍ ଭଲପାଉଥିଲେ। ସେମାନଙ୍କ ମୃତ୍ୟୁ ପିଲାମାନଙ୍କୁ ଖୁବ୍ ଦୁଃଖୀ କରିଦେଲା। ୧୯୪୯ରେ ଜଣେ ଭାରତୀୟ ବ୍ୟବସାୟୀ ଟୋକିଓ ଯାଇଥିବା ବେଳେ ଜାପାନୀ ପିଲାମାନେ ତାଙ୍କୁ ହାତୀଟିଏ ଆଣିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କୁ କହିବାକୁ ଅନୁରୋଧ କରି ପତ୍ର ଲେଖିଥିଲେ। ସେ ବ୍ୟବସାୟୀଜଣକ ପିଲାମାନେ ଲେଖିଥିବା ୮୧୫ଟି ପତ୍ର ନେଇ ନେହେରୁଙ୍କୁ ଦେଇଥିଲେ। ସେ ପତ୍ରାବଳିରୁ ଗୋଟିକରେ ଲେଖାଥିଲା- ‘‘ଟୋକିଓ ଚିଡ଼ିଆଖାନାରେ ଆମେ ଖାଲି ଘୁଷୁରି ଓ ପକ୍ଷୀ ଦେଖୁଛୁ। ସେମାନଙ୍କୁ ଦେଖିବାକୁ ଆଗ୍ରହ ହେଉନି। ଗୋଟାଏ ପ୍ରକାଣ୍ଡ ସୁନ୍ଦର ହାତୀ ଦେଖିବା ଲାଗି ଆମେ ଜାପାନୀ ପିଲାମାନେ ଦୀର୍ଘଦିନରୁ ଚାହିଁ ବସିଛୁ।’’ ଆଉ ଗୋଟାଏ ପତ୍ରରେ ଲେଖାଯାଇଥିଲା, ‘‘ଏବେ ବି ହାତୀ କେବଳ ଆମ ସ୍ବପ୍ନରେ ଜିଇଛି।’’ ପିଲାଙ୍କ ଚିଠି ପାଇବାର ଅଳ୍ପ କେଇ ମାସ ପରେ ମହୀଶୂରରୁ ନେହେରୁ ଇନ୍ଦିରା ନାମରେ ହାତୀଟିଏ ଟୋକିଓ ପଠାଇଲେ। ସେ ପିଲାମାନଙ୍କ ଉଦ୍ଦେଶ୍ୟରେ ପତ୍ରଟିଏ ବି ଲେଖିଥିଲେ। ସେଥିରେ ଲେଖାଥିଲା, ‘‘ଏ ହାତୀଟିକୁ ତୁମ୍ଭେମାନେ ଭାରତୀୟ ପିଲାମାନଙ୍କ ପାଖରୁ ଯାଇଥିବା ଶ୍ରଦ୍ଧା ଓ ସଦିଚ୍ଛାର ଦୂତ ରୂପେ ବିବେଚନା କରିବ। ହାତୀ ଗୋଟାଏ ମହତ୍ ପ୍ରାଣୀ। ସେ ବିଜ୍ଞ ଓ ଧୈର୍ଯ୍ୟବାନ୍, ବଳୁଆ ଅଥଚ ଭଦ୍ର। ଆଶାକରେ ଆମେ ସଭିଏଁ ଏସବୁ ଗୁଣ ବିକଶିତ କରିବା।’’
ଟ୍ରେନ୍ରେ ଶୌଚାଳୟ ଲଗାଇଥିବା ଚିଠି
