ନୂଆଦିଲ୍ଲୀ: ୫୦ ବର୍ଷ ଆଗରୁ ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ମଙ୍ଗଳ ଗ୍ରହରେ ଜୀବନ ଆବିଷ୍କାର କରିଥିଲେ ବି ଅଜାଣତରେ ତାହାକୁ ନଷ୍ଟ କରି ଦେଇଥିବା କଥା ଜଣେ ଜର୍ମାନ୍ ବୈଜ୍ଞାନିକ ଦାବି କରିଛନ୍ତି।
‘ଆଷ୍ଟ୍ରୋବାୟୋଲୋଜି’ ପ୍ରଫେସର୍ ତଥା ‘ଟେକ୍ନିକାଲ୍ ୟୁନିଭର୍ସିଟି ବର୍ଲିନ୍’ର ଅଧ୍ୟାପକ ଡାର୍କ ସୁଲ୍ଜ୍ ମ୍ୟାକୁ କହିଛନ୍ତି, ୧୯୭୦ ଦଶକର ମଧ୍ୟ ଭାଗରେ ଆରମ୍ଭ ହୋଇଥିବା ‘ନାସା’ର ‘ଭାଇକିଙ୍ଗ୍’ ପ୍ରୋଗ୍ରାମ୍ ସେ ସୁଯୋଗକୁ ଭୁଲ୍କ୍ରମେ ବା ଅଜାଣତରେ ନଷ୍ଟ କରିଦେଇଥିଲା।
‘ଭାଇକିଙ୍ଗ୍’ ପ୍ରୋଗ୍ରାମ୍ରେ ‘ନାସା’ ମଙ୍ଗଳପୃଷ୍ଠକୁ ୨ଟି ଲାଣ୍ଡର୍ ପଠାଇଥିଲା। ତାହା ଯୋଗୁଁ ବିଶ୍ବବାସୀ ପ୍ରଥମ କରି ମଙ୍ଗଳ ଗ୍ରହର ପୃଷ୍ଠ ଦେଖିଥିଲେ। ଏହାଛଡ଼ା, ଲାଣ୍ଡର୍ ଦୁଇଟି ମଙ୍ଗଳ ଗ୍ରହର ମୃତ୍ତିକା ଓ ଶିଳାର ଜୈବିକ ବିଶ୍ଳେଷଣ ବି କରିଥିଲେ।
ଏହି ମିସନ୍ର ଦୁଇଟି ଆଗ୍ନେୟଗିରି ଉଦ୍ଗୀରଣ ଏବଂ ତା’ର ଢାଲୁ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା ଯାହା ହାୱାଇରେ ଥିବା ଆଗ୍ନେୟଗିରି ଉଦ୍ଗୀରଣ ଭଳି ଦିଶୁଥିଲା। ବହୁ ପୂର୍ବ ସେଥିରେ ବର୍ଷା ପାଣି ପଡ଼ିଥିବାର ଆଭାସ ମିଳିଥିଲା।

ଜର୍ମାନ ପ୍ରଫେସର୍ କହିଛନ୍ତି, ‘ଭାଇକିଙ୍ଗ୍’ର ପ୍ରାରମ୍ଭିକ ପରୀକ୍ଷା ଅନୁସାରେ, ମଙ୍ଗଳ ଗ୍ରହର ଲାଲ୍ ମୃତ୍ତିକାରେ ପୋଷକତତ୍ତ୍ବ ମିଶା ଜଳ ଓ ରେଡିଓଆକ୍ଟିଭ୍ କାର୍ବନ୍ ଛଡ଼ାଯାଇଥିଲା। ମଙ୍ଗଳରେ କୌଣସି ଅଣୁଜୀବ ଥିଲେ, ସେମାନେ ଉକ୍ତ ପୋଷକତତ୍ତ୍ବକୁ ବ୍ୟବହାର କରି ବାଷ୍ପ ଭାବେ ରେଡିଓଆକ୍ଟିଭ୍ କାର୍ବନ୍ ଛାଡ଼ି ଥାଆନ୍ତେ।
ଜୈବିକ ଉପାଦାନ ଚିହ୍ନଟ କରିବା ଲାଗି ‘ଭାଇକିଙ୍ଗ୍’ ଲାଣ୍ଡର୍ରେ ଏକ ଯନ୍ତ୍ର ବି ଲାଗିଥିଲା। ଏହା ସେଠାରୁ କିଛି ପରିମାଣରେ ‘କ୍ଲୋରିନେଟେଡ୍ ଅର୍ଗାନିକ୍’ (ଏକ ପ୍ରକାର ଜୈବିକ ପଦାର୍ଥ) ପାଇଥିଲା। ପୃଥିବୀରୁ ଯାଇଥିବା କୌଣସି ସାମଗ୍ରୀଦ୍ବାରା ସଂକ୍ରମିତ ହୋଇ ତାହା ସୃଷ୍ଟି ହୋଇଥିଲା ବୋଲି ସେତେବେଳେ କୁହାଯାଇଥିଲା। ଉକ୍ତ ପ୍ରକଳ୍ପର ବୈଜ୍ଞାନିକ ଜେରାଲ୍ଡ୍ ସୋଫେନ୍ ‘ଭାଇକିଙ୍ଗ୍’ ପ୍ରକଳ୍ପକୁ ବିଫଳ ବୋଲି କହିଥିଲେ।
କିନ୍ତୁ, ମଙ୍ଗଳ ଗ୍ରହର ପୃଷ୍ଠରେ ତା’ର ନିଜସ୍ବ ‘କ୍ଲୋରିନେଟେଡ୍ ଅର୍ଗାନିକ୍’ ଅଛି ବୋଲି ପରେ ୨୦୦୮ରେ ‘ଫିନିକ୍ସ୍ ଲାଣ୍ଡର୍’, ‘କ୍ୟୁରିଓସିଟି’ ଓ ‘ପର୍ସ୍ୟୁଭିରାନ୍ସ୍’ ରୋଭର୍ ସୁନିଶ୍ଚିତ କରିଥିଲେ।
ଅଧ୍ୟାପକ ଡାର୍କ ସୁଲ୍ଜ୍ ମ୍ୟାକୁ କହିଛନ୍ତି, ସମ୍ଭବତଃ ଜଳ ସହିତ ଅଭ୍ୟସ୍ତ ନ ଥିବାରୁ ଶୁଷ୍କ ମଙ୍ଗଳ ଗ୍ରହରୁ ସଂଗୃହୀତ ନମୁନାରେ ଥିବା ସେ ଅଣୁଜୀବମାନେ ଜଳ ସଂସ୍ପର୍ଶରେ ଆସି ମରିଯାଇଥିବେ।