ମହିଷାସୁରର ନିଧନ ପାଇଁ ଦେବତାମାନେ ସ୍ତୁତି କରିବା ପରେ, ସେମାନଙ୍କର ସମ୍ମିଳିତ ତେଜରୁ ଦେବୀ ଦୁର୍ଗା ଆବିର୍ଭୂତ ହୋଇଥିଲେ। ଏ କଥା ପୁରାଣପ୍ରସିଦ୍ଧ। ଏ ସଂପର୍କରେ ସାରଳା(ସାରୋଳ) ଦାସଙ୍କ ‘ଶ୍ରୀଚଣ୍ଡୀପୁରାଣ’ରେ ଚମତ୍କାର ବର୍ଣ୍ଣନା ଅଛି। କୁହାଯାଇଛି- “ଦେବତାମାନଙ୍କର ବ୍ୟାକୁଳ ମହାମନ୍ତ୍ର ସ୍ତୁତି/
ମହା ଆନନ୍ଦ ବିଦାରି ଦିଶିଲା ଦିବ୍ୟ ଜ୍ୟୋତି କାନ୍ତି। / ବ୍ରହ୍ମ ଅଗ୍ନି ରୂପେ ହୋଇଲେ ଉତପତ୍ୟା / ଅନଳ ତେଜ ଘେନିଣ ସେ କପୋଳ ସମ୍ଭୂତା।”
ସେହି ଅଗ୍ନିରୂପା ଦୁର୍ଗାଙ୍କର ବିଭିନ୍ନ ଅଙ୍ଗ କେଉଁ କେଉଁ ଦେବତାଙ୍କ ତେଜରେ ଗଠିତ ହୋଇଥିଲା, ତାହାର ସୁନ୍ଦର ବର୍ଣ୍ଣନା ବି ‘ଶ୍ରୀଚଣ୍ଡୀପୁରାଣ’ରେ ଅଛି। କୁହାଯାଇଛି- ନାରାୟଣଙ୍କ ତେଜରେ ତାଙ୍କର ବଦନ ବିକଶିତ ହେଲା। ମହେଶ୍ୱରଙ୍କ ତେଜରେ ଦନ୍ତକାନ୍ତି ପ୍ରକାଶମାନ ହେଲା। ଅଗ୍ନିଙ୍କର ତେଜରେ ଦୁଇ ନୟନ, ଇନ୍ଦ୍ରଙ୍କ ତେଜରେ ନାସିକା, ଚନ୍ଦ୍ରଙ୍କ ତେଜରେ ଜିହ୍ୱା, ସୂର୍ଯ୍ୟଙ୍କ ତେଜରେ ମୁଖପଦ୍ମ, ଯମଙ୍କ ତେଜରେ ଗଣ୍ଡସ୍ଥଳ, କୁବେରଙ୍କ ତେଜରେ ବକ୍ଷସ୍ଥଳ, ଦିଗରକ୍ଷକ ଦେବତାଙ୍କ ତେଜରେ ଉଦର, ସନକାଦିଙ୍କ ତେଜରେ ନାଭି, ଅଶ୍ୱିନୀକୁମାରଙ୍କ ତେଜରେ କଟି, ତ୍ରିବଳି ଓ ନିତମ୍ବ, ଅମ୍ବିକାଙ୍କ ତେଜରେ ପାଦାଙ୍ଗୁଳି, ପ୍ରଜାପତିଙ୍କ ତେଜରେ ଜାନୁ, ଅଷ୍ଟକୁଳ ନାଗ ଓ ବାସୁକୀଙ୍କ ତେଜରେ ତଳିପା, ସୂର୍ଯ୍ୟଙ୍କ ତେଜରେ ଆଙ୍ଗୁଳିର ନଖ ବିକଶିତ ହେଲା।
କେବଳ ଏତିକି ନୁହେଁ, ‘ଶ୍ରୀଚଣ୍ଡୀପୁରାଣ’ର ବର୍ଣ୍ଣନା ଅନୁସାରେ- ନକ୍ଷତ୍ରମାନଙ୍କର ତେଜରେ ତାଙ୍କର ରୋମାବଳି ମଧ୍ୟ ବିକଶିତ ହେଲା। ଅଣଚାଶ-ପବନ-ଦେବତାଙ୍କ ତେଜ ନେଇ ଆକାଶରେ ତାଙ୍କର ସହସ୍ରଭୁଜ ବିସ୍ତାରିତ ହେଲା। ପୁଣି ବ୍ରହ୍ମାଙ୍କ ପରି ସେ ମହାବ୍ରହ୍ମଜ୍ଞାନୀ, ବିଷ୍ଣୁଙ୍କ ପରି କ୍ଷତ୍ରୀୟ ସମୁଦ୍ର, ବୃହସ୍ପତିଙ୍କ ପରି ପାଣ୍ଡିତ୍ୟ ଓ ମେଧାସଂପନ୍ନା ଏବଂ ଇନ୍ଦ୍ରଙ୍କ ପରି ବଡ଼ିମାମୟୀ ହେଲେ। ଏ ସଂପର୍କରେ ‘ଶ୍ରୀଚଣ୍ଡୀପୁରାଣ’ରେ ରାଜା ପରୀକ୍ଷିତଙ୍କୁ ଶୁକମୁନି କହିଛନ୍ତି- ହେ ରାଜା! ଏହିପରି ଭାବରେ ଦେବୀ ଦୁର୍ଗା ସମସ୍ତ ଦେବଗଣଙ୍କର ତେଜ ଘେନି ଉତ୍ପତ୍ତି ହେବାରୁ, ସମସ୍ତଙ୍କର ପ୍ରକୃତି ତାଙ୍କଠାରେ ପ୍ରକଟିତ ହେଲା। ତେତିଶ କୋଟି ଦେବତା ତାଙ୍କର ନାମ ଦେଲେ- ‘ତ୍ରୈଲୋକ୍ୟମୋହିନୀ’।
‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :[email protected]