ବ୍ରିଟିଶ୍ ଶାସନ କାଳରେ ଭାରତରେ ଚଳାଚଳ କରୁଥିବା ରେଳଗାଡ଼ିରେ ୧୯୦୯ରେ ଶୌଚାଳୟ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ସେତେବେଳକୁ ଦେଶରେ ପ୍ରଥମ ଯାତ୍ରୀବାହୀ ରେଳଗାଡ଼ି ଚାଲିବାର ୫୫ ବର୍ଷ ଅତିବାହିତ ହୋଇସାରିଥିଲା। ତେବେ ରେଳଗାଡ଼ିରେ ଶୌଚାଳୟ ଖଞ୍ଜାଯିବା ପଛରେ ଏକ ଘଟଣା ରହିଛି। ୧୦୦୯ ଜୁଲାଇ ୨ ତାରିଖରେ ଓଖିଲ ଚନ୍ଦ୍ର ସେନ ନାମରେ ଜଣେ ଯାତ୍ରୀ ପଶ୍ଚିମବଙ୍ଗସ୍ଥିତ ଶିବଗଞ୍ଜରେ ଥିବା ରେଳବାଇ ଡିଭିଜିନାଲ୍ ଅଫିସ୍କୁ ଏ ବାବଦରେ ପତ୍ର ଲେଖିଥିଲେ। ସେଥିରେ ସେ ଦୁଃଖ ଓ କ୍ଷୋଭ ପ୍ରକାଶ କରି ଲେଖିଥିଲେ ଯେ ତାଙ୍କ ପେଟ ଖରାପ ଥିବାରୁ ସେ ମଳତ୍ୟାଗ କରିବାକୁ ଅହମଦ୍ପୁର ରେଳ ଷ୍ଟେସନ୍ରେ ଓହ୍ଲାଇଥିଲେ। ଟ୍ରେନ୍ର ଗାର୍ଡ ଏହା ଜାଣି ମଧ୍ୟ ତାଙ୍କ ଫେରିବାକୁ ଅପେକ୍ଷା ନକରି ହୁଇସିଲ୍ ଦେଇଥିଲେ। ଫଳରେ ସେ ଅଧା ଶୌଚରୁ ଦୌଡ଼ି ଟ୍ରେନ୍ ଧରିବାକୁ ଆସିବା ବେଳେ ପ୍ଲାଟଫର୍ମ ଉପରେ ଉଲଗ୍ନ ପ୍ରାୟ ଅବସ୍ଥାରେ ପଡ଼ିଯାଇଥିଲେ। ଅହମଦ୍ପୁର ରେଳ ଷ୍ଟେସନ୍ରେ ତାଙ୍କୁ ଛାଡ଼ି ଟ୍ରେନ୍ ଚାଲି ଯାଇଥିଲା। ଏପରି ଆଚରଣ ଲାଗି ଉକ୍ତ ଗାର୍ଡଙ୍କୁ ଦଣ୍ଡିତ କରାଯାଉ। ସେନ୍ଙ୍କର ଏ ଚିଠି ରେଳ କର୍ତ୍ତୃପକ୍ଷଙ୍କୁ ବିଚଳିତ କରିଥିଲା। ଯାତ୍ରୀଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ୫୦ ମାଇଲ୍ରୁ ଅଧିକ ଦୂରଗାମୀ ଯାତ୍ରୀବାହୀ ରେଳଗାଡ଼ିର ସମସ୍ତ ନିମ୍ନ-ଶ୍ରେଣୀ ବଗିରେ ଶୌଚାଳୟ ପ୍ରଚଳନ କରିବା ଲାଗି ରେଳବାଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।
ଫୋର୍ଡଙ୍କ ପତ୍ର ପାଇ ଗାନ୍ଧୀଜୀ ପଠାଇଥିଲେ ଅରଟ
