ଗୁଆହାଟୀ: ଆସାମର ଯୋରହାଟରେ ଏମିତି ଏକ ପାଠାଗାର ରହିଛି, ଯେଉଁଠି ଖଣ୍ଡେ ହେଲେ ବହି ନାହିଁ। ହଁ, କଥାଟା ଏକଦମ ସତ। ଯୋରହାଟର ମେଲଙ୍ଗ ନିବାସୀ ମହାନ ଚନ୍ଦ୍ର ବୋରାଙ୍କ ଦ୍ବାରା ସ୍ଥାପିତ ଏହି ପାଠାଗାରର ନାମ ‘ଅନ୍ନପୂର୍ଣ୍ଣା’। ସେଥିରେ ସେ ବିଭିନ୍ନ ପ୍ରଜାତିର ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ରଖିଛନ୍ତି। ଉତ୍ତର-ପୂର୍ବ ଭାରତର ଏହା ପ୍ରଥମ ସ୍ବଦେଶୀ ବିହନ ସଂଗ୍ରହାଳୟ, ଯେଉଁଠି ଦେଶର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ହୋଇ ଆସିଥିବା ୩୦୦ରୁ ଅଧିକ କିସମର ଧାନ ବିହନ ଗଚ୍ଛିତ ରହିଛି।

Advertisment

ଇତିହାସରେ ସ୍ନାତକ ଡିଗ୍ରି କରିଥିବା ବୋରା ଜଣେ କୃଷି ବିଶାରଦ। ପରିବର୍ତ୍ତିତ ପରିସ୍ଥିତିରେ ଜଳବାୟୁ ଅନୁକୂଳ ତଥା ଅଧିକ ଅମଳକ୍ଷମ ଧାନଚାଷ ଲୋଭରେ ତାଙ୍କ ନିଜ ଅଞ୍ଚଳରେ ଦିନକୁ ଦିନ ପାରମ୍ପରିକ ବିହନଗୁଡ଼ିକ ଲୋପ ପାଇ ଆସୁଥିବା ଘଟଣା ତାଙ୍କୁ ଆଲୋଡ଼ିତ କରିଥିଲା। ତେଣୁ ସେ ୨୦୦୬ରେ ଏପରି ଏକ ଅଭିନବ ବିହନ ପାଠାଗାରର ପରିକଳ୍ପନା କରିଥିଲେ ଯେଉଁଠି ନିଜ ଅଞ୍ଚଳ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବିଲୁପ୍ତ ହୋଇ ଆସୁଥିବା ଧାନ ବିହନଗୁଡ଼ିକର ସଂରକ୍ଷଣ କରିପାରିବେ।

ତାଙ୍କର ଏହି ବିହନ ସଂରକ୍ଷଣ କେନ୍ଦ୍ର ମାତ୍ର ତିନିଟି ଧାନ ବିହନରୁ ଆରମ୍ଭ ହୋଇଥିଲା। ଏବେ ସେଠାରେ ସୁବାସିତ ପ୍ରଜାତିଠାରୁ ଆରମ୍ଭ କରି କୃଷ୍ଣକାୟ, ବନ୍ୟା-ପ୍ରତିରୋଧୀ, ପାହାଡ଼ୀ, ଔଷଧୀୟ ଓ ଅଠାଳିଆ ପରି ନାନା ଜାତିର ବିହନ ଉପଲବ୍‌ଧ। ସେଠାରେ ‘ବାଓ ଧାନ’ ପରି ଏକ ଆସାମୀ ପ୍ରଜାତିର ଧାନ ବିହନ ରହିଛି ଯାହାର ଗଛ ମାସ ମାସ ଧରି ବନ୍ୟାପାଣିରେ ବୁଡ଼ି ରହିବାର ସାମର୍ଥ୍ୟ ରଖିଛି। ମାତ୍ର ଚାଷୀମାନେ ଅଧିକ ଅମଳକ୍ଷମ ଧାନ ଲୋଭରେ ବାଓ ଧାନ ବୁଣିବା ବଦଳରେ ଅନ୍ୟାନ୍ୟ ଅତ୍ୟାଧୁନିକ ବିହନକୁ ପ୍ରାଥମିକତା ଦେଉଛନ୍ତି। ଶହ ଶହ ବର୍ଷ ଧରି ବନ୍ୟା, ମରୁଡ଼ି କି ରୋଗପୋକ ଦାଉରୁ ସମ୍ଭାଳି ଆସିଥିବା ଏହି ପାରମ୍ପରିକ ବିହନଗୁଡ଼ିକର ଏକ ଅନ୍ତର୍ନିହିତ ଗୁଣ ରହିଛି ବୋଲି ଆସାମର ଟିଟାବର ସ୍ଥିତ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଟି. ଅହମଦ କହିଛନ୍ତି। ସେହିପରି ବୋରାଙ୍କ ପାଠାଗାରରେ ‘ଡୋଲ୍‌ କୋସୁ’ ନାମରେ ଆଉ ଏକ ବିହନ ରହିଛି ଯାହାର ଅନ୍ନ ଖାଇଲେ ଶରୀର ଥଣ୍ଡା ରହିଥାଏ।