ଆଷାଢ଼ ଓ ଶ୍ରାବଣ। ଋତୁଚକ୍ରର ଗଣନା ଅନୁସାରେ, ଏ ଦୁଇ ମାସ ବର୍ଷାଋତୁ। ଗୌତମବୁଦ୍ଧଙ୍କ ଜୀବନରେ ଏ ଋତୁର ମଧ୍ୟ ଅନେକ ତାତ୍ପର୍ଯ୍ୟ ରହିଛି। କିନ୍ତୁ ବୈଶାଖ ପୂର୍ଣ୍ଣିମାକୁ ତାଙ୍କ ଜୀବନରେ ଅନେକ ମହତ୍ତ୍ବ ଦିଆଯାଏ। କାରଣ, ବୈଶାଖ ପୂର୍ଣ୍ଣିମାରେ ସେ ଜନ୍ମ ହୋଇଥିଲେ, ବୈଶାଖ ପୂର୍ଣ୍ଣିମାରେ ବୋଧିପ୍ରାପ୍ତ ହୋଇଥିଲେ ଏବଂ ବୈଶାଖପୂର୍ଣ୍ଣିମାରେ ତାଙ୍କର ମହାପରିନିର୍ବାଣ ଘଟିଥିଲା। ଆଷାଢ଼ ହେଉଛି ବର୍ଷାର ଆଗମନୀ ମାସ। ବୁଦ୍ଧଙ୍କ ପିତା ଶୁଦ୍ଧୋଦନଙ୍କ କପିଳବାସ୍ତୁ ରାଜ୍ୟରେ ଏହି ମାସରେ ‘ଆଷାଢ଼ ଉତ୍ସବ’ ପାଳନ ହୁଏ। ପୂର୍ଣ୍ଣିମାକୁ ଲାଗି ସାତଦିନ ଧରି ଏହା ପାଳିତ ହୋଇଥାଏ। ଗୋଟିଏ ବର୍ଷ ରାଣୀ ମହାମାୟା ଏହି ଉପଲକ୍ଷେ ଏକ ବ୍ରତ କରିଥିଲେ। ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗ କରି, ଶୁଦ୍ଧପୂତ ହୋଇ, ବ୍ରତର ଆଠଟି ନିୟମ ପାଳନ କରିଥିଲେ।
ସେହି ପୂର୍ଣ୍ଣିମା ରାତିରେ ଗଜଦନ୍ତ ପଲଙ୍କରେ ଗଭୀର ନିଦ୍ରାରେ ଶୋଇଥିବା ବେଳେ, ସେ ଏକ ସ୍ବପ୍ନ ଦେଖିଲେ। ସେ ଦେଖିଥିଲେ–ଗୋଟିଏ ସୁନ୍ଦର ଶ୍ବେତହସ୍ତୀ ଶୁଣ୍ଢରେ ଗୋଟିଏ ଶ୍ବେତପଦ୍ମ ଧରି ଆସି, ତାଙ୍କୁ ତିନିବାର ପ୍ରଦକ୍ଷିଣ କରି, ତାଙ୍କୁ ସେହି ଶ୍ବେତପଦ୍ମରେ ଛୁଇଁଦେଇ, ତାଙ୍କର ଗର୍ଭରେ ପ୍ରବେଶ କରୁଛି। ସେହି ସ୍ବପ୍ନର ଶୁଭଫଳ ରୂପେ ପଣ୍ଡିତମାନେ କହିଥିଲେ ଯେ ମହାରାଣୀଙ୍କର ଗର୍ଭାଧାନ ହୋଇଛି। ତାଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜାତ ହେବ। ସେହି ପୁତ୍ର ରାଜଗୃହରେ ରହିଲେ ଚକ୍ରବର୍ତ୍ତୀ ରାଜା ହେବ। ଯଦି ସେ ଘରଛାଡ଼ି ସନ୍ନ୍ୟାସୀ ହୁଏ- ତେବେ ବୁଦ୍ଧ ହୋଇ ସମଗ୍ର ଜଗତରେ ଜ୍ଞାନର ଆଲୋକ ବିସ୍ତାରିତ କରିବ। ପଣ୍ଡିତମାନଙ୍କର ସେହି ଭବିଷ୍ୟବାଣୀ ସତ ହୋଇଥିଲା। ରାଜପୁତ୍ର ଗୌତମ ରାଜପ୍ରାସାଦ ଛାଡ଼ି ସତ୍ୟର ସନ୍ଧାନରେ ଯାଇ ବୁଦ୍ଧତ୍ବ ଲାଭ କରିଥିଲେ।
ବୁଦ୍ଧଙ୍କ ଜନ୍ମର ପ୍ରାୟ ୪୦ ବର୍ଷ ପରର ଆଉ ଏକ ଆଷାଢ଼ ପୂର୍ଣ୍ଣିମା ଥିଲା ସମଗ୍ର ବିଶ୍ବପାଇଁ ଗୁରୁତ୍ବପୂର୍ଣ୍ଣ। ତାହା ଥିଲା ‘ଧର୍ମଚକ୍ର ପ୍ରବର୍ତ୍ତନ’ର ଦିନ। ବୋଧିପ୍ରାପ୍ତି ପରେ ବୁଦ୍ଧଦେବ ବାରାଣସୀ ସ୍ଥିତ ଋଷିପତ୍ତନର ମୃଗବନକୁ ଯାଇଥିଲେ। କାରଣ, ସେ ବୁଦ୍ଧତ୍ବର ସାଧନା କରୁଥିବାବେଳେ ତାଙ୍କୁ ଛାଡ଼ି ଚାଲିଯାଇଥିବା ପାଞ୍ଚଭିକ୍ଷୁ ସେଠାରେ ତପସ୍ୟା କରୁଥିଲେ। ବୋଧିପ୍ରାପ୍ତି ପରେ ସେ ଯେତେବେଳେ ସେଠାକୁ ଗଲେ, ସେତେବେଳେ ସେହି ପାଞ୍ଚଜଣ ଭିକ୍ଷୁ ହିଁ ତାଙ୍କ ପାଖକୁ ଆସି ତାଙ୍କୁ ସ୍ବୀକାର କରିଥିଲେ। ତାଙ୍କ ସମ୍ମୁଖରେ ବୁଦ୍ଧ ତାଙ୍କର ପ୍ରଥମ ଧର୍ମୋପଦେଶ ପ୍ରଦାନ କରିଥିଲେ। ତାହା ‘ଧର୍ମଚକ୍ର ପ୍ରବର୍ତ୍ତନ’ ନାମରେ ସମଗ୍ର ବିଶ୍ବରେ ଖ୍ୟାତ। ସେହି ସ୍ଥାନଟି ହେଉଛି ଆଜିର ସାରନାଥ। ଏଣୁ ବୁଦ୍ଧଙ୍କ ଜୀବନରେ ବର୍ଷାଋତୁ ବା ଆଷାଢ଼-ଶ୍ରାବଣ ମାସ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
- ଅସିତ ମହାନ୍ତି