ସେପ୍ଟେମ୍ବର ୫ ସାରା ଭାରତରେ ଗୁରୁଦିବସ ରୂପେ ପାଳିତ ହୁଏ। ଏହା ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତରତ୍ନ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମଦିନ। ଆମ ଦେଶରେ ଆଷାଢ଼ ପୂର୍ଣ୍ଣିମା ବା ବ୍ୟାସପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା ରୂପେ ପାଳନ କରାଯାଏ। କାରଣ, ଏହା ବ୍ୟାସଦେବ ବା ବେଦବ୍ୟାସଙ୍କ ଆବିର୍ଭାବ ଦିବସ।
ଆମ ଦେଶରେ ଗୁରୁଙ୍କୁ ସାକ୍ଷାତ୍ ପରଂବ୍ରହ୍ମ ବୋଲି କୁହାଯାଇଛି। ଏହା ମଧ୍ୟ କୁହାଯାଇଛି- ଗୁରୁ ହିଁ ଜଗଦ୍‌ଗୁରୁ। ଏ ସଂପର୍କରେ ସଦ୍‌ଗୁରୁ ଶ୍ରୀନିଗମାନନ୍ଦଙ୍କ ଜୀବନରୁ କଥାଟିଏ।
ଉଜ୍ଜୟିନୀରେ ସେ ବର୍ଷ ଅନୁଷ୍ଠିତ ହେଉଥାଏ କୁମ୍ଭମେଳା। ସେଠାରେ ନିଜର ଦୀକ୍ଷାଗୁରୁ ସଚ୍ଚିଦାନନ୍ଦ ମହାରାଜଙ୍କ ଚରଣ ଦର୍ଶନ ପାଇଁ ବ୍ୟଗ୍ର ହୋଇଉଠିଲେ ଶ୍ରୀନିଗମାନନ୍ଦ। ମେଳାରେ ପହଞ୍ଚି ଦେଖିଲେ, ଗୋଟିଏ ସ୍ଥାନରେ ବୈଦାନ୍ତିକ ସାଧୁମାନଙ୍କର ଏକ ପ୍ରକାଣ୍ଡ ଜମାଉତ (ସମାବେଶ) ବସିଛି। ଶୃଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟ ତାହାର ମୁଖ୍ୟ ଭାବରେ ଜମାଉତର ମଧ୍ୟସ୍ଥଳରେ ବିରାଜିତ ରହିଛନ୍ତି। ତାଙ୍କର ଗୁରୁ ସଚ୍ଚିଦାନନ୍ଦ ମହାରାଜ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।
ଗୁରୁଙ୍କୁ ଦର୍ଶନ କରିବା ମାତ୍ରେ ସେ ଧାଇଁଯାଇ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ। ଶୃଙ୍ଗେରୀ ଶଙ୍କରାଚାର୍ଯ୍ୟ ସର୍ବୋଚ୍ଚ ଆସନରେ ବସି ସମବେତ ସାଧୁ ଓ ଭକ୍ତମାନଙ୍କ ସହିତ ତତ୍ତ୍ୱାଲୋଚନା କରୁଥିଲେ। କିନ୍ତୁ ତରୁଣ ସାଧକ ଶ୍ରୀନିଗମାନନ୍ଦଙ୍କର ସେ ଦିଗକୁ ଲକ୍ଷ୍ୟ ନଥିଲା।
ଶ୍ରୀଶଙ୍କରାଚାର୍ଯ୍ୟଙ୍କୁ ପ୍ରଣାମ ନ କରି, ସେ ପ୍ରଥମେ ନିଜ ଗୁରୁଙ୍କୁ ପ୍ରଣାମ କରିବା ଦେଖି କେତେଜଣ ସନ୍ନ୍ୟାସୀ ରୁଷ୍ଟ ହେଲେ। ଜଣେ ଆକ୍ଷେପ କଲେ- ବୈଦାନ୍ତିକ ସମାଜରେ ଶ୍ରୀଶଙ୍କରାଚାର୍ଯ୍ୟ ହେଉଛନ୍ତି ଜଗଦ୍‌ଗୁରୁ। ସେ ମଧ୍ୟ ତୁମ ଗୁରୁଙ୍କର ଗୁରୁ। ତୁମେ ତାଙ୍କୁ ପ୍ରଥମେ ପ୍ରଣାମ କଲ ନାହିଁ? ଏ କିପରି ଆଚାର ବିଚାର?
ତାହାର ଉତ୍ତରରେ ଶ୍ରୀନିଗମାନନ୍ଦ କହିଲେ- ଏହା କିପରି ବା ସମ୍ଭବ? ଯଦି ଗୁରୁଙ୍କର ଗୁରୁ ବୋଲି ସ୍ୱୀକାର କରାଯାଏ, ତେବେ ଅନବସ୍ଥା ଦୋଷ ଆସେ। କାରଣ- “ମଦ୍‌ଗୁରୁ ଶ୍ରୀଜଗଦ୍‌ଗୁରୁଃ।”
ଶୃଙ୍ଗେରୀ ଶଙ୍କରାଚାର୍ଯ୍ୟ ସେ ଯାଏ ଉଭୟଙ୍କର କଥା ଶୁଣୁଥିଲେ। ଏଥର ସେ ସ୍ମିତ ହସି କହିଲେ- “ବଚ୍ଚା ଠିକ୍ କହିଛି। ଏ ସିଦ୍ଧାନ୍ତ ଖଣ୍ଡନଯୋଗ୍ୟ ନୁହେଁ। ଜଣଙ୍କର ଗୁରୁ ହିଁ ତାଙ୍କ ପାଇଁ ଜଗଦ୍‌ଗୁରୁ।”

Advertisment

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]