ବିଶ୍ବ ବିଖ୍ୟାତ୍ ଫୋର୍ଡ କମ୍ପାନିର ମାଲିକ ଆମେରିକୀୟ ଅଟୋ ନିର୍ମାତା ହେନେରି ଫୋର୍ଡ ୧୯୪୧ ମସିହା ଜୁଲାଇରେ ଗାନ୍ଧୀଜୀଙ୍କୁ ଭୂୟସୀ ପ୍ରଶଂସା କରି ପତ୍ରଟିଏ ଲେଖିଥିଲେ। ଶାନ୍ତିପ୍ରିୟ ଫୋର୍ଡ ତତ୍କାଳୀନ ବୈଶ୍ବିକ ପରିସ୍ଥିତି ନେଇ ଅସନ୍ତୁଷ୍ଟ ଥିଲେ। ନାଜିମାନଙ୍କୁ ପରାସ୍ତ କରିବା ଲାଗି ସହାୟତା କରିବା ପାଇଁ ତାଙ୍କ କମ୍ପାନି ବିପୁଳ ପରିମାଣର ଯୁଦ୍ଧ ବିମାନ ଉତ୍ପାଦନ କରୁ ବୋଲି ଆମେରିକା ସରକାର ତାଙ୍କ ଉପରେ ଚାପ ପକାଉଥିଲେ ହେଁ ସେ ଚାହୁଥିଲେ ତାଙ୍କ ଦେଶ ବିଶ୍ବଯୁଦ୍ଧରେ ନିରପେକ୍ଷ ରହୁ। ସେ ତାଙ୍କ ପତ୍ରରେ ଲେଖିଥିଲେ, ‘‘ମୁଁ ଶ୍ରୀଯୁକ୍ତ ଟି. ଏ. ରମନ୍ଙ୍କ ମାଧ୍ୟମରେ ଏହି ବାର୍ତ୍ତାଟି ପଠାଉଛି। ମୁଁ ଏକଥା କହିବା ପାଇଁ ଚାହେ ଯେ ଆପଣଙ୍କ ଜୀବନଧାରା ଓ ସନ୍ଦେଶ ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ବିଶ୍ବବିଦିତ ମହାମାନବଙ୍କ ମଧ୍ୟରେ ଆପଣ ଅନ୍ୟତମ। ମୁଁ ଆପଣଙ୍କ ମଙ୍ଗଳ କାମନାକରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।’’ ୧୯୪୧ ଡିସେମ୍ବରରେ ଗାନ୍ଧୀଜୀ ସେ ପତ୍ରଟି ପାଇବା ଉତ୍ତର ସ୍ବରୂପ ୟୁନାଇଟେଡ୍ ପ୍ରେସ୍ ଅଫ୍ ଇଣ୍ଡିଆର ସଂପାଦକ ଟି. ଏ. ରମନ୍ଙ୍କ ହାତରେ ଅରଟଟିଏ ପଠାଇଥିଲେ। ସେ ଏହାକୁ ୧୯୪୨ ମସିହାରେ ଫୋର୍ଡଙ୍କୁ ପ୍ରଦାନ କରିଥିଲେ। ସୌଭାଗ୍ୟ ତଥା ସରଳତା ଓ ଅର୍ଥନୈତିକ ସ୍ବାଧୀନତା ନିୟମାବଳିର ସନ୍ତକ ରୂପେ ଫୋର୍ଡ ସେଇଟିକୁ ସାଇତି ରଖିଥିଲେ। ଏହା ଏବେ ବି ହେନେରି ଫୋର୍ଡ ମ୍ୟୁଜିୟମ୍ରେ ପ୍ରଦର୍ଶିତ ହେଉଛି।
