ଆମ ପରମ୍ପରାରେ ଆଶ୍ବିନ କୃଷ୍ଣ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ‘ପିତୃପକ୍ଷ’ ରୂପେ ପାଳିତ ହୁଏ। ପିତୃକୃତ୍ୟ ନିମନ୍ତେ ଏହି ପନ୍ଦରଦିନ ଅତ୍ୟନ୍ତ ପ୍ରଶସ୍ତ। ଏଣୁ ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ ଆଦି କରାଯାଏ। ଏଥିରେ ପିତୃପୁରୁଷ ତୃପ୍ତ ହୁଅନ୍ତି। ଓଡ଼ିଆରେ ପିତୃପୁରୁଷଙ୍କୁ ‘ବଡ଼ବଡ଼ୁଆ’ ନାମକ ଏକ ସୁନ୍ଦର ଶବ୍ଦରେ ସୂଚିତ କରାଯାଇଛି। ସେମାନେ ଦେବତୁଲ୍ୟ ରୂପେ ବିବେଚିତ ହୋଇଥାନ୍ତି। ଶାସ୍ତ୍ରପୁରାଣମାନଙ୍କରେ ପିତୃପୁରୁଷଙ୍କୁ କୁହାଯାଇଛି ‘ପିତୃଗଣ’। ‘ଗଣ’ର ଅର୍ଥ- ସମୂହ। ସେମାନଙ୍କର ପନ୍ଦରଟି ଶ୍ରେଣୀ ବା ସମୂହ। ସେମାନେ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ। ଗୋଟିଏ–ଅଗ୍ନିସ୍ବାତ୍ତା ଓ ଅନ୍ୟଟି ବର୍ହିଷଦ।
‘ଅଗ୍ନିସ୍ବାତ୍ତା’ ହେଉଛନ୍ତି ଦେବତାମାନଙ୍କର ପିତୃଗଣ– ଯେଉଁମାନେ ଯଜ୍ଞାଗ୍ନିର ଆହୁତିରୁ ‘ସ୍ବାତ୍ତ’ ବା ଭାଗ ପାଇଥିଲେ। ତେଣୁ ପିତୃଲୋକରେ ଅବସ୍ଥାନ କାଳରେ ସେମାନେ ପ୍ରଥାଗତ ହବିଃ ଆଦି ଭୋଗ କରି ନ ଥାନ୍ତି। ସେମାନେ ମାନସିକ ଧ୍ୟାନ, ପିଣ୍ଡ ଓ ତୀର୍ଥଜଳ ଆଦିରେ ତୁଷ୍ଟ ହୋଇଥାନ୍ତି। ଅପରପକ୍ଷରେ ବର୍ହିଷଦ୍ମାନେ ପୂର୍ବେ ଯଜ୍ଞ କରିଥିଲେ। ତାହାର ଭାଗ ଦେବତା ଏବଂ ତାଙ୍କର ପିତୃଗଣ ପାଇଥିଲେ। ସେମାନେ ମଧ୍ୟ ପିତୃପୁରୁଷ। ବାର୍ଷିକ ଶ୍ରାଦ୍ଧରେ ସେମାନଙ୍କୁ ହିଁ ସ୍ମରଣ, ପିଣ୍ଡଦାନ ଓ ତର୍ପଣ ଆଦି କରାଯାଇଥାଏ।
ଏ ସଂପର୍କରେ ଜଣାଯାଏ–ଯେ ଏହି ଦୁଇ ପ୍ରମୁଖ ଗଣଙ୍କ ବ୍ୟତୀତ, ଅନ୍ୟ ପିତୃଗଣ ମଧ୍ୟ ଅଛନ୍ତି। ସେମାନେ ହେଉଛନ୍ତି–ସୋମସଦସ୍ୟ, ସୋମପା, ହବିର୍ଭୁକ୍, ଆଜ୍ୟପା ଓ ସୁକାଳିକ। ‘ସୋମସଦସ୍ୟଗଣ’ ହେଉଛନ୍ତି– ସୋମାହୁତି ପ୍ରାପ୍ତ ଗଣ, ‘ସୋମପା’ ହେଉଛନ୍ତି–ସୋମରସ ପାନ କରୁଥିବା ଗଣ, ‘ହବିର୍ଭୁକ୍’ ହେଉଛନ୍ତି ହବିଷ୍ୟାନ୍ନ ଭୋଜନ କରୁଥିବା ଗଣ, ‘ଆଜ୍ୟପ୍ୟା’ ହେଉଛନ୍ତି–ଘୃତାହୁତି ପ୍ରାପ୍ତ ଗଣ, ନିଷ୍କଳା ବା ସୁକାଳିକ ହେଉଛନ୍ତି–ଶରୀର ବିହୀନ ଏବଂ କେବଳ ଆତ୍ମତତ୍ତ୍ବରେ ବ୍ୟାପ୍ତ ଗଣ। ବର୍ହିଷଦ ଗଣଙ୍କ ସଂପର୍କରେ ପୁରାଣମାନଙ୍କରେ ବର୍ଣ୍ଣିତ ଅଛି–ସେମାନେ ଅତ୍ରିଙ୍କର ସୃଷ୍ଟି। ସେମାନଙ୍କର ଆଠଟି ବିଭାଗ। ସେହି ବିଭାଗଗୁଡ଼ିକ ହେଉଛି–ଦୈତ୍ୟ, ଦାନବ, ଯକ୍ଷ, ଗନ୍ଧର୍ବ, ଉରଗ (ସର୍ପ), ରାକ୍ଷସ, ସୁପର୍ଣ୍ଣ (ଗରୁଡ଼ ଆଦି) ଓ କିନ୍ନର। ଏହିପରି ଭାବରେ, ଅଗ୍ନିସ୍ବାତ୍ତା ଆଦି ସାତ ଏବଂ ଅତ୍ରି, ମରୀଚି ଆଦି ଅଷ୍ଟମୁନିଙ୍କଠାରୁ ଉତ୍ପତ୍ତି ଆଠଙ୍କୁ ମିଶାଇ, ଆମର ପିତୃପୁରୁଷଙ୍କର ୧୫ଟି ଶ୍ରେଣୀ। ପିତୃପକ୍ଷ ଏହିମାନଙ୍କର ହିଁ ପକ୍ଷ।