ରଜତ କର। ନାମ ହିଁ ଯଥେଷ୍ଟ। ଓଡ଼ିଆ ଜାତିର ଶ୍ରେଷ୍ଠ ଦେବତା ଶ୍ରୀଜଗନ୍ନାଥଙ୍କ ମୁଗ୍ଧ ପ୍ରଶଂସକ, ବିଭୋର ଭକ୍ତ ଓ ଅବିରତ ପ୍ରଚାରକ। ପୁଣି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅନୁଗାମୀ। ସେ ଆହୁରି ବି ଥିଲେ ଓଡ଼ିଆ ସାରସ୍ବତ ଜଗତର ଉଜ୍ବଳ ତାରକା ପୁଣି ବାଗ୍ମୀ ପୁରୁଷ। ଆଜୀବନ ଜଗନ୍ନାଥ ସଂସ୍କୃତି, ଭଞ୍ଜ ସାହିତ୍ୟ ଓ ଉତ୍କଳ ମାଟି ପାଇଁ ସେ ଚିନ୍ତା, ସଂଘର୍ଷ ଓ ପ୍ରଚାର କରିଚାଲିଥିଲେ। ଜୀବନର ଶେଷ ଦିନରେ ବି ସେ ଭଞ୍ଜ ସମାରୋହ ପାଇଁ ବେଶ୍ ଉତ୍ସାହର ସହ କାମ କରିଥିଲେ। ଜୀବନରେ ଯାହାବି ପାଇଛନ୍ତି ସେ ସବୁ ଶ୍ରୀଜଗନ୍ନାଥଙ୍କ କରୁଣା ବୋଲି ମାନି ନେଇଥିଲେ। ଜଣେ ଭକ୍ତିବତ୍ସଳ, ସ୍ନେହୀ, ନିଷ୍କପଟ ଭକ୍ତକୁ ହରାଇ ପ୍ରଭୁ ଜଗନ୍ନାଥ ବି ତାଙ୍କୁ ଝୁରି ହେଉଥିବେ। ଏବେ ଆଉ ରଥଯାତ୍ରାରେ ତାଙ୍କ ଧାରା ବିବରଣୀ ଶୁଣିବାକୁ ମିଳିବନି ସତ। କିନ୍ତୁ ତାଙ୍କ ଆଜୀବନ ସାଧନା ତାଙ୍କୁ ଓଡ଼ିଶାବାସୀଙ୍କ ନିକଟରେ ଅମର ରଖିବ।
ଶେଷ ମଞ୍ଚସ୍ଥ ନାଟକ ‘ନିଷିଦ୍ଧ ନୀଳାଚଳ’
ଗତ ଏପ୍ରିଲ୍ ମାସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ବାରା ଓଡ଼ିଶାର ବରପୁତ୍ରମାନଙ୍କର ଜୀବନୀ ଉପରେ ଆଧାରିତ ୫ ଦିନିଆ ନାଟକ ଉତ୍ସବ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଅନୁଷ୍ଠିତ ହୋଇଥିଲା। ୨୬ ତାରିଖ ଦ୍ବିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ନିଷିଦ୍ଧ ନୀଳାଚଳ’। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତ୍ୟାଗ, ତପସ୍ୟା ଓ ବୀରତ୍ବର କାହାଣୀକୁ ଖୁବ୍ ଚମତ୍କାର ଢ଼ଙ୍ଗରେ ନାଟକ ମାଧ୍ୟମରେ ରଚନା କରିଥିଲେ ପଦ୍ମଶ୍ରୀ ରଜତ କର। ଖ୍ରୀଷ୍ଟ୍ରିଆନ୍ ଧର୍ମ ଗ୍ରହଣ କରିଥିବାରୁ ନୀଳାଚଳ ମଧୁବାବୁଙ୍କ ପାଇଁ ନିଷିଦ୍ଧ ଥିଲା। ଖ୍ରିଷ୍ଟ୍ରିଆନ୍ ହୋଇ ମଧ୍ୟ ଜଗନ୍ନାଥଙ୍କୁ ଭୁଲି ପାରିନଥିଲେ। ଜଗନ୍ନାଥଙ୍କ ନାମରେ କୋଟି କୋଟି ଓଡ଼ିଆଙ୍କୁ ସେ ଏକାଠି କରିଥିଲେ। ମଧୁବାବୁଙ୍କ ଚରିତ୍ର, ସଂଳାପକୁ ଅବିକଳ କରିବାକୁ ଉଦ୍ୟମ କରିଥିଲେ ସେ। ନାଟକ ଶେଷରେ ଖୁବ୍ ଖୁସି ଅନୁଭବ କରିଥିଲେ। ରଙ୍ଗମଞ୍ଚ ରାଉରକେଲାର କଳାକାରମାନଙ୍କ ନିଖୁଣ ଅଭିନୟକୁ ପ୍ରଶଂସା କରିଥିଲେ। ଓଡ଼ିଶାର ମହାପୁରୁଷକୁ ନେଇ ଅଧିକ ନାଟକ କରିବାକୁ ପରାମର୍ଶ ବି ଦେଇଥିଲେ। ସେ କହିଥିଲେ ଯେ ମୁଁ ମଞ୍ଚ ନାଟକରୁ କିଛି ବର୍ଷ ହେବ ଦୂରେଇ ଯାଇଥିଲି। ହେଲେ ଏବେ ଓଡ଼ିଶାର ଉତ୍ତରପିଢ଼ିଙ୍କୁ ଓଡ଼ିଶାର ଗାରିମାମୟ ଇତିହାସକୁ ନାଟକ ମାଧ୍ୟମରେ ଜଣାଇବାକୁ କଲମ ଚାଳନା କରିବେ ବୋଲି କହିଥିଲେ। ହେଲେ ଦିନ କେଇଟା ନଯାଉଣୁ ସେ ଆରପାରିକୁ ଚାଲିଗଲେ। ଅଧୁରା ରହିଗଲା ଇଚ୍ଛା।
‘ଉଲ୍କା’ରେ ଅଭିନୟ କରିଥିଲେ
ମଞ୍ଚ ନାଟକ ଓ ସାରସ୍ବତ ସୃଷ୍ଟିରେ ସୀମିତ ନ ଥିଲା ରଜତ କରଙ୍କ ପ୍ରତିଭା। ସେ ‘ଉଲ୍କା’ ସିନେମାରେ ଅଭିନୟ ମଧ୍ୟ କରିଥିଲେ। ସେଥିରେ ସେ ଜମିଦାର ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ତାଙ୍କ ଅଜାଣତରେ କିଛି ଦୃଶ୍ୟ ଯୋଡ଼ାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ସେ ଆଉ ସିନେମାରେ ଅଭିନୟ କରିବେନି ବୋଲି ସଂକଳ୍ପ ନେଇଥିଲେ। ଉଲ୍କା ହିଁ ଥିଲା ତାଙ୍କର ପ୍ରଥମ ଓ ଶେଷ ସିନେମା ଥିଲା।
ରେଡିଓରେ ୭୦୦ ନାଟକ
ରଜତ କର ରେଡିଓରେ ପ୍ରାୟ ୭୦୦ ନାଟକ କରିଛନ୍ତି। କିଛି ନାଟକ ମଧ୍ୟ ଲେଖିଛନ୍ତି। ଛାତ୍ର ଜୀବନରୁ ସେ ନାଟକ କରିବା ଆରମ୍ଭ କରିଥିଲେ। ସ୍କୁଲ୍ରେ ବହୁ ନାଟକରେ ଅଭିନୟ କରିଥିଲେ। ୧୯୫୦ ମସିହାରେ ରେଡିଓରେ ଅଭିନୀତ ତାଙ୍କର ପ୍ରଥମ ନାଟକ ଥିଲା ‘ଅଭିଶାପ’। ଯୁକ୍ତ ଦୁଇ ପଢ଼ିଲା ବେଳେ ସେ ‘ଚାଖି ଖୁଣ୍ଟିଆ’ ନାଟକ ଲେଖିଥିଲେ। ସାମୁଏଲ୍ ସାହୁ ସେଥିରେ ଚାଖି ଖୁଣ୍ଟିଆ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ତାଙ୍କର ବିଭିନ୍ନ ନାଟକ ରେଡିଓ ଓ ମଞ୍ଚରେ ପରିବେଷଣ କରାଯାଇଛି। ଉପେନ୍ଦ୍ର ଭଞ୍ଜ ନାଟକରେ ସେ ନିଜେ ଉପେନ୍ଦ୍ର ଭଞ୍ଜ ଭୂମିକାରେ ଅଭିନୟ କରିଥିଲେ।
ଦକ୍ଷ ଶିକ୍ଷା ପ୍ରଶାସକ
ରଜତ କର ଉଚ୍ଚ ଶିକ୍ଷା ପରେ ୧୯୬୮ ମସିହାରେ ବିଦ୍ୟାଳୟ ନୀରିକ୍ଷକ ଭାବେ ଓଡ଼ିଶା ସରକାରଙ୍କ ଅଧୀନରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବିରେ ଜଣେ ଦକ୍ଷ ପ୍ରଶାସକ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୮୬ରୁ ୧୯୮୯ ମସିହା ଯାଏ ସେ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରୁ ୧୯୯୨ରେ ଏସ୍ସିଇଆଇଟିର ନିର୍ଦ୍ଦେଶକ ଥିବା ସମୟରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଏଥିସହ ଏନ୍ସିସିର ଉପନିର୍ଦ୍ଦେଶକ, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ଉପ ସଭାପତି, ସ୍କୁଲ୍ ଗେମ୍ସ ଫେଡେରେସନ ଅଫ୍ ଇଣ୍ଡିଆର ଯୁଗ୍ମ ସମ୍ପାଦକ ଭାବେ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି। ତାଙ୍କ ଚାକିରି କାଳରେ ଜଣେ ଦକ୍ଷ ପ୍ରଶାସକ ଭାବେ ଶିକ୍ଷା ବିଭାଗରେ ସେ ଅନେକ ସଂସ୍କାର ଆଣିଥିଲେ ବୋଲି ତାଙ୍କ ସମସାମୟିକ ବ୍ୟକ୍ତିମାନେ କୁହନ୍ତି।
ଭଞ୍ଜ ସାହିତ୍ୟର ପ୍ରଚାରକ
୧୬୮୦ ଖ୍ରୀଷ୍ଟାବ୍ଦର ଜନ୍ମିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟକୁ ପ୍ରଚାର ପ୍ରସାର କରିବାରେ ପଦ୍ମଶ୍ରୀ ରଜତ କର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉପେନ୍ଦ୍ର ଭଞ୍ଜଙ୍କ ଚର୍ଚ୍ଚିତ ‘ବୈଦେହୀଶ ବିଳାସ’, ‘ଲାବଣ୍ୟବତୀ’ ଓ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ଭଳି ପ୍ରସିଦ୍ଧ କାବ୍ୟ ଓ ଅନ୍ୟାନ୍ୟ ସୃଷ୍ଟିକୁ ଉତ୍ତରପିଢ଼ିଙ୍କ ପାଖରେ ପହଞ୍ଚାଇବାକୁ ଅହରହ ଉଦ୍ୟମ କରୁଥିଲେ। ୧୯୫୦ ମସିହାରୁ ଜାତୀୟସ୍ତ ରର ଭଞ୍ଜ ଜୟନ୍ତୀ ପାଳନ କରି ରାଜ୍ୟ ତଥା ରାଜ୍ୟ ବାହାରେ ଭଞ୍ଜ ସାହିତ୍ୟକୁ ଜନମାନସରେ ସେ ଭଞ୍ଜ ସାହିତ୍ୟକୁ ପ୍ରଚାର ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ଏବର୍ଷ ଆସନ୍ତା ୧୬ ତାରିଖରୁ କଟକରେ ହେବାକୁ ଥିବା ଭଞ୍ଜ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ବ୍ୟସ୍ତ ଥିଲେ। ବିଭିନ୍ନ ବ୍ୟକ୍ତିଙ୍କ ପାଖକୁ ଫୋନ୍ କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଥା ହୋଇଥିଲେ। ହେଲେ ସପ୍ତାହ ପୂର୍ବରୁ ସବୁଦିନ ପାଇଁ ବାହୁଡ଼ିଗଲେ।
‘ପଦ୍ମଶ୍ରୀ ମୋର କୃତିତ୍ବ ନୁହେଁ, ମହାପ୍ରଭୁଙ୍କ କରୁଣା’