ଫ୍ରଏଡ୍ଙ୍କ ପତ୍ର ଓ ଭାରତୀୟ ସାଇକୋଆନାଲିଟିକାଲ୍ ସୋସାଇଟିର ପ୍ରତିଷ୍ଠା
ଭାରତର ପ୍ରଥମ ସାଇକୋଆନାଲିଷ୍ଟ୍ ଡକ୍ଟର୍ ଗିରିନ୍ଦ୍ରଶେଖର ବୋଷ ଓ ବିଶ୍ବବିଦିତ ମନସ୍ତାତ୍ତ୍ବିକ ସିଗ୍ମଣ୍ଡ୍ ଫ୍ରଏଡ୍ଙ୍କ ମଧ୍ୟରେ ପତ୍ରାଳାପ ହୋଇଥିଲା। ଡକ୍ଟର ବୋଷ ହେଉଛନ୍ତି ମନସ୍ତତ୍ତ୍ବରେ ଡକ୍ଟରେଟ୍ କରିଥିବା ପ୍ରଥମ ବ୍ୟକ୍ତି। ୧୯୩୩ ମେ ପହିଲାରେ ସେ କୋଲ୍କାତାରେ ଭାରତର ପ୍ରଥମ ସାଇକିଆଟ୍ରିକ୍ ଆଉଟ୍ପେସେଣ୍ଟ୍ ଡିପାର୍ଟମେଣ୍ଟ୍ ଖୋଲିଥିଲେ। ୧୯୨୧ରୁ ୧୯୩୭ ପର୍ଯ୍ୟନ୍ତ ସେ ଅଷ୍ଟ୍ରିଆର ନ୍ୟୁରୋଲଜିଷ୍ଟ୍ ଡକ୍ଟର୍ ସିଗ୍ମଣ୍ଡ୍ ଫ୍ରଏଡ୍ଙ୍କ ସହିତ ପତ୍ର ବିନିମୟ କରିଥିଲେ। ପ୍ରଥମେ ବୋଷ ନିଜ ସନ୍ଦର୍ଭ ‘ଦି କନ୍ସେପ୍ଟ ଅଫ୍ ରିପ୍ରେସନ୍’ ଉପରେ ଫ୍ରଏଡ୍ଙ୍କ ମତାମତ ଲୋଡ଼ିଥିଲେ। ସାଇକୋଆନାଲିସିସ୍ର ସଂସ୍ଥାପକ ଫ୍ରଏଡ୍ ସକାରାତ୍ମକ ଉତ୍ତର ଦେଇ ‘ତାହାର ପ୍ରମୁଖ ପର୍ଯ୍ୟବେକ୍ଷଣର ସଠିକତା ଓ ସେଥିରେ ସ୍ବୀକୃତ ଉତ୍ତମ ନିର୍ଣ୍ଣୟ’ ଲାଗି ତାଙ୍କୁ ପ୍ରଶଂସା କରିଥିଲେ। ଏଥିଯୋଗୁଁ ୧୯୨୨ରେ ‘ଇଣ୍ଡିଆନ୍ ସାଇକୋଆନାଲିଟିକାଲ୍ ସୋସାଇଟି’ ସଂସ୍ଥାପିତ ହୋଇଥିଲା। ‘ଇଣ୍ଟର୍ନ୍ୟାସ୍ନାଲ୍ ସାଇକୋଆନାଲିଟିକାଲ୍ ଆସୋସିଏସନ୍’ଠାରୁ ଏହା ଅନୁବନ୍ଧନ ପ୍ରାପ୍ତ ହୋଇଥିଲା। ଜଣେ ସହକର୍ମୀଙ୍କୁ ଲେଖିଥିବା ପତ୍ରରେ ଫ୍ରଏଡ୍ ବୋଷଙ୍କୁ ପ୍ରଶଂସା କରି ଲେଖିଥିଲେ,‘‘ସାଇକୋ-ୱାର୍ଲଡ୍ରେ ସବୁଠୁ କୌତୂହଳପ୍ରଦ ଖବର ହେଉଛି ଅସାଧାରଣ ବ୍ୟକ୍ତିତ୍ବ ପ୍ରଫେସର୍ ଡକ୍ଟର୍ ଜି. ବୋଷଙ୍କ ନେତୃତ୍ବରେ କୋଲ୍କାତାରେ ଗୋଟାଏ ଆଞ୍ଚଳିକ ସଙ୍ଗଠନର ସ୍ଥାପନା।’’