ଚାରିଯୁଗରେ ପ୍ରସିଦ୍ଧ ବନ ଓ ପର୍ବତ ମଧ୍ୟରେ ଚିତ୍ରକୂଟ ପର୍ବତ ଏକ ବିଶେଷ ସ୍ଥାନ ଗ୍ରହଣ କରିଛି। ସତ୍ୟଯୁଗରେ ଚିତ୍ରକୂଟ ବନସ୍ଥଳୀରେ ମହାସତୀ ଅନସୂୟାଙ୍କ ଗର୍ଭରୁ ସ୍ୱୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଅଂଶରୁ ଦତ୍ତାତ୍ରେୟ, ଚନ୍ଦ୍ର ଓ ଦୁର୍ବାସା ଜନ୍ମ ଲାଭ କରିଥିଲେ। ମହାସତୀଙ୍କର ଆଶ୍ରମ ବ୍ୟତୀତ ଏଠାରେ ତାଙ୍କର ପତି ମହାମୁନି ଅତ୍ରି ଏବଂ ମହର୍ଷି ଅଗସ୍ତ୍ୟ, ସ୍ୱତକର୍ମା, ମାର୍କଣ୍ଡେୟ ଓ ଦତ୍ତାତ୍ରେୟଙ୍କର ଆଶ୍ରମ ମଧ୍ୟ ଥିଲା। ଏହି ମୁନିମାନଙ୍କ ତପସ୍ୟାରୁ ଏହା ଏକ ମହାନ ତପୋଭୂମିରେ ପରିଣତ ହୋଇଥିଲା।

Advertisment

କଥିତ ଅଛି, ଚିତ୍ରକୂଟରେ ଅନେକ ବର୍ଷ ଧରି ବର୍ଷା ନହେବାରୁ ମୁନିଋଷିମାନେ ବହୁ କଷ୍ଟ ଭୋଗ କଲେ। ସେଥିରେ ଦୁଃଖିତ ହୋଇ ମହାସତୀ ଅନସୂୟା କଠୋର ତପସ୍ୟା କରି ଚିତ୍ରକୂଟ ଅଞ୍ଚଳର ଜଳକଷ୍ଟ ନିବାରଣ କରିବା ନିମିତ୍ତ ମନ୍ଦାକିନୀଙ୍କୁ ପୃଥ୍ୱୀଲୋକକୁ ଆଣିଲେ। ଚିତ୍ରକୂଟ ପର୍ବତରୁ ମନ୍ଦାକିନୀ ବହୁଧାରାରେ ଝରଣା ଆକାରରେ ଝରି ନଦୀରୂପେ ପ୍ରବାହିତ ହେଲେ। ଫଳରେ ଚିତ୍ରକୂଟ ଅପରୂପ ଶୋଭା ଧାରଣ କଲା। ‘ରାମାୟଣ’ର ବର୍ଣ୍ଣନା ଅନୁସାରେ, ତପସ୍ୟାଭୂମି ଚିତ୍ରକୂଟର ଅପରୂପ ଶୋଭା ଦର୍ଶନ କରି, ବନବାସ କାଳରେ ଶ୍ରୀରାମଚନ୍ଦ୍ର ଏଠାରେ ବାରବର୍ଷ ଅତିବାହିତ କରିଥିଲେ।

ଚିତ୍ରକୂଟ ପର୍ବତ ଚାରିଯୁଗ ଧରି ଭାରତର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଜୀବନର ପ୍ରାଣକେନ୍ଦ୍ର ହୋଇ ପାରିଥିଲା। ଏଠାରେ ପିତୃଶ୍ରାଦ୍ଧ କଲାବେଳେ ରାମଚନ୍ଦ୍ର ସମସ୍ତ ଦେବତାଙ୍କୁ ଆବାହନ କରିଥିଲେ। ଫଳରେ ସେମାନେ ଆସି ଏହି ଭୂମିକୁ ପବିତ୍ର କରିଥିଲେ। ରାମଙ୍କୁ ଅଯୋଧ୍ୟା ଫେରାଇ ନେବାପାଇଁ ଭରତ ଚିତ୍ରକୂଟ ଆସିଥିଲେ। ଏପରିକି ରାମଙ୍କୁ ଅଭିଷେକ କରାଇବା ନିମିତ୍ତ ସମସ୍ତ ତୀର୍ଥର ଜଳ ସଙ୍ଗରେ ନେଇ ଆସିଥିଲେ। ରାମ ସେଥିରେ ଅସମ୍ମତ ହେବାରୁ, ଭରତ ସେ ସମସ୍ତ ଜଳକୁ ଏକ କୂପରେ ରଖି ଯାଇଥିଲେ। ତାହା ଆଜି ଭରତକୂପ ନାମରେ ପ୍ରସିଦ୍ଧ।

ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲା ଓ ମଧ୍ୟପ୍ରଦେଶର ସତନା ଜିଲା ମଧ୍ୟରେ ରହିଛି ଚିତ୍ରକୂଟ ପର୍ବତ। ଯୁଗଯୁଗର ସ୍ମୃତିକୁ ନେଇ ସୋମବତୀ ଅମାବାସ୍ୟା, ଦୀପାବଳି, ମକର ସଂକ୍ରାନ୍ତି ଓ ରାମ ନବମୀରେ ଏଠାରେ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଗୁପ୍ତ ଗୋଦାବରୀ, ରାମଘାଟ, ଅନସୂୟା ମନ୍ଦିର, ଜାନକୀ କୁଣ୍ଡ, ସ୍ଫଟିକଶିଳା ଆଦି ଚିତ୍ରକୂଟର ମହିମାଗାନ କରିଥାଏ।

-ଡକ୍ଟର ତୁଳସୀ ଓଝା

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- [email protected]