୨୦୨୧ରେ ପଦ୍ମଶ୍ରୀ ପାଇଁ ରଜତ କରଙ୍କ ନାମ ଘୋଷଣା ହେବା ସମୟରେ ’ସମ୍ବାଦ’କୁ ନିଜ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ‘ମୋତେ ଏବେ ୮୭ ବର୍ଷ ବୟସ ହେଲାଣି। ଜଗନ୍ନାଥଙ୍କ କୃପାରୁ ଆଜି ବି ମୁଁ ବାଦି ପାଲା ଆୟୋଜନ କରିପାରୁଛି। ଏହା ମୋର କୃତିତ୍ବ ନୁହେଁ, ମହାପ୍ରଭୁଙ୍କ କରୁଣା। ମୁଁ ଜଣେ ଅର୍ଥନୀତି ଛାତ୍ର, କିନ୍ତୁ ଏ ଜାତିକୁ ଭଲ ପାଇ ମୁଁ ସାହିତ୍ୟାନୁରାଗୀ ହେଲି। ଜଗନ୍ନାଥଙ୍କୁ ନେଇ ଏ ଓଡ଼ିଆ ଜାତି ଉଠିଛି, ବିସ୍ତାରିତ ହୋଇଛି। ମୁଁ ମୋର ସମସ୍ତ ଲେଖା, ବୈଠକ ଓ ରନିଂ କମେଣ୍ଟ୍ରିରେ ଏହି କଥା ହିଁ କହିଥାଏ। ୧୯୫୯ରୁ ମୁଁ ରନିଂ କମେଣ୍ଟ୍ରି ଦେଇଆସୁଛି। ୬୦ ବର୍ଷରୁ ଊର୍ଧ୍ବ ସମୟ ଧରି ମୁଁ ଏଥିରେ ନିୟୋଜିତ ହୋଇଆସିଛି। ଜଗନ୍ନାଥଙ୍କର ଅସ୍ତିତ୍ବ କିଭଳି, ଜଗନ୍ନାଥଙ୍କୁ ନେଇ ଯେଉଁ ନୀଳ ରଙ୍ଗ, ତାହା ହେଉଛି ଅନନ୍ତ ନୀଳିମା ବ୍ରହ୍ମ, ସେହି ବ୍ରହ୍ମର ପ୍ରତିଫଳନରେ ଜୀବ ରୂପରେ ଯିଏ ଆସନ୍ତି ସେ ହେଉଛନ୍ତି ବଳଭଦ୍ର। ସୁଭଦ୍ରା ହେଉଛନ୍ତି ସେଇ ସୃଜନ ଶକ୍ତି, ଯାହା ସେହି ବ୍ରହ୍ମରୁ ଉତ୍ପତ୍ତି। ମୁଁ ଏହିଭଳି ଭାବେ ମହାପ୍ରଭୁଙ୍କୁ ଦେଖିଛି ଓ ସେହି ଭାବରେ ଜଗନ୍ନାଥଙ୍କ ବିକାଶକୁ ମୁଁ ପ୍ରତିପାଦିତ କରିଛି। ଏହି ସାମାନ୍ୟ ଟିକେ ସେବା ବଦଳରେ ମହାପ୍ରଭୁ ମୋତେ ଆଜି ଏତେ ବଡ଼ ସମ୍ମାନର ଅଧିକାରୀ କରିଛନ୍ତି। ଏହା ହେଉଛି ମହାପ୍ରଭୁଙ୍କର ମୋ ପ୍ରତି ଅପାର କୃପା ଓ ଓଡ଼ିଶାବାସୀଙ୍କ ସ୍ନେହ ଶ୍ରଦ୍ଧା। ଜଗନ୍ନାଥଙ୍କୁ ଓ ଓଡ଼ିଶାକୁ ମୁଁ ଯେତିକି ବୁଝିଛି, ସେତିକି ବୁଝେଇବାକୁ ଚେଷ୍ଟା କରିଛି ମୋ ମା’ ମାଉସୀମାନଙ୍କୁ। ତା’ ବଦଳରେ ଆଜି ମୁଁ ବହୁତ କିଛି ପାଇ ଯାଇଛି। ଟିକେ ସେବା ବଦଳରେ ମହାପ୍ରଭୁ ମତେ ଅନେକ କିଛି ଦେଇଛନ୍ତି।’
ସମ୍ମାନ
ପଦ୍ମଶ୍ରୀ ସମ୍ମାନ-୨୦୨୧
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର-୧୯୯୪
ଓଡ଼ିଶା ସାହିତ୍ୟ ଏକାଡେମି ସମ୍ବର୍ଦ୍ଧନା-୨୦୧୭
ସାହିତ୍ୟ ସର୍ଜନାରୁ କିଛି
ଜନ ଜୀବନରେ ଜଗନ୍ନାଥ, ଅନନ୍ୟ ଜଗନ୍ନାଥ ଅନୁଭୂତିରେ, ଅନ୍ଧପୁଟୁଳି, ଚନ୍ଦନ ହଜୁର, ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ବାଇଶି ପାବଚ୍ଛ, ବୀର ଚାଖି ଖୁଣ୍ଟିଆ, ଜନମାନସରେ ଭଞ୍ଜ, ସୁରେନ୍ଦ୍ର ସାଇ, କବି ସମ୍ରାଟ୍, ମକର କହୁଛି ହଜୁରେ, ଶଳିତା, କୃତୀ, ସ୍ମୃତି ଓ ସଂସ୍କୃତି, ଭାରତ ଦୀପ୍ତି